Puri Jagannath: ଶ୍ରୀବିଗ୍ରହଙ୍କ ମସ୍ତକରେ ଲାଗି ହେଲା ସୁବର୍ଣ୍ଣ ଚିତା
"ପୁରୀ (ସତ୍ୟ ନାରାୟଣ ରାଉତରାୟ): ଶ୍ରୀବିଗ୍ରହଙ୍କ ମଥାରେ ଲାଗିଛି ହୀରା ଖଚିତ ଚିତା।
ମହାପ୍ରଭୁ ଜ୍ବରରେ ପଡ଼ିବା ବେଳେ ଚିତା ଖୋଲାଯାଇଥିବା ବେଳେ ଚିତାଲାଗି ଅମାବାସ୍ୟାରେ ପୁନଃ ସ୍ଥାପିତ ହୋଇଛି।
ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମଥାରେ ହୀରା, ଶ୍ରୀବଳଭଦ୍ରଙ୍କ ମଥାରେ ନୀଳା ଓ ଦେବୀ ସୁଭଦ୍ରାଙ୍କ ମଥାରେ ମାଣିକ ତଥା ପନ୍ନା ଖଚିତ ସୁବର୍ଣ୍ଣ ଚିତା ଲାଗି ହୋଇଛି।
ଏଥିସହ ମହାପ୍ରଭୁଙ୍କଠାରେ ପାରମ୍ପରିକ ଭାବେ ପ୍ରସ୍ତୁତ ଚିତଉ ପିଠା ପ୍ରସାଦ ଭାବେ ଲାଗି ହୋଇଛି।
ଘରେଘରେ ମଧ୍ୟ ମହାପ୍ରଭୁଙ୍କ ଏହି ପରମ୍ପରା ଅନୁକରଣରେ ମାଟି ପଲମରେ ଚିତଉ ପିଠା କରି ପୂଜା କରାଯାଇଛି।
ପୁଣି ଅମାବାସ୍ୟା ଥିବାରୁ ଅମାବାସ୍ୟା ନାରାୟଣ ଶ୍ରୀମନ୍ଦିରରୁ ସାଗର (ସମୁଦ୍ର) ବିଜେ କରିଛନ୍ତି।Advertisment ଦେବସ୍ନାନ ପୂର୍ଣ୍ଣିମାରେ ୧୦୮ ଗରା ଅଧିବାସିତ ଜଳରେ ସ୍ନାନ ପରେ ମହାପ୍ରଭୁ ଜ୍ବର ପୀଡ଼ିତ ହେଲେ।
ତେଣୁ ମହାପ୍ରଭୁଙ୍କ ଶ୍ରୀଶରୀରକୁ ହାଲକା କରି ଏକବସ୍ତ୍ରୀ କରି ଅଣସର ଗୃହରେ ସେବା ଯୋଗାଇ ଦିଆଯାଇଥିଲା।
ଏହି ସମୟରେ ଶ୍ରୀବିଗ୍ରହଙ୍କ ମଥାରୁ ଦଇତାପତି ସେବକମାନେ ସୁବର୍ଣ୍ଣ ଚିତା ଓଲାଗି କରି ଭଣ୍ଡାର ମେକାପଙ୍କ ଜିମା ଦେଇଥିଲେ।
ରଥଯାତ୍ରାରେ ଚତୁର୍ଦ୍ଧା ବିଗ୍ରହ ଗୁଣ୍ଡିଚା ବିଜେ କରିବା ବେଳେ ସୋଲର ଚିତା ଲାଗି ହୋଇଥିଲେ।
ଏପର୍ଯ୍ୟନ୍ତ ତିନି ବିଗ୍ରହଙ୍କ ମସ୍ତକରେ ସୋଲର ଚିତା ରହିଥିଲା।
ଏହାକୁ ଓଲାଗି (ଓହ୍ଲାଇ) ପୁନର୍ବାର ଆଜି ସୁବର୍ଣ୍ଣର ଚିତା ଲାଗି କରାଯାଇଛି।
ଏହି ହୀରା, ନୀଳା, ମାଣିକ ଖଚିତ ସୁବର୍ଣ୍ଣ ଚିତା ତ୍ରିବିଗ୍ରହଙ୍କ ମଥାରେ ଲାଗି ହେବା ପୂର୍ବରୁ ଶ୍ରୀମନ୍ଦିର ବଣିଆମାନେ ନାଭିକଟା ମଣ୍ଡପରେ ମାର୍ଜନା (ସଫା) କରିଥିଲେ।
ଶ୍ରୀମନ୍ଦିର ରୋଷଘରୁ ଆସିଥିବା ପବିତ୍ର ଅଗ୍ନିରେ ଏହାକୁ ସଫା କରାଯାଇଥିଲା।
ଭୋଗମଣ୍ଡପ ପରେ ଚିତା ଲାଗି ପ୍ରକ୍ରିୟା ଆରମ୍ଭ ହୋଇଥିଲା।
ଦଇତାପତି ସେବକମାନେ ମସ୍ତକରେ ଚିତାଲାଗି ପାଇଁ ଶ୍ରୀମନ୍ଦିରକୁ ପ୍ରବେଶ କରିଥିଲେ।
ପତି ମହାପାତ୍ର ଚିତାକୁ ସଂସ୍କାର କରି ଦେଇତାପତିଙ୍କୁ ଯୋଗାଇଥିଲେ।
ପାଟରା ସେବକ ଚିତା ବନ୍ଧା ଲାଗି ପାଟ ଦଉଡ଼ି ପ୍ରଦାନ କରିଥେିଲ।
ସୁଦୁ ସୁଆରମାନେ ଓଷ ଯୋଗାଇଥିଲେ।
ଓଷଲାଗି ହୋଇ ଚିତା ପ୍ରସ୍ତୁତ ପରେ ଶ୍ରୀବିଗ୍ରଙ୍କ ମସ୍ତକରେ ଚିତା ଲାଗି କରିଥିଲେ।
ଶ୍ରୀଜଗନ୍ନାଥଙ୍କ ମସ୍ତକରେ ଲାଗି ହୋଇଥିବା ପାନପତ୍ର ଆକାରର ହୀରା, ସୁନା ସହ ଅନ୍ୟ ଧାତୁରେ ପ୍ରସ୍ତୁତ ସୁବର୍ଣ୍ଣ ଚିତା ପ୍ରାୟ ୧୨୫ ଭରିର।
ଶ୍ରୀବଳଭଦ୍ରଙ୍କ ମସ୍ତକରେ ଲାଗି ହୋଇଥିବା ଆଖି ଆକୃତି ତଥା ଅର୍ଦ୍ଧା ଗୋଲାକାରର ଚିତା ୭୫ ଭରିର।
ଦେବୀ ସୁଭଦ୍ରାଙ୍କ ମସ୍ତକରେ ଲାଗି ହୋଇଥିବା ଠିକିରି ଆକୃତିର ଚିତା ୩୩ ଭରିର।
ଏହି ଚିତା ଲାଗି ହେବା ପରେ ଆଜି ବହୁ ଭକ୍ତ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି।
ପ୍ରଭୁ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କୁ ଚିତାଲାଗି ଅମାବାସ୍ୟାରେ ୪ ଭରି ସୁନାର ଚିତା ଦାନ କଲେ ଉମରକୋଟର ଭକ୍ତ ଗେଣ୍ଡା, ଜଳଜୀବଙ୍କୁ ଚିତଉ ପିଠାଚିତଉ ଅମାବାସ୍ୟାରେ ଘରେ ଘରେ ଚିତଉ ପିଠା କରିବାର ପରମ୍ପରା ପ୍ରଚଳିତ।
ବର୍ଷା ଦିନେ ବିଲରେ ପାଣି ଜମି ରହିବାରୁ ଗେଣ୍ଡା ଓ ଅନ୍ୟ ଜଳଜୀବଙ୍କ ସଂଖ୍ୟା ବଢ଼ିଥାଏ।
ବିଲରେ ଚାଷବାସ କାମ ବେଳେ ଗୋଡ଼ରେ ଗେଣ୍ଡା ବାଜି ଖଣ୍ଡିଆ ହେବାର ଆଶଙ୍କା ଥାଏ।
ତେଣୁ ସେମାନଙ୍କୁ ସନ୍ତୁଷ୍ଟ କରିବା ପାଇଁ ଜଳରେ ଚିତଉ ପିଠା ପକାଯାଏ।
ସେମାନଙ୍କ ଉଦ୍ଦେଶ୍ୟରେ ଏହା କରାଯାଉଥିବାରୁ ଚାଷୀମାନଙ୍କୁ ବିଲରେ କ୍ଷତି ପହଞ୍ଚାନ୍ତି ନାହିଁ ବୋଲି ବିଶ୍ବାସ ରହିଛି।
ଏଥିସହ ମାଟି ପଲମରେ ହେଉଥିବା ଚିତଉ ପିଠା ଖାଇବାରେ ଲୋକେ ବି ଶ୍ରଦ୍ଧା ରଖନ୍ତି।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
