SCERT Begins Major Textbook Revision: ବହିରୁ କିଏ ଛଡ଼ାଇବେ ଗୁରୁଚଣ୍ଡାଳ ଦୋଷ ? ଗଣଶିକ୍ଷା ବିଭାଗ ମତ ଲୋଡ଼ିବା ପରେ ବଢ଼ିଲା ଚର୍ଚ୍ଚା

ସ୍କୁଲ ବହିର ଗୁରୁଚଣ୍ଡାଳ ଦୋଷ ଛଡାଇବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଉଦ୍ୟମ। ସାମାଜିକ ଗଣମାଧ୍ୟମ ଜରିଆରେ ୭ ଦିନ ମଧ୍ୟରେ ଲୋକଙ୍କ ଠାରୁ ସୁଚିନ୍ତିତ ମତାମତ ଲୋଡିଲା ବିଭାଗ । ତାପରେ ତ୍ରୁଟି ସୁଧାରି ବହି ଛାପିବା ପାଇଁ ବିଭାଗ ମନସ୍ଥିର କରିଛି। ସମ୍ପାଦନ ମଣ୍ଡଳୀ ଏବଂ କୋର କମିଟିର ଗୁରୁତର ଭୁଲପାଇଁ ବଦନାମ ମୁଣ୍ଡାଇଥିବା ବିଭାଗ ନୂଆ ବହି ପାଇଁ ଦିନରାତି ଏକ କରି କାମ ଆରମ୍ଭ କରିଦେଇଛି। ହେଲେ ଏନେଇ ଶିକ୍ଷାବିତଙ୍କ ମତ ନିଆଯାଇନଥିବାରୁ ସେମାନେ କ୍ଷୋଭ ପ୍ରକାଶ କରିଛନ୍ତି । ସେପଟେ ସ୍କୁଲକୁ ସଂଶୋଧିତ PDF କପି ପଠାଇ ପଢାଇବାକୁ ନିର୍ଦ୍ଦେଶ ଦେଇଛି ବିଭାଗ। ....
ସ୍କୁଲ ଓ ଗଣଶିକ୍ଷା ବିଭାଗକୁ ଲାଗିଛି କି ଗୁରୁଚଣ୍ଡାଳ ଦୋଷ ? ଦୋଷ ସୁଧାରିବା ପାଇଁ ନାକେଦମ୍ ହେଲାଣି ବିଭାଗ । ସାମାଜିକ ଗଣମାଧ୍ୟମରେ ଲୋଡିଲା ମତାମତ । ୱେବ୍ ସାଇଟ୍ ରେ ପ୍ରଥମରୁ ଚତୁର୍ଥ ଶ୍ରେଣୀ ପାଇଁ ସଂଶୋଧିତ ପୁସ୍ତକକୁ ପୋଷ୍ଟ କରି ୭ ଦିନ ମଧ୍ୟରେ ସୁଚିନ୍ତିତ ମତାମତ ଲୋଡିଲା SCERT। ପାଠ୍ୟପୁସ୍ତକ ତ୍ରୁଟି ଅପବାଦରୁ ମୁକୁଳିବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପ୍ରାଣମୂର୍ଚ୍ଛା ଉଦ୍ୟମ ।
ଏଥିପାଇଁ ଆଜି ସର୍ବସାଧାରଣଙ୍କ ପାଇଁ ବିଭାଗ ପକ୍ଷରୁ ନୋଟିସ ଜାରି କରାଯାଇଛି। ଯେଉଁଥିରେ ପ୍ରଥମ ପର୍ଯ୍ୟାୟରେ ପ୍ରଥମରୁ ଚତୁର୍ଥ ଶ୍ରେଣୀ ପାଇଁ ଉଦ୍ଦିଷ୍ଟ ସଂଶୋଧିତ ପାଠ୍ୟପୁସ୍ତକଗୁଡ଼ିକ ଏସ୍ସିଇଆରଟି ଏବଂ ଓସେପା ୱେବ୍ ସାଇଟ୍ ରେ ଉପଲବ୍ଧ ହୋଇଥିବା ଉଲ୍ଲେଖ କରାଯାଇଛି। ପାଠ୍ୟପୁସ୍ତକଗୁଡ଼ିକ ସମ୍ବନ୍ଧରେ ସୁଚିନ୍ତିତ ମତାମତ ଇମେଲ୍ ଆଇଡି textbookscertodisha@gmail. com କିମ୍ବା କେନ୍ଦ୍ରର ହେଲପଲାଇନ୍ ନମ୍ବର-୧୮୦୦୩୪୫୬୭୨୨ ରେ ୭ଦିନ ମଧ୍ୟରେ ପ୍ରଦାନ କରିବାକୁ ବିଭାଗ ପକ୍ଷରୁ କୁହାଯାଇଛି।
ଗତକାଲି ଏନେଇ ଏସ୍ସିଇଆରଟି କାର୍ଯ୍ୟାଳୟରେ ପାଖାପାଖି ଦୁଇ ଘଣ୍ଟା ଧରି ବୈଠକ ହୋଇଥିଲା । ଯେଉଁଥିରେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଅଧ୍ୟକ୍ଷତାରେ ବିଭାଗୀୟ ସଚିବ ଏନ୍ ତିରୁମାଲା ନାୟକ, ଓସେପା ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶିକା ଅନନ୍ୟା ଦାସଙ୍କ ସମେତ ବିଭାଗର ବରିଷ୍ଠ ଅଧିକାରୀମାନେ ଯୋଗଦେଇଥିଲେ। ତ୍ରୁଟି ମଧ୍ୟରୁ ପ୍ରାୟ ପାଖାପାଖି ୧୦ ପ୍ରତିଶତ ଗୁରୁଚଣ୍ଡାଳ ଭୁଲ୍ ରହିଛି, ଯାହାକୁ ସଂଶୋଧନ କରିବା ସମ୍ଭବପର ନୁହେଁ।
ତେଣୁ ସେଗୁଡ଼ିକର ପରିବର୍ତ୍ତନ କରିବାକୁ ବୈଠକରେ ମତପ୍ରକାଶ ପାଇଥିଲା । ଆଉ ଆଜି ଏପଟେ କିଛି ଜିଲ୍ଲାରେ ପ୍ରଥମରୁ ଚତୁର୍ଥ ଶ୍ରେଣୀ ବହିର ତ୍ରୁଟିକୁ ସୁଧାରି PDF ଜରିଆରେ ସଂଶୋଧିତ ତଥ୍ୟକୁ ଧରି ପାଠ ପଢାଉଛନ୍ତି ଶିକ୍ଷକ । ଅନ୍ୟ କେଉଁଠି ମୋବାଇଲ ଦେଖି କଳାପଟାରେ ପାଠ ପଢାଉଛନ୍ତି ଶିକ୍ଷକ ।
ତେବେ ପ୍ରଥମରୁ ଚତୁର୍ଥ ଶ୍ରେଣୀ ବହିରେ ବିଶେଷ ଭୂଲ ନଥିବା କୁହାଯାଉଛି। ପଞ୍ଚମରୁ ଅଷ୍ଟମ ଶ୍ରେଣୀ ବହିରେ ଅନେକ ବଡ ବଡ ଭୁଲ ରହିଛି। ପଞ୍ଚମ ଶ୍ରେଣୀର ଆମ ବିଚିତ୍ର ବିଶ୍ବ, ନବରସ, ଖେଳ ଓ ଯୋଗ ଶିକ୍ଷାରେ କମ୍ ତ୍ରୁଟି ଥିବା କହୁଯାଉଛି। ତେବେ ଷଷ୍ଠରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠ୍ୟପୁସ୍ତକଗୁଡ଼ିକରେ ବ୍ୟାପକ ତ୍ରୁଟି ରହିଛି। ଯାହାକୁ ସଂଶୋଧନ କରି ପଢ଼ାଇବା ସମ୍ଭବପର ନୁହଁ ।
ଅନ୍ୟପକ୍ଷରେ ବିଭାଗ ଯେଉଁ ମତାମତ ଲୋଡିଛି ତାକୁ ନାପସନ୍ଦ କରିଛନ୍ତି ଶିକ୍ଷାବିତ୍ । ସେମାନଙ୍କ ମତରେ ଯେଉଁମାନଙ୍କ ଭୁଲ ପାଇଁ ବିଭାଗ ନିନ୍ଦିତ ସେମାନଙ୍କୁ ନେଇ ବୈଠକ କରିବାର ମାନେ କିଛି ନାହିଁ। ବରଂ ଓଡିଶାର ଜ୍ଞାନୀଗୁଣି ଓ ଶିକ୍ଷାବିତଙ୍କୁ ନେଇ ବୈଠକ କରିଥିଲେ ସୁଫଳ ମିଳିଥାନ୍ତା ।