Odisha MLAs' Orientation: ବିଧାୟକ ଓ ସାଂସଦଙ୍କୁ ଉପରାଷ୍ଟ୍ରପତିଙ୍କ ଗୁରୁମନ୍ତ୍ର; 'ଲୋକଙ୍କ ବିଶ୍ବାସ ଜିତ, ମର୍ଯ୍ୟାଦା ବଜାୟ ରଖ'
ବିଧାନସଭାର ଶୀତ ଅଧିବେଶନ ପୂର୍ବରୁ ବିଧାୟକ ଓ ସାଂସଦଙ୍କ ପାଇଁ ଆୟୋଜିତ ପ୍ରଶିକ୍ଷଣ ଶିବିରକୁ ନେଇ ରାଜନୀତି ସରଗରମ।
ଗୋଟିଏ ପଟେ ଉପରାଷ୍ଟ୍ରପତିଙ୍କ ପରାମର୍ଶ ଓ ମାର୍ଗଦର୍ଶନ, ଅନ୍ୟପଟେ ବିରୋଧୀ ଦଳର ଅନୁପସ୍ଥିତିକୁ ନେଇ ଆରୋପ ପ୍ରତ୍ୟାରୋପ।
ଶିବିରରେ ଯୋଗଦେବାକୁ ନେଇ ଶାସକ ଓ ବିରୋଧୀଙ୍କ ମଧ୍ୟରେ ଆରମ୍ଭ ହୋଇଛି ବାକ୍ ଯୁଦ୍ଧ।
ଏପଟେ ଲୋକଙ୍କ ବିଶ୍ବାସ ଜିତି ମର୍ଯ୍ୟାଦା ବଜାୟ ରଖିବାକୁ ଓରିଏଣ୍ଟେସନରେ ନୂଆ ଓ ଅଭିଜ୍ଞ ବିଧାୟକ-ସାଂସଦଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି ଉପରାଷ୍ଟ୍ରପତି।
Advertisment ବିଧାନସଭା ଓ ସଂସଦର ବିଧି ବ୍ୟବସ୍ଥା ସଂପର୍କରେ ଜ୍ଞାନ ଆହରଣ କରିବା ସହ ନିୟମ ଓ ପ୍ରକ୍ରିୟାକୁ ଭଲ ଭାବେ ବୁଝିବାକୁ ଦେଲେ ପରାମର୍ଶ।
ନୂଆ ଓ ଅଭିଜ୍ଞ ବିଧାୟକ, ସାଂସଦଙ୍କ ପାଇଁ ଆୟୋଜିତ ଓରିଏଣ୍ଟେସନ୍ କାର୍ଯ୍ୟକ୍ରମରେ ଯୋଗଦେଇ ଏଭଳି ମନ୍ତବ୍ୟ ରଖିଛନ୍ତି ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ।
ନିଜ ଅଭିଭାଷଣରେ ସେ ସୁଭାଷ ଚନ୍ଦ୍ର ବୋଷ, ବିଜୁ ପଟ୍ଟନାୟକ ଓ ରବି ରାୟଙ୍କ ଅବଦାନକୁ ସ୍ମରଣ କରିଥିଲେ।
ତାମିଲନାଡୁର କାମରାଜଙ୍କ ସହ ବିଜୁ ପଟ୍ଟନାୟକଙ୍କ ତୁଳନା କରିବା ସହ ଓଡ଼ିଶା ମାଟିର ଗୌରବ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ କଥା ମଧ୍ୟ ଉଲ୍ଲେଖ କରିଥିଲେ।
ବିକଶିତ ଭାରତ-୨୦୪୭ ଓ ମିଶନ ଓଡ଼ିଶା-୨୦୩୬ର ଲକ୍ଷ୍ୟ ହାସଲରେ ବିଧାୟକ ଓ ସାଂସଦଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ।
ମତାମତରେ ଭିନ୍ନତା ଥାଇପାରେ, କିନ୍ତୁ ସମ୍ବିଧାନ ଗୋଟିଏ।
ଶୂନ୍ୟକାଳ, ପ୍ରଶ୍ନକାଳ, କାର୍ଯ୍ୟ ପରାମର୍ଶଦାତା କମିଟି ଓ ପବ୍ଲିକ୍ ଆକାଉଣ୍ଟସ୍ କମିଟିର ଗୁରୁତ୍ୱ ବୁଝିବାକୁ ଦେଇଥିଲେ ପରାମର୍ଶ।
ଏଥିସହ AI ଓ ଡିଜିଟାଲ୍ ଟେକ୍ନୋଲୋଜିର ଉପଯୋଗ ଏବଂ ଗୃହ କମିଟିର କାର୍ଯ୍ୟକୁ ଗୁରୁତ୍ୱ ଦେବାକୁ କହିଥିଲେ ଉପରାଷ୍ଟ୍ରପତି।
Advertisment ସେପଟେ ପ୍ରଶିକ୍ଷଣ ଶିବିରରେ ବିଜେଡି ଓ କଂଗ୍ରେସର ଅନୁପସ୍ଥିତିକୁ ନେଇ ତେଜିଛି ରାଜନୀତି।
ବିରୋଧୀ ଦଳର ସଦସ୍ୟମାନେ ଶିବିରରେ ଯୋଗ ନଦେବାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ।
ଏଭଳି କାର୍ଯ୍ୟକ୍ରମ ସମସ୍ତ ବିଧାୟକ ଓ ସାଂସଦଙ୍କ ପାଇଁ ଉଦ୍ଦିଷ୍ଟ ଥିଲା।
ଉପରାଷ୍ଟ୍ରପତି ନିଜ ଅଭିଜ୍ଞତା ବାଣ୍ଟିବା ସହ ଅନେକ ଗୁରୁତ୍ୱପୂର୍ଣ୍ଣ କଥା ଶିଖାଇଛନ୍ତି।
ଶିକ୍ଷା ଏକ ନିରନ୍ତର ପ୍ରକ୍ରିୟା, ତେଣୁ ସମସ୍ତଙ୍କୁ ଏଥିରେ ଯୋଗଦେବାର ଥିଲା।
ବିରୋଧୀ ଦଳ ବିଧାୟକମାନେ ଏଥିରେ ଯୋଗ ନଦେଇ ଉପରାଷ୍ଟ୍ରପତିଙ୍କ ପ୍ରତି ଅସମ୍ମାନ ପ୍ରଦର୍ଶନ କରିଛନ୍ତି।
ସେପଟେ ବିଜେଡି ଓ କଂଗ୍ରେସର ନିଲମ୍ବିତ ବିଧାୟକମାନେ କିନ୍ତୁ ପ୍ରଶିକ୍ଷଣ ଶିବିରରେ ଯୋଗଦେଇଥିଲେ।
କଂଗ୍ରେସ ପକ୍ଷରୁ ବୟକଟ୍ ସଂପର୍କରେ ତାଙ୍କୁ କୌଣସି ସୂଚନା ଦିଆଯାଇନଥିବା କହିଛନ୍ତି ନିଲମ୍ବିତ ବିଧାୟିକା ସୋଫିଆ ଫିର୍ଦ୍ଦୋସ।
ଅନ୍ୟପଟେ ବିଜେଡିର ଅନୁପସ୍ଥିତି ସଂପର୍କରେ ଜାଣି ନଥିବା କହିଛନ୍ତି ନିଲମ୍ବିତ ବିଧାୟକ ଅରବିନ୍ଦ ମହାପାତ୍ର।
କହଛନ୍ତି ବିଜେଡି ସଦସ୍ୟମାନେ ଆସିବା କଥା, ହୁଏତ ସେମାନେ ବ୍ୟକ୍ତିଗତ ନିଷ୍ପତ୍ତି ନେଇଥିବେ।
ବିଜେଡି ଓ କଂଗ୍ରେସର ଯୁକ୍ତି ଏହା ଦଳୀୟ କାର୍ଯ୍ୟକ୍ରମ ଭଳି ଲାଗୁଛି।
ଆମ ବିଧାୟକଙ୍କ ଆଚରଣ ଉଚ୍ଚାରଣ ଠିକ୍ ଅଛି।
ଦିନକ ପରେ ବିଧାନସଭାର ଶୀତ ଅଧିବେଶନ।
ଦେଖିବାର କଥା ସେତେବେଳେ ବିଧାୟକମାନଙ୍କ ଆଚରଣ ଓ ଉଚ୍ଚାରଣ କିଭଳି ରହୁଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
