Protest: ମୁଖ୍ୟ ନିର୍ବାଚନ କମିସନରଙ୍କୁ ହଟାଇବା ପର୍ଯ୍ୟନ୍ତ ତାଙ୍କ ବିରୋଧରେ ଆନ୍ଦୋଳନ ଜାରି ରହିବ: କେସି ଭେନୁଗୋପାଳ
ନୂଆଦିଲ୍ଲୀ: ଅଖିଳ ଭାରତ କଂଗ୍ରେସ କମିଟି (ଏଆଇସିସି) ସାଧାରଣ ସମ୍ପାଦକ କେସି ଭେନୁଗୋପାଳ ଚେତାବନୀ ଦେଇଛନ୍ତି ଯେ, ମୁଖ୍ୟ ନିର୍ବାଚନ କମିସନର(ସିଇସି) ଜ୍ଞାନେଶ କୁମାରଙ୍କୁ ପଦରୁ ହଟାଇବା ଏବଂ ଦେଶର ନିର୍ବାଚନ ବ୍ୟବସ୍ଥାକୁ ନିରପେକ୍ଷ ଏବଂ ସ୍ୱଚ୍ଛ କରିବା ପର୍ଯ୍ୟନ୍ତ କଂଗ୍ରେସ ନେତୃତ୍ୱରେ ଆନ୍ଦୋଳନ ଜାରି ରହିବ। ସାମ୍ବାଦିକମାନଙ୍କ ସହ ଆଲୋଚନା କରି ଭେନୁଗୋପାଳ କହିଛନ୍ତି ଯେ, ରାଜ୍ୟ ଏବଂ ଜିଲ୍ଲାଗୁଡ଼ିକରେ ବିରୋଧ ପ୍ରଦର୍ଶନ ଜାରି ରହିଛି ଏବଂ ଦୀପାବଳି ପର୍ବ ସମୟରେ କେବଳ ଅଳ୍ପ ସମୟ ପାଇଁ ବିରତି ଆଶା କରାଯାଉଛି।
ସେ ନଭେମ୍ବର ୧ ତାରିଖରେ ନୂଆଦିଲ୍ଲୀରେ କଂଗ୍ରେସ ଦ୍ୱାରା ଆୟୋଜିତ ରାଲିକୁ ଦେଶର ସବୁଠାରୁ ଶକ୍ତିଶାଳୀ ପ୍ରତିବାଦ ମଧ୍ୟରୁ ଗୋଟିଏ ବୋଲି ବର୍ଣ୍ଣନା କରିଛନ୍ତି।ସେ କହିଛନ୍ତି,ଜ୍ଞାନେଶ କୁମାରଙ୍କୁ ପଦରୁ ହଟାଗଲେ ଏବଂ ଭାରତର ନିର୍ବାଚନ ବ୍ୟବସ୍ଥା ଏବଂ ପ୍ରକ୍ରିୟାକୁ ତ୍ରୁଟିହୀନ, ନିରପେକ୍ଷ ଏବଂ ସ୍ୱଚ୍ଛ କରିବା ପାଇଁ ପଦକ୍ଷେପ ନିଆଯିବା ପରେ ଆମେ ଏହି ଆନ୍ଦୋଳନରୁ ଓହରି ଯିବୁ। ଏହା ଏପରି ସଂଘର୍ଷ ନୁହେଁ ଯାହାକୁ ଆମେ ମଝିରେ ଛାଡିଦେବୁ।
‘ଭୋଟ ରକ୍ଷକ’ ନିଯୁକ୍ତ
ଭେଣୁଗୋପାଳ ଅଭିଯୋଗ କରିଛନ୍ତି ଯେ, ଭୋଟର ତାଲିକାରୁ ନାମ ହଟାଇବା ଦ୍ୱାରା ଗରିବ ଲୋକମାନେ ସେମାନଙ୍କର ଭୋଟ ଦେବାର ଅଧିକାର ଏବଂ ବିଭିନ୍ନ ସରକାରୀ ସୁବିଧାରୁ ବଞ୍ଚିତ ହୋଇଛନ୍ତି। କଂଗ୍ରେସ ଆଗାମୀ ଦେଢ଼ ମାସ ମଧ୍ୟରେ ପଞ୍ଚାୟତ ସ୍ତରରେ ଦେଶବ୍ୟାପୀ ୨ଭୋଟ ବଚାଓ, ଦେଶ ବଚାଓ’ ଅଭିଯାନ ଆରମ୍ଭ କରିବ। ଏହି ଅଭିଯାନର ଅଂଶ ସ୍ୱରୂପ, ଦଳ ପ୍ରତ୍ୟେକ ପୋଲିଂ ବୁଥରେ ଜଣେ ‘ଭୋଟ ରକ୍ଷକ’ ନିଯୁକ୍ତ କରିବ ଯିଏ ଭୋଟର ତାଲିକା ଯାଞ୍ଚ୍ କରିବେ। ଯେଉଁମାନଙ୍କର ନାମ କଟାଯାଇଛି ସେମାନଙ୍କୁ ଚିହ୍ନଟ କରିବେ ଏବଂ ସେମାନଙ୍କ ନାମ ପୁନଃସ୍ଥାପିତ କରିବାରେ ସାହାଯ୍ୟ କରିବା ପାଇଁ ସେମାନଙ୍କ ଘରକୁ ଯିବେ।
ସେ କହିଛନ୍ତି ଯେ, କଂଗ୍ରେସ ୟୁନିଟ୍ ରାଜ୍ୟ ଏବଂ ଜିଲ୍ଲାରେ କାର୍ଯ୍ୟକ୍ରମ ଆୟୋଜନ କରୁଛନ୍ତି, ଯେତେବେଳେ ଅନ୍ୟ ରାଜନୈତିକ ଦଳଗୁଡ଼ିକ ସହିତ ମିଳିତ କାର୍ଯ୍ୟକ୍ରମ ମଧ୍ୟ ଯୋଜନା କରାଯାଉଛି। ସେ କହିଛନ୍ତି, ସଂସଦର ଆଗାମୀ ଅଧିବେଶନରେ ମଧ୍ୟ ଏହି ପ୍ରସଙ୍ଗକୁ ଦୃଢ଼ ଭାବରେ ଉଠାଇବ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
