PoK: ପିଓକେରେ ଖାଦ୍ୟ ଓ ଔଷଧ ପାଇଁ ହାହାକାର
"ଇସଲାମାବାଦ:ପାକିସ୍ତାନ ଅଧିକୃତ କାଶ୍ମୀର (ପିଓକେ)ରେ ସରକାର ବିରୋଧୀ ଜନ ଆନ୍ଦୋଳନ ଓ ବିଦ୍ରୋହ ତୀବ୍ର ହୋଇଛି।
ସରକାର ଆନ୍ଦୋଳନକୁ ଚପେଇବାକୁ ଜୋରଦାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।
ବିଦ୍ରୋହକୁ ବଳପୂର୍ବକ ଦମନ କରିବା ପାଇଁ ପାକିସ୍ତାନ ସରକାର ସମଗ୍ର ପାର୍ବତ୍ୟାଞ୍ଚଳରେ ଅବରୋଧ କରି ଅତ୍ୟାବଶ୍ୟକୀୟ ଖାଦ୍ୟ ସାମଗ୍ରୀ, ଇନ୍ଧନ (ପେଟ୍ରୋଲ-ଡିଜେଲ) ଓ ଜୀବନ ରକ୍ଷାକାରୀ ଔଷଧ ଯୋଗାଣକୁ ସମ୍ପୂର୍ଣ୍ଣ ଭାବରେ ବନ୍ଦ କରିଛି।
ଫଳରେ ଖାଦ୍ୟ, ଔଷଧ ପରି ଅତ୍ୟାବଶ୍ୟକ ସାମଗ୍ରୀ ଅଭାବରେ ଲୋକଙ୍କ ଭିତରେ ହାହାକାର ଦେଖିବାକୁ ମିଳୁଛି।Advertisment ଆନ୍ଦୋଳନକୁ ଚପେଇବାକୁ ଜୋରଦାର କାର୍ଯ୍ୟାନୁଷ୍ଠାନ ଅବୈଧ ଭାବେ ନିଜ କବ୍ଜାରେ ରଖିଥିବା କାଶ୍ମୀରର ଏହି ଅଞ୍ଚଳରେ ଆନ୍ଦୋଳନ ଦମନ କରିବାକୁ ପାକିସ୍ତାନ ସରକାର ଅତି ଅମାନବୀୟ ମାର୍ଗ ବାଛିଛି।
ପିଓକେର ବାସିନ୍ଦା, ଟ୍ରକ୍ ଡ୍ରାଇଭର ଓ ବିରୋଧୀ ଦଳ ନେତାମାନେ ଗଣମାଧ୍ୟମକୁ କହିଛନ୍ତି ଯେ, ଅତ୍ୟାବଶ୍ୟକୀୟ ସାମଗ୍ରୀ ପରିବହନ କରୁଥିବା ଯାନଗୁଡ଼ିକୁ ପିଓକେରେ ପ୍ରବେଶ କରିବାକୁ ଦିଆଯାଉନାହିଁ।
ଯୁଗ୍ମ ଆୱାମୀ ଆକ୍ସନ କମିଟି (ଜେଏଏସି) ନେତୃତ୍ୱରେ ଅଞ୍ଚଳବ୍ୟାପୀ ବନ୍ଦ ଯୋଗୁଁ ପୂର୍ବରୁ ସୃଷ୍ଟି ହୋଇଥିବା ଅଭାବ ସ୍ଥିତିକୁ ଆହୁରି ଖରାପ କରୁଛି।
ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣ ବନ୍ଦ ଖବରକୁ ପାକିସ୍ତାନ କର୍ତ୍ତୃପକ୍ଷ ଖଣ୍ଡନ କରୁଥିବାବେଳେ ବିବିସି ଊର୍ଦ୍ଦୁ, ଡନ୍ ଓ ଏଏଫ୍ପି ପିଓକେ ସଙ୍କଟ ଅତୀବ ରୂପ ଧାରଣ କରିଥିବା ରିପୋର୍ଟ କରିଛନ୍ତି।
ପିଓକେରେ ଭାରତ-ପ୍ରଶାସିତ କାଶ୍ମୀରର ଶରଣାର୍ଥୀଙ୍କ ପାଇଁ ସଂରକ୍ଷିତ ୧୨ଟି ବିଧାନସଭା ଆସନ ଉପରେ ବିବାଦରୁ ଏହି ଅଶାନ୍ତି ସୃଷ୍ଟି ହୋଇଛି।
ସ୍ଥାନୀୟ ଗୋଷ୍ଠୀଗୁଡ଼ିକ ଅଭିଯୋଗ କରିଛନ୍ତି ଯେ, ଇସଲାମାବାଦ ନିର୍ବାଚନକୁ ପ୍ରଭାବିତ କରିବା ଓ ଅନୁପାଳନକାରୀ ସରକାର ସ୍ଥାପନ କରିବା ପାଇଁ ଏହି ଆସନଗୁଡ଼ିକୁ ବ୍ୟବହାର କରୁଛି।
ପାକିସ୍ତାନ ଜେଏଏସିକୁ ଏକ ଆତଙ୍କବାଦୀ ସଂଗଠନ ଘୋଷଣା କରି ଏହାର ସମର୍ଥକମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି।
ରିପୋର୍ଟ ଅନୁସାରେ ଏପର୍ଯ୍ୟନ୍ତ ସଂଘର୍ଷରେ ଅତି କମରେ ୫୮ ଜଣଙ୍କର ମୃତ୍ୟୁ ହୋଇଛି।
ପିଓକେରେ ସାଧାରଣ ଜୀବନଯାତ୍ରା ପ୍ରଭାବିତ ହୋଇଛି।
ଜେଏଏସିର ବନ୍ଦ ଯୋଗୁଁ ପରିବହନ ନେଟୱର୍କ ଉପରେ ଗମ୍ଭୀର ପ୍ରଭାବ ପଡ଼ିଛି।
ସାମଗ୍ରୀ ଓ ସେବା ପରିବହନରେ ଘୋର ବାଧା ସୃଷ୍ଟି ହୋଇଛି।
ବଜାର ଓ ବ୍ୟବସାୟ ବନ୍ଦ ରହିଛି।
ସ୍ଥାନୀୟ ବାସିନ୍ଦା ଓ ବିରୋଧୀ ଦଳମାନେ ଏପରି ଅଚଳାବସ୍ଥା ପାଇଁ ପାକିସ୍ତାନ ସରକାରଙ୍କୁ ଦାୟୀ କରିଛନ୍ତି।
ପାକିସ୍ତାନ ସରକାର ବିଦ୍ରୋହକୁ ଦମନ କରିବାକୁ ଏପରି ପରିସ୍ଥିତି ସୃଷ୍ଟି କରିଛି ବୋଲି କହିଛନ୍ତି।
କରାଚୀସ୍ଥିତ ପାକିସ୍ତାନ ଖବରକାଗଜ "ଡନ୍" ପକ୍ଷରୁ କୁହାଯାଇଛି ଯେ, ପୁଞ୍ଛ ଓ ମୁଜାଫରାବାଦ ଜିଲ୍ଲାରେ ପେଟ୍ରୋଲ ପମ୍ପ ବନ୍ଦ ଥିବାରୁ ସ୍ଥାନୀୟ ବାସିନ୍ଦା କଳା ବଜାରରୁ ଚଢ଼ା ଦରରେ ତୈଳ କିଣିବାକୁ ବାଧ୍ୟ ହେଉଛନ୍ତି।
ବିଦ୍ରୋହ ଆରମ୍ଭ ହେବା ପରଠାରୁ ଲୋକମାନଙ୍କୁ ରେସନ ମିଳିନଥିବା ନିଲମ୍ ଜିଲ୍ଲାର ବାସିନ୍ଦା କହିଛନ୍ତି।
ଜରୁରୀ ସାମଗ୍ରୀ ପରବିହନ କରୁଥିବା ଗାଡ଼ିକୁ ପିଓକେରେ ପ୍ରବେଶ କରିବାକୁ ଅନୁମତି ଦିଆଯାଉନି।
ବିବିସି ଉର୍ଦ୍ଦୁକୁ ଜଣେ ବାସିନ୍ଦା କହିଛନ୍ତି ଯେ, ପୁଞ୍ଚ ସେକ୍ଟର, ରାୱଲାକୋଟ, ବାଗ ଓ ନିଲମ ଉପତ୍ୟକାର ଲୋକମାନେ ଅଟା, ଚାଉଳ, ଚିନି, ଲଙ୍କା, ଔଷଧ ଓ ପେଟ୍ରୋଲ କିଣିବା ପାଇଁ ରାୱଲପିଣ୍ଡି ଓ ଇସଲାମାବାଦ ପର୍ଯ୍ୟନ୍ତ ଯାତ୍ରା କରୁଛନ୍ତି।
ଏପରିକି ଉକ୍ତ ସାମଗ୍ରୀ ନେଇ ପିଓକେ ଯିବାକୁ ମଧ୍ୟ ପାକିସ୍ତାନ ପୁଲିସ ଦେଉନାହିଁ।
ପାକିସ୍ତାନର ସବୁଠାରୁ ବଡ଼ ରାଜନୈତିକ ଦଳ ମଧ୍ୟରୁ ଗୋଟିଏ, ପାକିସ୍ତାନ ତେହେରିକ୍-ଏ-ଇନସାଫ୍ (ପିଟିଆଇ)ର ପିଓକେ ଶାଖା, ପାକିସ୍ତାନୀ କର୍ତ୍ତୃପକ୍ଷଙ୍କୁ ସେହି ଅଞ୍ଚଳରେ ଅତ୍ୟାବଶ୍ୟକ ସାମଗ୍ରୀ ପହଞ୍ଚିବାକୁ ବାଧା ଦେଉଥିବା ଅଭିଯୋଗ କରିଛି। "ଏକ୍ସ"ରେ ରେ ଏକ ପୋଷ୍ଟରେ ପିଟିଆଇ ଅଭିଯୋଗ କରିଛି ଯେ, ଆଜାଦ ପଟ୍ଟନ ସମେତ ବିଭିନ୍ନ ମାର୍ଗରେ ଯାତ୍ରୀମାନଙ୍କୁ ଅଟକାଯାଉଛି ଓ ଖାଦ୍ୟ, ପାନୀୟ ଜଳ ଓ ଜୀବନ ରକ୍ଷାକାରୀ ଔଷଧରୁ ବଞ୍ଚିତ କରାଯାଉଛି।
ପାକିସ୍ତାନ ସରକାରଙ୍କ ନିଷ୍ଠୁର ଅର୍ଥନୈତିକ ଅବରୋଧ ସତ୍ତ୍ୱେ, ଏହି ଜନ ଆନ୍ଦୋଳନ ଥମିବାର କୌଣସି ଲକ୍ଷଣ ଦେଖାଯାଉନାହିଁ।
ଗତ ଦୁଇ ସପ୍ତାହ ମଧ୍ୟରେ ରାୱଲାକୋଟର ଇଦଗାହ ପଡ଼ିଆରେ ୭୦,୦୦୦ ରୁ ଅଧିକ ଲୋକ ବିଶାଳ ଧାରଣାରେ ଯୋଗ ଦେଇଛନ୍ତି।
ଜେଏଏସି ନେତାମାନେ ଚେତାବନୀ ଦେଇଛନ୍ତି ଯେ, ଯଦି ସେମାନଙ୍କର ଦାବି ପୂରଣ ନ ହୁଏ, ତେବେ ସେମାନେ ରାୱଲାକୋଟରୁ ପ୍ରଶାସନିକ ରାଜଧାନୀ ମୁଜାଫରନଗର ପର୍ଯ୍ୟନ୍ତ ୧୦୦,୦୦୦ ଲୋକଙ୍କ ଏକ ବିଶାଳ ପଦଯାତ୍ରା ଆରମ୍ଭ କରିବେ। https://sambad.in/india-and-beyond/trump-expresses-displeasure-in-front-of-nato-chief-12103357 "