Pune Ketal Agarwal Murder Case: କେତନ ମର୍ଡ଼ର; ପୋଲିସ ହାତରେ ଲାଗିଲା ବଡ଼ ସୁରାକ
ପୁଣେର କେତନ ଅଗ୍ରୱାଲ ହତ୍ୟାକାଣ୍ଡରେ (Pune Murder Case) ଲୋନାଭଲା ଗ୍ରାମାଞ୍ଚଳ ପୋଲିସ ତଦନ୍ତକୁ ତ୍ୱରାନ୍ୱିତ କରିଛି। ପୋଲିସ ଘଟଣାସ୍ଥଳକୁ ଯାଇ ଯାଞ୍ଚ କରିବା ସହ ପ୍ରମାଣ ଖୋଜିବାରେ ଜୋରଦାର ପ୍ରୟାସ କରୁଛି। ସେହି ଘଟଣା ଦିନ ଲୋହାଗଡ଼ କିଲ୍ଲାକୁ ଯାଇଥିବା ଚେତନ ଚୌଧୁରୀଙ୍କ ବାଇକ୍କୁ ପୋଲିସ ଜବତ କରିଛି। ଏହାଛଡ଼ା, ଘଟଣା ସମୟରେ ପିନ୍ଧିଥିବା ହୁଡି ଓ ବ୍ୟବହୃତ ହେଡଫୋନ୍କୁ ମଧ୍ୟ ଜବତ କରାଯାଇ ଫରେନ୍ସିକ ପରୀକ୍ଷା ପାଇଁ ପଠାଯାଇଛି।
ପୁଣେର ୨୬ ବର୍ଷୀୟ ରିଅଲ୍ ଇଷ୍ଟେଟ୍ ବ୍ୟବସାୟୀ କେତନ ଅଗ୍ରୱାଲଙ୍କ ହତ୍ୟା ମାମଲାରେ (Ketan Agarwal Murder Case) ଲୋନାଭଲା ପୋଲିସ ଲଗାତାର ପ୍ରମାଣ ସଂଗ୍ରହରେ ଲାଗିଛି। ଏବେ ପୋଲିସ ସିଆ ଗୋୟଲଙ୍କ ବୟଫ୍ରେଣ୍ଡ ଚେତନ ଚୌଧୁରୀଙ୍କ ବାଇକ୍କୁ ଜବତ କରିଛି। ପୋଲିସର କହିବା ଅନୁସାରେ, ଚେତନ ୧୮ ଜୁନରେ ଏହି ବାଇକ୍ରେ ପୁଣେରୁ ଲୋହାଗଡ଼ କିଲ୍ଲା ପର୍ଯ୍ୟନ୍ତ ଯାଇଥିଲେ।
କେବଳ ବାଇକ୍ ନୁହେଁ, ପୋଲିସ ଚେତନ ପିନ୍ଧିଥିବା ହୁଡି ଏବଂ ହେଡଫୋନ୍କୁ ମଧ୍ୟ ଜବତ କରିଛି, ଯାହାକି ସେ ଘଟଣା ଦିନ ପିନ୍ଧିଥିବା ଅଭିଯୋଗ ରହିଛି। ପୋଲିସର କହିବା ଅନୁସାରେ, ବାଇକ୍ ଓ ପୋଷାକର ଫରେନ୍ସିକ ପରୀକ୍ଷା କରାଯାଉଛି, ଯାହାଦ୍ୱାରା ଘଟଣାସ୍ଥଳ ଏବଂ ଅଭିଯୁକ୍ତମାନଙ୍କ ସହ ଜଡ଼ିତ ବୈଜ୍ଞାନିକ ପ୍ରମାଣ ସଂଗ୍ରହ କରାଯାଇପାରିବ।
ସୂଚନାଯୋଗ୍ୟ, ପୋଲିସ ତଦନ୍ତରୁ ମିଳିଥିବା ତଥ୍ୟ ଅନୁଯାୟୀ, ଗତ ୧୮ ଜୁନରେ ପୁଣେର ୨୬ ବର୍ଷୀୟ ରିଅଲ୍ ଇଷ୍ଟେଟ୍ ବ୍ୟବସାୟୀ କେତନ ଅଗ୍ରୱାଲ ତାଙ୍କ ଭାବୀ ପତ୍ନୀ ସିୟା ଗୋୟଲଙ୍କ ସହ ଲୋହାଗଡ଼ କିଲ୍ଲାକୁ ଯାଇଥିଲେ। ପ୍ରି ପ୍ଲାନ ଅନୁସାରେ ସିୟାଙ୍କ ପ୍ରେମିକ ଚେତନ ଚୌଧୁରୀ ମଧ୍ୟ ସେଠାରେ ପହଞ୍ଚିଥିଲେ। ଯୋଜନା ମୁତାବକ ସିୟା ତଳେ ବସି ଚେତନଙ୍କୁ ସଙ୍କେତ ଦେଇଥିଲେ। ଏହା ପରେ ପଛପଟୁ ଆସିଥିବା ଚେତନ କେତନଙ୍କୁ ଖାଇକୁ ଠେଲି ଦେଇଥିଲେ। ଏ ସମୟରେ କେତନ ତଳେ ପଡ଼ିଯିବାରୁ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା।
ପ୍ରାରମ୍ଭିକ ତଦନ୍ତରେ ଏହାକୁ ଏକ ଦୁର୍ଘଟଣା ବୋଲି ସନ୍ଦେହ କରାଯାଉଥିଲା। କିନ୍ତୁ ପରେ ପୋଲିସକୁ ମିଳିଥିବା ପ୍ରମାଣ ଓ ପଚରାଉଚରା ଆଧାରରେ ଏହା ଏକ କଥିତ ପ୍ରି ପ୍ଲାନ ମର୍ଡ଼ର ବୋଲି ସାମ୍ନାକୁ ଆସିଥିଲା। ଉଭୟ ସିୟା ଓ ଚେତନ ଏହି ହତ୍ୟାକାଣ୍ଡରେ ସମ୍ପୃକ୍ତ ଥିବା ସ୍ବୀକାର କରିଛନ୍ତି।
କିପରି ଧରାପଡ଼ିଥିଲେ ଚେତନ ଚୌଧୁରୀ?
ଚେତନ ଟିକେଟ୍ କାଉଣ୍ଟର ନିକଟରେ ଲାଗିଥିବା ସିସିଟିଭି କ୍ୟାମେରାର ଫୁଟେଜରେ ପ୍ରଥମେ ନଜର ଆସିଥିଲେ। ଫୁଟେଜରେ ଦେଖାଯାଇଥିଲା ଯେ, କେତନ ଓ ସିୟାଙ୍କଠାରୁ କିଛି ମିଟର ପଛରେ ଜଣେ ଯୁବକ ଚାଲିଚାଲି ଆସୁଥିଲେ। ସେ ହାଫ ପ୍ୟାଣ୍ଟ୍ସ ସହିତ ଏକ ହୁଡି ପିନ୍ଧିଥିଲେ ଏବଂ ମୁହଁକୁ ଘୋଡାଇ ରଖିଥିଲେ। ଏହା ସହିତ ସେ ହେଡଫୋନ୍ ମଧ୍ୟ ପିନ୍ଧିଥିଲେ, ଯାହାଦ୍ୱାରା ତାଙ୍କ ପରିଚୟ ଜଣାପଡ଼ିବ ନାହିଁ। କିନ୍ତୁ ସ୍ଥାନୀୟ ଅଞ୍ଚଳରେ ତାପମାତ୍ରା ୩୩ ଡିଗ୍ରୀ ଥିଲେ ହେଁ, ଚେତନ ହୁଡି ପିନ୍ଧିଥିବାରୁ ସନ୍ଦେହ ହୋଇଥିଲା। ଏତେ ଗରମରେ କେହି ବ୍ୟକ୍ତି ସମ୍ପୂର୍ଣ୍ଣ ଶରୀର ଓ ମୁହଁକୁ ହୁଡିରେ ଢାଙ୍କି ବୁଲିବା ସ୍ୱାଭାବିକ ମନେ ହୋଇନଥିଲା। ଅନ୍ୟ ଏକ ସିସିଟିଭି ଫୁଟେଜରେ ପୋଲିସ ଦେଖିଥିଲା ଯେ, ସିଆ ପଛକୁ ବୁଲି ଦେଖିବା ମାତ୍ରେ ହୁଡି ପିନ୍ଧିଥିବା ସେହି ଯୁବକ ତୁରନ୍ତ ତଳେ ବସିଯାଉଥିଲେ। ଏହା ପରେ ପୋଲିସ ତଦନ୍ତ ସହ କଲ୍ ରେକର୍ଡ ଯାଞ୍ଚ କରିଥିଲା। ପରବର୍ତ୍ତୀ ତଦନ୍ତରେ ସେହି ବ୍ୟକ୍ତିଙ୍କ ପରିଚୟ ଚେତନ ଚୌଧୁରୀ ବୋଲି ଜଣାପଡ଼ିଥିଲା।
ଏପରିକି ତଦନ୍ତରୁ ଏହା ମଧ୍ୟ ଜଣାପଡ଼ିଛି ଯେ, ଘଟଣାଦିନ ଲୋହାଗଡ଼ କିଲ୍ଲାକୁ ପ୍ରବେଶ କରିବା ସମୟରେ ଟିକେଟ କାଟିବାକୁ ମନା କରିଦେଇଥିଲେ ଚେତନ। ସେ କେବଳ ବ୍ୟାୟାମ କରିବାକୁ ଯାଉଛନ୍ତି କହି ଟିକେଟ୍ କରିନଥିଲେ ଏବଂ ନିଜ ମୁହଁକୁ ଲୁଚାଇ ରଖିଥିଲେ। ଯାହାକୁ ନେଇ ବର୍ତ୍ତମାନ ତଦନ୍ତ କରାଯାଉଛି।