04 AUGUST 2026

Welcome!

Unlock your personalized experience.
Sign Up

Newspaper: ପ୍ରଥମ ଓଡ଼ିଆ ସମ୍ବାଦପତ୍ର ‘ଉତ୍କଳ ଦୀପିକା’ର ପ୍ରତିଷ୍ଠା ଦିବସ ଆଜି: ନେଇଗଲେ ୭ ଗୁଣ୍ଠ ୩ ପା’ ଜମି

Aug 04, 2026 - 03:47
Newspaper: ପ୍ରଥମ ଓଡ଼ିଆ ସମ୍ବାଦପତ୍ର ‘ଉତ୍କଳ ଦୀପିକା’ର ପ୍ରତିଷ୍ଠା ଦିବସ ଆଜି: ନେଇଗଲେ ୭ ଗୁଣ୍ଠ ୩ ପା’ ଜମି

କୃଷ୍ଣପ୍ରସାଦ ଦାସ

କଟକ: ଅଗଷ୍ଟ ୪କୁ ‘ଓଡ଼ିଆ ସାମ୍ବାଦିକତା’ ଦିବସ ଭାବେ ପାଳନ କରାଯାଏ। ୧୮୬୬ ମସିହା ଅଗଷ୍ଟ ୪ ତାରିଖରେ ପ୍ରଥମ ଓଡ଼ିଆ ସମ୍ବାଦପତ୍ର ‘ଉତ୍କଳ ଦୀପିକା’ର ପ୍ରକାଶନ ଦୃଷ୍ଟିରୁ ଓଡ଼ିଶାର ଗଣମାଧ୍ୟମ ଇତିହାସରେ ଏହି ତାରିଖର ସ୍ବତନ୍ତ୍ର ଗୁରୁତ୍ବ ରହିଛି। କଟକର ଦରଘାବଜାରରେ ଯେଉଁ ସ୍ଥାନରେ ଉତ୍କଳ ଦୀପିକା ପ୍ରକାଶ ପାଇଥିଲା, ସେହି ୭ ଗୁଣ୍ଠ ୩ ପା’ ଜମି ଏବେ ରହିଛି ରାଜ୍ୟ ସମବାୟ ବ୍ୟାଙ୍କ ମାଲିକାନାରେ। ଅର୍ଥାତ୍‌ ସେହି ସ୍ଥାନରୁ ଉତ୍କଳ ଦୀପିକାର ସ୍ମୃତି ନିଶ୍ଚିହ୍ନ ହୋଇସାରିଛି। ଗୋଟିଏପଟେ ଓଡ଼ିଆ ଭାଷାର ସ୍ବତନ୍ତ୍ରତା ପ୍ରତିପାଦନ ଏବଂ ଅନ୍ୟପଟେ ନ’ଅଙ୍କ ଦୁର୍ଭିକ୍ଷ ଭଳି ଓଡ଼ିଶା ଇତିହାସର କରାଳ ସମୟ ସଂପର୍କରେ ଖବର ପ୍ରକାଶନ ସହ ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ପ୍ରକ୍ରିୟାକୁ ତ୍ବରାନ୍ବିତ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ‘ଉତ୍କଳ ଦୀପିକା’ର ସ୍ମୃତିକୁ ସଂରକ୍ଷିତ କରିବା ବଦଳରେ ନିଶ୍ଚିହ୍ନ କରିଦେବା ପଛରେ ଏକ ବଡ଼ଧରଣର ଷଡ୍‌ଯନ୍ତ୍ର ଅଭିଯୋଗ ହେଉଛି। କର୍ମବୀର ଗୌରୀଶଙ୍କର ରାୟ, ଆଦି ନେତା ବିଚିତ୍ରାନନ୍ଦ ଦାସ, ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଭଳି ବିଶିଷ୍ଟ ଜନନେତାଙ୍କ ନିରନ୍ତର ପ୍ରୟାସର ଫଳ ଥିଲା କଟକ ପ୍ରିଣ୍ଟିଂ କଂପାନି ଲିମିଟେଡ୍‌, ଉତ୍କଳ ଦୀପିକା ଓ ଉତ୍କଳ ସଭା।

Horoscope 2026 August 04: ଜାଣନ୍ତୁ ଆଜିର ରାଶିଫଳ...

ଜମି ଅଧିଗ୍ରହଣରେ ତଞ୍ଚକତା: କାହାକୁ ଦିଆଯାଇଥିଲା 
ଦୁଇଥର ନୋଟିସ୍‌?

କଟକ ପ୍ରିଣ୍ଟିଂ କମ୍ପାନି ନାମରେ ଥିବା ୭ ଗୁଣ୍ଠ ୩ ପା’ ଜମିରେ ନିର୍ମାଣ ହୋଇଥିଲା ଦୁଇ ମହଲା ବିଶିଷ୍ଟ କୋଠା। ତଳ ମହଲାରେ ଉତ୍କଳ ଦୀପିକା ଛାପାଯିବା ସହ ପ୍ରଥମ ମହଲାରେ ବସୁଥିଲା ଉତ୍କଳ ସଭାର ବୈଠକ। ଯେଉଁ ଉତ୍କଳ ସଭା ପରବର୍ତ୍ତୀ ସମୟରେ ଉତ୍କଳ ସମ୍ମିଳନୀର ରୂପ ନେଇଥିଲା। କିନ୍ତୁ ଏହି ଜମିକୁ ୧୯୭୬ ଡିସେମ୍ବର ୮ ତାରିଖରୁ ଓଡ଼ିଶା ଷ୍ଟେଟ କୋଅପରେଟିଭ୍‌ ବ୍ୟାଙ୍କକୁ ଟେକି ଦିଆଯାଇଛି। କବଲାରେ ଏହାର କାରଣ ଦର୍ଶାଯାଇଛି ଯେ କଟକ ପ୍ରିଣ୍ଟିଂ କମ୍ପାନି ଲିମିଟେଡ୍‌ ନାମରେ ଥିବା ଏହି ଜମିର ମାଲିକାନାକୁ ନେଇ ଦୁଇ ଦୁଇ ଥର ନୋଟିସ୍‌ ଦିଆଯାଇଥିଲେ ବି କୌଣସି ଉତ୍ତର ଅଥବା ଠିକଣା ନ ମିଳିବାରୁ ୧୯୬୩ ନଭେମ୍ବର ୧୯ରୁ ଦଖଲରେ ଥିବା ଓଡ଼ିଶା ଷ୍ଟେଟ କୋଅପରେଟିଭ ବ୍ୟାଙ୍କ ନାମରେ ଜମି କରି ଦିଆଗଲା। 

Greater Rourkela: ବୃହତ୍‌ ରାଉରକେଲା ପାଇଁ ଆଶା ଫିଟିଲା; ଆଉଟର୍‌ ରିଂ ରୋଡ୍‌ ପାଇଁ ୩ଟି ନକ୍ସା ପ୍ରସ୍ତୁତ

ପ୍ରଶ୍ନ ଉଠୁଛି, ଉତ୍କଳ ଦୀପିକା ଓ କଟକ ପ୍ରିଣ୍ଟିଂ କମ୍ପାନି ଲିମିଟେଡ୍‌ ଭଳି ଐତିହାସିକ ସ୍ଥାନ କ’ଣ ସେତେବେଳେ ପ୍ରଶାସନ ଓ ସରକାର ପାଇଁ ଅଜଣା ଥିଲା? ସେହି ସ୍ଥାନ ଓ ଜମିକୁ ସଂରକ୍ଷିତ ନ ରଖି, ଦଖଲ ପାଇଁ କିଏ, କାହାକୁ ଦୁଇ ଦୁଇ ଥର ନୋଟିସ୍‌ ଦେଇଥିଲେ? ୧୮୬୬ ମସିହାରେ ପ୍ରତିଷ୍ଠିତ କମ୍ପାନିର କେଉଁ ଅଂଶୀଦାରଙ୍କୁ ୧୯୬୦/୭୦ ଦଶକରେ ସରକାର ନୋଟିସ୍‌ କରିଥିଲେ? ପୁଣି ପରବର୍ତ୍ତୀ ସମୟରେ ୨୦୦୬ ବେଳକୁ ସେହି ପୁରୁଣା କୋଠାକୁ ବି ସଂପୂର୍ଣ୍ଣ ଧ୍ବଂସ କରି ଦିଆଗଲା। ସରକାର ଏସବୁ ଦିଗର ତର୍ଜମା କରି ଏବେ ଓଡ଼ିଆ ଅସ୍ମିତାର ଅନ୍ୟତମ ପରିଚୟ ଉତ୍କଳ ଦୀପିକାର ଜନ୍ମସ୍ଥାନକୁ ଏକ ନୂଆରୂପ ଦେବାର ସମୟ ଆସିଛି। ଏ ସଂପର୍କରେ ଗବେଷକ ଡକ୍ଟର ଅକ୍ଷୟ କୁମାର ଭଦ୍ର କହିଛନ୍ତି ଯେ ସେହି ସ୍ଥାନ ଥିଲା ଓଡ଼ିଆ ରାଜନୈତିକ ଚେତନାର ଜନ୍ମଗୃହ। ୧୮୮୨ ମସିହାରେ ସେଠାରେ ଲର୍ଡ ରିପନଙ୍କ ସ୍ବାୟତ୍ତ ଶାସନର କାର୍ଯ୍ୟକାରିତା ସଂପର୍କରେ ଆଲୋଚନା ହୋଇଥିଲା। ଏହାର ପୁନରୁଦ୍ଧାର ଜାତୀୟତାବୋଧର ପ୍ରମାଣ ହେବ। ବିଶିଷ୍ଟ ସାହିତ୍ୟିକ ଡକ୍ଟର ବିଜୟାନନ୍ଦ ସିଂହ କହିଛନ୍ତି ଯେ ଏହି ସ୍ଥାନର ପୁନରୁଦ୍ଧାର କରି ଓଡ଼ିଆ ସମ୍ବାଦପତ୍ରର ଏକ ମ୍ୟୁଜିୟମ୍‌ ଭାବେ ପ୍ରତିଷ୍ଠା କଲେ କଟକର ଗୌରବ ବୃଦ୍ଧି ସହିତ ପର୍ଯ୍ୟଟନ ବିକାଶ କ୍ଷେତ୍ରରେ ଏକ ଉଲ୍ଲେଖନୀୟ ପଦକ୍ଷେପ ହେବ। ତେଣୁ ସରକାର ଏ ପ୍ରସଙ୍ଗରେ ଯଥାଶୀଘ୍ର ଚିନ୍ତା କରିବାର ସମୟ ଆସିଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।