Odisha Textbook Printing Scam: ପିଲାଙ୍କ ବହି ବିଭ୍ରାଟକାରୀଙ୍କ ବିରୋଧରେ ଆକ୍ସନ, ବନ୍ଧା ହେଲେ ପୂର୍ବତନ SCERT ନିର୍ଦ୍ଦେଶକ

Jul 14, 2026 - 20:13
Odisha Textbook Printing Scam: ପିଲାଙ୍କ ବହି ବିଭ୍ରାଟକାରୀଙ୍କ ବିରୋଧରେ ଆକ୍ସନ, ବନ୍ଧା ହେଲେ ପୂର୍ବତନ SCERT ନିର୍ଦ୍ଦେଶକ

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ SCERT ପକ୍ଷରୁ କ୍ରାଇମବ୍ରାଞ୍ଚରେ ଗତକାଲି ଦିଆଯାଇଥିଲା ଏତଲା। ଏତଲା ପରେ ମାମଲା ରୁଜୁ କରି କ୍ରାଇମବ୍ରାଞ୍ଚ ଆରମ୍ଭ କରିଥିଲା ତଦନ୍ତ। ଆଉ ପ୍ରଥମରୁ ହିଁ ବହି ଛପା କେଳେଙ୍କାରୀର ମାଷ୍ଟର ମାଇଣ୍ଡ କୁହାଯାଉଥିବା ମନୋଜ ପାଢୀଙ୍କୁ ଗିରଫ କରାଯାଇଛି। ଆଜି ସକାଳୁ କ୍ରାଇମବ୍ରାଞ୍ଚ ତଦନ୍ତକାରୀ ଟିମ୍ ମନୋଜଙ୍କୁ ତାଙ୍କ ଘରୁ ଉଠାଇନେଇଥିଲା। SCERTର ଏହି ପୂର୍ବତନ ନିର୍ଦ୍ଦେଶକଙ୍କୁ କ୍ରାଇମବ୍ରାଞ୍ଚର ୩ ଜଣିଆ ଟିମ୍ ଦିନ ତମାମ ଜେରା କରିବା ପରେ ଅପରାହ୍ଣରେ ଗିରଫ ଦର୍ଶାଇଥିଲା। ବଡ଼ କଥା ହେଲା ବିନା ଯାଞ୍ଚରେ ଜାଣିଶୁଣି ଭୁଲ୍ ବହି ଛପାଇବାକୁ ଅନୁମୋଦନ ଦେଇଥିଲେ ମନୋଜ। 

ପ୍ରାଥମିକ ତଦନ୍ତରେ ଜଣାପଡ଼ିଛି, ମନୋଜ ନିର୍ଦ୍ଦେଶକ ଭାବେ ଜାତୀୟ ଶିକ୍ଷା ନୀତି-୨୦୨୦ ଅନୁଯାୟୀ ପାଠ୍ୟପୁସ୍ତକ ପ୍ରସ୍ତୁତି ପ୍ରକ୍ରିୟାର ତଦାରଖ, ସମନ୍ୱୟ, ନିରୀକ୍ଷଣ ଓ ଅନୁମୋଦନ ଦାୟିତ୍ୱରେ ଥିଲେ। ସେ ନିଜ ଉପରେ ନ୍ୟସ୍ତ ସରକାରୀ ଦାୟିତ୍ୱକୁ ସଠିକ୍ ଭାବେ ପାଳନ କରିନଥିଲେ। ପାଠ୍ୟପୁସ୍ତକର ତଥ୍ୟଗତ, ବୈଜ୍ଞାନିକ, ଭୌଗୋଳିକ, ଅନୁବାଦ ଓ ଚିତ୍ର ସଂପର୍କିତ ତ୍ରୁଟିଗୁଡ଼ିକର ଯାଞ୍ଚ ନକରି ମୁଦ୍ରଣ ପାଇଁ ପ୍ରସ୍ତୁତ ପାଣ୍ଡୁଲିପିକୁ ଅନୁମୋଦନ ଓ ପ୍ରେରଣ କରିଥିବା କ୍ରାଇମବ୍ରାଞ୍ଚ ଦର୍ଶାଇଛି।ଏହା ଫଳରେ ତ୍ରୁଟିପୂର୍ଣ୍ଣ ପାଠ୍ୟପୁସ୍ତକ ପ୍ରକାଶ ଓ ବିତରଣ ହୋଇ ରାଜ୍ୟ ସରକାରଙ୍କ ୧୭୫ କୋଟି କ୍ଷତି ହୋଇଥିବା ତଦନ୍ତରୁ ଜଣାପଡ଼ିଛି।

ସେପଟେ କ୍ରାଇମବ୍ରାଞ୍ଚ ତଦନ୍ତ ଆରମ୍ଭ କରିଥିବାବେଳେ ବିରୋଧୀ କିନ୍ତୁ ଏହାକୁ ଫାର୍ସ ବୋଲି କହିଛନ୍ତି। ବିଜେଡି କହିଛି, ଯଦି କ୍ରାଇମବ୍ରାଞ୍ଚ ତଦନ୍ତ ଦେବାର ଥିଲା ତେବେ ଏତେ ବିଳମ୍ବ କାହିଁକି କଲେ ସରକାର। ପ୍ରମାଣ ନଷ୍ଟ ପାଇଁ ଇଏ ଫନ୍ଦି ବୋଲି ବିଜେଡି ଅଭିଯୋଗ କରିଛି। କଂଗ୍ରେସ କହିଛି ଯେହେତୁ ରାଜ୍ୟବ୍ୟାପୀ ଅସନ୍ତୋଷ ବ୍ୟାପିଲା ସେଥିଲାଗି କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି। ବିଜେପି କହିଛି ଷଡଯନ୍ତ୍ରକାରୀଙ୍କ ମୁଖା ନିଶ୍ଚିତ ଖୋଲିବ କ୍ରାଇମ୍ ବ୍ରାଞ୍ଚ। କେଳେଙ୍କାରୀ ପଛରେ ମୁଖ୍ୟ କାର୍ପଟଦାର ଥିବା ବିଜେଡି ବ୍ରାଣ୍ଡର ଅଧିକାରୀଙ୍କ ଉପରେ ବଡ଼ କାର୍ଯ୍ୟାନୁଷ୍ଠାନ ନିଆଯିବ। ଏବେ ଦେଖିବାର କଥା କ୍ରାଇମବ୍ରାଞ୍ଚ ଏହି ବଡ଼ ଘୋଟାଲାରେ ଆଉ କାହାକୁ ବାନ୍ଧୁଛି। ତଦନ୍ତରେ ଆଉ କି ନୂଆ ତଥ୍ୟ ସାମନାକୁ ଆସୁଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।