Welcome!

Unlock your personalized experience.
Sign Up

Earthquake: ଭେନେଜୁଏଲା ଭୂକମ୍ପ; ଅନ୍ତର୍ଜାତୀୟ ଟିମ୍‌ର ଉଦ୍ଧାର ଅଭିଯାନ ଜାରି

Jun 26, 2026 - 20:44
Earthquake: ଭେନେଜୁଏଲା ଭୂକମ୍ପ; ଅନ୍ତର୍ଜାତୀୟ ଟିମ୍‌ର ଉଦ୍ଧାର ଅଭିଯାନ ଜାରି

କାରାକାସ୍‌: ଉତ୍ତର ଭେନେଜୁଏଲାରେ ଆସିଥିବା ପ୍ରଳୟଙ୍କରୀ ଯୁଗ୍ମ ଭୂକମ୍ପଜନିତ ବିପର୍ଯ୍ୟୟରେ ସ୍ଥିତି ଦିନକୁ ଦିନ ଆହୁରି ଭୟାନକ ହେବାରେ ଲାଗିଛି। ସଦ୍ୟତମ ସୂଚନା ଅନୁଯାୟୀ, ଏହି ପ୍ରକୃତିର ତାଣ୍ଡବରେ ମୃତ୍ୟୁସଂଖ୍ୟା ୬୦୦ ଅତିକ୍ରମ କରିଛି ଏବଂ ପ୍ରାୟ ୪,୦୦୦ ରୁ ଅଧିକ ଲୋକ ଗୁରୁତର ଭାବେ ଆହତ ହୋଇଛନ୍ତି। ଜୁନ୍ ୨୫ରେ ମାତ୍ର କିଛି ମିନିଟ୍ ବ୍ୟବଧାନରେ ଆସିଥିବା ଦୁଇଟି ଶକ୍ତିଶାଳୀ ଭୂକମ୍ପ ଯୋଗୁଁ ଲକ୍ଷାଧିକ ପରିବାର ସର୍ବସ୍ୱାନ୍ତ ହୋଇଯାଇଛନ୍ତି। ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଥିବା ‘ଲା ଗୁଆଇରା’ ରାଜ୍ୟରେ ଏକାଧିକ ଅଟ୍ଟାଳିକା ଭୁଶୁଡ଼ି ପଡ଼ିବା ସହ ସମ୍ପୂର୍ଣ୍ଣ ଅଞ୍ଚଳ ବିପର୍ଯ୍ୟସ୍ତ ହୋଇପଡ଼ିଛି।

ଅନ୍ତରୀଣ ରାଷ୍ଟ୍ରପତି ଡେଲସି ରୋଡ୍ରିଗଜ୍ ବର୍ଦ୍ଧିତ ମୃତ୍ୟୁସଂଖ୍ୟାକୁ ନିଶ୍ଚିତ କରିବା ସହ ଧ୍ୱଂସାବଶେଷ ତଳେ ଫସି ରହିଥିବା ଜୀବିତ ଲୋକଙ୍କୁ ଉଦ୍ଧାର କରିବା ପାଇଁ ଯୁଦ୍ଧକାଳୀନ ଅପରେସନ୍ ଜାରି ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। କେବଳ ଲା ଗୁଆଇରାରେ ଶତାଧିକ ବଡ଼ ବଡ଼ ଆବାସିକ ଓ ବାଣିଜ୍ୟିକ କୋଠା ମାଟିରେ ମିଶିଯାଇଛି। ହଜାର ହଜାର ବାସଗୃହ ଭୁଶୁଡ଼ି ପଡ଼ିଛି। ବାସିନ୍ଦାମାନେ ଖାଦ୍ୟ, ପାନୀୟ ଜଳ ଏବଂ ଜରୁରୀ ଚିକିତ୍ସା ସେବା ପାଇଁ ବ୍ୟାକୁଳ ହେଉଛନ୍ତି। ଏହି ମହାସଙ୍କଟ ସମୟରେ ଭେନେଜୁଏଲାକୁ ସାହାଯ୍ୟ କରିବା ପାଇଁ ଆନ୍ତର୍ଜାତୀୟ ସମୁଦାୟ ଆଗେଇ ଆସିଛନ୍ତି।

Philippines : ଭେନେଜୁଏଲା ପରେ ଫିଲିପାଇନ୍ସରେ ଶକ୍ତିଶାଳୀ ଭୂମିକମ୍ପ

ଆମେରିକା , ସ୍ପେନ୍‌, ମେକ୍ସିକୋ ଏବଂ ଜର୍ମାନୀ ଭଳି ପ୍ରମୁଖ ଦେଶଗୁଡ଼ିକର ବିଶେଷଜ୍ଞ ଦଳ ଏବଂ ଜରୁରୀ ମାନବୀୟ ସହାୟତା ସାମଗ୍ରୀ ସହ ଭେନେଜୁଏଲାରେ ପହଞ୍ଚି ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିଛନ୍ତି। ସ୍ଥାନୀୟ ସ୍ୱେଚ୍ଛାସେବୀ ଓ ଜରୁରୀକାଳୀନ କର୍ମୀମାନେ ପ୍ରଭାବିତ ଅଞ୍ଚଳରେ ରିଲିଫ୍ ସାମଗ୍ରୀ ବଣ୍ଟନ କରୁଛନ୍ତି। ରାଜନୈତିକ ଓ ଆର୍ଥିକ ଅସ୍ଥିରତା ଦେଇ ଗତି କରୁଥିବା ଭେନେଜୁଏଲା ପାଇଁ ଏହି ବିପର୍ଯ୍ୟୟରୁ ମୁକୁଳିବା ଏବଂ ପୁନର୍ନିମାଣ କରିବା ଏକ ବଡ଼ ଆହ୍ୱାନ ହେବ ଏବଂ ଏଥିପାଇଁ ଦୀର୍ଘକାଳୀନ ବୈଦେଶିକ ସହଯୋଗର ଆବଶ୍ୟକତା ରହିଛି ବୋଲି ସହାୟତା ସଂସ୍ଥାଗୁଡ଼ିକ ମତ ପ୍ରକାଶ କରିଛନ୍ତି।