Odisha: ଓଡ଼ିଶାରେ ବହୁ ସମ୍ଭାବନା ଦେଖିପାରୁଛି, ଏଠି ପ୍ରତିଭାଙ୍କର ମଧ୍ୟ ଅଭାବ ନାହିଁ: ଡ. ଆଣ୍ଡ୍ରିୟୁ ଫ୍ଲେମିଂ
"ସଂପ୍ରତି ଭାରତ ଓ ୟୁନାଇଟେଡ୍ କିଙ୍ଗ୍ଡମ୍ ମଧ୍ୟରେ କାର୍ଯ୍ୟକାରୀ ହୋଇଛି ଐତିହାସିକ ଦ୍ବିପାକ୍ଷିକ ମୁକ୍ତ ବାଣିଜ୍ୟ ଚୁକ୍ତିନାମା।
ଜୁଲାଇ ୧୫ରୁ ଲାଗୁ ହୋଇଥିବା ଏହି ଚୁକ୍ତି ହେତୁ ୯୯ ପ୍ରତିଶତ ଭାରତୀୟ ସାମଗ୍ରୀ ଉପରୁ ୟୁକେ ରପ୍ତାନି ଶୁଳ୍କ ଛାଡ଼ କରିଥିବା ବେଳେ ୮୯ ପ୍ରତିଶତ ବ୍ରିଟିସ୍ ଉତ୍ପାଦ ଉପରୁ ଭାରତ ଆମଦାନି ଶୁଳ୍କ ଛାଡ଼ କରିଛି।
ଏହା ଉଭୟ ଦେଶର ଅଥର୍ନୀତିକୁ ଉଲ୍ଲେଖନୀୟ ଅଭିବୃଦ୍ଧି ଦେବ ବୋଲି ବିଶେଷଜ୍ଞମାନେ ଆକଳନ କରିଛନ୍ତି।
କେବଳ ବାଣିଜ୍ୟ ନୁହେଁ, ଶିଳ୍ପ, ଶିକ୍ଷା, କୃଷି ଓ ପ୍ରଯୁକ୍ତି କ୍ଷେତ୍ରରେ ମଧ୍ୟ ଉଭୟ ଦେଶର ସହଭାଗିତା ବୃଦ୍ଧି ହେବ।
ବର୍ତ୍ତମାନ ସମଗ୍ର ବିଶ୍ବ ସମ୍ମୁଖୀନ ହେଉଥିବା ଜଳବାୟୁ ସଂକଟର ମୁକାବିଲା କ୍ଷେତ୍ରରେ ମଧ୍ୟ ଉଭୟ ଦେଶ ପରସ୍ପର ସହ ହାତ ମିଳାଇଛନ୍ତି।
ସବୁଜ ପ୍ରଯୁକ୍ତିର ବିକାଶ ଓ ଏହାର ଆବଣ୍ଟନକୁ ମଧ୍ୟ ଦୁଇ ଦେଶ ଗୁରୁତ୍ବ ଦେଉଛନ୍ତି।
ଏହି ସୂତ୍ରରେ ୟୁକେ ସରକାର ଓଡ଼ିଶାରେ ମଧ୍ୟ ଅନେକ ପ୍ରକଳ୍ପ ଓ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି।
ଫଳରେ ପ୍ରଯୁକ୍ତି ଆଦାନପ୍ରଦାନ ଓ ନିବେଶ କ୍ଷେତ୍ରରେ ଓଡ଼ିଶା ଲାଭବାନ୍ ହେବାର ସମ୍ଭାବନା ସୃଷ୍ଟି ହୋଇଛି।
ବ୍ରିଟିସ୍ କମ୍ପାନିଗୁଡ଼ିକ ଓଡ଼ିଶାରେ ବଡ଼ ନିବେଶ କରିବାର ପଥ ପରିଷ୍କାର ହୋଇଛି।
ନିକଟରେ ୟୁକେ ଓ ଓଡ଼ିଶା ମଧ୍ୟରେ ବିଭିନ୍ନ କ୍ଷେତ୍ରରେ ସହଭାଗିତା ବୃଦ୍ଧି ଲାଗି ଓଡ଼ିଶା ଗସ୍ତରେ ଆସିଥିଲେ କୋଲ୍କାତାରେ ଅବସ୍ଥାପିତ ବ୍ରିଟିସ୍ ଡେପୁଟି ହାଇକମିସନର୍ ଡକ୍ଟର ଆଣ୍ଡ୍ରିୟୁ ଫ୍ଲେମିଂ।
ଏହି ଅବସରରେ ତାଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି "ସମ୍ବାଦ"ର ଫିଚର୍ ସଂପାଦକ ଧୃତିକାମ ମହାନ୍ତିAdvertisment Excise Raid: ଅବକାରୀ ବିଭାଗର ବିଭିନ୍ନ ସ୍ଥାନରେ ଚଢ଼ଉ, ଗଞ୍ଜେଇ-ମଦ ଜବତ ଆପଣ ଆମର ପଡ଼ୋଶୀ ରାଜ୍ୟରେ କାମ କରିସାରିଛନ୍ତି।
ଏବେ ଓଡ଼ିଶା ଆସି କାମ କରୁଛନ୍ତି।
ଏଠାକାର ଅଭିଜ୍ଞତା କିଭଳି?ମୁଁ ବ୍ୟକ୍ତିଗତ ଭାବେ ଆଗରୁ ଓଡ଼ିଶା ଆସିଛି।
କିନ୍ତୁ କୋଲ୍କାତାରେ ଅବସ୍ଥାପିତ ହେବାପରେ ମୁଁ ୧୮ ଥର ଏଠାକୁ ଆସି ସାରିଲିଣି।
ଯଦିଓ ମୁଁ ଭାରତର ପ୍ରାୟ ପ୍ରତ୍ୟେକ ରାଜ୍ୟକୁ ଯାଇଛି, କିନ୍ତୁ ତୁଳନାତ୍ମକ ଭାବେ ଅଧିକଥର ଓଡ଼ିଶା ଆସିଛି।
କାରଣ ଏଠାରେ ଅନେକ ସମ୍ଭାବନା ଦେଖିପାରୁଛି।
ଏହି ରାଜ୍ୟରେ ବହୁ ପ୍ରତିଭା ଅଛନ୍ତି।
ଏଠାରେ ପର୍ଯ୍ୟାପ୍ତ ସୁଯୋଗ ମଧ୍ୟ ରହିଛି।
ମ୍ୟାନୁଫାକ୍ଚରିଂ, ଟେକ୍ନୋେଲାଜି ଓ କୃଷିକ୍ଷେତ୍ରରେ ବ୍ରିଟିସ୍ କମ୍ପାନିଗୁଡ଼ିକର ସହଯୋଗିତା ମଧ୍ୟ ରହିଛି।
ମୁଁ ଉଭୟ ୟୁନାଇଟେଡ୍ କିଙ୍ଗ୍ଡମ୍ (ୟୁକେ) ଏବଂ ଓଡ଼ିଶା ପାଇଁ ଲାଭଦାୟକ ହୋଇପାରୁଥିବା ଭଳି ସମ୍ପର୍କ ସ୍ଥାପନ କରିବାକୁ ଆଗ୍ରହୀ।
ଏହାଛଡ଼ା, ମୋ କାର୍ଯ୍ୟକାଳରେ ଜଳବାୟୁ ଓ ଶକ୍ତି କ୍ଷେତ୍ରରେ ଆମ ସମ୍ପର୍କରେ ମଧ୍ୟ ବ୍ୟାପକ ଉନ୍ନତି ଅାସିଛି।
ଆମେ ବିଭିନ୍ନ କର୍ମଶାଳା ଓ କାର୍ଯ୍ୟକ୍ରମ ବି ଆୟୋଜନ କରିଛୁ, ସଫଳ ବି ହୋଇଛୁ।
ପୁଣି ଓଡ଼ିଶା ଏକ ଗୁରୁତ୍ୱପୂର୍ଣ୍ଣ ଓ କ୍ରମବର୍ଦ୍ଧିଷ୍ଣୁ ଶିକ୍ଷା କେନ୍ଦ୍ର।
ତେଣୁ, ମୋତେ ଆକର୍ଷିତ କରିବା ପାଇଁ ଏଠାରେ ଅନେକ କିଛି ରହିଛିି।
ମୁଁ ଦାୟିତ୍ବରେ ଥିବା ପର୍ଯ୍ୟନ୍ତ ଓଡ଼ିଶା ମୋତେ ଆକର୍ଷିତ କରିଚାଲିବ।
ଜୁଲାଇ ୧୫ରେ କାର୍ଯ୍ୟକାରୀ ହୋଇଥିବା ଭାରତ-ଇଂଲଣ୍ଡ ମୁକ୍ତ ବାଣିଜ୍ୟ ଚୁକ୍ତିରୁ ଭାରତୀୟ ଅର୍ଥନୀତିକୁ କି ପ୍ରକାର ଲାଭ ମିଳିବ?ଏବେ ଏହାର ନିର୍ଦ୍ଦିଷ୍ଟ ଉତ୍ତର ଦେବା ସମ୍ଭବ ନୁହେଁ।
ତେବେ ମୁଁ ସମ୍ଭାବନାଗୁଡ଼ିକ ବିଷୟରେ ଆଲୋକପାତ କରିବି।
ଦୀର୍ଘମିଆଦୀ ଭିତ୍ତିରେ ଏହି ଚୁକ୍ତି ୟୁକେର ଜିଡିପିକୁ ବାର୍ଷିକ ୪.୮ ବିଲିୟନ୍ ପାଉଣ୍ଡ୍, ଭାରତର ଜିଡିପିକୁ ୫.୧ ବିଲିୟନ୍ ପାଉଣ୍ଡ୍ ଏବଂ ଦ୍ୱିପାକ୍ଷିକ ବାଣିଜ୍ୟକୁ ୨୫.୫ ବିଲିୟନ୍ ପାଉଣ୍ଡ ୍ବୃଦ୍ଧି କରିବ ବୋଲି ଆକଳନ କରାଯାଇଛି।
ତେଣୁ ଭାରତୀୟ ଅର୍ଥନୀତି ବର୍ତ୍ତମାନ ଯେଭଳି ସ୍ଥିତିରେ ଅଛି ସେଥିରେ ଗୁରୁତ୍ୱପୂର୍ଣ୍ଣ ଅଭିବୃଦ୍ଧି ହେବ, ଏଥିରେ ସନ୍ଦେହ ନାହିଁ।
ଏହା ଉଭୟ ଦେଶ ପାଇଁ ଲାଭଦାୟକ।
ମୁଁ ଆଶା କରୁଛି, ଅର୍ଥନୈତିକ ଅଭିବୃଦ୍ଧି ସହ ଏ ଚୁକ୍ତି ନୂଆ ସୁଯୋଗ, ନୂଆ ରୋଜଗାର ସୃଷ୍ଟି କରିବା ଦିଗରେ ମଧ୍ୟ ସଫଳ ହେବ।ଆପଣ ଜାଣନ୍ତି, ଏବେ ଚୁକ୍ତି କାର୍ଯ୍ୟକାରୀ ହେବା ପରେ ୯୯% ଭାରତୀୟ ଉତ୍ପାଦର ୟୁକେ ରପ୍ତାନି ପାଇଁ କୌଣସି ଶୁଳ୍କ ଦେବାକୁ ପଡୁନାହିଁ।
ସେହିପରି ୟୁକେ ରପ୍ତାନିକାରୀଙ୍କ ପାଇଁ, ଭାରତକୁ ଆସୁଥିବା ପ୍ରାୟ ୯୦% ଉତ୍ପାଦର ଶୁଳ୍କ ବି ଶୂନ୍ୟ ହୋଇଯାଇଛି।
ଏବେ ଭାରତୀୟ ଉପଭୋକ୍ତାମାନେ ସ୍କଚ୍ ହ୍ବିସ୍କି, ସ୍କଟିସ୍ ସାଲ୍ମନ୍, ସଫ୍ଟ ଡ୍ରିଙ୍କସ୍, ଚକୋଲେଟ୍, ବିସ୍କୁଟ୍, ପ୍ରସାଧନ ସାମଗ୍ରୀ, କାର୍, ଇଭି ଅପେକ୍ଷାକୃତ ଶସ୍ତା ଦରରେ ପାଇପାରିବେ।
ସେହିପରି ଭାରତର ସାମୁଦ୍ରିକ ଉତ୍ପାଦ, ସାମୁଦ୍ରିକ ଖାଦ୍ୟ, ଚା, ଅଳଙ୍କାର, ପୋଷାକ ଏବଂ ଅନ୍ୟାନ୍ୟ ଅନେକ ସାମଗ୍ରୀ ୟୁକେ ବଜାରରେ ସହଜରେ ପ୍ରବେଶ କରି ଅନ୍ୟ ଦେଶର ସାମଗ୍ରୀ ସହ ପ୍ରତିଯୋଗିତା କରିବ।
ଆପଣ କହିଲେ ଓଡ଼ିଶା ପ୍ରତିଭାର ଭୂମି।
ଏହି ପ୍ରତିଭାର ବିକାଶ ପାଇଁ ନିର୍ଦ୍ଦିଷ୍ଟ ଯୋଜନା ଅଛି କି?
ଯେପରି ଜ୍ଞାନ ଆଦାନପ୍ରଦାନ, ଶିକ୍ଷା ଓ ପ୍ରଯୁକ୍ତିବିଦ୍ୟା ଆଦାନପ୍ରଦାନ।
ଭୁବନେଶ୍ୱରରେ ପୂର୍ବରୁ ହିଁ ମେରାଇନ୍ ଇଂଜିନିୟରିଂ ଶିକ୍ଷା ଲାଗି "ଆଇମାରେଷ୍ଟ୍" ଖୋଲିଛନ୍ତି?ହଁ, ଠିକ୍ କହିଛନ୍ତି।
ମେରାଇନ୍ ଇଞ୍ଜିନିୟରିଂ ଏକ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ର ଏବଂ ଏହାର ବିକାଶ ବିଶ୍ୱସ୍ତରରେ ଗୁରୁତ୍ୱପୂର୍ଣ୍ଣ।
ଉଚ୍ଚଶିକ୍ଷା କ୍ଷେତ୍ରରେ ୟୁକେ-ଓଡ଼ିଶା ସହଯୋଗିତା ସବୁବେଳେ ରହିଆସିଛି।
ଏବେ ଗବେଷଣା ଭାଗୀଦାରୀ ମାଧ୍ୟମରେ ଏହା ଅଧିକ ସକ୍ରିୟ ହେଉଛି। "ୟୁକେଆଇଇଆରଆଇ" କାର୍ଯ୍ୟକ୍ରମ ଅଧୀନରେ ଆଇଆଇଟି, ଭୁବନେଶ୍ୱର ଓ ସ୍କଟ୍ଲ୍ୟାଣ୍ଡ୍ର ଏଡିନ୍ବର୍ଗରେ ଥିବା ହେରିଅଟ୍-ୱାଟ୍ ୟୁନିଭର୍ସିଟି "ଡିଜି ଜିଓ ଏନର୍ଜି" ପ୍ରକଳ୍ପରେ ମିଳିତ ଭାବେ କାମ କରୁଛନ୍ତି।ପୁଣି ବ୍ରିଟିସ୍ କାଉନ୍ସିଲ୍ ପକ୍ଷରୁ ଗୋଇଙ୍ଗ୍ ଗ୍ଲୋବାଲ୍ ପାର୍ଟନର୍ସିପ୍ ଟିଏନ୍ଇ ଅନୁଦାନ ମଧ୍ୟ ଜାରି ରହିଛି।
ଏହା ୟୁକେ ଓ ଭାରତର ଉଚ୍ଚଶିକ୍ଷା ଅନୁଷ୍ଠାନଗୁଡ଼ିକୁ ନୂତନ ସନ୍ଦର୍ଭରେ ଅନ୍ତର୍ଜାତୀୟ ଶିକ୍ଷା କାର୍ଯ୍ୟକ୍ରମ ବିକଶିତ କରିବାକୁ ଉତ୍ସାହିତ କରୁଛି।
ଓଡ଼ିଶାର ଉଚ୍ଚଶିକ୍ଷା ଅନୁଷ୍ଠାନଗୁଡ଼ିକୁ କ୍ରିଟିକାଲ୍ ମିନେରାଲ୍ସ୍ ଏବଂ ଜିଓଲୋଜି ଭଳି କ୍ଷେତ୍ରରେ ଆବେଦନ କରିବାକୁ ବିଶେଷ ଭାବରେ ଉତ୍ସାହିତ କରାଯାଉଛି।
୨୦୨୬-୨୭ ସେସନ୍ ଲାଗି ଆବେଦନ ପ୍ରକ୍ରିୟା ଅଗଷ୍ଟ ୨୫ ପର୍ଯ୍ୟନ୍ତ ଖୋଲାଅଛି ଏବଂ ଅନ୍ଲାଇନ୍ରେ ଆବେଦନ କରାଯାଇପାରିବ।
Flood In Bhadrak: ବୁଡ଼ିଗଲା ଚାଷଜମି, ଯନ୍ତ୍ରଣାରେ ମୁଣ୍ଡରେ ହାତଦେଇ ବସିଛନ୍ତି ଲୋକେ ଓଡ଼ିଶାର ଛାତ୍ରଛାତ୍ରୀମାନଙ୍କୁ ୟୁକେରେ ପଢ଼ିବାର କିଭଳି ସୁଯୋଗ ରହିଛି?ବ୍ରିଟିସ୍ କାଉନ୍ସିଲ୍ ୨୮ଟି ପ୍ରମୁଖ ୟୁକେ ବିଶ୍ୱବିଦ୍ୟାଳୟକୁ ଏକାଠି ଆଣୁଛି।
ଅଗଷ୍ଟ ୩ରୁ ୫ ତାରିଖ ମଧ୍ୟରେ ଭୁବନେଶ୍ୱରର ସ୍କୁଲ୍ ଓ କଲେଜଗୁଡ଼ିକୁ ସେମାନେ ପରିଦର୍ଶନ କରିବେ ଏବଂ "ଷ୍ଟଡି ୟୁକେ ଓପନ୍ ଡେଜ୍"ର ଆୟୋଜନ କରିବେ।
ଏହି କାର୍ଯ୍ୟକ୍ରମ ସ୍କୁଲ୍, କଲେଜ ଓ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସହିତ ଅଭିଭାବକମାନଙ୍କୁ ପାଠ୍ୟକ୍ରମ, ନାମଲେଖା, ବୃତ୍ତି ଓ ୟୁକେରେ ଛାତ୍ର ଜୀବନ ବିଷୟରେ ପୂରା ତଥ୍ୟ ପ୍ରଦାନ କରିବ।
ଓଡ଼ିଶାର ନୂତନ ହାଇ-ଟେକ୍ ଓ ଭାରୀ ଶିଳ୍ପ କ୍ଷେତ୍ର, ବିଶେଷକରି ଆଇଟି, ସେମିକଣ୍ଡକ୍ଟର୍ କିମ୍ବା ଧାତୁ ବିଜ୍ଞାନ ପାଇଁ ବର୍ତ୍ତମାନ କେଉଁ ନିର୍ଦ୍ଦିଷ୍ଟ ନିବେଶ ଏବଂ କର୍ପୋରେଟ୍ ଭାଗୀଦାରୀ ଯୋଜନା କରାଯାଉଛି?ୱେୟାର୍ ଟେକ୍ନୋଲୋଜିସ୍ ଭଳି ବ୍ରିଟିସ୍ କମ୍ପାନି ଦୁଇ ଦଶନ୍ଧି ଧରି ଓଡ଼ିଶାରେ ଅଛନ୍ତି।
ସେମାନେ ଖଣି କ୍ଷେତ୍ରରେ କାମ କରୁଛନ୍ତି।
ବ୍ରିଟିସ୍ କମ୍ପାନିଗୁଡ଼ିକ ଭାରତରେ ବ୍ୟବସାୟ କରିବାକୁ ଆଗ୍ରହୀ, କିନ୍ତୁ ସେମାନେ କେବଳ କେତେକ ନିର୍ଦ୍ଦିଷ୍ଟ ମେଟ୍ରୋ ସହରରେ କାରବାର କରୁଛନ୍ତି।
ବହୁତ କମ୍ କମ୍ପାନି ଓଡ଼ିଶା ବିଷୟରେ ଜାଣିଛନ୍ତି।
ଯଦି ସେମାନେ ଏଠାକୁ ଆସନ୍ତି, ସେମାନେ ଦେଖିବେ ଯେ ଓଡ଼ିଶାର ବଜାର ଅତିରିକ୍ତ ଭିଡ଼ ନୁହେଁ, ନିଷ୍ପତ୍ତି ନେଉଥିବା ବ୍ୟକ୍ତିମାନଙ୍କ ପାଖରେ ପହଞ୍ଚିବା ବି କଷ୍ଟକର ନୁହେଁ।
ସତ କହିବାକୁ ଗଲେ, ଅଧିକ ସଂଖ୍ୟକ ବ୍ରିଟିସ୍ କମ୍ପାନି ଓଡ଼ିଶା ଆସି କାମ କରିବା ପାଇଁ ସୁଯୋଗ ଅଛି। "ଆଇମାରେଷ୍ଟ୍" ଏହାର ଏକ ଭଲ ଉଦାହରଣ।
ସେମାନେ ଭାରତ କିମ୍ବା ଭୁବନେଶ୍ୱରକୁ କାର୍ଯ୍ୟାଳୟ ସ୍ଥାପନ କରିବା ଉଦ୍ଦେଶ୍ୟ ନେଇ ଆସି ନଥିଲେ।
ଅନ୍ୟ କୌଣସି ସ୍ଥାନରେ କାର୍ଯ୍ୟାଳୟ କରିବାକୁ ସେମାନଙ୍କର ଯୋଜନା ଥିଲା।
କିନ୍ତୁ ଏଠାକୁ ଆସି, ଏଠାକାର ଲୋକଙ୍କୁ ଭେଟି, ଉଚ୍ଚସ୍ତରୀୟ ଆଲୋଚନା କରିବା ପରେ ସେମାନଙ୍କର ମନ ବଦଳିଗଲା।
ସେମାନେ ନିଜ ଯୋଜନା ବଦଳାଇ ଓଡ଼ିଶା ଆସି କାର୍ଯ୍ୟାଳୟ ଖୋଲିବାକୁ ନିଷ୍ପତ୍ତି ନେଲେ।
ଯଦି ଗୋଟିଏ ଅନୁଷ୍ଠାନ ସହିତ ଏହା ହୋଇପାରୁଛି, ଅନ୍ୟ କମ୍ପାନି ସହିତ ଏହା କାହିଁକି ନ ହୋଇପାରିବ?
ଏଠାରେ ଶିଳ୍ପ ଅନୁକୂଳ ପରିବେଶ ରହିଛି।
ୟୁକେ-ଓଡ଼ିଶା ସହଭାଗିତାରେ ଭୁବନେଶ୍ୱର ଭଳି ସହରଗୁଡ଼ିକରେ ଯାନବାହନ ଚଳାଚଳ କ୍ଷେତ୍ରରେ "ଶୂନ୍ୟ ଅଙ୍ଗାରକ" ଲକ୍ଷ୍ୟ ହାସଲ ଲାଗି "ନେଟ୍ ଜିରୋ ଭିଜନ୍" କାର୍ଯ୍ୟକ୍ରମ ହାତକୁ ନିଆଯାଇଛି।
ଏହାର ସ୍ବରୂପ କ"ଣ?
ଏହା ପାରିବେଶିକ ଲାଭ ସହ ଆର୍ଥିକ ଅଭିବୃଦ୍ଧିରେ ସହାୟକ ହୋଇପାରିବ କି?ଭାରତ ସହିତ ଅକ୍ଷୟ ଶକ୍ତି ବିକାଶ, ଶକ୍ତି ସଂରକ୍ଷଣ, ପାୱାର୍ ଗ୍ରିଡ୍ର ଆଧୁନିକୀକରଣ ଏବଂ ସ୍ୱଚ୍ଛ ପ୍ରଯୁକ୍ତିବିଦ୍ୟା ପ୍ରଚଳନ ଆଦି କ୍ଷେତ୍ରରେ ଆମର ଜ୍ଞାନ ଆଦାନପ୍ରଦାନ ପ୍ରକ୍ରିୟା ଜାରି ରହିଛି।
ଏହା ଭବିଷ୍ୟତର ଆର୍ଥିକ ଅଭିବୃଦ୍ଧିର ମୂଳଦୁଆ।
ଓଡ଼ିଶା ମଧ୍ୟ ଏହାର ସୁବିଧା ପାଉଛି।
ଭୁବନେଶ୍ୱର ପାଇଁ ଦୀର୍ଘମିଆଦୀ ରଣନୀତି "ନେଟ୍ ଜିରୋ ଭିଜନ୍" ପ୍ରସ୍ତୁତିରେ ଆମେ ଓଡ଼ିଶା ସରକାରଙ୍କ ସହ କାମ କରୁଛୁ।
ବିଶେଷକରି ପରିବହନ କ୍ଷେତ୍ରକୁ ଅଙ୍ଗାରକମୁକ୍ତ କରିବା ଏହାର ଲକ୍ଷ୍ୟ।
ଭୁବନେଶ୍ୱର ଏବଂ ୟୁକେର ପ୍ରଥମ ସମ୍ପୂର୍ଣ୍ଣ ବୈଦ୍ୟୁତିକ ବସ୍ ଚଳାଚଳ କରୁଥିବା ସହର କୋଭେଣ୍ଟ୍ରି କର୍ତ୍ତୃପକ୍ଷଙ୍କ ମଧ୍ୟରେ କ୍ରମାଗତ ଜ୍ଞାନ ଆଦାନପ୍ରଦାନ ହେଉଛି।
ମୁଁ କହିବି, ଭୁବନେଶ୍ୱର ଦ୍ରୁତ ଗତିରେ ଏକ ସ୍ୱଚ୍ଛ ପରିବର୍ତ୍ତନ ଦିଗରେ ଅଗ୍ରସର ହେଉଛି।
ଏହି ପ୍ରକଳ୍ପ ଓଡ଼ିଶା ପାଇଁ ସ୍ୱଚ୍ଛ ବାୟୁ, ଉନ୍ନତ ପରିବହନ, ସ୍ୱଚ୍ଛ ଶକ୍ତି, ନୂତନ ଦକ୍ଷତା, ନିବେଶ ଓ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ।
ଉଭୟ ଦେଶର ବ୍ୟବସାୟୀ, ଗବେଷକ ଓ ଉଦ୍ଭାବକମାନଙ୍କ ପାଇଁ ସୁଯୋଗ ଅାସିବ।
ଆମ ଦେଶର ଅଭିଜ୍ଞତା ଅନୁସାରେ, ସ୍ୱଚ୍ଛ ଓ ସବୁଜ ପରିବର୍ତ୍ତନ କେବଳ ଏକ ପରିବେଶଗତ ଏଜେଣ୍ଡା ନୁହେଁ, ଏହା ଆର୍ଥିକ ଅଭିବୃଦ୍ଧିର ମଧ୍ୟ ଏଜେଣ୍ଡା।
ଏହି ଚିନ୍ତାଧାରା ଅନୁସାରେ "ୟୁକେ-ଇଣ୍ଡିଆ ଭିଜନ୍ ୨୦୩୫" ପ୍ରବର୍ତ୍ତିତ ହୋଇଛି।
ଆମର ଦ୍ୱିପାକ୍ଷିକ ସମ୍ପର୍କ କ୍ଷେତ୍ରରେ ଏବେ ସ୍ୱଚ୍ଛ ଶକ୍ତି, ଜଳବାୟୁଗତ କାର୍ଯ୍ୟାନୁଷ୍ଠାନ, ନବସୃଜନ ଏବଂ ସ୍ଥାୟୀ ଅଭିବୃଦ୍ଧିକୁ ଗୁରୁତ୍ବ ଦିଆଯାଉଛି।
ବର୍ତ୍ତମାନ କାର୍ଯ୍ୟକାରୀ ହୋଇଥିବା ନୂତନ ମୁକ୍ତ ବାଣିଜ୍ୟ ଚୁକ୍ତିରେ ୟୁକେ ସରକାର ଓଡ଼ିଶାକୁ ଗ୍ରିନ୍ ଟେକ୍ନୋଲୋଜି ବା ସବୁଜ ପ୍ରଯୁକ୍ତି ଉପଲବ୍ଧ କରାଇବାରେ କିପରି ଭୂମିକା ନେବେ?ଏହି ଚୁକ୍ତି ଅନୁସାରେ ଦୁଇ ଦେଶ ସ୍ୱଚ୍ଛ ଶକ୍ତି ଶିଳ୍ପରେ ସବୁଜ ପ୍ରଯୁକ୍ତିର ବିକାଶ ଓ ଆଦାନପ୍ରଦାନ କ୍ଷେତ୍ରରେ ଏକତ୍ର କାମ କରିବାକୁ ପ୍ରତିଶ୍ରୁତିବଦ୍ଧ।
ସ୍ୱଚ୍ଛ ଶକ୍ତି ସମେତ ନୂତନ ପ୍ରଯୁକ୍ତିବିଦ୍ୟା ଓ ଏହାର ବାଣିଜ୍ୟିକ ପ୍ରୟୋଗକୁ ମଧ୍ୟ ପ୍ରାଥମିକତା ଦିଆଯାଇଛି।
ଏହି ଚୁକ୍ତିନାମା ପରିବେଶଗତ ସାମଗ୍ରୀ ଏବଂ ସେବା କ୍ଷେତ୍ରରେ ନୂତନ ସୁଯୋଗକୁ ମଧ୍ୟ ସମର୍ଥନ କରେ।
ଉପରୋକ୍ତ କ୍ଷେତ୍ରଗୁଡ଼ିକରେ ବାଣିଜ୍ୟକୁ ପ୍ରୋତ୍ସାହିତ କରିବା ପାଇଁ ମଧ୍ୟ ପ୍ରତିବଦ୍ଧ।
ୟୁକେ ଓ ଭାରତରେ ଏକ ଶକ୍ତିଶାଳୀ ସବୁଜ ଅର୍ଥନୀତି ବିକଶିତ କରିବା ଲକ୍ଷ୍ୟରେ ଚୁକ୍ତିନାମା କାର୍ଯ୍ୟକାରୀ ହୋଇଛି।
ଏହାସହିତ, ଟର୍ବାଇନ୍ ଭଳି ବିଭିନ୍ନ ପରିବେଶ ଅନୁକୂଳ ଉତ୍ପାଦ ଉପରେ ଶୁଳ୍କ ଛାଡ଼ ହୋଇଛି, ଯାହାର ସୁବିଧା ଭାରତୀୟ କମ୍ପାନିମାନେ ନେଇପାରିବେ।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।