Land acquisition: ସହଜ ହେଉନି ଜମି ଅଧିଗ୍ରହଣ ପ୍ରକ୍ରିୟା

Jun 04, 2026 - 08:19
Land acquisition: ସହଜ ହେଉନି ଜମି ଅଧିଗ୍ରହଣ ପ୍ରକ୍ରିୟା

ଅଞ୍ଜନ କୁମାର ପ୍ରଧାନ

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲାର ବେଲପଡ଼ା ଓ ଖପ୍ରାଖୋଲ ଦାଦନ ପ୍ରବଣ ବ୍ଲକ ସୂଚୀର ଶୀର୍ଷରେ ରହିଛି। ଜିଲ୍ଲାର ୭୦ ପ୍ରତିଶତରୁ ଅଧିକ ଲୋକ ଏହି ଦୁଇ ବ୍ଲକ୍‌ରୁ ଦାଦନ ଖଟିବାକୁ ଯାଇଥାନ୍ତି। ଜଳାଭାବରୁ ଚାଷବାସ ଉଜୁଡ଼ିବା ଏବଂ ସ୍ଥାନୀୟ ନିଯୁକ୍ତିର କିଛି ସୁଯୋଗ ନଥିବାରୁ ଏହି ଦୁଇ ବ୍ଲକ୍‌ରେ ଦାଦନ ଦୁଃଖ ଚରମସୀମାରେ ରହିଛି। ଦାଦନ ସୁଅ ରୋକିବା ଏବଂ ଚାଷବାସରେ ଉଭୟ ବ୍ଲକକୁ ସମୃଦ୍ଧ କରିବା ଲକ୍ଷ୍ୟ ନେଇ ବହୁ ପ୍ରତୀକ୍ଷିତ ଅପରଲାନ୍ଥ ପ୍ରକଳ୍ପର ପ୍ରାରମ୍ଭିକ କାମ ଆଗେଇଛି। ହେଲେ, ବିସ୍ଥାପିତମାନେ ଉଚିତ କ୍ଷତିପୂରଣ ପାଇବା ନେଇ ଆଶଙ୍କାରେ ରହିଛନ୍ତି। ପୂର୍ବରୁ ଲୋୟର୍‌ ସୁକତେଲ୍‌ ପ୍ରକଳ୍ପରେ ବିସ୍ଥାପିତଙ୍କ ଦୁଃଖ ଏଯାଏଁ ସରିନି।

Panchayat : ୬୦ କିମି ଦୂରରେ ପଞ୍ଚାୟତ କାର୍ଯ୍ୟାଳୟ

 
ସରକାରୀ ସୂଚନା ମୁତାବକ, ଲୋୟର ସୁକତେଲ୍‌ ଜଳସେଚନ ପ୍ରକଳ୍ପରେ ବଲାଙ୍ଗୀର ସଦର ବ୍ଲକର ୧୭ଟି ଗ୍ରାମରୁ ୩୫୩୫ ଜଣ ଏବଂ ଲୋଇସିଂହା ବ୍ଲକର ୧୧ଟି ଗ୍ରାମରୁ ୩୧୮୪ଜଣ ବିସ୍ଥାପିତ ହୋଇଛନ୍ତି। ମୋଟ ୨୯ ଖଣ୍ଡ ଗ୍ରାମର ୫୩୩୯ ରୟତି ଖାତାଦାରଙ୍କ ୯୮୫୦.୫୬ ଏକର ଜମି ଅଧିଗ୍ରହଣ କରାଯାଇଛି। ୬୭୧୯ଟି ବିସ୍ଥାପିତ ପରିବାରଙ୍କୁ ଥଇଥାନ କରାଯାଇଛି। ମୃତ୍ୟୁ ଓ ଅନ୍ୟାନ୍ୟ କାରଣ ହେତୁ ୨୫୩ ଜଣଙ୍କ ସହାୟତାକୁ ନାମଞ୍ଜୁର କରାଯାଇଛି। ୨୪୦ ବିସ୍ଥାପିତ ପରିବାରଙ୍କୁ ବାରମ୍ବାର ନୋଟିସ୍‌ ପରେ ବି ଥଇଥାନ ସହାୟତା ରାଶି ସେମାନେ ଗ୍ରହଣ କରୁନାହାନ୍ତି। ୨୫୫ ଭୂମିହୀନ ପରିବାରକୁ ସହାୟତା ରାଶି ପ୍ରଦାନ କରାଯାଇଛି। ୧୩ ଭୂମିହୀନ ପରିବାର ସରକାରୀ ସୂଚନା ସତ୍ତ୍ବେ ସହାୟତା ରାଶି ଗ୍ରହଣ କରିନାହାନ୍ତି। ସେହିପରି ଭୂମିହରା ପ୍ରଜାଙ୍କ ମଧ୍ୟରୁ ୧୧୨୪ ଖାତାଦାର ତାଙ୍କ କ୍ଷତିପୂରଣ ରାଶି ଗ୍ରହଣ କରିନାହାନ୍ତି।

Access to water: ପାହାଡ଼ ଉପର ଗାଁକୁ ପାଣି, ବିଜୁଳି, ସ୍ବାସ୍ଥ୍ୟ, ଶିକ୍ଷା ଅପହଞ୍ଚ

 କ୍ଷତିପୂରଣ ପ୍ରଦାନରେ ପାତରଅନ୍ତର ଅଭିଯୋଗ ତାଲିକା ଲମ୍ବି ଚାଲିଛି। ଲୋୟର୍‌ ସୁକତେଲ ବିସ୍ଥାପିତଙ୍କ ଦୁଃଖ ଲାଘବ ହୋଇନଥିବା ବେଳେ ଅପର୍‌ଲାନ୍ଥ ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣ ପ୍ରକ୍ରିୟା ଆଗକୁ ରହିଛି। କିନ୍ତୁ, ଲୋୟର୍‌ ସୁକତେଲ୍‌ ବିସ୍ଥାପିତଙ୍କ ଦୁଃଖ ଦେଖିବା ପରେ ଅପର୍‌ଲାନ୍ଥର ସମ୍ଭାବ୍ୟ ବିସ୍ଥାପିତମାନେ ସହଜରେ ଜମି ଦେବାକୁ ନାରାଜ ଅଛନ୍ତି। କ୍ରମାଗତ ଆନ୍ଦୋଳନ ଏହାର ସ୍ପଷ୍ଟ ସଙ୍କେତ ଦେଉଛି। ଅପର୍‌ଲାନ୍ଥ ଜଳସେଚନ ପ୍ରକଳ୍ପ ପାଇଁ କୋଟିରୁ ଅଧିକ ଟଙ୍କା ବ୍ୟୟ ହେବ। ଆକଳନ ଅନୁସାରେ, ପ୍ରକଳ୍ପ ପାଇଁ ୮୩୭.୯୪ ହେକ୍ଟର ଜମି ବୁଡ଼ିବ। ଏଥିରୁ ୩୯୮.୯୨ ହେକ୍ଟର ଜମି ସାଧାରଣ ଲୋକଙ୍କର ରହିଛି। ୩୯୮.୯୨ ହେକ୍ଟର ଜଙ୍ଗଲ ଜମି ଏବଂ ୧୨୬.୫୮୮ ହେକ୍ଟର ସରକାରୀ ଜମି ରହିଛି। ତେଣୁ ସାଧାରଣ ପ୍ରଜାଙ୍କ ଜମି ଅଧିଗ୍ରହଣ ଏକ ବଡ଼ ସମସ୍ୟା ଭାବେ ଉଭା ହୋଇଛି। ଏହି ପ୍ରକଳ୍ପ ଦ୍ବାରା ବେଲପଡ଼ା ବ୍ଲକର ପଣକିମାଲ, ଜାମଜୁରି, ଚିଖିଲି ଓ ଡୁମେରବାହାଲ, ଖପ୍ରାଖୋଲ ବ୍ଲକର ବାଦିମାଲ, ବେନ୍ଦେର ଓ ଭାଲୁଚୁଆଁ ଗାଁ ପ୍ରଭାବିତ ହେବ। ପ୍ରକଳ୍ପ ଆରମ୍ଭ ହେବା ଆଗୁଆ ସଙ୍କେତ ପାଇ ଦଲାଲମାନେ ଏହି ଗାଁଗୁଡ଼ିକରେ ସକ୍ରିୟ ହେଲେଣି। ସେମାନେ ଜମି ପାଇଁ ଲୋକଙ୍କଠାରୁ ମୂଲଚାଲ କରୁଛନ୍ତି। ଲୋକଙ୍କ ଜମିକୁ ଶସ୍ତାରେ କିଣି ସରକାରଙ୍କଠାରୁ ମୋଟା କ୍ଷତିପୂରଣ ଟଙ୍କା ପାଇଁ ଦଲାଲମାନେ ଷଡ୍‌ଯନ୍ତ୍ର ଆରମ୍ଭ କରିଛନ୍ତି। ଯାହାକୁ ନେଇ ବିସ୍ଥାପିତ ହେବାକୁ ଥିବା ଗାଁଗୁଡ଼ିକରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଛି। ଗ୍ରାମବାସୀ ଘରବାରି ଡେସିମିଲ୍‌ ପିଛା ୨.୫୦ ଲକ୍ଷ ଟଙ୍କା, ମୁଣ୍ଡପିଛା କ୍ଷତିପୂରଣ ୧୩ ଲକ୍ଷ ଟଙ୍କା ଏବଂ ସବୁ କ୍ଷତିପୂରଣ ଏକକଳୀନ ପ୍ରଦାନ କରିବାକୁ ଦାବି କରୁଛନ୍ତି। ହେଲେ ଗ୍ରାମବାସୀଙ୍କ ଭିଡ଼ରେ ଦଲାଲମାନେ ପଶିଥିବାରୁ ମାମଲା ‌ଗଣ୍ଡଗୋଳିଆ ହୋଇଛି। ତେଣୁ, ଗୋଟିଏ ଗ୍ରାମସଭାରେ ପ୍ରକଳ୍ପକୁ ସମର୍ଥନ ଏବଂ ଅନ୍ୟଠି ଏହାକୁ ବିରୋଧ କରାଯିବା ଭଳି ପରିସ୍ଥିତି ଉପୁଜିଛି। ଏହାର ସ୍ଥାୟୀ ସମାଧାନ ଏବେ ପ୍ରଶାସନ ପାଇଁ ଅଡ଼ୁଆ କରିଛି। କାରଣ, ଲୋୟର୍‌ ସୁକ୍‌ତେଲ୍‌ ବିସ୍ଥାପିତଙ୍କ ଦୁଃଖ ଅପର୍‌ଲାନ୍ଥ ଅଞ୍ଚଳକୁ ବହୁ ଦିନରୁ ସମ୍ପ୍ରସାରିତ ହୋଇ ସାରିଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।