Raid: କଟକରେ ସାଢ଼େ ୧୭ଲକ୍ଷ ଟଙ୍କାର ପନିର ନଷ୍ଟ, ରାଜଧାନୀରେ ୬ ଖାଦ୍ୟ ବ୍ୟବସାୟୀଙ୍କୁ ନୋଟିସ୍
"ଭୁବନେଶ୍ବର: ଭୁବନେଶ୍ବର-କଟକରେ ଅପମିଶ୍ରିତ ଖାଦ୍ୟ ବିକ୍ରି ବିରୋଧରେ ଜୋରଦାର ଚଢ଼ାଉ ହୋଇଛି।
ବିଶେଷ କରି ପନିର ଓ ବାସି ଖାଦ୍ୟ ବିକ୍ରେତାଙ୍କ ଉପରେ ଦୁଇଦିନ ଧରି ଖାଦ୍ୟ ସୁରକ୍ଷା ଅଧିକାରୀ ଚଢ଼ାଉ କରିଛନ୍ତି।
କଟକରେ ସାଢ଼େ ୧୭ଲକ୍ଷ ଟଙ୍କାର ଅପମିଶ୍ରିତ ପନିରକୁ ନଷ୍ଟ କରାଯାଇଛି।
ଏହା ସହ ରାଜଧାନୀରେ ୬ଜଣ ଖାଦ୍ୟ ବିକ୍ରେତାଙ୍କୁ ନୋଟିସ୍ ଜାରି ହୋଇଥିବା ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି।
ରାକ୍ଷୀ ପୂର୍ଣ୍ଣିମା ଓ ପାର୍ବଣ ଋତୁ ଆସୁଥିବା ପରିପ୍ରେକ୍ଷୀରେ ରାଜ୍ୟ ସରକାର ବଜାରରେ ବିକ୍ରି ହେଉଥିବା ଖାଦ୍ୟକୁ ନେଇ ଅଧିକ ସତର୍କ ହୋଇଛନ୍ତି।
ଏହା ଭିତରେ ୩ଟି ରାଜ୍ୟ ଆନାଲୋଗ୍(ବିନା କ୍ଷୀରରୁ ପ୍ରସ୍ତୁତ) ପନିର ବିକ୍ରି ଉପରେ କଟକଣା ଜାରି କରିଛନ୍ତି।
ଯଦିଓ ଓଡ଼ିଶାରେ ଆନାଲୋଗ ପନିର ଉପରେ କୌଣସି କଟକଣା ଜାରି ହୋଇନାହିଁ ତଥାପି ଏଭଳି ପନିର ବିକ୍ରି ଉପରେ ଏବେ ସାଧାରଣ ଜନତାଙ୍କ ସମେତ ସରକାରଙ୍କ ନଜରରେ ରହିଛି।Advertisment ସୂଚନା ଅନୁସାରେ, ଭୁବନେଶ୍ବରର ରସୁଲଗଡ଼, ହଁସପାଳ, ପାତ୍ରପଡ଼ା, ସିଆରପିଏଫ୍ ଓ କଳିଙ୍ଗନଗର ଅଞ୍ଚଳରେ ଚଢ଼ାଉ କରାଯାଇଛି।
୬୬ କେଜିର ବାସି ଓ ଅସ୍ବାସ୍ଥ୍ୟକର ଖାଦ୍ୟକୁ ଜବତ କରାଯାଇଛି।
୧୦ଟି ନମୁନା ସଂଗ୍ରହ କରାଯିବା ସହ ୬ଟି ଖାଦ୍ୟ ବ୍ୟବସାୟୀଙ୍କୁ ଦୋକାନ ବନ୍ଦ ପାଇଁ ନୋଟିସ୍ ଜାରି ହୋଇଛି।
ସେହିପରି କଟକରେ ସିଡିଏ ଅଞ୍ଚଳରେ ଏକ ହୋଟେଲରେ ଅପମିଶ୍ରିତ ପନିର ବିକ୍ରି ହେଉଥିବା ନେଇ ସୂଚନା ମିଳିବା ପରେ ମ୍ୟୁନିସିପାଲଟିର ସ୍ବାସ୍ଥ୍ୟ ଟିମ୍ ଓ ଖାଦ୍ୟ ସୁରକ୍ଷା ଅଧିକାରୀ ମିଳିତଭାବେ ଯାଞ୍ଚ କରିଥିଲେ।
ପର୍ଯ୍ୟଟକଙ୍କୁ ଅପମିଶ୍ରିତ ଖାଦ୍ୟ ବିକ୍ରି ଭିଡିଓ ଭାଇରାଲ୍, ପ୍ରଶାସନର ଚଢ଼ଉ ଯାଞ୍ଚ ସମୟରେ ଜଣାପଡ଼ିଥିଲା ଯେ ଏସବୁ ପନିର ନିଆଳି ଅଞ୍ଚଳରୁ ଗାଡ଼ିରେ ଏଠାକୁ ଆସିଥିଲା।
ପ୍ରେସ୍ ଛକ, ଲିଙ୍କ୍ ରୋଡ୍, ଟ୍ରେନ୍ ଲାଇନ୍ ଅଞ୍ଚଳରେ ଏସବୁ ଗାଡ଼ି ରହିବା ସହ ବିଭିନ୍ନ ହୋଟେଲ ଓ ଦୋକାନଙ୍କୁ ଅଟୋ ଜରିଆରେ ଯୋଗାଣ ହୋଇଥାଏ।
ପୁଲିସ ସହାୟତାରେ ୭୧ କ୍ବିଣ୍ଟାଲ ପନିର ଜବତ କରାଯାଇଛି।
ନମୁନା ପରୀକ୍ଷା ପାଇଁ ପଠାଯାଇଛି।
ସଂପୂର୍ଣ୍ଣ ରିପୋର୍ଟ ଆସିବା ପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଖାଦ୍ୟ ସୁରକ୍ଷା ଅଧିକାରୀ କହିଛନ୍ତି।
ଏହି ଚଢ଼ାଉରେ ଭୁବନେଶ୍ବରରେ ଖାଦ୍ୟ ସୁରକ୍ଷା ଅଧିକାରୀ ସତ୍ୟଜିତ ପଟେଲ, କଟକରେ ସିଏମ୍ସିର ସ୍ବାସ୍ଥ୍ୟ ଅଧିକାରୀ ଡା.ନୃପେନ୍ଦ୍ର ଶତପଥୀ, ଖାଦ୍ୟ ସୁରକ୍ଷା ଅଧିକାରୀ ରଶ୍ମିତା ବେହେରା ପ୍ରମୁଖ ସାମିଲ ହୋଇଥିଲେ।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
