Panchayat elections: ପଞ୍ଚାୟତ ନିର୍ବାଚନରେ ବାଟ ଓଗାଳିବ ‘ପାଣି’: ୮ମାସରେ କେମିତି ସରିବ ୧୬୫ଟି ପ୍ରକଳ୍ପ?
"ଭୁବନେଶ୍ବର: ଆସନ୍ତା ଏପ୍ରିଲ ଓ ମେ" ମାସରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ହେବ।
ଯେତେବେଳେ ଓଡ଼ିଶାରେ ପ୍ରଚଣ୍ଡ ଖରା ହେଉଥିବ, ନଦୀ, ନାଳରେ ପାଣି ପୂରା କମ୍ ଥିବ, ସେତେବେଳେ ଶାସକ ଦଳ ନିର୍ବାଚନ ମଇଦାନକୁ ଓହ୍ଲାଇବ।
ସରକାର ସଫଳତାର କାହାଣୀ ନେଇ ଲୋକଙ୍କ ପାଖକୁ ଯିବେ।
ହେଲେ ଶାସକ ଦଳର ବାଟ ଓଗାଳିବ ଗାଁ ଗାଁରେ ପିଇବା ପାଣି ସମସ୍ୟା।
କାରଣ ରାଜ୍ୟ ସରକାର ମାର୍ଚ୍ଚ୨୦୨୭ ସୁଦ୍ଧା ଗ୍ରାମାଞ୍ଚଳର ପ୍ରତି ଘରକୁ ଟ୍ୟାପ୍ ପାଣି ସଂଯୋଗ ଦେବାକୁ ଯେଉଁ ଯୋଜନା କରିଛନ୍ତି ସେଥିରେ ସଫଳ ହେବାର ସମ୍ଭାବନା ଏକପ୍ରକାର କ୍ଷୀଣ।
ଯାହାକୁ ବିରୋଧୀ ଆଗାମୀ ନିର୍ବାଚନରେ ବଡ଼ ଅସ୍ତ୍ର କରିପାରନ୍ତି।Advertisment ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ରାଜ୍ୟରେ ୨୦୭ଟି ମେଗା ପାନୀୟଜଳ ପ୍ରକଳ୍ପ କରାଯାଉଛି।
ଏଥିରୁ ଏବେ ସୁଦ୍ଧା ୪୨ଟି ପ୍ରକଳ୍ପ ସରିଛି।
ବହୁ ପ୍ରକଳ୍ପ ତ ଏବେବି ଅଧା ସ୍ଥିତିରେ ପହଞ୍ଚିନି।
ମାର୍ଚ୍ଚ କଣ୍ଟ ପୂରଣକୁ ହାତରେ ମାତ୍ର ଆଉ ୮ମାସ ସମୟ ଥିବାବେଳେ କେମିତି ୧୬୫ଟି ମେଗା ପାନୀୟ ଜଳ ପ୍ରକଳ୍ପ ଶେଷ ହେବ, ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ହେଲେ ବିଭାଗ ନା ତତ୍ପରତା ଦେଖାଉଛି ନା କିଛି ସ୍ବତନ୍ତ୍ର ପଦକ୍ଷେପ ନେଉଛି।
ଏମିତିରେ ବି ପାନୀୟଜଳ ପ୍ରକଳ୍ପ ବିଳମ୍ବ ନେଇ ରାଜ୍ୟ ସରକାର ଆଉ ପୂର୍ବ ସରକାରଙ୍କୁ ଦାୟୀ କରି ଖସିପାରିବେନି।
କାରଣ ପଞ୍ଚାୟତ ନିର୍ବାଚନ ପ୍ରଚାର ମଇଦାନକୁ ଓହ୍ଲାଇଲା ବେଳକୁ ରାଜ୍ୟର ବିଜେପି ସରକାରକୁ ଅଢ଼େଇ ବର୍ଷ ପୂରିଯାଇଥିବ।
ଏହା ଭିତରେ ସରକାର ଥରେ ପ୍ରକଳ୍ପ ସମାପ୍ତି ସମୟସୀମା ଘୁଞ୍ଚାଇ ସାରିଲେଣି।
ବିଭାଗୀୟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଏବେ ଏହି ପ୍ରକଳ୍ପ ସରିବାକୁ ଆହୁରି ପ୍ରାୟ ୯ହଜାର କୋଟି ଟଙ୍କା ଆବଶ୍ୟକ।
୮ମାସରେ କେମିତି ସରିବ ୧୬୫ଟି ପ୍ରକଳ୍ପ?ପ୍ରକଳ୍ପ ସାରିବାକୁ ଦରକାର ୯ହଜାର କୋଟିଠିକାସଂସ୍ଥାଙ୍କୁ ୨ହଜାର କୋଟିର ଜରିମାନାଏସ୍କାଲେସନ୍ ଫି" ୪ହଜାର କୋଟି ମାଗୁଛନ୍ତି ହେଲେ କେନ୍ଦ୍ର ସରକାର ଜଳଜୀବନ ମିସନ୍ ଯୋଜନାରେ ଯେଉଁ ଅଧା ଅର୍ଥ ବହନ କରିବେ ବୋଲି ନିୟମ ଥିଲା ତାହା ଠିକ୍ ଭାବେ ମିଳୁନି।
୨୦୨୪-୨୫ରେ କେନ୍ଦ୍ର ସରକାର ୭ହଜାର କୋଟି ଟଙ୍କା ଦେବା କଥା।
ମାତ୍ର ୩୬୮କୋଟି ୩୯ଲକ୍ଷ ଟଙ୍କା କେନ୍ଦ୍ରରୁ ଆସିଲା।
ଏହାକୁ ଭରଣା କରିବାକୁ ରାଜ୍ୟ ସରକାର ଚଳିତବର୍ଷ ୪ହଜାର କୋଟି ଟଙ୍କା ଅତିରିକ୍ତ ଦେଲେ।
ଚଳିତ ବଜେଟ୍ରେ କେନ୍ଦ୍ର ଭାଗ ଭରଣା କରିବାକୁ ରାଜ୍ୟ ସରକାର ଅର୍ଥ ବରାଦ କରିନଥିବାରୁ ଏବେ କିଭଳି ପ୍ରକଳ୍ପ ସାରିବେ ସେହି ଚିନ୍ତା ଘାରିଛି।
କାରଣ କେନ୍ଦ୍ର ସରକାର ଜଳଜୀବନ ମିସନ୍ ୨.୦ରେ ମାତ୍ର ୬୫କୋଟି ଟଙ୍କା ମଞ୍ଜୁର କରିଛନ୍ତି।ରାଜ୍ୟରେ ମେଗା ପାନୀୟ ଜଳ ପ୍ରକଳ୍ପ ତ୍ବରାନ୍ବିତ କରିବାକୁ ମୁଖ୍ୟମନ୍ତ୍ରୀଙ୍କଠାରୁ ଆରମ୍ଭ କରି ବିଭାଗୀୟ ମନ୍ତ୍ରୀ, ମୁଖ୍ୟ ସଚିବ, ବିଭାଗୀୟ ସଚିବ ନିୟମିତ ପାନୀୟ ଜଳ ପ୍ରକଳ୍ପର ସ୍ଥିତି ସମୀକ୍ଷା କରୁଛନ୍ତି।
ହେଲେ ବିଭାଗ-ବିଭାଗ ମଧ୍ୟରେ ସମନ୍ବୟ ଅଭାବରୁ କାମ ଆଗେଇପାରୁନି।
ବହୁ ପ୍ରକଳ୍ପରେ ପାଇପ୍ ବିଛା ହୋଇ ଘରକୁ ଟ୍ୟାପ୍ ସଂଯୋଗ ଦିଆଯାଇଛି।
ଅଥଚ ସେସବୁ ସ୍ଥାନରେ ପାଇପ୍ରେ ପାଣି ଆସୁନି।
କେଉଁଠି ଇନ୍ଟେକ୍ ୱେଲ୍ (ପାଣି ନଦୀରୁ ଉଠାଇବା ସ୍ଥାନ) ଚିହ୍ନଟ ହୋଇପାରୁନି ତ କେଉଁଠି ପ୍ରକଳ୍ପକୁ ଟ୍ରାନ୍ସଫର୍ମର ସଂଯୋଗ ଦେଇ ହେଉନି।
ବହୁ ସ୍ଥାନରେ ଜମି ଅଧିଗ୍ରହଣ ସମସ୍ୟା, ଜଙ୍ଗଲ ଜମି ରହୁଥିବାରୁ ଓଭରହେଡ୍ ଟାଙ୍କି ନିର୍ମାଣ ହୋଇପାରୁନି।
ଏହି ସବୁ ସମସ୍ୟାର ସମାଧାନ ପାଇଁ ମୁଖ୍ୟ ସଚିବ ବାରମ୍ବାର ବିଭିନ୍ନ ବିଭାଗର ସଚିବଙ୍କୁ ନିର୍ଦ୍ଦେଶ ଦେଉଥିଲେ ବି କ୍ଷେତ୍ର ସ୍ତରରେ ତାହା କାର୍ଯ୍ୟକାରୀ ହୋଇପାରୁନି।
କେବଳ ଏତିକି ନୁହେଁ, ଏବେ ବହୁ ସ୍ଥାନରେ ଠିକାସଂସ୍ଥା କାମ ଏକପ୍ରକାରର ବନ୍ଦ କରିଦେଇଛନ୍ତି।
ସେମାନଙ୍କ ପ୍ରାପ୍ୟ କଟାଯାଉଥିବାରୁ ସେମାନେ କୋର୍ଟଙ୍କ ଦ୍ବାରସ୍ଥ ହେବାକୁ ଅଣ୍ଟା ଭିଡ଼ିଲେଣି।
ମିଳିଥିବା ସୂଚନା ଅନୁଯାୟୀ, ବିଭାଗ ପକ୍ଷରୁ ଏବେ ପ୍ରକଳ୍ପ ବିଳମ୍ବ ହେଉଥିବା ଦର୍ଶାଇ ଠିକା ସଂସ୍ଥାଗୁଡ଼ିକଠାରୁ ଜରିମାନା ବାବଦକୁ ପ୍ରାୟ ୨ହଜାର କୋଟି ଟଙ୍କା କଟାଯାଇଛି।
ଅନ୍ୟପଟରେ ଠିକା ସଂସ୍ଥାଗୁଡ଼ିକ ଏହି ବିଳମ୍ବ ପାଇଁ ବିଭିନ୍ନ କାରଣ ଦର୍ଶାଇ ସେମାନଙ୍କୁ ଟେଣ୍ଡର ସର୍ତ୍ତାବଳୀ ଅନୁଯାୟୀ ଏସ୍କାଲେସନ୍ ଫି" ବାବଦକୁ ପ୍ରାୟ ୪ହଜାର କୋଟି ଦାବି କଲେଣି।
ଠିକାସଂସ୍ଥାଙ୍କ ଅଭିଯୋଗ ହେଲା, ସରକାର କେଉଁଥିପାଇଁ ପ୍ରକଳ୍ପ ବିଳମ୍ବ ହେଲା କିମ୍ବା ଏବେ ହେଉଛି ତା"ର ସର୍ଭେ ନକରି ମନଇଚ୍ଛା ଜରିମାନା କାଟୁଛନ୍ତି।
ତେଣୁ ସରକାର ଏସ୍କାଲେସନ୍ ଫି" ନଦେଲେ କାମ କରିବା ସମ୍ଭବ ନୁହେଁ।
ଏହାବାଦ୍ ଜାଣିବାକୁ ମିଳିଛି ଯେ ବିଭିନ୍ନ ସ୍ଥାନରେ ଇନଟେକ୍ ୱେଲ୍, ଓଭରହେଡ୍ ଟାଙ୍କି ଏବଂ ଅନ୍ୟାନ୍ୟ ଭିତ୍ତିଭୂମି ନିର୍ମାଣ ପାଇଁ ସମସ୍ତ ଡିଜାଇନ୍ ବିଭିନ୍ନ ଆଇଆଇଟିକୁ ପଠାଯାଉଛି।
ଠିକାସଂସ୍ଥା ସେଠାରୁ ଏହାକୁ ଅନୁମୋଦନ କରିକି ଆଣିବା ପରେ ବିଭାଗୀୟ ଯନ୍ତ୍ରୀ ପୁଣି ଏଥିରେ ପରିବର୍ତ୍ତନ କରୁଛନ୍ତି।
ଏଥିରେ ୫ରୁ ୬ମାସ ସମୟ ଯାଉଥିବାରୁ କାମ ବିଳମ୍ବ ହେଉଛି।
ଉଲ୍ଲେଖଥାଉକି, ନିକଟରେ ବିଧାୟକ ସନାତନ ବିଜୁଳିଙ୍କ ଅଧ୍ୟକ୍ଷତାରେ ବିଧାନସଭାର ପଞ୍ଚାୟତିରାଜ ଓ ପାନୀୟ ଜଳ ସମ୍ପର୍କିତ ଷ୍ଟାଣ୍ଡିଂ କମିଟି ବୈଠକରେ ଶାସକ ଦଳ ବିଧାୟକ ମନୋରଂଜନ ଦ୍ୟାନସାମନ୍ତରାୟ, ଅମର ନାୟକ, ବିଜେଡି ବିଧାୟକ ଗୌତମବୁଦ୍ଧ ଦାସ ତୀବ୍ର ଅସନ୍ତୋଷ ପ୍ରକାଶ କରିଥିଲେ। ହେଲେ କେଉଁ ମାସରେ କେତୋଟି ପ୍ରକଳ୍ପ ଶେଷ କରିବାକୁ ଲକ୍ଷ୍ୟଧାର୍ଯ୍ୟ କରାଯାଇଛି, କାହିଁକି ସରୁନି ସେନେଇ ବିଭାଗୀୟ ଅଧିକାରୀମାନେ ସ୍ପଷ୍ଟ ଉତ୍ତର ଦେଇପାରିନଥିଲେ।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।