Dara Singh May Walk Free Soon: ଶୀଘ୍ର ଜେଲରୁ ଖଲାସ ହୋଇପାରନ୍ତି ଦାରା ସିଂ, ସୁପ୍ରିମକୋର୍ଟଙ୍କ ବଡ଼ ନିର୍ଦ୍ଦେଶ

Jul 14, 2026 - 20:13
Dara Singh May Walk Free Soon: ଶୀଘ୍ର ଜେଲରୁ ଖଲାସ ହୋଇପାରନ୍ତି ଦାରା ସିଂ, ସୁପ୍ରିମକୋର୍ଟଙ୍କ ବଡ଼ ନିର୍ଦ୍ଦେଶ

ଶୀଘ୍ର ଜେଲରୁ ଖଲାସ ହୋଇପାରନ୍ତି ଦାରା ସିଂ। ବହୁଚର୍ଚ୍ଚିତ ଗ୍ରାହାମ ଷ୍ଟେନ୍ସ ହତ୍ୟା ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଦାରା ସିଂଙ୍କ ଦଣ୍ଡାଦେଶ କୋହଳ ଆବେଦନ ଉପରେ ଆଜି ସୁପ୍ରିମକୋର୍ଟରେ ହୋଇଛି ଶୁଣାଣି। ବିଚାରପତି ଜଷ୍ଟିସ୍ ମନୋଜ ମିଶ୍ର ଓ ଜଷ୍ଟିସ୍ ବିଜୟ ବିଷ୍ଣୋଇଙ୍କ ଖଣ୍ଡପୀଠ ମାମଲାର ଶୁଣାଣି କରିଥିଲେ। ଶୁଣାଣି ବେଳେ ଓଡ଼ିଶା ସରକାର, ସର୍ବୋଚ୍ଚ କୋର୍ଟଙ୍କୁ ଜଣାଇଥିଲେ ଯେ, ଷ୍ଟେଟ୍ ସେଣ୍ଟେନ୍ସ ରିଭ୍ୟୁ ବୋର୍ଡ ୫୬ ଜଣ ଆଜୀବନ କାରାଦଣ୍ଡ ଭୋଗୁଥିବା କଏଦୀଙ୍କ ମୁକ୍ତି ଆବେଦନ ଉପରେ ବିଚାର କରିଛି। ସେଥିରେ ଦାରା ସିଂଙ୍କ ମାମଲା ମଧ୍ୟ ରହିଛି। ରାଜ୍ୟ ସରକାର ଏହା ବି କହିଛନ୍ତି, ଦାରାଙ୍କ ଜନ୍ମସ୍ଥାନ ସମ୍ବନ୍ଧୀୟ କିଛି ତଥ୍ୟର ଯାଞ୍ଚ ପ୍ରକ୍ରିୟା ଚାଲିଛି। 

ଏହାପରେ ସୁପ୍ରିମକୋର୍ଟ, ରାଜ୍ୟ ସରକାରଙ୍କୁ ଅଗଷ୍ଟ ୧୫ ସୁଦ୍ଧା ଦାରା ସିଂଙ୍କ ଦଣ୍ଡାଦେଶ କୋହଳ ଆବେଦନ ଉପରେ ଚୂଡ଼ାନ୍ତ ନିଷ୍ପତ୍ତି ନେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଯଦି ଅଗଷ୍ଟ ୧୫ ସୁଦ୍ଧା କୌଣସି ନିଷ୍ପତ୍ତି ନିଆ ନଯାଏ, ତାହେଲେ ଅଗଷ୍ଟ ୧୯ରେ ସୁପ୍ରିମକୋର୍ଟ ପୁଣି ଏହି ମାମଲାର ଶୁଣାଣି କରିବେ। ଶୁଣାଣି ପରେ ଦାରା ସିଂଙ୍କ ଓକିଲ ଏ. ପି. ସିଂହ କହିଛନ୍ତି ଯେ, ଦାରା ୨୬ ବର୍ଷରୁ ଅଧିକ ସମୟ ସଜା କାଟିସାରିଥିବାରୁ ତାଙ୍କ ମୁକ୍ତି ଆବେଦନ ଉପରେ ଶୀଘ୍ର ନିଷ୍ପତ୍ତି ନେବାକୁ କୋର୍ଟ କହିଛନ୍ତି।

୧୯୯୯, ଜାନୁଆରୀ ୨୨ ବିଳମ୍ବିତ ରାତି। କେନ୍ଦୁଝର ମନୋହରପୁର ଗାଁରେ ସଂଘଟିତ ହେଲା ଲୋମହର୍ଷଣକାରୀ ହତ୍ୟାକାଣ୍ଡ। ଅଷ୍ଟ୍ରେଲୀୟ ମିଶନାରୀ ଗ୍ରାହାମ ଷ୍ଟେନ୍ସ ଓ ତାଙ୍କର ୨ ପୁଅ ୧୦ ବର୍ଷିୟ ଫିଲିପ୍ ଏବଂ ୬ ବର୍ଷୀୟ ଟିମୋଥିଙ୍କୁ ଜୀଅନ୍ତା ଜାଳି ଦିଆଯାଇଥିଲା। ରାତି ଅଧିରେ ଗାଡିରେ ଶୋଇଥିବାବେଳେ ଜୀବନ୍ତ ଦଗ୍ଧ ହୋଇଯାଇଥିଲେ ୩ ଜଣ। ୨୦୦୩ରେ ଭୁବନେଶ୍ୱରର ସିବିଆଇ ଅଦାଲତ ଦାରା ସିଂହଙ୍କୁ ମୃତ୍ୟୁଦଣ୍ଡ ଏବଂ ଅନ୍ୟ ଜଣେ ଅଭିଯୁକ୍ତ ମହେନ୍ଦ୍ର ହେମ୍ବ୍ରମଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲେ। ୨୦୦୫ରେ ହାଇକୋର୍ଟ ମୃତ୍ୟୁଦଣ୍ଡକୁ କୋହଳ କରି ଆଜୀବନ କାରାଦଣ୍ଡରେ ପରିଣତ କରିଥିଲେ। ୨୦୧୧ରେ ସୁପ୍ରିମକୋର୍ଟ ହାଇକୋର୍ଟଙ୍କ ଆଦେଶକୁ କାଏମ୍ ରଖିଥିଲେ। କିନ୍ତୁ ଗତ ବର୍ଷ ଏପ୍ରିଲ ୧୬ରେ ଦାରାଙ୍କ ସହଯୋଗୀ ମହେନ୍ଦ୍ର ହେମ୍ବ୍ରମଙ୍କୁ ଉତ୍ତମ ଆଚରଣ ପାଇଁ ଖଲାସ କରିଥିଲେ। ହେଲେ ଏବେ ବି କେନ୍ଦୁଝର ଜେଲରେ ସଜା କାଟୁଛନ୍ତି ମୁଖ୍ୟ ଅଭିଯୁକ୍ତ ଦାରା ସିଂ। ଇତିମଧ୍ୟରେ ବାରିପଦା ଓ କେନ୍ଦୁଝର ଜେଲରେ ଦୀର୍ଘ ୨୬ ବର୍ଷର ସଜା କାଟିସାରିଲେଣି ଦାରା। ଏହି ମାମଲାରେ ଇତି ମଧ୍ୟରେ ପ୍ରାୟ ୧୧ ଜଣ ଖଲାସ ହୋଇସାରିଲେଣି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।