Ply shop caught fire: ସର୍ଟ ସର୍କିଟ ଯୋଗୁ ଜଳିଗଲା ପ୍ଲାଏ ଦୋକାନ, ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟ
"କୁଜଙ୍ଗ: କୁଜଙ୍ଗ ଥାନା ଅନ୍ତର୍ଗତ ବଳରାମପୁର ଗୋଡା ନିକଟରେ ଗତ ରାତି ପ୍ରାୟ ୧୦:୩୦ ସମୟରେ ଏକ ଭୟାବହ ଅଗ୍ନିକାଣ୍ଡ ଘଟିଯାଇଛି।
ସର୍ଟ ସର୍କିଟ ଯୋଗୁ ସ୍ଥାନୀୟ "ପୂଜା ଏଣ୍ଟରପ୍ରାଇଜେସ" ନାମକ ଏକ ଆଲୁମିନିୟମ ଓ ପ୍ଲାଏ ଦୋକାନରେ ନିଆଁ ଲାଗିଯାଇଥିଲା।
ଦୋକାନଟିରେ ବିପୁଳ ପରିମାଣର ପ୍ଲାଏଉଡ୍ ଏବଂ ଆଲୁମିନିୟମ ସାମଗ୍ରୀ ଭରପୂର ଥିବାରୁ ନିଆଁ ଖୁବ୍ ଶୀଘ୍ର ଉଗ୍ର ରୂପ ଧାରଣ କରିଥିଲା।Advertisment ସ୍ଥାନୀୟ ପ୍ରତ୍ୟକ୍ଷଦର୍ଶୀମାନେ ଦୋକାନରୁ ଧୂଆଁ ଓ ନିଆଁ ବାହାରୁଥିବା ଦେଖି ତୁରନ୍ତ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ।
ଦୋକାନ ଭିତରେ ତିନୋଟି ଗ୍ୟାସ ସିଲିଣ୍ଡର ରହିଥିବାରୁ ନିଆଁର ପ୍ରକୋପ ଅଧିକ ବ୍ୟାପକ ହୋଇଯାଇଥିଲା।
ଅଗ୍ନିଶମ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ପ୍ରାଣପଣେ ଚେଷ୍ଟା କରିଥିଲେ ମଧ୍ୟ ସେତେବେଳକୁ ସମ୍ପୂର୍ଣ୍ଣ ଦୋକାନଟି ଜଳି ପୋଡ଼ି ଛାରଖାର ହୋଇଯାଇଥିଲା।
ଏହି ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିବା ଆଶଙ୍କା କରାଯାଉଛି।
ଦୋକାନର ମାଲିକ ତିର୍ତ୍ତୋଲ ଅଞ୍ଚଳର ହୋଇଥିବା ବେଳେ, ସେ ଦୁର୍ଘଟଣା ସମ୍ପର୍କରେ ଖବର ପାଇ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ।
ପ୍ରାଥମିକ ତଦନ୍ତରୁ ଏହି ଅଗ୍ନିକାଣ୍ଡ ବୈଦ୍ୟୁତିକ ସର୍ଟ ସର୍କିଟ ଯୋଗୁଁ ହିଁ ଘଟିଥିବା ଅନୁମାନ କରାଯାଉଛି।
ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି।"