Cuttack Chandi Temple: କଟକ ଚଣ୍ଡୀ ମନ୍ଦିର ପ୍ରକଳ୍ପ କାମର ମାନକୁ ନେଇ ପ୍ରଶ୍ନବାଚୀ; ନାଟମଣ୍ଡପ, ଶିବ ମନ୍ଦିରୁ ଓ ସୂର୍ଯ୍ୟ ମନ୍ଦିରରୁ ପାଣି ଝରୁଛି
କଟକ,୦୬/୦୭: କଟକର ଅଧିଷ୍ଠାତ୍ରୀ ଦେବୀ ମା’ କଟକ ଚଣ୍ଡୀ ମନ୍ଦିର ନବୀକରଣ ପ୍ରକଳ୍ପ ନିର୍ମାଣ କାମ ଶେଷ ହୋଇନାହିଁ । ମୁଖ୍ୟମନ୍ଦିର ଓ ଅନ୍ୟାନ୍ୟ ଆନୁଷଙ୍ଗିକ କାମ ଚାଲିଛି । ତେଣୁ ସ୍ୱାଭାବିକ ଭାବେ ମନ୍ଦିର ଏବେ ଯାଏ ପ୍ରତିଷ୍ଠା ହୋଇନାହିଁ । କିନ୍ତୁ ଲଗାଣ ବର୍ଷାରେ ମନ୍ଦିର କାମର ଅସଲ ଚିତ୍ର ସାମ୍ନାକୁ ଆସିଛି । ଦୁଇ ଦିନର ବର୍ଷାରେ ମନ୍ଦିରର ନାଟମଣ୍ଡପରୁ ପାଣି ଗଳିଲାଣି । ଖାଲି ସେତିକି ନୁହେଁ ଶିବ ମନ୍ଦିର, ଲକ୍ଷ୍ମୀ ନାରାୟଣ ମନ୍ଦିର, ସୂର୍ଯ୍ୟ ମନ୍ଦିରରୁ ମଧ୍ୟ ପାଣି ଝରୁଥିବା ଦେଖିବାକୁ ମିଳୁଛି । ନିର୍ମାଣ କାମ ଶେଷ ହୋଇନଥିବାବେଳେ ପାଣି ଝରିବା ଘଟଣା ପ୍ରକଳ୍ପ କାମର ମାନ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।
କଟକ ସହରରେ ଲଗାଣ ବର୍ଷା ହେଲେ କଟକ ଚଣ୍ଡୀ ମନ୍ଦିର ମନ୍ଦିର ଜଳବନ୍ଦୀ ହୁଏ । ରାସ୍ତା ଉଚ୍ଚତାରୁ ମନ୍ଦିର ପ୍ରାୟ ଅଢେଇଫୁଟ୍ ତଳେ ରହିଥିବାରୁ ଅନେକ ସମୟରେ ବର୍ଷାଜଳ ନିଷ୍କାସନ ହୋଇପାରେ ନାହିଁ । ସ୍ଥିତି ଏମିତି ହୁଏ କି ପମ୍ପ ଲଗାଇ ଜଳ ନିଷ୍କାସନ କରିବାକୁ ପଡେ । ଏବେ ମା’ କଟକ ଚଣ୍ଡୀ ମନ୍ଦିର ପ୍ରକଳ୍ପ କାମ ଯୋଗୁଁ ଅବଶ୍ୟ ଜଳବନ୍ଦୀ ଅବସ୍ଥା ନାହିଁ । ରାସ୍ତାଠାରୁ ମନ୍ଦିର ଉଚ୍ଚତା ଯଥେଷ୍ଟ ଅଧିକ ରହିଛି । ଜଳ ନିଷ୍କାସନ ସମସ୍ୟା ନାହିଁ । କିନ୍ତୁ ଏବେ ଲଗାଣ ବର୍ଷା ଯୋଗୁଁ ମନ୍ଦିରରେ ହୋଇଥିବା ନିମ୍ନମାନର କାମର ଝଲକ ଦେଖିବାକୁ ମିଳିଛି । କିଛି ଦିନ ପୂର୍ବରୁ ବିଜୁଳି ଯୋଗୁଁ ମନ୍ଦିରର ଦଧିନଉତି ଭାଙ୍ଗିଯାଇଥିବା ବେଳେ ଏବେ ବର୍ଷାରେ ପାଣି ଗଳିବା ମନ୍ଦିର କାର୍ଯ୍ୟର ସ୍ଥାୟିତ୍ୱକୁ ନେଇ ସନ୍ଦେହ ସୃଷ୍ଟି କରିଛି ।
ଏମିତିକି ଅତୀତରେ ମନ୍ଦିର ନିର୍ମାଣ ସମ ୟରେ ପଥର ପ୍ୟାକିଂ ଓ ଅଠା ବଦଳରେ ସିମେଣ୍ଟ ବ୍ୟବହାର ନେଇ ମଧ୍ୟ ଆପତ୍ତି ଉଠିଥିଲା । ଏବେ କାର୍ଯ୍ୟ ଚୂଡାନ୍ତ ହେବା ସ୍ଥିତିରେ ନାଟମଣ୍ଡପରୁ ପାଣି ଗଳିବା ଚିନ୍ତାଜନକ ସ୍ଥିତି ସୃଷ୍ଟି କରିଛି । ମନ୍ଦିର ଛାତରୁ ପାଣି ଝରିବା ଘଟଣାକୁ ନେଇ ମନ୍ଦିର ପରିଚାଳନା କମିଟି ପକ୍ଷରୁ ଠିକା ସଂସ୍ଥା ଓବିସିସିକୁ ଅବଗତ କରାଯାଇଛି। ଯେହେତୁ ସମ୍ପୂର୍ଣ୍ଣ କାମ ସରିନାହିଁ ଓ ମନ୍ଦିରକୁ ହସ୍ତାନ୍ତର କରାଯାଇନାହିଁ ଁ ତେଣୁ ଓବିସିସି ହିଁ ଏହାର ଉତ୍ତରଦାୟିତ୍ୱ ନେବ । ଏହାର ସମ୍ପୂର୍ଣ୍ଣ ମରାମତି କରିବା ପାଇଁ କୁହାଯାଇଥିବା ମନ୍ଦିର ମ୍ୟାନେଜର କିରଣ ସାହୁ ପ୍ରକାଶ କରିଛନ୍ତି ।
ଅଧିକ ପଢ଼ନ୍ତୁ :- IIC Death Mystery: ରାତି ୧୦ଟା ୩୫ରେ ଏମିତି କ’ଣ ହେଲା ? ସନ୍ଦେହ ଘେରରେ ବିୟୁଟି ମହାନ୍ତିଙ୍କ ସ୍ୱାମୀଙ୍କ ଶେଷ କଲ, ସିଡିଆର୍ ରିପୋର୍ଟକୁ ଅପେକ୍ଷା
ସୂଚନାଯୋଗ୍ୟ, ୨୦୨୨ ମସିହା ମେ’ ୧୯ ତାରିଖରେ ମା’ କଟକ ଚଣ୍ଡୀ ମନ୍ଦିରର ସମନ୍ୱିତ ବିକାଶ ପ୍ରକଳ୍ପକୁ ଅନୁମୋଦନ ମିଳିଥିଲା । ସେହିବର୍ଷ ସେପ୍ଟେମ୍ବରରେ ରାଜ୍ୟ ସରକାରଙ୍କ ପକ୍ଷରୁ ୪୨ କୋଟିର ଅନୁଦାନ ମିଳିଥିଲା । ୨୦୨୩ ଫେବ୍ରୁଆରରେ ସଂଶୋଧିତ ଅନୁମୋଦନ ଖର୍ଚ୍ଚ ୫୧ କୋଟି ୮୭ଲକ୍ଷକୁ ବୃଦ୍ଧି ପାଇଥିଲା । ୨୦୨୬ ଜାନୁୟାରୀରେ ପୁଣିଥରେ ଏ ପ୍ରକଳ୍ପ ମୂଲ୍ୟକୁ ବଢାଇ ୫୮ କୋଟି ୧୮ଲକ୍ଷ କରାଯାଇଛି । ଦୁଇଭାଗରେ କାମ କରାଯାଇଥିବା ବେଳେ ପ୍ରଥମ ପର୍ଯ୍ୟାୟରେ ସେବାୟତ ସୁବିଧାକେନ୍ଦ୍ର, ସୂଚନାକେନ୍ଦ୍ର, ଦୋକାନ ଘର, ପ୍ରସାଦ ସେବନ ଘର, ଯଜ୍ଞମଣ୍ଡପ, ପରିକ୍ରମା, ଶିବମନ୍ଦିର, ୪ଦ୍ୱାର, ବାଟମଙ୍ଗଳାମନ୍ଦିର ସହିତ ଅନ୍ୟାନ୍ୟ କାମ କରାଯାଇଥିଲା । କିନ୍ତୁ ମା’ଙ୍କ ମୁଖ୍ୟ ମନ୍ଦିର କାମ ବିଳମ୍ବ ହେବାରେ ସମସ୍ୟା ଦେଖାଯାଇଥିଲା । ଦ୍ୱିତୀୟ ପର୍ଯ୍ୟାୟରେ ୨୦୨୪ ଅଗଷ୍ଟରେ ମୁଖ୍ୟ ମନ୍ଦିର କାମ ଆରମ୍ଭ ହେଲା । ଏଭିତରେ ଅନେକଗୁଡିଏ ବିବାଦ ଦେଖାଯାଇଥିଲା । ସବୁ ବିବାଦରେ ପ୍ରଶାସନ ହସ୍ତକ୍ଷେପ କରି ତୁଟାଇବାକୁ ଚେଷ୍ଟା କରିଥିଲେ ବି କାମ ମନ୍ଥର ଗତିରେ ଚାଲିଛି । ଏବେ ନବନିମି ର୍ତ ମନ୍ଦିରରୁ ପାଣି ଗଳିବା ଘଟଣାକୁ ନେଇ ସାଧାରଣରେ ଉଦ୍ବେଗ ପ୍ରକାଶ ପାଇଛି ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।