Panchayat and Municipal Elections: ଆଗକୁ ପଞ୍ଚାୟତ ଓ ପୌର ନିର୍ବାଚନ: ରାଜନୀତିରେ ପଛୁଆବର୍ଗ ସଂରକ୍ଷଣ ଦ୍ବନ୍ଦ୍ବ
"ବିଶ୍ବଜିତ ଦାଶ ଭୁବନେଶ୍ବର: ୨୦୨୨ରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଓ ପୌର ନିର୍ବାଚନରେ ପଛୁଆବର୍ଗଙ୍କୁ ୨୭% ସଂରକ୍ଷଣ ଦେବାକୁ ତତ୍କାଳୀନ ବିଜେଡି ସରକାର ଆଇନ ଆଣିଥିଲେ।
କୋର୍ଟରେ ଚ୍ୟାଲେଞ୍ଜ ପରେ ପଛଘୁଞ୍ଚା ଦେଲେ।
ମାତ୍ର ସବୁ ଦଳ ଅନୁସୂଚିତ ଜନଜାତିଙ୍କୁ ୨୨.୫% ଏବଂ ଅନୁସୂଚିତ ଜାତିଙ୍କୁ ୧୬.୨୫% ସଂରକ୍ଷଣ ନିୟମ ଅନୁଯାୟୀ ଦେଇଥିଲେ।
ବିଜେଡି କିନ୍ତୁ ସେବେ ଜିଲ୍ଲା ପରିଷଦ ସଭ୍ୟ, ଜିଲ୍ଲା ପରିଷଦ ଅଧ୍ୟକ୍ଷ, ମେୟର, ପୌରାଧ୍ୟକ୍ଷ, କର୍ପୋରେଟର ଓ କାଉନ୍ସିଲର ପ୍ରାର୍ଥୀ ଦେବାବେଳେ ୨୭% ନିୟମ ମାନିଥିଲା।
କିଛି କ୍ଷେତ୍ରରେ ଏହାଠାରୁ ବହୁ ଅଧିକ ପ୍ରତିଶତଙ୍କୁ ପ୍ରାର୍ଥୀ କରିଥିଲା।
ଏହାବାଦ୍ ଦଳର ସମର୍ଥିତ ପଞ୍ଚାୟତ ସମିତି ଅଧ୍ୟକ୍ଷ, ସରପଞ୍ଚ, ସମିତିସଭ୍ୟ, ୱାର୍ଡସଭ୍ୟ ପ୍ରାର୍ଥୀ କ୍ଷେତ୍ରରେ ପଛୁଆବର୍ଗଙ୍କୁ ପ୍ରାଧାନ୍ୟ ଦେଇଥିଲା।
ଏବେ ରାଜ୍ୟରେ ସରକାର ବଦଳିଛି।
ବିଜେପି ସରକାର ପଛୁଆବର୍ଗଙ୍କୁ ଶିକ୍ଷା କ୍ଷେତ୍ରରେ ୧୧.୨୫% ସଂରକ୍ଷଣ ଘୋଷଣା କରିଛି।
ମାତ୍ର ଆସନ୍ତାବର୍ଷ ଏପ୍ରିଲ ଓ ମେ" ମାସରେ ରାଜ୍ୟରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଓ ପୌର ନିର୍ବାଚନ ହେବାକୁ ଥିବାବେଳେ ସରକାର ପଛୁଆବର୍ଗଙ୍କୁ କେତେ ପ୍ରତିଶତ ସଂରକ୍ଷଣ ଦେବେ ତାହା ଉପରେ ଏବେ ରାଜନୈତିକ ମହଲର ନଜର ରହିଛି।Advertisment Aquapreneur Conclave: "ମାଛର ଉପାଦେୟତା ଓ ଗୁରୁତ୍ୱ ଦିନକୁ ଦିନ ବୃଦ୍ଧି ପାଉଛି" ନିକଟରେ ନବଗଠିତ ୩୫ଟି ଏନ୍ଏସି, ମ୍ୟୁନିସପାଲିଟିର ପୌରାଧ୍ୟକ୍ଷଙ୍କ ସମେତ ପୁରୀ ମହାନଗର ନିଗମ ଏବଂ ପୂର୍ବରୁ ନିର୍ବାଚନ ହୋଇନଥିବା ସମ୍ବଲପୁର ମହାନଗର ନିଗମର ମେୟର ପଦବି ପାଇଁ ନଗର ଉନ୍ନୟନ ବିଭାଗ ପକ୍ଷରୁ ଚିଠା ସଂରକ୍ଷଣ ତାଲିକା ପ୍ରକାଶ ପାଇଛି।
ଏଥିରେ କେବଳ ଏସ୍ଟି, ଏସ୍ସି ଓ ମହିଳାଙ୍କୁ ସଂରକ୍ଷଣ ଦିଆଯାଇଛି।
ପଛୁଆବର୍ଗଙ୍କ ପାଇଁ କୌଣସି ସଂରକ୍ଷଣ ବ୍ୟବସ୍ଥା ଲାଗୁ କରାଯାଇନାହିଁ।
ଏଣୁ ବାକି ପୌର ସଂସ୍ଥାର ନିର୍ବାଚନ ଏବଂ ପଞ୍ଚାୟତ ନିର୍ବାଚନରେ ପଛୁଆବର୍ଗଙ୍କୁ ସଂରକ୍ଷଣ ନ ମିଳିବା ଆଶଙ୍କା ବଢ଼ିଯାଇଛି।
ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ, ରାଜ୍ୟରେ ସଂରକ୍ଷଣ ବ୍ୟବସ୍ଥା ୫୦%ରୁ ଅଧିକ ହୋଇ ପାରିବନାହିଁ।
ଏପଟେ ପଛୁଆବର୍ଗ ଭୋଟରଙ୍କ ସଂଖ୍ୟା ମୋଟ୍ ଭୋଟରଙ୍କର ପ୍ରାୟ ଅଧା ହୋଇଥିବାରୁ ଶାସକ ଦଳ କ"ଣ ରଣନୀତି ପ୍ରସ୍ତୁତ କରିବ ତାହା ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରିନି।
ରାଜ୍ୟ ନିର୍ବାଚନ କମିସନଙ୍କ ଜଣେ ବରିଷ୍ଠ ଅଧିକାରୀଙ୍କ କହିବାନୁଯାୟୀ, ବର୍ତ୍ତମାନର ବ୍ୟବସ୍ଥା ଅନୁସାରେ ମୋଟ୍ ପ୍ରାର୍ଥୀଙ୍କ ମଧ୍ୟରୁ ୨୨.୫% ଏସ୍ଟି, ୧୬.୨୫% ଏସ୍ସି ହେବେ।
ଏହାବାଦ୍ ମୋଟ୍ ପ୍ରାର୍ଥୀଙ୍କ ମଧ୍ୟରୁ ୫୦% ମହିଳାଙ୍କ ପାଇଁ ସଂରକ୍ଷିତ ରହିବ।
ପଛୁଆବର୍ଗଙ୍କୁ ପଞ୍ଚାୟତ ଓ ପୌର ନିର୍ବାଚନରେ ସଂରକ୍ଷଣ ଦେବାକୁ ହେଲେ ରାଜ୍ୟ ସରକାରଙ୍କୁ ଟ୍ରିପଲ୍ ଟେଷ୍ଟ ଫର୍ମୁଲା ଆପଣାଇବାକୁ ହେବ।
ଏଥିରେ ସରକାରଙ୍କୁ ପଛୁଆବର୍ଗଙ୍କ ସର୍ଭେ କରି ରିପୋର୍ଟ ଉପସ୍ଥାପନ କରିବାକୁ ହେବ।
ଏଥିପାଇଁ ଜଣେ ପଛୁଆବର୍ଗ କମିସନର ନିଯୁକ୍ତ କରିବାକୁ ପଡ଼ିବ।
ଏହି କମିସନ ରିପୋର୍ଟ ଦେବେ ପଛୁଆବର୍ଗଙ୍କ ସଂଖ୍ୟା ଆଧାରରେ କେଉଁ ପଞ୍ଚାୟତ ବା କେଉଁ ପୌରାଞ୍ଚଳରେ ପଛୁଆବର୍ଗଙ୍କୁ କେତେ ସଂରକ୍ଷଣ ମିଳିପାରିବ।
ହେଲେ (ଏସ୍ସି+ଏସ୍ଟି+ ଓବିସି/ଏସ୍ଇବିସି) ସଂରକ୍ଷଣ ୫୦% ଟପିବନି।
ଯଦି ଏହା ନ ହେବ ସରକାର ପଛୁଆବର୍ଗଙ୍କୁ ସଂରକ୍ଷଣ ଦେଇପାରିବେ ନାହିଁ।
ସେପଟେ ରାଜ୍ୟରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଏବଂ ପୌର ନିର୍ବାଚନ ପାଇଁ ରାଜ୍ୟ ନିର୍ବାଚନ କମିସନଙ୍କ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି।
ଏପରିକି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଜିଲ୍ଲା ପରିଷଦ ଆସନ, ଜିଲ୍ଲା ପରିଷଦ ଅଧ୍ୟକ୍ଷ, ପଞ୍ଚାୟତ ସମିତି ଅଧ୍ୟକ୍ଷ, ସରପଞ୍ଚ, ସମିତିସଭ୍ୟ, ୱାର୍ଡସଭ୍ୟ ଏବଂ ପୌର ନିର୍ବାଚନରେ ମେୟର, ପୌରାଧ୍ୟକ୍ଷ, କର୍ପୋରେଟର ଓ କାଉନ୍ସିଲରଙ୍କ ପାଇଁ ସଂରକ୍ଷଣ ଆଧାରରେ ଆସନ ଚୂଡ଼ାନ୍ତ କରିବାକୁ ଜିଲ୍ଲାପାଳମାନଙ୍କୁ ଚିଠି କରାଯାଇଛି।
ବହୁ ଜିଲ୍ଲାପାଳ ସର୍ଭେ ଶେଷ କରିଛନ୍ତି।
ପୂର୍ବରୁ ଗତ ତିନିଟି ନିର୍ବାଚନରେ ହୋଇଥିବା ଆସନ ସଂରକ୍ଷଣ ବ୍ୟବସ୍ଥାକୁ ନଜରରେ ରଖି ଏହି ଆସନ ସଂରକ୍ଷଣ ବ୍ୟବସ୍ଥା ଲାଗୁ କରିବାକୁ କୁହାଯାଇଛି।
ଅର୍ଥାତ୍ ରୋଟେସନ୍ ଭିତ୍ତିରେ ସଂରକ୍ଷଣ କରାଯିବ।
କିନ୍ତୁ ଜିଲ୍ଲାପାଳମାନେ ରିପୋର୍ଟ ଦେଉନଥିବାରୁ ରାଜ୍ୟ ନିର୍ବାଚନ କମିସନ ବି ସ୍ପଷ୍ଟ ହୋଇ ପାରୁନାହାନ୍ତି।
Trade Agreement : ବ୍ରିଟେନ ରାଜିନାମାରୁ ଗ୍ରାହକ ଉପକୃତ ହେବେ: ସ୍ପିରିଟ୍ ସଂଘ ଉଲ୍ଲେଖଥାଉକି, ସାରା ଦେଶରେ ପଛୁଆବର୍ଗଙ୍କୁ ସଂରକ୍ଷଣ ଦେବାକୁ ରାଜନୀତି ଜୋର୍ ଧରିଥିବାବେଳେ ଓଡ଼ିଶାରେ ବି ପୂର୍ବ ସରକାର ଏବଂ ବର୍ତ୍ତମାନର ସରକାର ପଛୁଆବର୍ଗର ଭୋଟରଙ୍କୁ ହାତେଇବାକୁ ସମସ୍ତ ଉଦ୍ୟମ କରିଛନ୍ତି।
ହେଲେ ସରକାରୀ ଭାବେ ଏପର୍ଯ୍ୟନ୍ତ ପଛୁଆବର୍ଗଙ୍କୁ ନିର୍ବାଚନରେ ୧% ବି ସଂରକ୍ଷଣ ଦେଇ ପାରିନାହାନ୍ତି।
ଯାହାକୁ ନେଇ ଏହି ବର୍ଗଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦାନା ବାନ୍ଧୁଛି।
ଏପଟେ ବିଜେଡି ଏବେ ବିରୋଧୀ ଦଳରେ ଅଛି।
ଦଳ ପୂର୍ବଭଳି ୨୭% ଏବଂ କେତେକ ଜିଲ୍ଲାରେ ଏହାଠାରୁ ଅଧିକ ଆସନ ପଛୁଆବର୍ଗଙ୍କୁ ଦେବ ନା ନାହିଁ, ତାହା ମଧ୍ୟ ଅସ୍ପଷ୍ଟ।
ବିଜେପି ଗତ ନିର୍ବାଚନରେ ୨୭% ଫର୍ମୁଲା ଆପଣାଇ ପାରିନଥିଲେ ହେଁ ରାଜ୍ୟରେ ଏସ୍ଇବିସି ସର୍ଭେ କରି ସେମାନଙ୍କ ସଂଖ୍ୟା ଆଧାରରେ ରାଜନୈତିକ ସଂରକ୍ଷଣ ଦେବାକୁ ଦେବାକୁ ଦାବି କରୁଥିଲା।
ମାତ୍ର ସରକାରକୁ ଆସିବା ପରେ ମଧ୍ୟ ସେମାନେ ଆବଶ୍ୟକ ଟ୍ରିପଲ୍ ଟେଷ୍ଟ ଏ ପର୍ଯ୍ୟନ୍ତ କରିନାହାନ୍ତି।
ଏପରିକି ପୂର୍ବ ସରକାର ଅମଳରେ ଜଷ୍ଟିସ୍ ରଘୁନାଥ ବିଶ୍ବାଳଙ୍କ ଅଧ୍ୟକ୍ଷତାରେ ଗଠିତ ରାଜ୍ୟ ପଛୁଆବର୍ଗ କମିସନଙ୍କ ସର୍ଭେ ରିପୋର୍ଟକୁ ବି ଉପସ୍ଥାପନ କରୁନାହାନ୍ତି।
ଯେଉଁଥିରେ ଜଷ୍ଟିସ୍ ବିଶ୍ବାଳ ଦର୍ଶାଇଥିଲେ େଯ ରାଜ୍ୟରେ ୩୯% ପଛୁଆବର୍ଗର ଲୋକ ଅଛନ୍ତି।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।