Panchayat : ୬୦ କିମି ଦୂରରେ ପଞ୍ଚାୟତ କାର୍ଯ୍ୟାଳୟ

Jun 04, 2026 - 08:19
Panchayat : ୬୦ କିମି ଦୂରରେ ପଞ୍ଚାୟତ କାର୍ଯ୍ୟାଳୟ

ଲିପନ ହୋତା

ସମ୍ବଲପୁର: ‘ଆମେ କେବେ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ଦେଖିନୁ। ସରପଞ୍ଚଙ୍କ ନାଁ ବି ଜାଣିନୁ। କେବଳ ନିର୍ବାଚନ ସମୟରେ ଥରେ କି ଦୁଇଥର ଆସିଥିଲେ ସରପଞ୍ଚ। ଆମ ଗାଁରେ ଜିଲ୍ଲା ଓ ବ୍ଲକ୍‌ର ଅଧିକାରୀଙ୍କ ପାଦ ବି କେବେ ପଡ଼ିନାହିଁ। ୨ ବର୍ଷ ହେଲା ବିଡିଓ ଆସିନାହାନ୍ତି। ଆମକୁ ଆଉ କିଛି ଦରକାର ନାହିଁ। ପଞ୍ଚାୟତ ଦରକାର।’ ଏମିତି କହିଛନ୍ତି ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବ୍ଲକ୍‌ ଜାମଯୋରୀ ପଞ୍ଚାୟତ କୁଡ଼ାନାଳୀ ଗ୍ରାମର ମହିଳାମାନେ।

Access to water: ପାହାଡ଼ ଉପର ଗାଁକୁ ପାଣି, ବିଜୁଳି, ସ୍ବାସ୍ଥ୍ୟ, ଶିକ୍ଷା ଅପହଞ୍ଚ

ସୂଚନା ଅନୁସାରେ, ଏହି ଗାଁଠାରୁ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟର ଦୂରତା ପ୍ରାୟ ୬୦ କିଲୋମିଟର ହେବ। ଗାଁର ଜଣେ ବ୍ୟକ୍ତି ଗ୍ରାମପଞ୍ଚାୟତ କାର୍ଯ୍ୟାଳୟକୁ ଗଲେ ଦୁଇଟି ଜିଲ୍ଲା ପାର ହେବାକୁ ପଡ଼େ। ଅର୍ଥାତ୍‌ ପ୍ରଥମେ ଅନୁଗୁଳ ଏବଂ ପରେ ଦେବଗଡ଼ ଜିଲ୍ଲା ଦେଇ ଜାମଯୋରୀ ପଞ୍ଚାୟତ କାର୍ଯ୍ୟାଳୟରେ ପହଞ୍ଚି ହୁଏ। ପଞ୍ଚାୟତ କାର୍ଯ୍ୟାଳୟକୁ ଯିବାକୁ ହେଲେ ୩ରୁ ୪ଟି ବସ୍ ବଦଳାଇବାକୁ ପଡ଼େ। ପୂର୍ବରୁ ଭତ୍ତା ଓ ଚାଉଳ ପାଇଁ ଜାମଯୋରୀକୁ ଯାଉଥିଲେ କୁଡ଼ାନାଳୀବାସୀ। ଚାଉଳ ଆଣିବାକୁ ଗାଡ଼ିଭଡ଼ା କରିବାକୁ ପଡ଼ୁଥିଲା। କିଛିବର୍ଷ ହେଲା କୁଡ଼ାନାଳୀରେ ଏକ ସବ୍‌ସେଣ୍ଟର କରାଯାଇଛି। ପଞ୍ଚାୟତର ଚାଉଳ ଓ ଭତ୍ତା ସବ୍‌ସେଣ୍ଟରକୁ ଆଣି ବଣ୍ଟାଯାଉଛି। ଅନ୍ୟପଟେ ପଞ୍ଚାୟତର ଆଉ ଏକ ଗାଁ କଇଁଗର ଅବସ୍ଥା ଆହୁରି ସଙ୍ଗିନ। କୁଡ଼ାନାଳୀରୁ ଘାଟିରାସ୍ତା ଦେଇ ତଳକୁ ଓହ୍ଲାଇଲେ କଇଁଗ ଗାଁ। କୁଡ଼ାନାଳୀରୁ କଇଁଗର ଦୂରତା ପ୍ରାୟ ୧୫ କିଲୋମିଟର। ସବ୍‌ସେଣ୍ଟରକୁ ଭତ୍ତା କି ଚାଉଳ ଆଣିବାକୁ ଗଲେ କଇଁଗବାସୀଙ୍କୁ ଖର୍ଚ୍ଚାନ୍ତ ହେବାକୁ ପଡ଼େ। ତେଣୁ ସେମାନଙ୍କ‌ ଦାବି ହେଲା, ନିକଟରେ ଥିବା ଘୁଷୁରିମାଳ ପଞ୍ଚାୟତରେ ତାଙ୍କ ଗାଁକୁ ସାମିଲ କରାଯାଉ।

AI is spending: ମଣିଷଠୁ ଅଧିକ ଖର୍ଚ୍ଚ କରୁଛି ଏଆଇ


୧୯୮୪ ମସିହାରେ ଏହି ପଞ୍ଚାୟତ ଗଠିତ ହୋଇଥିଲା। ୧୨ଟି ୱାର୍ଡକୁ ନେଇ ଗଠିତ ପଞ୍ଚାୟତର ୫ଟି ୱାର୍ଡ ପଞ୍ଚାୟତ କାର୍ଯ୍ୟାଳୟଠାରୁ ପ୍ରାୟ ୫୦ରୁ ୬୦ କିଲୋମିଟର ଦୂରରେ ରହିଛି। ୧୯୯୧ ମସିହାରୁ ଏହି ୫ଟି ୱାର୍ଡର ଲୋକେ ନୂଆ ପଞ୍ଚାୟତ ପାଇଁ ଦାବି କରିଆସୁଛନ୍ତି। କିନ୍ତୁ ଏଯାଏଁ ସୁଫଳ ମିଳିପାରିନି। କୁଡ଼ାନାଳୀର ଜନସଂଖ୍ୟା ପ୍ରାୟ ୧୪୦୦। ତେବେ ଜନସଂଖ୍ୟା କମ୍ ଥିବାରୁ ନୂଆ ପଞ୍ଚାୟତ ହୋଇ ପାରୁନଥିବା ସରକାରୀ ବାବୁମାନେ କହୁଥିବା ଗ୍ରାମବାସୀ ଜଣାଇଛନ୍ତି। ଏପଟେ ଦୁଇଟିଯାକ ଗାଁରେ କୌଣସି ମୌଳିକ ସୁବିଧା ପହଞ୍ଚି ନାହିଁ। ପାନୀୟଜଳ ଯୋଗାଣ ପାଇଁ ପାଇପ୍‌ ଲମ୍ବିଛି। କିନ୍ତୁ, ପାଣି ଆସୁନାହିଁ। ଗାଁରେ ପୋଖରୀଟିଏ ନାହିଁ। ଏବେ ବି ପାନୀୟଜଳ ପାଇଁ କୂଅ ଉପରେ ଗ୍ରାମବାସୀ ନିର୍ଭର କରୁଛନ୍ତି। ଗାଁର ଅଧିକାଂଶ ଘର ଚାଳଛପର। ଆବାସ ଯୋଜନା ଏଠି ଜଙ୍ଗଲ ଭିତରେ ବାଟବଣା ହୋଇଯାଇଛି। ତେବେ ପଞ୍ଚାୟତ ଓ ଗାଁର ଦୂରତାକୁ ନେଇ ସରପଞ୍ଚ ରୀନା ବିଶି କୁହନ୍ତି, ଭତ୍ତା ଓ ରାସନ ଚାଉଳ ନେବା ଆଣିବାରେ ଆସୁବିଧା ହେଉଛି। ଜଙ୍ଗଲ ରସ୍ତାରେ ଭତ୍ତା ଟଙ୍କା ନେଇଯିବାରେ ମଧ୍ୟ ବିପଦ ରହିଛି। କୁଡ଼ାନାଳୀ ଓ କଇଁଗକୁ ପାଖର କୌଣସି ପଞ୍ଚାୟତ ସହ ମିଶାଇ ଦିଆଯାଉ। ନଚେତ ନୂଆ ପଞ୍ଚାୟତ ଗଠନ କଲେ ଲୋକେ ସୁବିଧା ପାଇବେ ବୋଲି ସେ କହିଛନ୍ତି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।