Elephant: ହାତୀକୁ ଜଗିବା ନାଁରେ ସୀମା ବିବାଦ, ସମନ୍ୱୟକୁ ନେଇ ଉଠିଲା ପ୍ରଶ୍ନ
ଲଇକେରା (ଭରତ ପାତ୍ର): ଜଙ୍ଗଲରେ ରହିବା ବଦଳରେ ଗାଁ ଗଣ୍ଡାରେ ବୁଲି ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାରେ ରହିଛି ଦନ୍ତା ‘ରାଜୁ’। କେଉଁଠି ଲୋକେ ତାକୁ ଦେଖିବାକୁ ଭିଡ଼ ଜମାଉଛନ୍ତି ତ ଆଉ କେଉଁଠି ତା’ର ଭିଡିଓ କରି ରିଲ୍ସ ପ୍ରସ୍ତୁତ କରୁଛନ୍ତି। କେହି ଧାନ ଖାଇବାକୁ ଦେଉଛନ୍ତି ତ ଆଉ କେହି ନଡ଼ିଆ, କଦଳୀ ଓ ତାଳମଞ୍ଜି ଦେଇ ଆପ୍ୟାୟିତ କରୁଛନ୍ତି ରାଜୁକୁ। ହେଲେ ଏହି ଲୋକପ୍ରିୟ ହାତୀକୁ ନେଇ ଏବେ ବନ ବିଭାଗର ଦୁଇଟି ରେଞ୍ଜ ମଧ୍ୟରେ ଟଣାଓଟରା ପରିସ୍ଥିତି ସୃଷ୍ଟି ହୋଇଥିବା ଚର୍ଚ୍ଚା ହେଉଛି। ଏଭଳି ସ୍ଥିତିରେ ହାତୀର ସୁରକ୍ଷା ଓ ଜନସାଧାରଣଙ୍କ ନିରାପତ୍ତାକୁ ନେଇ ପ୍ରଶ୍ନ ଉଠିଛି।
ଗତ ଦୁଇ ଦିନ ଧରି ଝାରସୁଗୁଡ଼ା ଜିଲ୍ଲା ବାଗଡ଼ିହି ରେଞ୍ଜର ତାଲମୁଣ୍ଡା ସେକ୍ସନ ଅନ୍ତର୍ଗତ ବରହାମୂଷା ଗ୍ରାମରେ ରାଜୁ ହାତୀ ବୁଲୁଛି। ତାକୁ ଦେଖିବା ପାଇଁ ଶତାଧିକ ଲୋକଙ୍କ ସମାଗମ ହେଉଥିବା ବେଳେ ହାତୀର ଗତିବିଧି ଉପରେ ନଜର ରଖିବା ଓ ଲୋକଙ୍କ ଭିଡ଼ ନିୟନ୍ତ୍ରଣ କରିବା ବନ କର୍ମଚାରୀଙ୍କ ପାଇଁ ଆହ୍ୱାନ ପାଲଟିଛି।
କ’ଣ କହିଲା ବନ ବିଭାଗ
ଅନ୍ୟପକ୍ଷରେ, ଝାରସୁଗୁଡ଼ା ଓ ସମ୍ବଲପୁର ଜିଲ୍ଲା ସୀମାନ୍ତ ଅଞ୍ଚଳରେ ରାଜୁ ହାତୀର ଅବସ୍ଥିତିକୁ ନେଇ ବାଗଡ଼ିହି ଓ ବାମରା ରେଞ୍ଜର କର୍ମଚାରୀଙ୍କ ମଧ୍ୟରେ ମତଭେଦ ଦେଖାଦେଇଥିବା କୁହାଯାଉଛି। ବାଗଡ଼ିହି ରେଞ୍ଜର ତାଲମୁଣ୍ଡା ସେକ୍ସନ ଫରେଷ୍ଟର ଅମୀର ପଟେଲଙ୍କ କହିବା ଅନୁଯାୟୀ, ରାଜୁ ଜିଲ୍ଲା ସୀମାନ୍ତ ଗ୍ରାମରେ ଥିବାରୁ ବାମରା ରେଞ୍ଜର କର୍ମଚାରୀମାନେ ହାତୀକୁ ସେମାନଙ୍କ ଅଞ୍ଚଳକୁ ଖେଦିବା ନେଇ ଆପତ୍ତି ଉଠାଉଛନ୍ତି। ହାତୀର ଗତିପଥ ପ୍ରାକୃତିକ ଭାବେ ନିର୍ଦ୍ଧାରିତ ହେଉଥିବାରୁ ତାକୁ ଜୋର କରି ଅନ୍ୟ ରେଞ୍ଜକୁ ଖେଦିବା ଉଚିତ୍ ନୁହେଁ ବୋଲି ସେ ମତ ଦେଇଛନ୍ତି।
ହାତୀକୁ ନେଇ ଚିନ୍ତା
ଏପଟେ ବାମରା ରେଞ୍ଜର କର୍ମଚାରୀମାନେ ରାଜୁ ଯେପରି ସେମାନଙ୍କ ଅଞ୍ଚଳକୁ ପ୍ରବେଶ ନକରେ, ସେଥିପାଇଁ ନଜର ରଖିଥିବା ବେଳେ ବାଗଡ଼ିହି ରେଞ୍ଜର କର୍ମଚାରୀମାନେ ମଧ୍ୟ ହାତୀକୁ ନିଜ ଅଞ୍ଚଳରୁ ବାହାର କରିବା ନେଇ ଚିନ୍ତିତ ଥିବା ଜଣାପଡ଼ିଛି। ଏଭଳି ପରିସ୍ଥିତିରେ ହାତୀର ନିରାପଦ ଗତିପଥ ସୁନିଶ୍ଚିତ କରିବା ଅପେକ୍ଷା ତାକୁ କେଉଁ ରେଞ୍ଜରୁ କେଉଁ ରେଞ୍ଜକୁ ପଠାଯିବ, ସେହି ପ୍ରସଙ୍ଗ ଅଧିକ ଗୁରୁତ୍ୱ ପାଉଛି କି ବୋଲି ପ୍ରଶ୍ନ ଉଠୁଛି। ବନ୍ୟଜନ୍ତୁଙ୍କ ସୁରକ୍ଷା ଓ ମଣିଷ-ହାତୀ ସଂଘର୍ଷ ରୋକିବା ବନ ବିଭାଗର ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ । ଏପରି ସମୟରେ ଦୁଇ ରେଞ୍ଜ ମଧ୍ୟରେ ଉତ୍ତମ ସମନ୍ୱୟ ରହିବା ଅତ୍ୟନ୍ତ ଆବଶ୍ୟକ।
Elephant: ବିଦ୍ୟୁତ କରେଣ୍ଟ ନେଲା ହାତୀର ଜୀବନ
ସମନ୍ୱୟର ଅଭାବ କାହିଁକି?
ହାତୀର ଗତିପଥ ଉପରେ ନଜର ରଖିବା, ଲୋକଙ୍କୁ ସୁରକ୍ଷିତ ଦୂରତାରେ ରଖିବା, ଅଯଥା ଭିଡ଼ ରୋକିବା ଓ ହାତୀକୁ ଉତ୍ତେଜିତ ନକରିବା ପାଇଁ ସଚେତନତା ସୃଷ୍ଟି କରିବା ଜରୁରୀ। ଲୋକେ ହାତୀକୁ ଖାଦ୍ୟ ଦେବା କିମ୍ବା ନିକଟରୁ ସେଲ୍ଫି ନେବାକୁ ଚେଷ୍ଟା କରିବା ଉଭୟ ମଣିଷ ଓ ହାତୀ ପାଇଁ ବିପଦ ସୃଷ୍ଟି କରିପାରେ। ତେଣୁ ବନ ବିଭାଗର ଉଚ୍ଚ ଅଧିକାରୀମାନେ ଏହି ଘଟଣାରେ ହସ୍ତକ୍ଷେପ କରି ଦୁଇ ରେଞ୍ଜ ମଧ୍ୟରେ ସମନ୍ୱୟ ସ୍ଥାପନ କରିବା ସହ ରାଜୁ ହାତୀର ସୁରକ୍ଷିତ ଗତିପଥ ପାଇଁ ସ୍ପଷ୍ଟ ରଣନୀତି ପ୍ରସ୍ତୁତ କରିବା ଆବଶ୍ୟକ। ହାତୀଟି ଯେଉଁ ଅଞ୍ଚଳରେ ରହୁ, ସେଠାରେ ତାହାର ସୁରକ୍ଷା ଓ ଲୋକଙ୍କ ନିରାପତ୍ତା ନିଶ୍ଚିତ କରିବା ହିଁ ହେଉଛି ପ୍ରକୃତ ଦାୟିତ୍ୱ। ରାଜୁ ହାତୀକୁ ନେଇ ଦୁଇ ରେଞ୍ଜ ମଧ୍ୟରେ ସମନ୍ୱୟର ଅଭାବ କାହିଁକି? ବନ୍ୟଜନ୍ତୁଙ୍କ ସୁରକ୍ଷା ପାଇଁ ନିଯୁକ୍ତ ବିଭାଗ ଯଦି ନିଜ ନିଜ ସୀମାକୁ ନେଇ ବ୍ୟସ୍ତ ରହିବ, ତେବେ ହାତୀ ଓ ଜନସାଧାରଣଙ୍କ ସୁରକ୍ଷା କିଏ ସୁନିଶ୍ଚିତ କରିବ? ଏହି ପ୍ରଶ୍ନର ଉତ୍ତର ସହିତ ରାଜୁ ହାତୀର ସୁରକ୍ଷିତ ଗତିପଥ ସୁନିଶ୍ଚିତ କରିବା ଦିଗରେ ବନ ବିଭାଗ ତୁରନ୍ତ ଠୋସ୍ ପଦକ୍ଷେପ ନେବା ଆବଶ୍ୟକ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
