Ram Mandir: ଚମ୍ପତ ରାୟ ଜେଲ୍ ଯାଇପାରନ୍ତି: କଟିୟାର

ଅଯୋଧ୍ୟା: ଶ୍ରୀ ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ପାଣ୍ଠି ହେରଫେର ବିବାଦ ଏବେ ତୀବ୍ର ହେବାରେ ଲାଗିଛି ଏବଂ ଏହାକୁ ନେଇ ଦେଶର ରାଜନୀତି ସରଗରମ ହୋଇଉଠିଛି। ଟ୍ରଷ୍ଟର ସାଧାରଣ ସମ୍ପାଦକ ଚମ୍ପତ ରାୟ ଖୁବଶୀଘ୍ର ଜେଲ୍ ଯାଇପାରନ୍ତି ବୋଲି ପୂର୍ବତନ ବିଜେପି ସାଂସଦ ବିନୟ କଟିୟାର ଏକ ଚାଞ୍ଚଲ୍ୟକର ଦାବି କରିଛନ୍ତି। ଗତକାଲି ବିଳମ୍ବିତ ରାତି ପ୍ରାୟ ୧ଟା ୩୦ ମିନିଟ୍ ସମୟରେ ଏହି ଗମ୍ଭୀର ମାମଲା ସମ୍ପର୍କରେ ତାଙ୍କର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ସିଧାସଳଖ ଆଲୋଚନା ହୋଇଥିଲା ଏବଂ ପ୍ରଧାନମନ୍ତ୍ରୀ ଘଟଣାର ସମ୍ପୂର୍ଣ୍ଣ ବିବରଣୀ ମାଗିଥିଲେ ବୋଲି କଟିୟାର ପ୍ରକାଶ କରିଛନ୍ତି।
କଟିୟାରଙ୍କ କହିବା ଅନୁଯାୟୀ, ବର୍ତ୍ତମାନ ସୁଦ୍ଧା ହୋଇଥିବା ତଦନ୍ତରୁ ମନ୍ଦିର ପାଣ୍ଠିର ବ୍ୟାପକ ଅର୍ଥ ଆତ୍ମସାତ କରାଯାଇଥିବା ସ୍ପଷ୍ଟ ହୋଇଛି। ଏହି ଦୁର୍ନୀତି ମାମଲାରେ ସାଧାରଣ ସମ୍ପାଦକ ଚମ୍ପତ ରାୟଙ୍କ ସମେତ ଅନିଲ ମିଶ୍ର ଏବଂ ବିନୋଦ ରାଓଙ୍କ ସଂପୃକ୍ତି ଥିବା ସାମ୍ନାକୁ ଆସିଛି। ଦାନ ଅର୍ଥର ଏଭଳି ଗମ୍ଭୀର ଚୋରି ମାମଲା ସାରା ବିଶ୍ୱର କୋଟି କୋଟି ରାମଭକ୍ତଙ୍କ ବିଶ୍ୱାସକୁ ଗଭୀର ଆଘାତ ପହଞ୍ଚାଇଛି। ଏହା ରାମ ମନ୍ଦିର ଆନ୍ଦୋଳନ ସମୟରେ ଅଗଣିତ ଶ୍ରଦ୍ଧାଳୁ ଦେଇଥିବା ବଳିଦାନ ପ୍ରତି ଏକ ବଡ଼ ବିଶ୍ୱାସଘାତକତା ବୋଲି ସେ ଅଭିହିତ କରିଛନ୍ତି।
Ram Mandir: ଜୁଲାଇ ୬ରେ ରାମମନ୍ଦିର ଟ୍ରଷ୍ଟର ଗୁରୁତ୍ୱପୂର୍ଣ୍ଣ ବୈଠକ
ଅନ୍ୟପକ୍ଷରେ ଟ୍ରଷ୍ଟର ନେତୃତ୍ୱକୁ ତୀବ୍ର ସମାଲୋଚନା କରି ମନ୍ଦିର ନିର୍ମାଣ କମିଟିର ଅଧ୍ୟକ୍ଷ ନୃପେନ୍ଦ୍ର ମିଶ୍ର ଏହି ଘଟଣାକୁ କେବଳ ଏକ ସାଧାରଣ ଚୋରି ନୁହେଁ, ବରଂ ଏକ ବଡ଼ ଡକାୟତି ବୋଲି ବର୍ଣ୍ଣନା କରିଛନ୍ତି। ମାମଲାର ଗୁରୁତ୍ୱକୁ ଦୃଷ୍ଟିରେ ରଖି ସ୍ୱତନ୍ତ୍ର ତଦନ୍ତକାରୀ ଟିମ୍(ଏସଆଇଟି) ଗଠନ ହେବା ପୂର୍ବରୁ ସେ ନିଜେ ସ୍ଥିତିର ସମୀକ୍ଷା କରିବା ପାଇଁ ଅଯୋଧ୍ୟା ଗସ୍ତ କରିଥିଲେ। ଲଗାତାର ସଂଗୀନ ଅଭିଯୋଗ ଆସିବା ପରେ ରାମ ମନ୍ଦିର ଟ୍ରଷ୍ଟର ବିଶ୍ୱସନୀୟତା ନେଇ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ବିଭିନ୍ନ ରାଜନୈତିକ ଏବଂ ଧାର୍ମିକ ସଂଗଠନର ନେତୃବୃନ୍ଦ ଏହି ଦୁର୍ନୀତିର ଉତ୍ତରଦାୟିତ୍ୱ ନିର୍ଦ୍ଧାରଣ କରିବା ପାଇଁ ଦାବି କରିଛନ୍ତି।