Welcome!

Unlock your personalized experience.
Sign Up

Ram Mandir: ସିସିଟିଭିକୁ ଘୋଡ଼ାଇ ଶୌଚାଳୟରେ ରଖାଯାଉଥିଲା ଦାନ ଟଙ୍କା

Jun 26, 2026 - 20:44
Ram Mandir: ସିସିଟିଭିକୁ ଘୋଡ଼ାଇ ଶୌଚାଳୟରେ ରଖାଯାଉଥିଲା ଦାନ ଟଙ୍କା

ଅଯୋଧ୍ୟା: ଅଯୋଧ୍ୟା ଶ୍ରୀରାମ ମନ୍ଦିରରୁ ପ୍ରଭୁ ରାମଲାଲାଙ୍କ ପାଇଁ ଆସିଥିବା କୋଟି କୋଟି ଟଙ୍କାର ଦାନ ସାମଗ୍ରୀ ଏବଂ ନଗଦ ଅର୍ଥ ଚୋରି ହେବା ଘଟଣା ସାରା ଦେଶକୁ ସ୍ତବ୍ଧ କରିଦେଇଛି। ଏକ ସ୍ୱତନ୍ତ୍ର ତଦନ୍ତକାରୀ ଟିମ୍‌(ଏସଆଇଟି)ର ମଧ୍ୟବର୍ତ୍ତୀକାଳୀନ ରିପୋର୍ଟରୁ ଜଣାପଡ଼ିଛି ଯେ, ମନ୍ଦିରର କର୍ମଚାରୀମାନେ ହିଁ ମିଳିତ ଭାବେ ଏହି ବଡ଼ ଧରଣର ହେରଫେର କରିଛନ୍ତି। 

ଏସଆଇଟି ରିପୋର୍ଟ ଅନୁଯାୟୀ, ଟଙ୍କା ଗଣତି କରୁଥିବା କର୍ମଚାରୀମାନେ ଅତି ଚତୁରତାର ସହ ଚୋରି କରୁଥିଲେ। ଗଣତି ସମୟରେ ଜଣେ କର୍ମଚାରୀ ସିସିଟିଭି କ୍ୟାମେରା ସାମ୍ନାରେ ଠିଆ ହୋଇ ତାହାକୁ ଘୋଡ଼ାଇ ଦେଉଥିବା ବେଳେ ଅନ୍ୟ ଜଣେ ସହଯୋଗୀ ନଗଦ ଟଙ୍କାକୁ ନିଜ ପୋଷାକ ଭିତରେ ଲୁଚାଇ ଦେଉଥିଲା। ବ୍ୟାଙ୍କରେ ଜମା କରିବା ପୂର୍ବରୁ ଟଙ୍କା ବିଡ଼ା ଭିତରେ ଅତିରିକ୍ତ ନୋଟ୍ ପୂରାଇ ଦିଆଯାଉଥିଲା ଏବଂ ପରେ ତାହାକୁ ବାହାର କରି ରେକର୍ଡ ସହ ମେଳ କରାଯାଉଥିଲା। ଚୋରି ହୋଇଥିବା ଏହି ଲକ୍ଷ ଲକ୍ଷ ଟଙ୍କାକୁ ପ୍ରଥମେ ମନ୍ଦିରର ଶୌଚାଳୟ ଗୁଡ଼ିକରେ ଲୁଚାଇ ରଖାଯାଉଥିଲା ଏବଂ ପରେ ମନ୍ଦିର ବାହାରକୁ ଆଣି ଲୁଟେରା କର୍ମଚାରୀମାନେ ଭାଗବାଣ୍ଟି ନେଉଥିଲେ।

Theft: ପୁଣି ଶ୍ରୀରାମ ମନ୍ଦିରରୁ ଚୋରି

ଏହି ଚୋରି ମାମଲା ୨୦୨୪ ମସିହାରେ ମନ୍ଦିର ପ୍ରତିଷ୍ଠା ହେବା ଦିନଠାରୁ ହିଁ ଚାଲିଥିବା ସନ୍ଦେହ କରାଯାଉଛି। ଚଳିତ ବର୍ଷ ଅପ୍ରେଲ ୨୭ରୁ ଜୁନ୍ ୫ ତାରିଖ ମଧ୍ୟରେ ପ୍ରାୟ ୭୦ ଥର ଚୋରି ହୋଇଥିବା ସିସିଟିଭି ଫୁଟେଜ୍‌ରୁ ପ୍ରମାଣ ମିଳିଛି। ବର୍ତ୍ତମାନ ସୁଦ୍ଧା ଅଭିଯୁକ୍ତଙ୍କ ପାଖରୁ ୭୦ ଲକ୍ଷ ଟଙ୍କା ଜବତ କରାଯାଇଥିଲେ ହେଁ, ପ୍ରାୟ ୭ ରୁ ୭.୫ କୋଟି ଟଙ୍କା ମନ୍ଦିରରୁ ଗାଏବ ହୋଇଥିବା ଅନୁମାନ କରାଯାଉଛି। କେବଳ ଟଙ୍କା ନୁହେଁ, ପ୍ରଭୁଙ୍କ ପାଇଁ ଆସିଥିବା ସୁନା ଗହଣା, କାନଫୁଲ ଓ ଚୁଡ଼ି ମଧ୍ୟ କର୍ମଚାରୀମାନେ ଚୋରି କରିଛନ୍ତି। ପୋଲିସ ଏହି ମାମଲାରେ ୬ ଜଣ ମନ୍ଦିର କର୍ମଚାରୀଙ୍କ ସମେତ ମୋଟ ୮ ଜଣଙ୍କୁ ଗିରଫ କରିଛି। ଏହି ସମ୍ପୂର୍ଣ୍ଣ ଷଡ୍‌ଯନ୍ତ୍ରର ମାଷ୍ଟରମାଇଣ୍ଡ ଟିନ୍ନୁ ଯାଦବ ଏବଂ ସୁଭାଷ ଶ୍ରୀବାସ୍ତବ ବୋଲି ଜଣାପଡ଼ିଛି, ଯେଉଁମାନେ ଅନ୍ୟମାନଙ୍କୁ ଏହି ଅପରାଧରେ ସାମିଲ କରିଥିଲେ।

ଏହି ଘଟଣା ମନ୍ଦିରର ଦୁର୍ବଳ ସୁରକ୍ଷା ବ୍ୟବସ୍ଥା, ଅସମ୍ପୂର୍ଣ୍ଣ ସିସିଟିଭି କଭରେଜ୍ ଏବଂ ଡ୍ୟୁଟି ସରିବା ପରେ କର୍ମଚାରୀଙ୍କ ଯାଞ୍ଚ ନହେବା ଭଳି ବଡ଼ ତ୍ରୁଟିକୁ ପଦାରେ ପକାଇଛି। ଏଥିରେ କିଛି ବ୍ୟାଙ୍କ ଅଧିକାରୀ ଓ ସରକାରୀ କର୍ମଚାରୀଙ୍କ ସମ୍ପୃକ୍ତି ଥିବା ମଧ୍ୟ ଆଶଙ୍କା କରାଯାଉଛି। ବିବାଦ ବଢିବା ପରେ ମନ୍ଦିର ଟ୍ରଷ୍ଟର ବରିଷ୍ଠ ଅଧିକାରୀ ଚମ୍ପତ ରାୟ ଏବଂ ଅନିଲ ମିଶ୍ର ନୈତିକତା ଦୃଷ୍ଟିରୁ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହି ଘଟଣାରେ କଡ଼ା ଆଭିମୁଖ୍ୟ ଗ୍ରହଣ କରି କୌଣସି ବି ଦୋଷୀଙ୍କୁ ଛଡ଼ାଯିବ ନାହିଁ ବୋଲି ଚେତାବନୀ ଦେଇଛନ୍ତି।