Odisha Irrigation: କୋଦାଳ ଧରି ୨କିମି କେନାଲ ନିର୍ମାଣ କଲେ ଗ୍ରାମବାସୀ; ଚାଷଜମିରେ ହସିବ ଫସଲ

Jun 26, 2026 - 11:19
Odisha Irrigation: କୋଦାଳ ଧରି ୨କିମି କେନାଲ ନିର୍ମାଣ କଲେ ଗ୍ରାମବାସୀ; ଚାଷଜମିରେ ହସିବ ଫସଲ

"ପାରଳାଖେମୁଣ୍ଡି (ସୁଜିତ ବିଷୋୟୀ): ସରକାରୀ ଅବହେଳା ମଧ୍ୟରେ ନିଜ ଚାଷଜମିକୁ ଜଳସେଚନ ସୁବିଧା ପହଞ୍ଚାଇବା ପାଇଁ ଶ୍ରମଦାନର ଅନନ୍ୟ ଉଦାହରଣ ସୃଷ୍ଟି କରିଛନ୍ତି ଗଜପତି ଜିଲ୍ଲାର ତିନିଟି ଗାଁର ଲୋକେ।

ଦୀର୍ଘ ୧୨ ବର୍ଷ ଧରି କେନାଲ ନିର୍ମାଣ ଦାବି ସତ୍ତ୍ୱେ କୌଣସି ପଦକ୍ଷେପ ନ ନିଆଯିବାରୁ ଶେଷରେ ଗ୍ରାମବାସୀମାନେ ନିଜେ ହାତରେ କେନାଲ ଖନନ କାର୍ଯ୍ୟ ଆରମ୍ଭ କରିଛନ୍ତି।

ନିଜର ଚାଷଜମିରେ ଫସଲ ଉତ୍ପାଦନ କରିବା ପାଇଁ ଗ୍ରାମବାସୀମାନେ ବଡ଼ ଉଦ୍ୟମ କରିଛନ୍ତି।

ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ମୋହନା ବ୍ଲକର ଦୁର୍ଗମ ବିରିକୋଟ ଓ ଗୁଲୁବା ଗ୍ରାମ ପଞ୍ଚାୟତ ଅଞ୍ଚଳରେ।

ଏହି ଦୁଇ ପଞ୍ଚାୟତ ଅନ୍ତର୍ଗତ ତେଲେଙ୍ଗାପଦା, ଡେଙ୍ଗିଲି ଓ କୁଡ଼ିକିମା ଗାଁର ପ୍ରାୟ ୨୦୦ ଏକର ଚାଷ ଜମି ଜଳସେଚନ ଅଭାବରୁ ବର୍ଷବର୍ଷ ଧରି ପଡ଼ିଆ ପଡ଼ି ରହିଥିଲା।

ଏବେ ଏହି ଜମିରେ ଫସଲ ହସିବ ବୋଲି ଆଶା କରୁଛନ୍ତି।

Advertisment ସରକାରୀ ଅବହେଳା ସ୍ପଷ୍ଟ ଗ୍ରାମବାସୀଙ୍କ ଦୀର୍ଘଦିନର ଦାବି ପରେ OTELP ଯୋଜନା ମାଧ୍ୟମରେ ଏକ ଚେକ୍ ଡ୍ୟାମ୍ ନିର୍ମାଣ କରାଯାଇଥିଲା।

କିନ୍ତୁ ଚେକ୍ ଡ୍ୟାମରୁ ଚାଷ ଜମିକୁ ପାଣି ପହଞ୍ଚାଇବା ପାଇଁ ଆବଶ୍ୟକ କେନାଲ ନିର୍ମାଣ କରାଯାଇନଥିଲା।

ଫଳରେ ଚେକ୍ ଡ୍ୟାମ ଥିଲେ ମଧ୍ୟ ଚାଷୀମାନେ ଏହାର ସୁଫଳ ପାଇପାରୁନଥିଲେ।

ଏନେଇ ଗତ ୧୨ ବର୍ଷ ଧରି ଚାଷୀ ଓ ଗ୍ରାମବାସୀମାନେ ବିଭିନ୍ନ ସରକାରୀ କାର୍ଯ୍ୟାଳୟରେ ବାରମ୍ବାର ଦାବି ଜଣାଇଥିଲେ।

ତଥାପି ସମସ୍ୟାର ସମାଧାନ ହୋଇନଥିଲା।

ସରକାର ଚେକ୍ ଡ୍ୟାମ ନିର୍ମାଣ କରିଥିବା ବେଳେ କେନାଲ ନିର୍ମାଣକୁ ଅଣଦେଖା କରିବାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା।

ଶେଷରେ ବାଧ୍ୟ ହୋଇ ତେଲେଙ୍ଗାପଦା, ଡେଙ୍ଗିଲି ଓ କୁଡ଼ିକିମା ଗ୍ରାମର ଲୋକେ ନିଜ ଶ୍ରମ ଦାନ କରି ପ୍ରାୟ ଦୁଇ କିଲୋମିଟର ଲମ୍ବା କେନାଲ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଛନ୍ତି।

ପ୍ରାୟ ଏକ ମାସ ଧରି ଏହି କାମ ଜାରି ରହିଛି।

ଗ୍ରାମବାସୀଙ୍କ ଆଶା, କେନାଲ ନିର୍ମାଣ ସମ୍ପୂର୍ଣ୍ଣ ହେଲେ ୨୦୦ ଏକରରୁ ଅଧିକ ଚାଷ ଜମିକୁ ପାଣି ପହଞ୍ଚିବ ଏବଂ ଦୀର୍ଘଦିନ ଧରି ପଡ଼ିଆ ପଡ଼ିଥିବା ଜମିରେ ପୁଣି ଚାଷ କାର୍ଯ୍ୟ ସମ୍ଭବ ହେବ।

ଗ୍ରାମବାସୀଙ୍କ ଏହି ଉଦ୍ୟମ ଏକପଟେ ସେମାନଙ୍କର ଏକତା ଓ ସଂକଳ୍ପକୁ ପ୍ରମାଣିତ କରୁଥିବା ବେଳେ ଅନ୍ୟପଟେ ଗ୍ରାମାଞ୍ଚଳରେ ଜଳସେଚନ ଭିତ୍ତିଭୂମି ନିର୍ମାଣରେ ସରକାରୀ ଅବହେଳାକୁ ପୁଣିଥରେ ପଦାରେ ପକାଇଛି।

Tamilnadu: ତାମିଲନାଡୁ ଗ୍ୟାସ ଟ୍ରାଜେଡି ମୃତ୍ୟୁ ସଂଖ୍ୟା ୧୦କୁ ବୃଦ୍ଧି "