West Bengal: ସୋମବାର ପଶ୍ଚିମବଙ୍ଗ ବିଧାନସଭାରେ ଉପସ୍ଥାପନ ହୋଇପାରେ ସମାନ ନାଗରିକ ସଂହିତା ବିଲ୍
କୋଲକାତା: ପଶ୍ଚିମବଙ୍ଗର ଶୁଭେନ୍ଦୁ ଅଧିକାରୀଙ୍କ ନେତୃତ୍ୱାଧୀନ ବିଜେପି ସରକାର ଚଳିତ ବଜେଟ ଅଧିବେଶନରେ ସୋମବାର ବିଧାନସଭାରେ ସମାନ ନାଗରିକ ସଂହିତା (ୟୁସିସି) ବିଲ୍ ଉପସ୍ଥାପନ କରିବାକୁ ଯାଉଥିବା ‘ଇଣ୍ଡିଆ ଟୁଡେ’ ସୂତ୍ରରୁ ଜଣାପଡ଼ିଛି। ରାଜ୍ୟରେ ବିଜେପି କ୍ଷମତାକୁ ଆସିବା ପରେ ୟୁସିସି ଲାଗୁ କରିବା ପାଇଁ ଦେଇଥିବା ଛଅ ମାସର ସମୟସୀମାର ବହୁ ପୂର୍ବରୁ ଏହି ପଦକ୍ଷେପ ନିଆଯାଉଛି।
‘ସଂକଳ୍ପ ପତ୍ର’ ପ୍ରକାଶ
ପ୍ରସ୍ତାବିତ ୟୁସିସି ବିଲ୍କୁ ରାଜ୍ୟର ପ୍ରଥମ ବିଜେପି ସରକାରଙ୍କ ସବୁଠାରୁ ଗୁରୁତ୍ବପୂର୍ଣ୍ଣ ନୀତିଗତ ପଦକ୍ଷେପ ମଧ୍ୟରୁ ଗୋଟିଏ ଭାବରେ ଦେଖାଯାଉଛି। ୨୦୨୬ ବିଧାନସଭା ନିର୍ବାଚନ ପୂର୍ବରୁ ଦଳ ଏହାର ଇସ୍ତାହାରରେ ପ୍ରତିଶ୍ରୁତି ଦେଇଥିଲା ଯେ, ପଶ୍ଚିମବଙ୍ଗରେ ଦାୟିତ୍ୱ ଗ୍ରହଣ କରିବାର ଛଅ ମାସ ମଧ୍ୟରେ ୟୁସିସି କାର୍ଯ୍ୟକାରୀ କରିବ। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏପ୍ରିଲରେ ଦଳର ନିର୍ବାଚନ ଇସ୍ତାହାର ‘ସଂକଳ୍ପ ପତ୍ର’ ପ୍ରକାଶ କରିବା ସମୟରେ ଏହି ପ୍ରତିଶ୍ରୁତି ଉପରେ ଆଲୋକପାତ କରିଥିଲେ।
ଧର୍ମଭିତ୍ତିକ ବ୍ୟକ୍ତିଗତ ଆଇନକୁ ପରିବର୍ତ୍ତନ କରି ସମସ୍ତ ନାଗରିକଙ୍କ ପାଇଁ ବିବାହ, ଛାଡପତ୍ର, ଉତ୍ତରାଧିକାର ଓ ପୋଷ୍ୟ ଗ୍ରହଣ ଭଳି ବିଷୟ ଉପରେ ସମାନ ଆଇନ ପାଇଁ ଏଥିରେ ପ୍ରସ୍ତାବ ଦେଉଛି। ବିଶେଷ ଭାବରେ ବହୁବିବାହ ଓ ତିନି ତଲାକ ଉପରେ ପ୍ରତିବନ୍ଧକ ଅନ୍ତର୍ଭୁକ୍ତ। ବିଜେପି ବର୍ଷ ବର୍ଷ ଧରି କହିଆସୁଛି ଯେ, ଜାତୀୟ ଏକତାକୁ ଅଧିକ ସୁଦୃଢ଼ କରିବା ଓ ଆଇନ ଆଗରେ ସମାନତା ପାଇଁ ୟୁସିସି ଜରୁରୀ।