Odisha Celebrates Kartika Purnima: ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା, ‘ଆ କା ମା ବୈ’ ଧ୍ୱନିରେ ପ୍ରକମ୍ପିତ ନଦୀଘାଟ
ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା।
ନୌବାଣିଜ୍ୟ ପରମ୍ପରାକୁ ମନେ ପକାଇ ଡଙ୍ଗା ଭସାଉଛନ୍ତି ଓଡ଼ିଆ।
ବଡ଼ି ଭୋରରୁ ନଦୀ, ପୁଷ୍କରିଣୀ ଓ ସମୁଦ୍ର କୂଳରେ ଜମିଛି ଶ୍ରଦ୍ଧାଳୁଙ୍କ ଭିଡ଼।
ପବିତ୍ର ଜଳରେ ବୁଡ଼ ପକାଇବା ପରେ ଡଙ୍ଗା ଭସାଇ ପାଳନ କରୁଛନ୍ତି ପରମ୍ପରା।
କଦଳୀ ପାଟୁଙ୍ଗାରେ ଡଙ୍ଗା ତିଆରି କରି ସେଥିରେ ପାନ, ଗୁଆ, ଦୀପ ରଖି ଜଳରେ ଭସାଉଛନ୍ତି ଶ୍ରଦ୍ଧାଳୁ।
Advertisment 'ଆ କା ମା ବୈ, ପାନ ଗୁଆ ଥୋଇ, ପାନ ଗୁଆ ତୋର, ମାସକ ଧରମ ମୋର' ଧ୍ୱନିରେ ପ୍ରକମ୍ପିତ ହେଉଛି ନଦୀଘାଟ।
କାର୍ତ୍ତିକ ପୂର୍ଣ୍ଣିମାର ରହିଛି ବିଶେଷ ଧାର୍ମିକ ଓ ଐତିହାସିକ ମହତ୍ତ୍ୱ।
ବିଶ୍ୱାସ ରହିଛି, କାର୍ତ୍ତିକ ମାସରେ ବ୍ରତ ଓ ପୂଜାର୍ଚ୍ଚନା କରି ପୂର୍ଣ୍ଣିମାରେ ଡଙ୍ଗା ଭସାଇଲେ ପରିବାରର ମଙ୍ଗଳ ହୋଇଥାଏ।
ଏହି ବିଶ୍ୱାସ ଓ ପରମ୍ପରାକୁ ନେଇ ଆଜି ଉତ୍ସବମୁଖର ଓଡ଼ିଶା।
ଏପଟେ ଆଜି ପଞ୍ଚୁକର ଶେଷ ଦିନ।
ମାସେ ବ୍ୟାପୀ କାର୍ତ୍ତିକ ବ୍ରତ ଓ ପଞ୍ଚୁକ ପାଳନ କରିଥିବା ହବିଷ୍ୟାଳିମାନେ ଭୋରରୁ ସ୍ନାନ ସାରି ମନ୍ଦିରରେ ଦର୍ଶନ କରୁଛନ୍ତି।
ବିଭିନ୍ନ ଶୈବପୀଠରେ ଅଷ୍ଟଶମ୍ଭୁ ଦର୍ଶନ ସହ ଗାଁ ଗାଁରେ ନାମ ସଂକୀର୍ତ୍ତନର ଆୟୋଜନ ହେଉଛି।
ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ପିଣ୍ଡଦାନ ଓ ବୋଇତ ବନ୍ଦାଣ ମଧ୍ୟ କରାଯାଉଛି।
Advertisment ସେପଟେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼କୁ ଦୃଷ୍ଟିରେ ରଖି ପୁରୀ, ଭୁବନେଶ୍ୱର ଓ ଚନ୍ଦ୍ରଭାଗା ସମେତ ବିଭିନ୍ନ ନଦୀଘାଟ ଓ ଧାର୍ମିକ ସ୍ଥଳରେ ପୋଲିସ ମୁତୟନ କରାଯାଇଛି।
ଶ୍ରୀକ୍ଷେତ୍ର ପୁରୀରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିବା ବେଳେ ସୁରକ୍ଷା ଓ ଭିଡ଼ ନିୟନ୍ତ୍ରଣ ଉପରେ ରହିଛି ପ୍ରଶାସନର ନଜର।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
