Odisha Faces Higher Education Crisis: ଉଚ୍ଚଶିକ୍ଷାରେ ବଡ଼ ସଙ୍କଟ, କାହିଁକି କଲେଜ ଯାଉନାହାନ୍ତି ପିଲା?
ରିପୋର୍ଟ କିଛି ଏମିତି, ଯାହା ରାଜ୍ୟର ଉଚ୍ଚଶିକ୍ଷା ବ୍ୟବସ୍ଥା ବିରୋଧରେ ଛିଡ଼ା କରିଛି ବଡ଼ ପ୍ରଶ୍ନ।
ଚଳିତ ବିଧାନସଭାର ତଥ୍ୟ କିଛି ଏମିତି, ଯାହା ଯୋଜନା ଓ ବାସ୍ତବତାର ବଡ଼ ଫାଙ୍କକୁ ଅଙ୍ଗୁଳି ଦେଖାଉଛି।
ଶିକ୍ଷାବର୍ଷ ୨୦୨୫-୨୬।
ରାଜ୍ୟର ଉଚ୍ଚଶିକ୍ଷାନୁଷ୍ଠାନରେ ଖାଲି ପଡ଼ିଛି ୭୯ ହଜାର ୯୬୧ଟି ସିଟ୍।
ସେହିପରି ୨୦୨୪-୨୫।
ସଂଖ୍ୟା ଥିଲା ୭୩ ହଜାର ୨୦।
ଆଉ ୨୦୨୩-୨୪।
ସଂଖ୍ୟା ଥିଲା ୮୫ ହଜାର ୫୩୫ଟି।
Advertisment ଅର୍ଥାତ୍, ଲଗାତାର ୩ଟି ଶିକ୍ଷାବର୍ଷ ଧରି ଶୂନ୍ୟ ହୋଇପଡ଼ିଛି ପ୍ରାୟ ୮୦ ହଜାର।
କେବଳ ସିଟ୍ ନୁହେଁ, ଏହି ୩ ବର୍ଷରେ ୧୭ ହଜାର ୨୫୦ ପିଲା ଅଧାରୁ ଛାଡ଼ି ଦେଇଛନ୍ତି କଲେଜ ପାଠ।
ଗତ ଶିକ୍ଷାବର୍ଷ ତଥା ୨୦୨୫-୨୬ରେ ଏହି ସଂଖ୍ୟା ୫ ହଜାର ୪୫୯ ଥିଲା।
ତେବେ ଏହା କେବଳ ଏକ ପରିସଂଖ୍ୟାନ ନୁହେଁ, ବରଂ ହଜାର ହଜାର ଛାତ୍ରଛାତ୍ରୀଙ୍କ ଅଧୁରା ସ୍ୱପ୍ନର କାହାଣୀ।
ଉଦବେଗଜନକ କଥା ହେଉଛି, ୨୦୨୫-୨୦୨୬ ଶିକ୍ଷାବର୍ଷରେ ୬୪୬ ପିଲାଙ୍କ ଡ୍ରପଆଉଟ୍ ସହ ଗଞ୍ଜାମ ପ୍ରଥମ ଏବଂ ୫୩୮ ସହ ଦ୍ବିତୀୟ ସ୍ଥାନରେ ରହିଛି ମୟୁରଭଞ୍ଜ ଜିଲ୍ଲାର ଡ୍ରପ୍ ଆଉଟ୍ ହାର।
ପ୍ରଶ୍ନ ଉଠୁଛି, ଯେଉଁ ରାଜ୍ୟରେ ଗରିବ ପିଲାଟିଏ ଉଚ୍ଚଶିକ୍ଷା ପାଇଁ ଦିନରାତି ସଂଘର୍ଷ କରୁଛି, ସେଇଠି କାହିଁକି କଲେଜ ଗୁଡ଼ିକରେ ଫାଙ୍କା ପଡୁଛି ସିଟ୍ ?
ଉଚ୍ଚଶିକ୍ଷାରେ ଖର୍ଚ୍ଚ ନା ଡିଗ୍ରୀ ପରେ ଚାକିରିର ଅନିଶ୍ଚିତତା ?
ପାଠ୍ୟକ୍ରମ ଓ ନିଯୁକ୍ତିଦାତାଙ୍କ ଆବଶ୍ୟକତା ମଧ୍ୟରେ ରହୁନି କି ତାଳମେଳ ?
ନା କଲେଜ ଗୁଡ଼ିକରେ ଭିତ୍ତିଭୂମିର ଅଭାବରୁ କଲେଜ ପାଠରୁ ମୁହଁ ମୋଡୁଛନ୍ତି ଛାତ୍ରଛାତ୍ରୀ ?
ଶିକ୍ଷାବିତଙ୍କ ମତ, ସ୍କୁଲ ସ୍ତରରେ ଚୌକି ଟେବୁଲ୍ ପାସ୍ ଭଳି ନିୟମ ଯୋଗୁ ବହୁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ରହୁନି ପ୍ରତିଯୋଗୀତାମୂଳକ ମନୋଭାବ।
ପାଠର ମୂଳଦୁଆ ଠିକ୍ ନଥିବାରୁ ଉଚ୍ଚଶିକ୍ଷା ବେଳକୁ ପଛରେ ପଡ଼ୁଛନ୍ତି, କିଏ ପାଠ ଛାଡୁଛନ୍ତି ତ ଆଉ କିଏ କିଏ ଫେଲ୍ ହେବା ପରେ କଲେଜ ଆଉ ଯାଉନାହାଁନ୍ତି।
ଆଉ କିଛି ଡିଗ୍ରୀ ବଦଳରେ ରୋଜଗାରକୁ ବାଛି ପାଠଶାଠ ଛାଡ଼ି ରାଜ୍ୟ ବାହାରକୁ ଚାଲିଯାଉଛନ୍ତି।
Advertisment ବିଭାଗୀୟ ମନ୍ତ୍ରୀଙ୍କ କହିବା କଥା, ଉଚ୍ଚଶିକ୍ଷାରେ ଗତ ୩ ବର୍ଷରେ ଯେତିକି ଡ୍ରପ୍ ଆଉଟ୍ ହୋଇଛନ୍ତି, ସେଥିରେ ଏବେ ଧିରେ ଧିରେ ସୁଧାର ଆସୁଛି।
ଜାତୀୟ ଶିକ୍ଷା ନୀତି ପ୍ରଣୟନ ହେବା ପରେ ଡ୍ରପଆଉଟ୍ ପିଲାଙ୍କ ସ୍ଥିତି ଅନୁଯାୟୀ ସାର୍ଟିଫିକେଟ ଦେବା ପାଇଁ ଯୋଜନା ଜାରି ରହିଛି।
ଚଳିତ ଶିକ୍ଷାବର୍ଷରେ ଡ୍ରପଆଉଟ୍ ବହୁ ଭାବେ ହ୍ରାସ ପାଇଛି, ଯାହା ଆଶ୍ବସ୍ତିକର ବିଷୟ।
ଏବର୍ଷ କଳାହାଣ୍ଡି, କୋରାପୁଟ ଓ ରାୟଗଡା ଭଳି ଜିଲ୍ଲା ମାନଙ୍କରେ ୯୯ %ରୁ ଅଧିକ ସିଟରେ ଏନରୋଲମେଣ୍ଟ ହୋଇଛି।
ଦୀର୍ଘ ଦିନର ଶୂନ୍ୟସ୍ଥାନ ଭରଣାରେ ଟିକେ ସମୟ ଲାଗୁଛି।
ସିଟ୍ ଖାଲି ରହିବା ଏକ ପରିସଂଖ୍ୟାନ ହୋଇପାରେ, କିନ୍ତୁ ଶିକ୍ଷାରୁ ବଞ୍ଚିତ ହେବା ଗୋଟିଏ ପିଢ଼ିର ଭବିଷ୍ୟତକୁ ପ୍ରଭାବିତ କରିପାରେ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
