Odisha Faces Anaemia Concern: ଓଡ଼ିଶାର ୫୩.୪% ମହିଳା ରକ୍ତହୀନତାରେ ଆକ୍ରାନ୍ତ, ICMR ରିପୋର୍ଟରେ ଚିନ୍ତାଜନକ ଚିତ୍ର

Nov 25, 2026 - 20:44
Odisha Faces Anaemia Concern: ଓଡ଼ିଶାର ୫୩.୪% ମହିଳା ରକ୍ତହୀନତାରେ ଆକ୍ରାନ୍ତ, ICMR ରିପୋର୍ଟରେ ଚିନ୍ତାଜନକ ଚିତ୍ର

ମହିଳାଙ୍କୁ ବିପଦ ରକ୍ତହୀନତା ରୋଗ। ଓଡ଼ିଶାରେ ବଢ଼ିଛି ଆନିମିଆ ଚିନ୍ତା। ୫୩.୪ ପ୍ରତିଶତ ମହିଳା ପଡ଼ିଛନ୍ତି ଏହି ରୋଗରେ। ମହିଳାଙ୍କ ସ୍ୱାସ୍ଥ୍ୟବସ୍ଥାର ପୋଲ୍ ଖୋଲିଲା ICMR ସର୍ଭେ ରିପୋର୍ଟ। ଏମାନେ ହେଉଛନ୍ତି ମୟୁରଭଞ୍ଜ ଜିଲ୍ଲା ପାହାଡ଼ତଳି ଗାଁ କେନ୍ଦୁଝରିର ବାସିନ୍ଦା। କାହା ଶରୀର ଦୁର୍ବଳ ତ ଆଉ କାହା ମୁହଁ ପଡ଼ିଯାଇଛି ଶେତା। ଗର୍ଭବତୀ ହୁଅନ୍ତୁ କି ଶିଶୁ, କିଶୋରୀ ହୁଅନ୍ତୁ କି ବୟସ୍କା। ପ୍ରତିଦିନ ଶ୍ୟାମାଖୁଣ୍ଟା ବ୍ଲକର ରଙ୍ଗାମାଟିଆ ସିଏଚସିକୁ ଏଭଳି ଅନେକ ରୋଗୀ ଆସୁଛନ୍ତି ଚିକିତ୍ସା ପାଇଁ। କୁହାଯାଉଛି, ଏମାନଙ୍କ ପାଖରେ ଦେଖିବାକୁ ମିଳିଛି ରକ୍ତହୀନତାର ଲକ୍ଷଣ। ସମାନ ଅବସ୍ଥା ମାଲାକାନଗିରି ଜିଲ୍ଲା ବଣ ପାହାଡ଼ ଇଲାକାରେ। ଜୀର୍ଣ୍ଣଶୀର୍ଣ୍ଣ ଶରୀର ଧରି ବୁଲୁଛନ୍ତି ମହିଳା। ଆର୍ଥିକ ସମସ୍ୟାରୁ ହେଉ କି ସଚେତନତାର ଅଭାବ। ନା ଖାଉଛନ୍ତି ପୁଷ୍ଟିକର ଖାଦ୍ୟ, ନା ସ୍ବାସ୍ଥ୍ୟପ୍ରତି ରହିଛନ୍ତି ଯତ୍ନବାନ। ପରିଣାମ ସ୍ବରୂପ ରକ୍ତହୀନତାର ଶିକାର ହୋଇ କଲବଲ ହେଉଛନ୍ତି ଉପାନ୍ତ ଇଲାକାରେ।  

ଦେଶରେ ରକ୍ତହୀନତା ସମସ୍ୟାକୁ ନେଇ ICMRର ସର୍ଭେ ବି କରିଛି ଚକିତ। ଯେଉଁଠି ଓଡ଼ିଶାର ମହିଳାଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତାଜନକ ଚିତ୍ର ରହିଛି। ୨୦ରୁ ୫୯ ବର୍ଷ ବୟସ ବର୍ଗରେ ୫୩.୪ % ରକ୍ତହୀନତାରେ ଆକ୍ରାନ୍ତ। ଏହି ହାର ଜାତୀୟ ସ୍ତରରେ ୫୪.୮ %। ସେହିପରି ୧୫ରୁ ୪୯ ବର୍ଷ ବୟସର ମହିଳାଙ୍କ ମଧ୍ୟରେ ଓଡ଼ିଶାରେ ରକ୍ତହୀନତାର ହାର ୫୧.୩ %। ଯାହା ଦେଶରେ ୫୫.୯ %। ଆଶ୍ଚର୍ଯ୍ୟର କଥା ହେଉଛି, ଶିଶୁଙ୍କ କ୍ଷେତ୍ରରେ ମଧ୍ୟ ରକ୍ତହୀନତାର ପ୍ରଭାବ ରହିଛି। ୧୨ରୁ ୫୯ ମାସ ବୟସର ୩୫.୮ ପ୍ରତିଶତ ଶିଶୁ ଏଥିରେ ଆକ୍ରାନ୍ତ। ସେହିପରି ୧୦ରୁ ୧୯ ବର୍ଷ ବୟସର କିଶୋରୀଙ୍କ ମଧ୍ୟରେ ୪୫% ରକ୍ତହୀନତାର ଶିକାର ହେଉଛନ୍ତି। ତେବେ ୬୦ ବର୍ଷରୁ ଅଧିକ ବୟସର ମହିଳାଙ୍କ କ୍ଷେତ୍ରରେ ସ୍ଥିତି ଉଦବେଗଜନକ। ଏହି ବୟସ ବର୍ଗର ୫୯.୬ % ମହିଳା ରକ୍ତହୀନତାରେ ଆକ୍ରାନ୍ତ। ଜାତୀୟ ହାର ୫୫.୭ ପ୍ରତିଶତ ତୁଳନାରେ ଓଡ଼ିଶାର ସ୍ଥିତି ଖରାପ ରହିଛି। 

ଶରୀରରେ ହିମୋଗ୍ଲୋବିନର ମାତ୍ରା ଆବଶ୍ୟକ ସ୍ତରଠାରୁ କମିଗଲେ ଦେଖାଦିଏ ରକ୍ତହୀନତା ରୋଗ। ମହିଳାଙ୍କ କ୍ଷେତ୍ରରେ ଏହାର କାରଣ ଅନେକ। ଖାଦ୍ୟରେ ଆଇରନ୍ ବା ଲୌହସାରର ଅଭାବ, ପୋଷଣଯୁକ୍ତ ଖାଦ୍ୟ ନ ଖାଇବା, ଅତ୍ୟଧିକ ମାସିକ ଋତୁସ୍ରାବ, ଶରୀରରେ ଭିଟାମିନ୍ B12 ଓ ଫୋଲେଟର ଅଭାବ ସହ କିଛି ସଂକ୍ରମଣ ଓ ଦୀର୍ଘକାଳୀନ ରୋଗ। ଏସବୁ କାରଣ ପାଇଁ ଥକାପଣ ଲାଗିବା ସହ ଶରୀର ଦୁର୍ବଳ ହେବା, ମୁଣ୍ଡ ବୁଲାଇବା, ଅଳ୍ପ କାମରେ ଧଇଁସଇଁ ଲାଗିଥାଏ। ଚର୍ମ ଓ ଆଖିର ଭିତର ଅଂଶ ବି ଫିକା ପଡ଼ିଯିବା ଦେଖାଯାଇଥାଏ। ତେଣୁ ଦୈନନ୍ଦିନ ଖାଦ୍ୟରେ ଶାଗ, ପାଳଙ୍ଗ, ଡାଲି, ବୁଟ, ରାଜମା ଓ ଅନ୍ୟାନ୍ୟ ଆଇରନ ଏବଂ ଭିଟାମିନ C ଯୁକ୍ତ ଖାଦ୍ୟ ସାମିଲ କରିବା ଉଚିତ। ଆବଶ୍ୟକତା ଅନୁସାରେ ଡାକ୍ତରଙ୍କ ପରାମର୍ଶରେ ଆଇରନ୍ ଓ ଫୋଲିକ୍ ଏସିଡ୍ ମେଡ଼ିସିନ ବି ଖାଇବା ଦରକାର। 

କେବଳ ମହିଳା ନୁହଁନ୍ତି ପୁରୁଷଙ୍କ ମଧ୍ୟରେ ବି ବୟସ ବଢ଼ିବା ସହ ରକ୍ତହୀନତାର ହାର ବଢୁଛି। ୨୦ରୁ ୫୯ ବର୍ଷ ବୟସର ପୁରୁଷଙ୍କ ମଧ୍ୟରେ ରାଜ୍ୟରେ ୨୨.୭ ପ୍ରତିଶତ ଆକ୍ରାନ୍ତ। ଯାହାର ଜାତୀୟ ହାର ୨୨ %। ୬୦ ବର୍ଷରୁ ଅଧିକ ବୟସର ପୁରୁଷଙ୍କ କ୍ଷେତ୍ରରେ ଏହି ହାର ୪୬.୨ % ରହିଛି। 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)