ଏମ୍କେସିଜି ପ୍ରଶ୍ନପତ୍ର ଲିକ୍ ଘଟଣା: କ୍ରାଇମବ୍ରାଞ୍ଚ ଘାଣ୍ଟିବ
ବ୍ରହ୍ମପୁର: ବ୍ରହ୍ମପୁର ଏମ୍କେସିଜି ପିଜି ପରୀକ୍ଷା ପରିଚାଳନାରେ ଅନିୟମିତତା ଓ ପ୍ରଶ୍ନପତ୍ର ଲିକ୍ ମାମଲାର ତଦନ୍ତଭାର ରାଜ୍ୟ ସରକାର କ୍ରାଇମବ୍ରାଞ୍ଚକୁ ପ୍ରଦାନ କରିଛନ୍ତି। ଚଳିତ ସପ୍ତାହରେ ଏକ ଟିମ୍ ଏମ୍କେସିଜି ଆସି ଘଟଣାର ଖୋଳତାଡ଼ କରିବ। ବର୍ତ୍ତମାନ ପ୍ରାଥମିକ ପର୍ଯ୍ୟାୟରେ ଘଟଣାର ଅନୁଧ୍ୟାନ ଚାଲିଛି। ଏମ୍କେସିଜି ପକ୍ଷରୁ ଗଠନ ହୋଇଥିବା ୫ଜଣିଆ ଫ୍ୟାକ୍ଟ୍ ଫାଇଣ୍ଡିଂ ଟିମ୍ ଓ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଗଠିତ ଟିମ୍ ତଦନ୍ତ ଜାରି ରଖିଛନ୍ତି। କଡ଼ା ସୁରକ୍ଷା ବ୍ୟବସ୍ଥା ସତ୍ତ୍ବେ ପରୀକ୍ଷାକେନ୍ଦ୍ର ଭିତରକୁ ସ୍ମାର୍ଟ ଗ୍ୟାଜେଟ୍ କେମିତି ନିଆଗଲା?
କାହା ବଳରେ ଛାତ୍ରଛାତ୍ରୀ ଏହା କରିବାକୁ ସାହସ ପାଇଲେ? ଏହିପରି ଅନେକ ଦିଗକୁ ତଦନ୍ତ ପରିସରଭୁକ୍ତ କରାଯିବାର ସମ୍ଭାବନା ରହିଛି। କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ପରେ କର୍ତ୍ତୃପକ୍ଷଙ୍କ ମନରେ ଛନକା ପଶିଛି। ଆଗାମୀ ଦିନରେ କ’ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ତାହା ଦେଖିବାକୁ ବାକି ରହିଲା। ସେହିପରି ଏଥିରେ ଜଣେ ପୁରାତନ ଛାତ୍ରଙ୍କ ସଂପୃକ୍ତିକୁ ନେଇ ଦୁଇଦିନ ତଳେ ଜେଡିଏ ସାମ୍ବାଦିକ ସମ୍ମିଳନୀ କରି ସଙ୍ଗିନ ଅଭିଯୋଗ ଆଣିଥିଲା। ଉକ୍ତ ବିଦ୍ୟାର୍ଥୀଙ୍କୁ ତଦନ୍ତ ପରିସରଭୁକ୍ତ କରାଯିବ କି ନାହିଁ, ତାହା ଆଲୋଚନାର ବିଷୟ ପାଲଟିଛି। ଅନୁଷ୍ଠାନର କିଛି କର୍ମଚାରୀ ବି ଏହି ରୢାକେଟ୍ରେ ସାମିଲ ଥିବା ନେଇ ଅନୁମାନ କରାଯାଉଛି। ଅନ୍ୟପକ୍ଷରେ ଆଜି ସକାଳେ ମାନବ ଅଧିକାର ମଞ୍ଚ ପକ୍ଷରୁ ବ୍ରହ୍ମପୁର ଏସ୍ପିଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ଦିଆଯାଇ କ୍ରାଇମବ୍ରାଞ୍ଚ୍ ତଦନ୍ତ ଦାବି କରାଯାଇଥିଲା।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।