Raid: କୋଟିଏ ଟଙ୍କାର ଚୋରା କ୍ରୋମାଇଟ୍ ଜବତ
"କାଳିଆପାଣି (ରବି ନାରାୟଣ କର): ଯାଜପୁର ଜିଲ୍ଲା ସ୍ତରୀୟ ଟାସ୍କ୍ ଫୋର୍ସ(ଡିଏଲ୍ଟିଏଫ୍) ପକ୍ଷରୁ ଯାଜପୁରରୋଡ଼ ଖଣି ସର୍କଲ ସୁକିନ୍ଦା ଥାନା କେନ୍ଦୁଢିପ ରାଜସ୍ବ ମୌଜାର ଏକ ଜଙ୍ଗଲ ଜମିରେ ଥିବା ଏକ ବେଆଇନ କ୍ରୋମାଇଟ୍ ଡିପୋରେ ଚଢ଼ଉ କରାଯାଇ ପାଖାପାଖି ୫ଶହ ମେଟ୍ରିକ୍ ଟନ୍ ଚୋରା କ୍ରୋମାଇଟ୍ ଜବତ କରାଯାଇଛି।
Advertisment ଉଦ୍ଧାର ଖଣିଜ ପଦାର୍ଥର ମୂଲ୍ୟ ଅନ୍ତର୍ଜାତୀୟ ବଜାରରେ କୋଟିଏ ଟଙ୍କାରୁ ଅଧିକ ହେବ ବୋଲି ବିଭାଗୀୟ ସୂଚନା ମିଳିଛି।
ଏଥିସହ ଏଠାରୁ ଗୋଟିଏ ଜେସିବି ଓ ଡିପୋକୁ ଲାଗି ନବନିର୍ମିତ ୨ଟି କୋଠରୀ ତାଲା ଭଙ୍ଗାଯାଇ ରୋଷେଇ ସରଞ୍ଜାମ, ଗ୍ୟାସ ସିଲିଣ୍ଡର ଓ କିଛି ବାସନକୁସନ ଜବତ କରାଯାଇଥିବା ସୂଚନା ମିଳିଛି।
ଡିଏଲ୍ଟିଏଫ୍ ଅଧ୍ୟକ୍ଷ ଜିଲ୍ଲାପାଳ ଅମ୍ବର କୁମାର କରଙ୍କ ନିର୍ଦ୍ଦେଶରେ ଏସ୍ପି ଯଶ ପ୍ରତାପ ଶ୍ରୀମାଲଙ୍କ ସହଯୋଗରେ ତଥା ଯାଜପୁରରୋଡ଼ ସର୍କଲ ଖଣି ଉପନିର୍ଦ୍ଦେଶକ ଇଂ ପବିତ୍ର କୁମାର ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ହୋଇଥିବା ଏହି ଚଢ଼ଉ ଓ ଉଦ୍ଧାର ପ୍ରକ୍ରିୟା ବୁଧବାର ଅପରାହ୍ଣ ସାଢ଼େ ୪ଟାରୁ ଗୁରୁବାର ରାତି ସାଢ଼େ ୧୦ଟା ପର୍ଯ୍ୟନ୍ତ ଚାଲିଥିଲା।
୨ଟି ଲୋଡର ଯୋଗେ ପ୍ରଥମ ଦିନ ୬ ହାଇୱା ଓ ପରଦିନ ଆଉ ୧୮ ହାଇୱାରେ କ୍ରୋମାଇଟ୍ ବୁହା ହୋଇଥିଲା।
୩୦ ଘଣ୍ଟାର ଅପରେସନରେ ସୁକିନ୍ଦା ତହସିଲଦାର ମାନସ ରଞ୍ଜନ ତ୍ରିପାଠୀ, ଥାନା ଅଧିକାରୀ ରମାକାନ୍ତ ମୁଦୁଲି, ବରିଷ୍ଠ ଖଣି ଅଧିକାରୀ କୃଷ୍ଣଚନ୍ଦ୍ର ଖୁଣ୍ଟିଆ ଓ ଧ୍ରୁବ ଚରଣ ଜେନା, ବନାଞ୍ଚଳ ଅଧିକାରୀ ସତ୍ୟବ୍ରତ ପ୍ରଧାନ, ବନପାଳ ମନୋରମା ହୋତା ପ୍ରମୁଖ ସାମିଲ ଥିଲେ।
ସଶସ୍ତ୍ର ପୁଲିସ ବାହିନୀ ଓ ଫରେଷ୍ଟ୍ ସ୍କ୍ବାର୍ଡ ସହଯୋଗ କରିଥିଲେ।
ଡିଡିଏମ୍ ଅଫିସ ପ୍ରତିଷ୍ଠା ହେବାର ୫୮ ବର୍ଷ ମଧ୍ୟରେ ଜିଲ୍ଲାରୁ ସର୍ବାଧିକ ପରିମାଣର କ୍ରୋମାଇଟ୍ ଜବତ ହେବା କୁହାଯାଉଛି।
Illegals Truck Seized: ୨ ଚୋରା କ୍ରୋମାଇଟ୍ ବୋଝେଇ ହାଇୱା ଜବତ ଜାତୀୟ ରାଜପଥ-୫୩ର ମଙ୍ଗଳପୁର-ସୁକିନ୍ଦା ସଡ଼କରୁ ପାଖାପାଖି ୩ ଶହ ମିଟର ଦୂରରେ ଏହି ଚୋରା ଡିପୋ ଠାବ କରାଯାଇଥିଲା।
ଅତିକମ୍ରେ ୩ ମାସ ଧରି ଏଠାରେ ଚୋରା କାରବାର ଜାରିରହିଥିବା କୁହାଯାଉଛି।
ଦେଢ଼ ଏକର ପାଖାପାଖି ରାଜସ୍ବ ଜଙ୍ଗଲ କିସମ ଜମିରେ ଥିବା ଚୋରା ଡିପୋରେ ଏକ ଅତ୍ୟାଧୁନିକ ୱେ-ବ୍ରିଜ୍ ରହିଛି।
ଏଠାରୁ ଅତି ଉଚ୍ଚମାନର ୩୦ ମେଟ୍ରିକ ଟନ୍ କନସେଣ୍ଟ୍ରେଟେଡ୍ଓର୍(ଧୁଆ ହୋଇଥିବା କ୍ରୋମାଇଟ୍) ଓ ଅଧିକାଂଶ ମଧ୍ୟମମାନର କ୍ରୋମାଇଟ୍ ମିଳିଥିବା ଜଣାପଡ଼ିଛି।
ଏଠାରେ ଥିବା ବେଆଇନ ଘର ଓ ଓଜନ ବ୍ୟବସ୍ଥାକୁ ବିଦ୍ୟୁତୀକରଣ କରାଯାଇଥିଲା।
ଚତୁପାର୍ଶ୍ବକୁ ସବୁଜ ଜରିଅଖା ଦ୍ବାରା ଘେରାଯାଇ ଡିପୋକୁ ଯଥା ସମ୍ଭବ ପ୍ରଶାସନ ଆଢ଼ୁଆଳରେ ରଖାଯିବା ଉଦ୍ୟମ ହୋଇଥିଲା।
ପାଖରେ ଥିବା ଏକ କ୍ଷୁଦ୍ର କାରଖାନାରୁ ଏଠାକୁ ବେଆଇନ ଭାବେ ବିଦ୍ୟୁତ୍ ତାର ଟଣା ଯାଇଥିବା ଟିପିଏନ୍ଓଡିଏଲ୍ ତଦନ୍ତରୁ ଧରାପଡ଼ିଛି।
ଥାନା, ତହସିଲ ଅଫିସ, ବନାଞ୍ଚଳ କାର୍ଯ୍ୟାଳୟ ଓ ବ୍ଲକ କାର୍ଯ୍ୟାଳୟରୁ ଏକ କିଲୋମିଟର ବ୍ୟାସାର୍ଦ୍ଧ ମଧ୍ୟରେ ଥିବା ଏହି ଚୋରା ଡିପୋ ଓ ଖଣିଜ କାରବାର ସଂପର୍କରେ ପ୍ରଶାସନ ସୁରାକ୍ ନପାଇବା ସାଧାରଣରେ ଆଶ୍ଚର୍ଯ୍ୟର କାରଣ ହୋଇଛି।
ଏ ସଂପର୍କରେ ତହସିଲଦାର ଶ୍ରୀ ତ୍ରିପାଠୀଙ୍କୁ ପଚାରିବାରେ ଏଥିରେ ମାଫିଆଙ୍କ ଦୁଃସାହସକୁ ନେଇ ସେ ଚିନ୍ତା ପ୍ରକଟ କରିଥିଲେ।
ଯଥାଶୀଘ୍ର ଉକ୍ତ ଚୋରା ଡିପୋକୁ ସମ୍ପୂର୍ଣ୍ଣ ଧ୍ବଂସ କରାଯିବା ଦିଗରେ ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଉଥିବା କହିଥିଲେ।
"