Odisha disaster preparedness ସୁଦୃଢ଼ ହେବ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା, ଏଲ୍ନିନୋ, ଶୂନମୃତ୍ୟୁ ପ୍ରମୁଖ ପ୍ରସଙ୍ଗ
"ଭୁବନେଶ୍ୱର : ରାଜ୍ୟରେ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ବ୍ୟବସ୍ଥା ସୁଦୃଢ଼ ହେବ।
ରାଜ୍ୟରେ ଥିବା ୯୧୧ଟି ବହୁମୁଖି ଆଶ୍ରୟସ୍ଥଳୀର ରକ୍ଷଣାବେକ୍ଷଣ ଓ ମରାମତି ପାଇଁ ପ୍ରତ୍ୟେକ ୬ଲକ୍ଷ ଟଙ୍କା ପ୍ରଦାନ କରାଯିବ, ବିପର୍ଯ୍ୟୟ ସମୟରେ ଶୂନମୃତ୍ୟୁକୁ ସର୍ବାଧିକ ଗୁରୁତ୍ବ ଦିଆଯିବ ବୋଲି ଆଜି "ରାଜ୍ୟସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକ-୨୦୨୬" (SLNCC)ରେ ନିଷ୍ପତ୍ତି ଗ୍ରହଣ କରାଯାଇଛି।
Advertisment ଲୋକସେବା ଭବନ କନଭେନସନ୍ ସେଣ୍ଟର ଠାରେ ଅନୁଷ୍ଠିତ ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଅଧ୍ୟକ୍ଷତା କରିଥିଲେ।
ଉପ-ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦେଓ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ, ମୁଖ୍ୟଶାସନ ସଚିବ ଅନୁ ଗର୍ଗଙ୍କ ସମେତ ରାଜ୍ୟ ମନ୍ତ୍ରମଣ୍ଡଳର ସଦସ୍ୟବୃନ୍ଦ, ସାଂସଦ, ବିଧାୟକ, ଉନ୍ନୟନ କମିଶନର ଓ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ସମେତ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।
ମୁଖ୍ୟମନ୍ତ୍ରୀ ନିଜର ବକ୍ତବ୍ୟରେ, ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଓଡ଼ିଶା ଏକ ସମ୍ପୂର୍ଣ୍ଣ 'ଫୁଲ୍ ପ୍ରୁଫ୍' ବ୍ୟବସ୍ଥା ବିକଶିତ କରିଛି।
ଏହି ଫୁଲ୍ ପ୍ରୁଫ୍ ବ୍ୟବସ୍ଥାକୁ ବଜାୟ ରଖିବା ଉପରେ ସେ ଗୁରୁତ୍ୱ ଆରୋପ କରିଥିଲେ ।
ଚଳିତ ବର୍ଷ 'ଏଲ୍ ନିନୋ' ପ୍ରଭାବ ଯୋଗୁଁ କମ୍ ବୃଷ୍ଟିପାତ ହେବାର ଆଶଙ୍କା ଥିବାରୁ ଖରିଫ ଫସଲ ଯେପରି ପ୍ରଭାବିତ ନହେବ, ସେଥିପାଇଁ କୃଷି, ଜଳସେଚନ ଓ ଅନ୍ୟ ସମ୍ପୃକ୍ତ ବିଭାଗକୁ ସମନ୍ୱୟ ରକ୍ଷା କରି କାମ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।
କୃଷି ବିଭାଗକୁ ସ୍ୱତନ୍ତ୍ର ଆପଦ୍କାଳୀନ ଯୋଜନା ପ୍ରସ୍ତୁତ ରଖିବାକୁ କହିଛନ୍ତି।
ଓଡ଼ିଶାର ଏହି ସଫଳ 'ଜିରୋ କାଜୁଆଲ୍ଟି' (ଶୂନ୍ୟ ମୃତ୍ୟୁହାର) ନୀତି ଆଜି ବିଶ୍ୱବ୍ୟାପୀ ଆଦୃତ ହୋଇଛି।
ନିକଟରେ ପୁରୀଠାରେ ଅନୁଷ୍ଠିତ ବ୍ରିକ୍ସ (BRICS) ବିପର୍ଯ୍ୟୟ ବିପଦ ହ୍ରାସ କାର୍ଯ୍ୟଗୋଷ୍ଠୀର ବୈଷୟିକ ବୈଠକରେ ସଦସ୍ୟ ରାଷ୍ଟ୍ରଗୁଡ଼ିକ ମଧ୍ୟ ରାଜ୍ୟର ଏହି ଦୀର୍ଘକାଳୀନ ବିପର୍ଯ୍ୟୟ ପ୍ରଶମନ ଓ ନିରାକରଣ ବ୍ୟବସ୍ଥାକୁ ଭୂୟସୀ ପ୍ରଶଂସା କରିଛନ୍ତି ବୋଲି ଶ୍ରୀ ମାଝୀ ସୂଚନା ଦେଇଛନ୍ତି।
ଚାଷୀ ଭାଇମାନଙ୍କ ସ୍ୱାର୍ଥ ରକ୍ଷା ପାଇଁ ଆମ ସରକାର ସର୍ବଦା ପ୍ରତିଶ୍ରୁତିବଦ୍ଧ ବୋଲି ମୁଖ୍ୟମନ୍ତ୍ରୀ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।
ଚାଷୀମାନଙ୍କୁ ସହାୟତା ଦେବା ପାଇଁ ରାଜ୍ୟ ସରକାର 'ଅଦିନିଆ ବର୍ଷା'କୁ ଏକ 'ରାଜ୍ୟ-ନିର୍ଦ୍ଦିଷ୍ଟ ବିପର୍ଯ୍ୟୟ' (State Specific Disaster ) ଭାବେ ଘୋଷଣା କରିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।
ଭିତ୍ତିଭୂମି ପ୍ରସ୍ତୁତି କ୍ଷେତ୍ରରେ ରାଜ୍ୟରେ ଥିବା ୯୧୧ଟି ବହୁମୁଖୀ ଆଶ୍ରୟସ୍ଥଳୀର ବାର୍ଷିକ ରକ୍ଷଣାବେକ୍ଷଣ ପାଇଁ ଆଶ୍ରୟସ୍ଥଳୀ ପିଛା ୬ ଲକ୍ଷ ଟଙ୍କା ଲେଖାଏଁ ଜିଲ୍ଲା ପ୍ରଶାସନକୁ ପ୍ରଦାନ କରାଯାଇଛି।
୨୪ ଘଣ୍ଟିଆ ଜରୁରୀକାଳୀନ ନିୟନ୍ତ୍ରଣ କକ୍ଷ ଏବଂ ୧୧୨ ହେଲ୍ପଲାଇନ ସମ୍ପୂର୍ଣ୍ଣ ସକ୍ରିୟ ରହିଛି।
ବିପର୍ଯ୍ୟୟ ସମୟରେ ଗୁଜବ ରୋକିବା ପାଇଁ ଟେଲିଭିଜନ ସହିତ ସୋସିଆଲ ମିଡିଆ ମାଧ୍ୟମରେ ମୋବାଇଲ୍ରେ ଲୋକଙ୍କୁ ସଠିକ୍ ଓ ନିର୍ଭୁଲ ସୂଚନା ଦେବାକୁ ମୁଖ୍ୟମନ୍ତ୍ରୀ ବିଶେଷ ପରାମର୍ଶ ଦେଇଛନ୍ତି।
ବର୍ତ୍ତମାନର ୨୦ଟି ଓଡ୍ରାଫ୍ (ODRAF) ଟିମ୍ ଏବଂ ୩୪୭ଟି ଅଗ୍ନିଶମ କେନ୍ଦ୍ର ଅତ୍ୟାଧୁନିକ ସରଞ୍ଜାମ ସହ ପ୍ରସ୍ତୁତ ଥିବାବେଳେ, ରାଜ୍ୟରେ ଆଉ ୧୦ଟି ନୂତନ ଓଡ୍ରାଫ୍ ବାହିନୀ ଗଠନ ପ୍ରକ୍ରିୟା ଜାରି ରହିଛି ବୋଲି ବୈଠକରେ ସୂଚନା ଦିଆଯାଇଛି।
"