NHRC: ମହିଳା କଏଦୀ ଓ ସେମାନଙ୍କ ସନ୍ତାନଙ୍କ ମାନବାଧିକାର ସୁରକ୍ଷା ନେଇ ଏନ୍ଏଚ୍ଆର୍ସିର ପରାମର୍ଶାବଳୀ ଜାରି
ନୂଆଦିଲ୍ଲୀ: ଜାତୀୟ ମାନବାଧିକାର ଆୟୋଗ (ଏନ୍ଏଚ୍ଆର୍ସି) ପକ୍ଷରୁ ‘ମହିଳା କଏଦୀ ଓ ସେମାନଙ୍କ ସନ୍ତାନଙ୍କ ମାନବାଧିକାର ସୁରକ୍ଷା’ ସମ୍ପର୍କରେ ଏକ ପରାମର୍ଶାବଳୀ ଜାରି କରାଯାଇଛି। ଏହି ପରାମର୍ଶାବଳୀ ୯ଟି କେନ୍ଦ୍ରୀୟ ମନ୍ତ୍ରଣାଳୟ, ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟ ଶାସନ ସଚିବ/ପ୍ରଶାସକ ଏବଂ ପୁଲିସ ମହାନିର୍ଦ୍ଦେଶକଙ୍କୁ ପଠାଯାଇଛି।
ଏନ୍ଏଚ୍ଆର୍ସି ମହିଳା କଏଦୀ ଓ ସେମାନଙ୍କ ସନ୍ତାନଙ୍କ ଅଧିକାର ଏବଂ ଆବଶ୍ୟକତା ପ୍ରତି ସ୍ୱତନ୍ତ୍ର ଧ୍ୟାନ ଦେବା ସହ ଲିଙ୍ଗଗତ ସମ୍ବେଦନଶୀଳ ଆଭିମୁଖ୍ୟ ଗ୍ରହଣ କରିବା ଉପରେ ଗୁରୁତ୍ୱାରୋପ କରିଛି। ଏଥିସହ ଜେଲ୍ରେ ଉପଯୁକ୍ତ ପରିବେଶ, ମାତୃ ଓ ଶିଶୁ ସ୍ୱାସ୍ଥ୍ୟସେବା, ନ୍ୟାୟ ପାଇବାର ସୁଯୋଗ, ପାରିବାରିକ ସମ୍ପର୍କର ସୁରକ୍ଷା, ଶିଶୁଙ୍କ ସର୍ବୋତ୍ତମ ସ୍ୱାର୍ଥର ସୁରକ୍ଷା ଏବଂ ପୁନର୍ବାସ ଓ ସମାଜରେ ପୁନଃସମ୍ମିଳନ ପାଇଁ ଅର୍ଥପୂର୍ଣ୍ଣ ସୁଯୋଗ ସୁନିଶ୍ଚିତ କରିବାକୁ ଆହ୍ୱାନ ଦେଇଛି।
ଏହି ପରାମର୍ଶରେ ୧୦ଟି ପ୍ରମୁଖ କ୍ଷେତ୍ର ଉପରେ ଧ୍ୟାନ ଦିଆଯାଇଛି। ସେଗୁଡ଼ିକ ହେଲା ଜେଲ୍ରେ ଭର୍ତ୍ତି ପୂର୍ବରୁ ପଦକ୍ଷେପ, ଗିରଫ ଓ ଜେଲ୍ରେ ପ୍ରବେଶ, ଭର୍ତ୍ତି ସମ୍ପର୍କିତ ରେକର୍ଡ, ପିଲାଙ୍କ ତଥ୍ୟ ଓ କାଗଜପତ୍ର, ସ୍ୱାସ୍ଥ୍ୟ ଓ ଚିକିତ୍ସା ସେବା, ମାନସିକ ସ୍ୱାସ୍ଥ୍ୟ, ମହିଳା କଏଦୀଙ୍କ ରହଣି ଅବସ୍ଥା, ସ୍ୱଚ୍ଛତା, କଲ୍ୟାଣ ଓ ସଂବେଦନଶୀଳତା, କଏଦୀଙ୍କ ସହ ରହୁଥିବା କିମ୍ବା ସେମାନଙ୍କଠାରୁ ଅଲଗା ରହୁଥିବା ପିଲା, ଯୋଗାଯୋଗ ଓ ପାରିବାରିକ ସାକ୍ଷାତ୍, ଜେଲ୍ ପ୍ରଶାସନ, ଆଇନଗତ ସହାୟତା ଓ ନ୍ୟାୟ ପାଇବାର ସୁଯୋଗ, ମହିଳା କଏଦୀଙ୍କୁ ଅଦାଲତରେ ହାଜର କରାଯିବା ସମୟରେ ଲିଙ୍ଗ ଅନୁକୂଳ ସୁବିଧା ଓ କଲ୍ୟାଣମୂଳକ ବ୍ୟବସ୍ଥା, ପୁନର୍ବାସ, ଜେଲ୍ରୁ ମୁକ୍ତ ହେବା ପରେ ସହାୟତା ଓ ସମାଜରେ ପୁନଃଏକୀକରଣ ଏବଂ ବିଦେଶୀ କଏଦୀ।
ଏହି ପରାମର୍ଶର ବିସ୍ତୃତ ବିବରଣୀ https://nhrc.nic.in/flipbook/other_advisories/46 ରେ ଉପଲବ୍ଧ। ପରାମର୍ଶରେ ଦିଆଯାଇଥିବା ସୁପାରିସଗୁଡ଼ିକୁ କାର୍ଯ୍ୟକାରୀ କରିବାକୁ ଏନ୍ଏଚ୍ଆର୍ସି ସମ୍ପୃକ୍ତ ସମସ୍ତ କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରିଛନ୍ତି। ଏଥିସହ ନିଆଯାଇଥିବା ପଦକ୍ଷେପ ଓ କାର୍ଯ୍ୟାନ୍ୱୟନର ଅଗ୍ରଗତି ସମ୍ପର୍କରେ ଦୁଇ ମାସ ମଧ୍ୟରେ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
