Odisha Artists' Federation : ଓଡ଼ିଶା ଶିଳ୍ପୀ ମହାସଂଘର ଚତୁର୍ଦଶ ବାର୍ଷିକ ମହୋତ୍ସବ ମହାସମାରୋହରେ ପାଳିତ
ଫୁଲବାଣୀ: ଓଡିଶା ର ଶିଳ୍ପୀ ଓ ବୁଣାକାର ଓଡିଆ ଅସ୍ମିତାର ପରିଚୟ ବୋଲି ଯାଜପୁର ସାଂସଦ ଡ.
ରବିନ୍ଦ୍ର ନାରାୟଣ ବେହେରା କହିଛନ୍ତି ।
ଶୁକ୍ରବାର ଦିନ ଫୁଲବାଣୀ ସ୍ଥିତ ପାରିଜାତ କଲ୍ୟାଣ ମଣ୍ଡପ ପରିସରରେ ଆୟୋଜିତ ଓଡିଶା ଶିଳ୍ପୀ ମହାସଂଘର ଚତୁର୍ଦଶ ବାର୍ଷିକ ମହୋତ୍ସବ ଉଦଘାଟନ କରି ଆନ୍ଦୋଳନ ପରିବର୍ତ୍ତେ ଆଲୋଚନା ମାଧ୍ୟମରେ ସବୁ ସମସ୍ୟାର ସମାଧାନ ହୋଇପାରିବ ବୋଲି ଡ.
ବେହେରା କହିଛନ୍ତି ।
Advertisment ରାଜ୍ୟ ହସ୍ତଶିଳ୍ପୀ ଓ ବୁଣାକାରଙ୍କର ଅନେକ ସମସ୍ୟା ରହିଛି , ସେ ସବୁ ପ୍ରତି ସରକାର ସହାନୁଭୂତିଶୀଳ ଅଛନ୍ତି ।
ନିଯୁକ୍ତିର ଏକ ପ୍ରମୁଖ କ୍ଷେତ୍ର ଆମ ହସ୍ତତନ୍ତ ଓ ହସ୍ତଶିଳ୍ପ କ୍ଷେତ୍ର ବର୍ଷ ବର୍ଷ ଧରି ଆମ ଗ୍ରାମୀଣ ଅର୍ଥନିତୀକୁ ସମୃଦ୍ଧ କରି ଆସୁଛି ।
ଏହାସହିତ କାରିଗର ବୁଣାକାରଙ୍କୁ ମାସିକ ଆର୍ଥିକ ସହାୟତା ଦେବା ନିମିତ୍ତ ରାଜ୍ୟ ସରକାର ପଦକ୍ଷେପ ନେଇଛନ୍ତି ।
ଓଡିଶା ହସ୍ତତନ୍ତ ଓ ହସ୍ତଶିଳ୍ପ ବିକାଶ ଓ ଉନ୍ନୟନ ପରିଷଦର ଦକ୍ଷତା ବୃଦ୍ଧି ଦିଗରେ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବେ ବୋଲି ସାଂସଦ ବେହେରା କହିଛନ୍ତି ।
ବୁଦ୍ଧ ହେରିଟେଜ ଓଡିଆ ଶିଳ୍ପୀର କୃତି ଓ ବିଶ୍ବବିଦିତ କହି କାରିଗର ଓ ଶିଳ୍ପୀମାନଙ୍କ ସମସ୍ୟାଗୁଡିକର ପୁରଣ ଦିଗରେ ସବୁ ପ୍ରକାରେ ଚେଷ୍ଟା କରିବାକୁ ଡ.
ବେହେରା ପ୍ରତିଶୃତି ଦେଇଛନ୍ତି ।
ଶିଳ୍ପୀମାନଙ୍କ ସମସ୍ୟା ସମାଧାନ ଦିଗରେ ରାଜ୍ୟ ସରକାରଙ୍କ ସହ ଆଲୋଚନାର ସେ ମାଧ୍ୟମ ହେବେ ବୋଲି ମଧ୍ୟ କହିଛନ୍ତି ।
ଓଡିଶା ଶିଳ୍ପୀ ମହାସଂଘର ସଭାପତି ଉଦୟ ମହାନ୍ତି ନିଜ ବକ୍ତବ୍ୟରେ ରାଜ୍ୟ ବୁଣାକାର ଓ କାରିଗରଙ୍କ ପାଇଁ ଗଠିତ ରାଜ୍ୟ ହସ୍ତତନ୍ତ ଓ ହସ୍ତଶିଳ୍ପ ବିକାଶ ଓ ଉନ୍ନୟନ ପରିଷଦର ଭୁବନେଶ୍ବର ଘାଟିକିଆସ୍ଥିତ ରାଜ୍ୟ କାର୍ଯ୍ୟାଳୟ ଏବଂ ଏହା ପରିସରରେ ଥିବା ହଲଗୁଡିକୁ କେନ୍ଦ୍ର ସଂସ୍କୃତି ବିଭାଗ ଅଧୀନସ୍ଥ ନ୍ୟାସନାଲ ମଡର୍ଣ୍ଣ ଆର୍ଟ ଗ୍ୟାଲେରିକୁ ହସ୍ତାନ୍ତର ପାଇଁ ରାଜ୍ୟ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଉଦ୍ୟମର ଦୃଢ ପ୍ରତିବାଦ କରିଥିଲେ ।
ରାଜ୍ୟର କାରିଗରମାନଙ୍କ ସ୍ବାର୍ଥହାନୀକୁ ବରଦାସ୍ତ କରାଯିବ ନାହିଁ ବୋଲି ମଧ୍ୟ ମହାନ୍ତି କହିଥିଲେ ।
ଆଲୋଚନା ମାଧ୍ୟମରେ ସବୁ ସମସ୍ୟାର ସମାଧାନ ହୋଇପାରିବ ଓଡିଶା ଶିଳ୍ପୀ ମହାସଂଘର ସଂପାଦକ ପ୍ରିୟରଂଜନ କର ନିଜ ବକ୍ତବ୍ୟରେ ମୁଖ୍ୟମନ୍ତ୍ରୀ ବରିଷ୍ଠ ବୁଣାକାର ଓ କାରିଗର ସହାୟତା ଯୋଜନାର ସଠିକ କାର୍ଯ୍ୟକାରିତା, ରାଜ୍ୟ ହସ୍ତତନ୍ତ ଓ ହସ୍ତଶିଳ୍ପ ବିକାଶ ଓ ଉନ୍ନୟନ ପରିଷଦର ପରିଚାଳନା ବୋର୍ଡ ଗଠନ ଏବଂ ରାଜ୍ୟ ହସ୍ତତନ୍ତ ଓ ହସ୍ତଶିଳ୍ପ କ୍ଷେତ୍ରର ବଜେଟକୁ ୫ହଜାର କୋଟିକୁ ବୃଦ୍ଧି କରିବାକୁ ମହାସଂଘ ପକ୍ଷରୁ ଦାବୀ ଉପସ୍ଥାପନ କରିଥିଲେ ।
ଅନ୍ୟତମ ଅତିଥି ଭାବେ ରାଷ୍ଟ୍ରୀୟ ପତ୍ରକାର ସଂଘର ରାଜ୍ୟ ସଭାପତି ଡ.
ପବିତ୍ରମୋହନ ସାମନ୍ତରାୟ ଯୋଗ ଦେଇ ରାଜ୍ୟ ହସ୍ତଶିଳ୍ପୀ ଓ ବୁଣାକାରଙ୍କ ସାମଗ୍ରିକ ବିକାଶ ପାଇଁ ଓଡିଶା ଶିଳ୍ପୀ ମହାସଂଘର ଉଦ୍ୟମକୁ ଉଚ୍ଚ ପ୍ରଶଂସା କରିଥିଲେ ।
ଏକାଠି ରହିଲେହିଁ ଏହି ଶିଳ୍ପୀ ଜାତିର ବିକାଶ ସମ୍ଭବ ବୋଲି ଶ୍ରୀ ସାମନ୍ତରାୟ କହିଥିଲେ ।
ମୁଖ୍ୟ ବକ୍ତା ଭାବେ ବୟନିକାର ରାଜ୍ୟ ସଭାପତି ପ୍ରକାଶ ଚନ୍ଦ୍ର ମେହେର ନିଜ ବକ୍ତବ୍ୟରେ କହିଥିଲେ ଯେ କାରିଗର ଓ ବୁଣାକାର ସ୍ୱେଦେଶୀ ଆନ୍ଦୋଳନର ମୁଖ୍ୟ ପୁରୋଧା ଅଟନ୍ତି ।
ରାଜ୍ୟର ପାରଂପରିକ ବୟନ ଓ ହସ୍ତକଳାର ସଂରକ୍ଷଣ ସହ ବଜାର ଚାହିଦା ଅନୁସାରେ ନୂଆ ନୂଆ ଡିଜାଇନ ପ୍ରତି ଧ୍ୟାନ ଦେବାକୁ ପରାମର୍ଶ ଦେଇଥିଲେ ।
ଏହି ଉତ୍ସବରେ କନ୍ଧମାଳ ଜିଲ୍ଲା ହସ୍ତଶିଳ୍ପ କାର୍ଯ୍ୟାଳୟର ସହକାରୀ ନିର୍ଦ୍ଦେଶକ ଶ୍ରୀକାନ୍ତ ଶ୍ରୀଚନ୍ଦନ, ଆଦିବାସୀ ଗବେଷକ ସୂର୍ଯ୍ୟକାନ୍ତ ପାଢୀ, ଆକାଶବାଣୀ ଓ ଦୂରଦର୍ଶନ ବାର୍ତ୍ତା ବିଭାଗର ପୂର୍ବତନ ଉପନିର୍ଦ୍ଦେଶକ ସୁଧାଂଶୁ ଶେଖର ଧଡା, ମହାସଂଘର କନ୍ଧମାଳ ଜିଲ୍ଲା ସଭାପତି ସଂଯୁକ୍ତା ବିଶୋୟୀ , ସଂପାଦକ ଆଲୋକ ବେହେରା , ସରୋଜିନୀ ଦାସ ପ୍ରମୁଖ ବକ୍ତବ୍ୟରେ କଳାକାର ଓ ଶିଳ୍ପୀମାନଙ୍କ ପ୍ରଗତି ନିମିତ୍ତ ରହିଥିବା ବିଭିନ୍ନ କ୍ଷେତ୍ର ଉପରେ ଆଲୋଚନା କରିଥିଲେ ।
କାର୍ଯ୍ୟକ୍ରମର ପରିଚାଳନାରେ କଳ୍ପନା ରଣା, ପ୍ରଶାନ୍ତ ବେହେରା, କଳ୍ପତରୁ ପଣ୍ଡା, ଭାସ୍କର ମହାରଣା,ସାଗର ନାୟକ,ଜଟିଆ ନାୟକ,ମାଳତୀ କହଁର ଓ ସୁଷମା ମହାରଥା ପ୍ରମୁଖ ସହଯୋଗ କରିଥିଲେ ।
ଚଳିତ ବର୍ଷ ଲାଗି ଶିଳ୍ପୀ ମହାସଂଘର ଶ୍ରେଷ୍ଠ ସମ୍ମାନ "ଶିଳ୍ପୀଶ୍ରୀ" ପୁରସ୍କାର କନ୍ଧମାଳ ଜିଲ୍ଲା ବାରଖମାର ବିଶିଷ୍ଠ ଢୋକ୍ରା ଶିଳ୍ପୀ ବାନୁ ନାୟକ ଓ "ବୟନଶ୍ରୀ" ପୁରସ୍କାର ରାୟଗଡା ଜିଲ୍ଲା ଖଜୁରୀର ଡଂଗରିଆ କନ୍ଧ ବୁଣାକାର ସିନ୍ଦେ ଓାଡକାଙ୍କୁ ମୁଖ୍ୟ ଅତିଥିଙ୍କ ଦ୍ବାରା ପ୍ରଦାନ କରାଯାଇଥିଲା ।
ସେହିପରି "ଶିଳ୍ପୀ ସଖା" ପୁରସ୍କାର ଭୁବନେଶ୍ୱରର କଳା ଗବେଷିକା ତଥା ଲେଖିକା ସୁମିତ୍ରା ପାଢୀଙ୍କୁ ଓ "ଶିଳ୍ପୀ ସହଯୋଗୀ" ସମ୍ମାନରେ କାରିଗରଙ୍କ ବିକାଶ କ୍ଷେତ୍ରରେ ଦୀର୍ଘବର୍ଷ ଧରି କାର୍ଯ୍ୟ କରି ଆସୁଥିବା ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ଫୁଲବାଣୀର "ପାହାଡ" ଓ କଟକର "ମୁଭମେଂଟ ଫର ଅର୍ବାନାଇଜେସନ" ଅନୁଷ୍ଠାନକୁୁ ସମ୍ମାନିତ କରାଯାଇଛି ।
ଏହି ଅବସରରେ ସ୍ଥାନୀୟ କାରିଗରଙ୍କ କଳାକୃତିକୁ ନେଇ ଏକ ହସ୍ତକଳା ପ୍ରଦର୍ଶନୀର ଆୟୋଜନ କରାଯାଇଥିଲା ।
କପାଚାଷ ପ୍ରତି ଆଗ୍ରହ ନାହିଁ
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
