ଅନିଲ ଦେଙ୍କ ଦେହାନ୍ତ
କଟକ: ‘ଅର୍କକ୍ଷେତ୍ର କୋଣାର୍କ’ ପୁସ୍ତକର ସ୍ରଷ୍ଟା, ବିଶ୍ବ ଐତିହ୍ୟ କୋଣାର୍କ ମନ୍ଦିର ନିର୍ମାଣ ପାଇଁ ଅହରହ ପ୍ରୟାସ ଜାରି ରଖିଥିବା କଳିଙ୍ଗ ଐତିହ୍ୟ ସଂରକ୍ଷଣ ନ୍ୟାସର ସଭାପତି ତଥା ପ୍ରାକ୍ତନ ଯୁଗ୍ମ ପରିବହନ କମିସନର ଅନିଲ ଦେ’ଙ୍କର ଆଜି ସକାଳ ୭ଟାରେ କଟକର ଏକ ଘରୋଇ ହସ୍ପିଟାଲରେ ପରଲୋକ ଘଟିଛି। ତାଙ୍କୁ ୯୬ବର୍ଷ ହୋଇଥିଲା। ସେ ୨୫ଦିନ ଧରି ଆଇସିୟୁରେ ଚିକିତ୍ସିତ ହେଉଥିଲେ। ତାଙ୍କ ମରଶରୀରକୁ କଟକ ଅରୁଣୋଦୟନଗରସ୍ଥିତ ବାସଭବନକୁ ଶେଷଦର୍ଶନ ପାଇଁ ନିଆଯାଇଥିଲା। ଅନ୍ତିମ ଶଯ୍ୟା ନିକଟରେ ବଡ଼ବୋହୂ ମୋନାଲିସା, ସାନପୁଅ ମାନସ ଦେ, ସାନବୋହୂ ଦେବଯାନୀ, ପୁତୁରା ଆଇନଜୀବୀ ସିତାଂଶୁ ଦେ, ପୁତୁରାବୋହୂ ରୀନା ଦେ, ପୁତୁରା ଡାକ୍ତର ଗୌତମ ଦେ, ପୁତୁରାବୋହୂ ସୋନାଲି ଦେ, ମୌସୁମୀ ମିତ୍ର, ନାତୁଣୀ ରୀତା ଦେଙ୍କ ସମେତ ଆତ୍ମୀୟସ୍ବଜନ ଉପସ୍ଥିତ ଥିଲେ। ଶ୍ରୀ ଦେ’ଙ୍କ ପୈତୃକ ଘର ବାଖରାବାଦରେ ରହିଥିବା ବେଳେ ପୂର୍ବରୁ ପତ୍ନୀ ଗୌରୀ ଦେ’ଙ୍କ ସମେତ ଦୁଇ ପୁଅ ଓ ବଡ଼ଭାଇ ବିଶିଷ୍ଟ ଆଇନଜୀବୀ ସଲିଲ ଦେ’ଙ୍କ ପରଲୋକ ଘଟିଥିଲା। ଶ୍ରୀ ଦେଙ୍କ ପରଲୋକ ଖବର ପାଇ ଅରୁଣୋଦୟନଗରର ପ୍ରାଧ୍ୟାପକ ରମାକାନ୍ତ ଜେନା, ଦୀନବନ୍ଧୁ ପ୍ରଧାନ, ବିଷ୍ଣୁ ପ୍ରସାଦ ଦାସ, ଶୁଭେନ୍ଦୁ ସରକାର, ବରିଷ୍ଠ ନାଗରିକ ସଂଘ ସଂପାଦକ ସମରେନ୍ଦ୍ର ଘୋଷ, ବୀରେଶ ମହାପାତ୍ର, ଜଷ୍ଟିସ୍ ମନୋରଞ୍ଜନ ମହାନ୍ତି, ପୂର୍ବତନ ନିର୍ଦ୍ଦେଶକ(ଜିଏସ୍ଆଇ) ଗୁରୁଚରଣ ଦାସଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଶେଷଦର୍ଶନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ତାଙ୍କ ମରଶରୀରକୁ ଶୋଭାଯାତ୍ରାରେ ନିଆଯାଇ ଖାନନଗର ଶ୍ମଶାନରେ ଅନ୍ତିମ ସଂସ୍କାର କରାଯାଇଥିଲା। ସାନପୁଅ ମାନସ ଦେ ମୁଖାଗ୍ନି ଦେଇଥିଲେ।
ଅନିଲ ଦେ ୧୯୩୧ ମସିହା ମେ ୧୮ତାରିଖରେ ଜନ୍ମଗ୍ରହଣ କରିଥିଲେ। ସେ ପିଏମ୍ ଏକାଡେମିରୁ ମାଟ୍ରିକ୍, ରେଭେନସା କଲେଜରୁ ଆଇଏସି ପାସ୍ କରିବା ପରେ ବେଙ୍ଗାଲୁରୁରୁ ଇଞ୍ଜିନିୟରିଂ ଶିକ୍ଷା ଗ୍ରହଣ କରିଥିଲେ। ପରେ ଶ୍ରୀ ଦେ ଏମ୍ଭିଆଇ ଭାବେ ବୃତ୍ତିଗତ ଜୀବନ ଆରମ୍ଭ କରି ପରିବହନ ବିଭାଗର ଯୁଗ୍ମ କମିସନର ଭାବେ ଅବସର ଗ୍ରହଣ କରିଥିଲେ। ‘ଅର୍କକ୍ଷେତ୍ର କୋଣାର୍କ’ ଗ୍ରନ୍ଥ ରଚନା କରି ସେ ଚର୍ଚ୍ଚାକୁ ଆସିଥିଲେ। ତାଙ୍କର ଏହି ପୁସ୍ତକ ଉଭୟ ଇଂରାଜୀ ଓ ବଙ୍ଗଳାଭାଷାରେ ଅନୁବାଦ ହୋଇ କୋଣାର୍କ ମନ୍ଦିରକୁ ବିଶ୍ବରେ ନୂଆ ପରିଚୟ ଦେଇଥିଲା। ଏଥି ପାଇଁ ସେ ‘ଆମ ଓଡ଼ିଶା’ ପକ୍ଷରୁ ଓଡ଼ିଆ ଅସ୍ମିିତା ସମ୍ମାନ ସହ ବହୁ ସମ୍ମାନ ଓ ସମ୍ବର୍ଦ୍ଧନା ଲାଭ କରିଥିଲେ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।