Patients Suffer as OMSA Strike: ଥମୁନି ଡାକ୍ତର ଆନ୍ଦୋଳନ; ରୋଗୀ ସେବା ଠପ୍, ଶବ ଧରି ପୋଷ୍ଟମର୍ଟମ ଅପେକ୍ଷାରେ ସଂପର୍କୀୟ

Jul 03, 2026 - 19:42
Patients Suffer as OMSA Strike: ଥମୁନି ଡାକ୍ତର ଆନ୍ଦୋଳନ; ରୋଗୀ ସେବା ଠପ୍, ଶବ ଧରି ପୋଷ୍ଟମର୍ଟମ ଅପେକ୍ଷାରେ ସଂପର୍କୀୟ

ଥମୁନି ଆନ୍ଦୋଳନ, ଥମୁନି ଯନ୍ତ୍ରଣା । ଡାକ୍ତର ଆନ୍ଦୋଳନ ଯୋଗୁ ସାରା ରାଜ୍ୟରେ ରୋଗୀ ସେବା ଠପ୍ । କେଉଁଠି ଶବ ଧରି ପୋଷ୍ଟମର୍ଟମ ଅପେକ୍ଷାରେ ସଂପର୍କୀୟ, ତ ଆଉ କେଉଁଠି ମେଡ଼ିକାଲ୍ ବାରଣ୍ଡାରେ ରୋଗୀ ଛଟପଟ । ଓମସା-ସ୍ବାସ୍ଥ୍ୟ ବିଭାଗର ଘନଘନ ବୈଠକ ପରେ ସମାଧାନର ବାଟ ଫିଟୁନଥିବାବେଳେ କାଲି ଆଲୋଚନା କରିବାକୁ ଡାକ୍ତରଙ୍କୁ ଡାକିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ। 

ବର୍ଷାରେ ଭିଜୁଥିଲା, ଜି-ଉଦୟଗିରିରୁ ଫୁଲବାଣୀ ପର୍ଯ୍ୟନ୍ତ ଘୁରିବୁଲୁଥିଲା। ଶେଷ ସଂସ୍କାର ପାଇଁ ଶବଟିଏ ପଡ଼ିରହିଥିଲା। ହେଲେ ମୃତ୍ୟୁ ପରେ ବି ଅପେକ୍ଷା ସରୁନଥିଲା। କାରଣ ଡାକ୍ତର ଆନ୍ଦୋଳନ ଯୋଗୁ ଅଟକିଯାଇଥିଲା ପୋଷ୍ଟମର୍ଟମ, ଅଟକିଯାଇଥିଲା ଶେଷକୃତ୍ୟ। ରାଜ୍ୟରେ ଡାକ୍ତର ଆନ୍ଦୋଳନ ଯୋଗୁ କେମିତି ହିନସ୍ତା ହେଉଛନ୍ତି ଲୋକେ, ତାର ଦାରୁଣ ଦୃଶ୍ୟ ଦେଖିବାକୁ ମିଳିଛି ଫୁଲବାଣୀରେ। ଶବ ବ୍ୟବଛେଦ ପାଇଁ ଘଣ୍ଟା ଘଣ୍ଟାର ଅପେକ୍ଷା ସହିତ ଲମ୍ବା ସଂଘର୍ଷ କରିଛନ୍ତି ଗୋଟିଏ ପରିବାର। 

ସୂଚନା ଅନୁସାରେ, ଜି.ଉଦୟଗିରର ଜଣେ ବୃଦ୍ଧାଙ୍କର ଗତ ଏକ ତାରିଖରେ ମୃତ୍ୟୁ ହୋଇଥିଲା। ଶବ ବ୍ୟବଛେଦ ପାଇଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲେ ମଧ୍ୟ ଡାକ୍ତର ଆନ୍ଦୋଳନ ଯୋଗୁ ହୋଇପାରିନଥିଲା । ଶେଷରେ ମୃତଦେହକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣି ଗତକାଲି ସନ୍ଧ୍ୟାରେ ପୋଷ୍ଟମର୍ଟମ ହୋଇଥିଲା। 

ତେବେ ଖାଲି ଫୁଲବାଣୀ ନୁହେଁ, ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ାରେ ବି ଡାକ୍ତର ଆନ୍ଦୋଳନର ଯନ୍ତ୍ରଣା ଭୋଗିବାକୁ ପଡ଼ିଛି ଶବକୁ। ମାଟି ଅତଡ଼ା ଧସି ମୃତ୍ୟୁବରଣ କରିଥିବା ନାବାଳକର ମୃତଦେହ ପୋଷ୍ଟମର୍ଟମ ହୋଇନପାରି ୪୮ ଘଣ୍ଟା ପଡ଼ିରହିଥିଲା । ଏନେଇ ଓଟିଭିରେ ଖବର ପ୍ରସାରଣ ପରେ କୋଇଡ଼ା ପୋଲିସ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟକୁ ଶବ ନେଇ ବ୍ୟବଚ୍ଛେଦ ବ୍ୟବସ୍ଥା କରିଥିବା ଜଣାପଡ଼ିଛି। 

ରାଇରଙ୍ଗପୁରରୁ ନବରଙ୍ଗପୁର, ଚମ୍ପୁଆରୁ ଉମରକୋଟ, ବାଲେଶ୍ବରରୁ ବଲାଙ୍ଗିର । ସାରା ରାଜ୍ୟରେ ତୃତୀୟ ଦିନରେ ଅଚଳ ସ୍ୱାସ୍ଥ୍ୟସେବା। ଚାରିଆଡ଼େ ରୋଗୀଦେଖା ଠପ୍। ଡାକ୍ତରଖାନା ବାରଣ୍ଡାରେ ଛଟପଟ ହେଉଛନ୍ତି ରୋଗୀ। ଇଏ ଆସିକା ଉପଖଣ୍ଡ ଡାକ୍ତରଖାନାର ଦୃଶ୍ୟ। ଗୋଡ଼ ଭାଙ୍ଗି ଯାଇଥିବା ୭୫ ବର୍ଷୀୟ ଇନ୍ଦ୍ର ନାୟକ ଭୋରରୁ ଆସି ମେଡିକାଲରେ ବସିଛନ୍ତି। ହେଲେ ଦେଖିବାକୁ ଡାକ୍ତର ନାହାନ୍ତି। ସେମିତି ଏଇ ବେଞ୍ଚରେ ବସି କଷ୍ଟ ପାଉଛନ୍ତି ଆଉ ଜଣେ ବୃଦ୍ଧ। ଏପଟେ ଭଦ୍ରକରେ ବି ସମାନ ଅବସ୍ଥା। କାହାର ଅଲଟ୍ରାସାଉଣ୍ଡ ହେଇପାରୁନି ତ ଆଉ କିଏ ଡିସଚାର୍ଜ ହେବାକୁ ଅପେକ୍ଷା କରିଛି। ସେପଟେ ନୀଳଗିରିରେ ଡାକ୍ତରଖାନା ଖାଁ ଖାଁ ପାଲଟିଗଲାଣି। 

ରାଜ୍ୟବ୍ୟାପୀ ସଂଗୀନ ସମସ୍ୟା ଭିତରେ ଅନେକ ସ୍ଥାନରେ ରୋଗୀଙ୍କ ପାଇଁ ଆଶା ସାଜିଛନ୍ତି ଆୟୁଷ ଓ ଚୁକ୍ତିଭିତ୍ତିକ ଡାକ୍ତର। କୋଇଡା ହେଉ କି ରାଇରଙ୍ଗପୁର । ଡାକ୍ତର ରୋଗୀ ଦେଖୁନଥିବାରୁ ଆୟୁରର୍ବେଦିକ ଓ ଚୁକ୍ତି ଭିତ୍ତିକ ଡାକ୍ତରରେ ରୋଗୀ ସେବା ଚାଲିଛି। ଚିନ୍ତାଜନକ କଥା ହେଲା, କିଛି ସ୍ଥାନରେ ଗର୍ଭବତୀଙ୍କୁ ମଧ୍ୟ ଆୟୁର୍ବେଦିକ ଡାକ୍ତର ଦେଖିବାକୁ ବାଧ୍ୟ ହେଉଛନ୍ତି। ଏଭଳି ପରିସ୍ଥିତିରେ ଅନେକ ଗୁରୁତର ରୋଗୀ ଚିକିତ୍ସା ନପାଇ ଫେରିଯାଉଛନ୍ତି। 

ଏପଟେ ଡାକ୍ତର ଆନ୍ଦୋଳନ ପ୍ରତ୍ୟାହାର ପାଇଁ ଚାଲିଛି ଜୋରଦାର ପ୍ରୟାସ। ଓମସା ଓ ସ୍ବାସ୍ଥ୍ୟ ବିଭାଗ ଅଧିକାରୀଙ୍କ ମଧ୍ୟରେ ଘନଘନ ଆଲୋଚନା ହେଉଛି। ଆସନ୍ତାକାଲି ଆଲୋଚନା ପାଇଁ OMSAକୁ ଡାକିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ। କାଲି ସ୍ବାସ୍ଥ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଦିନ ୧୧ଟା ୩୦ରେ ବୈଠକ ବସିବ। ଆନ୍ଦୋଳନ ବନ୍ଦ କରି ଆଲୋଚନାରେ ଯୋଗ ଦେବାକୁ ଡାକ୍ତରଙ୍କୁ ଆହ୍ବାନ ଦେଇଛି ସ୍ବାସ୍ଥ୍ୟ ବିଭାଗ । 

୧୦ ଦଫା ଦାବିରେ ଡାକ୍ତରମାନେ ଆନ୍ଦୋଳନ ଚଳାଇଛନ୍ତି। ପ୍ରମୁଖ ଦାବି ମଧ୍ୟରେ ରହିଛି, କେନ୍ଦ୍ରୀୟ ବେତନ ଆୟୋଗ ଅନୁଯାୟୀ ଯୋଗ୍ୟତା ତାରିଖରୁ ଡାଇନାମିକ୍ ଆସ୍ୟୁର୍ଡ କ୍ୟାରିଅର ପ୍ରୋଗ୍ରେସନ୍ କାର୍ଯ୍ୟକାରୀ କରିବା, ସମସ୍ତ ଗ୍ରେଡ୍ ରେ ଆନୁପାତିକ କ୍ୟାଡର ପୁନର୍ଗଠନ । ସୁପର ସ୍ପେସିଆଲିଷ୍ଟ, ସ୍ପେସିଆଲିଷ୍ଟ, ଡିପ୍ଲୋମାଧାରୀ ଡାକ୍ତର, ପ୍ରଶାସକଙ୍କ ପାଇଁ ବର୍ଦ୍ଧିତ ପ୍ରୋତ୍ସାହନ ଓ ମୃତଦେହ ବ୍ୟବଚ୍ଛେଦ ଭତ୍ତା । ତେବେ ସରକାରଙ୍କ ଚେତାବନୀ ପରେ ଡାକ୍ତରଙ୍କ ଆଭିମୁଖ୍ୟ କଣ ରହୁଛି ଏବଂ କେବେ ସ୍ବାସ୍ଥ୍ୟସେବା ସ୍ବାଭାବିକ ହେଉଛି, ତା ଉପରେ ନଜର ।

ଥମୁନି ଆନ୍ଦୋଳନ, ଥମୁନି ଯନ୍ତ୍ରଣା। ଡାକ୍ତର ଆନ୍ଦୋଳନ: ରୋଗୀ ସେବା ଠପ୍। ଶବ ଧରି ପୋଷ୍ଟମର୍ଟମ ଅପେକ୍ଷାରେ ସଂପର୍କୀୟ। ମେଡିକାଲ୍ ବାରଣ୍ଡାରେ ରୋଗୀ ଛଟପଟ। କାଲି ଆଲୋଚନା ପାଇଁ ଡାକିଲା ସ୍ବାସ୍ଥ୍ୟ ବିଭାଗ। କାଲି ଦିନ ସାଢେ ୧୧ଟାରେ ସ୍ବାସ୍ଥ୍ୟ ମନ୍ତ୍ରୀଙ୍କ ସହ ବୈଠକ।