Ram Mandir Donation Theft: ରାମ ମନ୍ଦିର ପାଇଁ କାଶୀ ବିଶ୍ୱନାଥ ମଡେଲ୍ ! ୪୪ ବର୍ଷ ତଳର ଗୋଟିଏ ଚୋରି ବଦଳାଇ ଦେଇଥିଲା ସବୁକିଛି...
ଲକ୍ଷ୍ନୌ, ୬।୭: ଅଯୋଧ୍ୟା ରାମ ମନ୍ଦିରରେ ଦାନ ଚୋରି ମାମଲାକୁ ନେଇ ଏବେ ସାରା ଦେଶରେ ତେଜିଛି ଅସନ୍ତୋଷ । ମନ୍ଦିର ପରିଚାଳନା ଏବଂ ଚଢ଼ାଉର ସ୍ୱଚ୍ଛତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଚମ୍ପତ ରାୟ, ଗୋପାଳ ରାଓ ଏବଂ ଅନିଲ ମିଶ୍ରଙ୍କ ଭଳି ପ୍ରମୁଖ ବ୍ୟକ୍ତିଙ୍କ ଉପରେ ଲାଗିଥିବା ଗମ୍ଭୀର ଅଭିଯୋଗ ଏବେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଚିନ୍ତାରେ ପକାଇଛି । ଜନସାଧାରଣ ଏବେ ପ୍ରଶ୍ନ କରୁଛନ୍ତି ଯେ, କେବଳ ଛୋଟ ଚୋରଙ୍କୁ ଧରିଲେ ହେବନାହିଁ, ଏହା ପଛରେ ଥିବା ବଡ଼ ମାଛମାନଙ୍କୁ କେବେ ଧରାଯିବ ? ମାମଲାର ଯାଞ୍ଚ କରୁଥିବା ଏସଆଇଟି ମଧ୍ୟ ନିଜ ପ୍ରାଥମିକ ରିପୋର୍ଟରେ ମନ୍ଦିର ପାଇଁ ଜଣେ ସିଇଓ ନିଯୁକ୍ତ କରିବାକୁ ସୁପାରିଶ କରିଛି । ଏଭଳି ପରିସ୍ଥିତିରେ ରାମ ମନ୍ଦିରର ସମ୍ପୂର୍ଣ୍ଣ ନିୟନ୍ତ୍ରଣ ସରକାର ନିଜ ହାତକୁ ନେବା ଉଚିତ ବୋଲି ଚର୍ଚ୍ଚା ଜୋର ଧରିଛି । ତେବେ ଆପଣ ଜାଣନ୍ତି କି, ଆଜକୁ ଠିକ୍ ୪୪ ବର୍ଷ ପୂର୍ବେ ଉତ୍ତର ପ୍ରଦେଶରେ ଏଭଳି ଏକ ସମାନ ଘଟଣା ଘଟିଥିଲା, ଯାହା ମନ୍ଦିର ସଂସ୍କାର ଇତିହାସରେ ଏକ ବଡ଼ ଉଦାହରଣ ପାଲଟିଥିଲା ।
କାଶୀ ବିଶ୍ୱନାଥ ମନ୍ଦିରର ସେହି ବଡ଼ ଚୋରି, ଯାହା ସରକାରଙ୍କ ନିଦ ହଜାଇ ଦେଇଥିଲା:
କଥା ଅଧିକ ପୁରୁଣା ନୁହେଁ, ୧୯୮୩ ମସିହା ଜାନୁଆରୀ ୪ ଏବଂ ୫ ତାରିଖ ବିଳମ୍ବିତ ରାତିର ଘଟଣା । ବାରାଣସୀର ପ୍ରସିଦ୍ଧ କାଶୀ ବିଶ୍ୱନାଥ ମନ୍ଦିରରୁ ଶିବଲିଙ୍ଗର ଚାରିପାଖରେ ଥିବା ପ୍ରାୟ ୨.୬ କିଲୋଗ୍ରାମ ଓଜନର ସୁନାର 'ଅର୍ଘା' ଚୋରି ହୋଇଯାଇଥିଲା । ଏହି ଖବର ପ୍ରଚାରିତ ହେବା ମାତ୍ରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ପ୍ରବଳ ଜନଆକ୍ରୋଶ ଦେଖାଦେଇଥିଲା । ପରିସ୍ଥିତିକୁ ଦେଖି ତତ୍କାଳୀନ ମୁଖ୍ୟମନ୍ତ୍ରୀ ଶ୍ରୀପତି ମିଶ୍ରଙ୍କ ସରକାର ତୁରନ୍ତ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ । ତତ୍କାଳୀନ ୟୁପି ପୁଲିସ ମହାନିର୍ଦ୍ଦେଶକ (DGP) ଶ୍ରୀଶ ଚନ୍ଦ୍ର ଦୀକ୍ଷିତଙ୍କ ନେତୃତ୍ୱରେ ପୁଲିସ ଦ୍ରୁତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ୨୨ ଜାନୁଆରୀ ୧୯୮୩ ସୁଦ୍ଧା ୧୧ ଜଣଙ୍କୁ ଗିରଫ କରିବା ସହ ଅଧିକାଂଶ ଚୋରି ସାମଗ୍ରୀ ଉଦ୍ଧାର କରିଥିଲା । ପରବର୍ତ୍ତୀ ସମୟରେ, ନଭେମ୍ବର ୨୦୦୬ ରେ ଏହି ଚୋରି ସାମଗ୍ରୀ ମନ୍ଦିର ଟ୍ରଷ୍ଟକୁ ହସ୍ତାନ୍ତର କରାଯାଇଥିଲା ।
ଏହା ବି ପଢ଼ନ୍ତୁ... Viral News: 'ମୋତେ ଛୁଇଁଲେ ମାରିଦେବି'; ଚତୁର୍ଥୀ ରାତିରେ ସ୍ୱାମୀକୁ ସ୍ତ୍ରୀର ଧମକ, ଏଣ୍ଟ୍ରୀ କଲା ପ୍ରେମିକ
ସରକାର ଆଣିଲେ ଐତିହାସିକ ଆଇନ: 'ଉତ୍ତର ପ୍ରଦେଶ ଶ୍ରୀ କାଶୀ ବିଶ୍ୱନାଥ ମନ୍ଦିର ଆକ୍ଟ'
ଏହି ଚୋରି ପରେ ସଦିଅ ସଦି ଧରି ଚାଲିଆସୁଥିବା ମହନ୍ତ ପ୍ରଥା ବିରୋଧରେ ଜନସାଧାରଣ ସ୍ୱର ଉତ୍ତୋଳନ କରିଥିଲେ । ସରକାରଙ୍କ ଉପରେ ଚାପ ବଢ଼ିବାରୁ ୨୮ ଜାନୁଆରୀ ୧୯୮୩ ରେ ଏକ ଜରୁରୀକାଳୀନ ଅଧ୍ୟାଦେଶ ଜାରି କରି ମନ୍ଦିରର ପରିଚାଳନା ଭାର ଏକ ସରକାରୀ ଟ୍ରଷ୍ଟକୁ ହସ୍ତାନ୍ତର କରାଗଲା । ଏହାପରେ, ୭ ସେପ୍ଟେମ୍ବର ୧୮୩ ରେ ତତ୍କାଳୀନ ସମାଜ ମଙ୍ଗଳ ମନ୍ତ୍ରୀ ଗୁଲାବ ସେହରା ବିଧାନସଭାରେ ଏକ ବିଲ୍ ଆଣିଥିଲେ, ଯାହାକୁ ୧୨ ଅକ୍ଟୋବର ୧୯୮୩ ରେ ରାଷ୍ଟ୍ରପତିଙ୍କ ମଞ୍ଜୁରୀ ମିଳିଥିଲା । ଏହାପରେ ଗଠିତ ହେଲା 'ଉତ୍ତର ପ୍ରଦେଶ ଶ୍ରୀ କାଶୀ ବିଶ୍ୱନାଥ ମନ୍ଦିର ଆକ୍ଟ, ୧୯୮୩' । ଏହି ବୋର୍ଡରେ ବିଶିଷ୍ଟ ଧାର୍ମିକ ବ୍ୟକ୍ତି ଓ ବରିଷ୍ଠ ସରକାରୀ ଅଧିକାରୀଙ୍କୁ ସାମିଲ କରାଗଲା ଏବଂ ବିଭୂତି ନାରାୟଣ ସିଂହଙ୍କୁ ଏହାର ପ୍ରଥମ ସଭାପତି କରାଯାଇଥିଲା, ଯିଏ କି ୨୦୦୦ ମସିହା ଅର୍ଥାତ୍ ତାଙ୍କ ମୃତ୍ୟୁ ପର୍ଯ୍ୟନ୍ତ ଏହି ପଦରେ ରହିଥିଲେ ।
ସରକାର ନୂତନ ଟ୍ରଷ୍ଟକୁ ୧୧ ଲକ୍ଷ ଟଙ୍କାର ଋଣ ଦେଇଥିଲେ, ଯେଉଁଥିରୁ ୬ ଲକ୍ଷ ଟଙ୍କାରେ ପୁଣି ଏକ ନୂଆ ସୁନାର ଦୀପ ତିଆରି କରାଗଲା ଏବଂ ବାକି ୫ ଲକ୍ଷ ଟଙ୍କା ବ୍ୟାଙ୍କରେ ରଖାଗଲା ଯେପରିକି ସେହି ସୁଧରେ ମନ୍ଦିରର ଦୈନିକ ଖର୍ଚ୍ଚ ଚାଲିପାରିବ । ସରକାର ମନ୍ଦିର ହାତକୁ ନେବା ପରେ ବ୍ୟାପକ ସୁଧାର ଆଣିଥିଲେ । ମନ୍ଦିର ପରିସରରେ ଆଲୋକ ଓ ପବନ ପାଇଁ ୨୦ଟି ଟ୍ୟୁବଲାଇଟ୍ ଏବଂ ୧୧ଟି ପଙ୍ଖା ଲଗାଗଲା । ଶିବଲିଙ୍ଗରେ ଚଢ଼ାଯାଉଥିବା କ୍ଷୀରକୁ ଅନାଥ ଶିଶୁମାନଙ୍କ ମଧ୍ୟରେ ବଣ୍ଟନ କରାଗଲା । ପ୍ରତି ସୋମବାର ୫୧ ଜଣ ସନ୍ନ୍ୟାସୀ ଏବଂ ଦୈନିକ ୩୦ ଜଣ ଗରିବ ଲୋକଙ୍କୁ ମାଗଣା ଖାଦ୍ୟ ଯୋଗାଇ ଦିଆଗଲା । ୫୦୦୦ ଟଙ୍କା ବା ତା'ଠାରୁ ଅଧିକ ଦାନ କରୁଥିବା ପରିବାରକୁ ବର୍ଷକୁ ଥରେ ଗର୍ଭଗୃହରେ ପୂଜା କରିବାର ସୁଯୋଗ ମିଳିଲା । ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିବା ପାଇଁ ମନ୍ଦିର ନିକଟରେ ଏକ ସ୍ୱତନ୍ତ୍ର ପୁଲିସ ପୋଷ୍ଟ ସ୍ଥାପନ କରାଗଲା । ୪୪ ବର୍ଷ ପୂର୍ବେ କାଶୀ ବିଶ୍ୱନାଥ ମନ୍ଦିରରେ ହୋଇଥିବା ସଂସ୍କାର ଆଜି ମଧ୍ୟ ଏକ ମାଇଲଖୁଣ୍ଟ । ଏବେ ଦେଖିବାକୁ ବାକି ରହିଲା, ଅଯୋଧ୍ୟା ରାମ ମନ୍ଦିରର ବର୍ତ୍ତମାନର ବିବାଦକୁ ସମାଧାନ କରିବା ପାଇଁ ଯୋଗୀ ସରକାର ସେଭଳି କୌଣସି କଡ଼ା ଐତିହାସିକ ପଦକ୍ଷେପ ଗ୍ରହଣ କରୁଛନ୍ତି କି ନାହିଁ ।