Villages disappearing : ଦେଶରେ ପ୍ରତି ଘଣ୍ଟାରେ ମରୁଛି ଗୋଟିଏ ଗାଁ, ଦ୍ରୁତ ସହରୀକରଣ ପାଇଁ ହଜିଯାଉଛି ଗ୍ରାମ୍ୟ ସଂସ୍କୃତି ଓ ପରମ୍ପରା
- ରୋଜଗାର ପାଇଁ ଗାଁ ଲୋକେ ସହର ମୁହାଁ
- ଭଡ଼ା ଘରେ ମୁଣ୍ଡ ଗୁଞ୍ଜୁଛନ୍ତି, ଗାଁ ଘର ଭାଙ୍ଗିଲାଣି
- ସରକାରଙ୍କ ଫୋକସ୍ ରେ ଦ୍ରୁତ ସହରୀକରଣ
- ପକ୍କା ରାସ୍ତା, ପାଇପ୍ ପାଣିରେ ସୀମିତ ଗାଁ ଭିତ୍ତିଭୂମି
ଭୁବନେଶ୍ୱର, ୭/୭ (ମୁକେଶ ପରିଡ଼ା) : ବର୍ଷ ବର୍ଷ ଧରି ତାଲା ଝୁଲିଛି । ଘର ଭାଙ୍ଗିରୁଜି ଗଲାଣି । କାହାର ଛପର ମୁକୁଳା । କେଉଁଠି ଛାତ ଭୁଶୁଡ଼ିଲାଣି । କେଉଁ ଘରେ ଗଛ ମାଡ଼ିଗଲାଣି । ଦିନେ ଯେଉଁ ଖଞ୍ଜାରେ ଏକାଧିକ ପରିବାରର ଗହଳଚହଳ ଥିଲା, ଆଜି ଜଣେ ଅଧେ ଘର ଜଗିଛନ୍ତି । ଏଇ କିଛି ବର୍ଷ ଭିତରେ ସାହିର ପ୍ରାୟ ୨୫ ପରିବାର ଗାଁ ଛାଡ଼ି ଦେଲେଣି। ଆଉ ଫେରିବାର ନାହିଁ । ପାର୍ବଣ କିମ୍ବା ପାରିବାରିକ କାର୍ଯ୍ୟକ୍ରମରେ କ୍ୱଚିତ ଦେଖା ମିଳେ, ଅତିଥି ଭଳି । କଟକ ସହର ଉପକଣ୍ଠ ୪୨ ମୌଜାର କୂଳକଳପଡ଼ା ଗାଁର ପୂର୍ବପଟ ପରିଡ଼ା ସାହିର ଚିତ୍ର ଏମିତି । ସାହିର ଅଧିକାଂଶ ଲୋକେ ଭୁବନେଶ୍ୱର, କଟକ, ରାଉରକେଲା, କୋଲକାତା, ଜାମସେଦପୁରକୁ ରୋଜଗାର ପାଇଁ ଯାଇଥିଲେ, ସେଇଠି ରହିଗଲେ । କେବଳ ରୋଜଗାର ନୁହେଁ, ପିଲାଙ୍କୁ ଇଂରାଜୀ ମିଡିୟମ ପାଠ ପଢ଼ାଇବା, ସହରୀ ସୁବିଧା ମୋହ ଗାଁଠାରୁ ଦୂରେଇ ଦେଇଛି । ସାରା ଓଡ଼ିଶାରେ ଏମିତି ଗାଁ ମରି ଚାଲିଛି । କେବଳ ଚକାଚକ ସୁବିଧା ନୁହେଁ, ପେଟ ପାଟଣା ପାଇଁ ଲକ୍ଷଲକ୍ଷ ଯୁବକ, ଯୁବତୀ ରାଜ୍ୟ ଓ ଦେଶର ପ୍ରମୁଖ ସହର ଏବଂ ବିଦେଶ ଯାଉଛନ୍ତି ।
ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ ଗୋଡ଼ିବାଲି ପଞ୍ଚାୟତ ସଦର ମହକୁମା ଗାଁ କ୍ରମଶଃ ଜନଶୂନ୍ୟ । ଅନେକ ଘର ଖାଲି । ତାମିଲନାଡ଼ୁ, ତେଲେଙ୍ଗାନା ଓ ଆନ୍ଧ୍ରରେ ଦାଦନ ଖଟୁଛନ୍ତି ଗାଁର ଅଧିକାଂଶ ଭେଣ୍ଡିଆ । କୋରାପୁଟ ମ୍ୟୁନିସିପାଲିଟିର ୧୫ ନମ୍ବର ୱାର୍ଡର ଆକାଶଗୁଡ଼ା ଗାଁରେ ଦିନେ ୮୦ ପରିବାର ରହୁଥିଲେ । ଏବେ ଅଛନ୍ତି ୨୫ ପରିବାର । ଅନୁଗୁଳ ଜିଲ୍ଲା ସଦର ମହକୁମାରୁ ସାତକୋଶିଆ ଅଭୟାରଣ୍ୟ ଦିଗରେ ୨୨ କିମି ଯିବା ପରେ ପଡ଼ିବ ବାଘୁଆପାଟ ଗାଁ । ଶିଳ୍ପ ଓ ଖଣି ଖାଦାନ ସମୃଦ୍ଧ ଜିଲ୍ଲାର ଏହି ଗାଁ ଏବେ ପ୍ରାୟତଃ ଯୁବକ ଶୂନ୍ୟ । ଗାଁର ସବୁ ପରିବାରରୁ କେହି ନା କେହି ଦାଦନ ଖଟି ବାହାରକୁ ଯାଇଛନ୍ତି । ଖୋଜିଲେ କେବଳ ମହିଳା, ଶିଶୁ ଓ ବୟସ୍କ ମିଳିବେ । ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକର ଏମ୍ପିଭି ୫୯ ଗ୍ରାମରେ ୧୦ ବର୍ଷ ତଳେ ୨୨ରୁ ଅଧିକ ପରିବାର ଥିଲେ । ଏବେ ମାତ୍ର ୬ଟି ପରିବାର । ଇଏ ମାତ୍ର କେତୋଟି ଉଦାହରଣ । ଯୁଆଡ଼େ ଯିବେ, ଏମିତି ଚିତ୍ର ଦେଖିବେ । ଜଗତସିଂହପୁର ସହରରୁ ଅଧିକାଂଶ ମଧ୍ୟବିତ୍ତ ପରିବାର ପିଲାଙ୍କ ପାଠପଢ଼ା ପାଇଁ କଟକ, ଭୁବନେଶ୍ୱର ମୁହାଁଉଛନ୍ତି । ଅନ୍ୟପଟେ ବାଲିକୁଦା, ଏରସମା ଭଳି ଅଞ୍ଚଳରୁ ଅନେକ ପିଲାଙ୍କ ଶିକ୍ଷା ପାଇଁ ଜଗତସିଂହପୁର ସହରକୁ ଚାଲି ଆସୁଛନ୍ତି । ଏମିତି ସ୍ଥିତି ସବୁଠି । ଭୁବନେଶ୍ୱର, କଟକ, ବ୍ରହ୍ମପୁର, ରାଉରକେଲା, ପୁରୀ, ସମ୍ବଲପୁର, ପାରାଦୀପ ସହରରେ ବସ୍ତି ମାଡ଼ି ଚାଲିଛି। ଅନ୍ୟ ଜିଲ୍ଲାରୁ ଆସି ପଲିଥିନ, ଆଜବେଷ୍ଟସ ଛପରରେ ଅନେକ ପରିବାର ମୁଣ୍ଡ ଗୁଞ୍ଜିଛନ୍ତି । ରାଜଧାନୀରେ ଅଟୋ, ଟ୍ୟାକ୍ସି ଚଳାଉଥିବା ଅଧିକାଂଶ ଡ୍ରାଇଭରଙ୍କ ମୂଳ ଠିକଣା ନୟାଗଡ଼ କିମ୍ବା ଗଞ୍ଜାମ । ଜଳଖିଆ ଦୋକାନରୁ ନେଇ ସେଲୁନ, କାଠ ମିସ୍ତ୍ରୀ, ରାଜମିସ୍ତ୍ରୀ, ରଙ୍ଗ ମିସ୍ତ୍ରୀ, ପାଇପ୍ ମିସ୍ତ୍ରୀ ଏବଂ ଭୁବନେଶ୍ୱରର ମଣିଷ ହାଟ (ଶ୍ରମିକ ହାଟ)ରେ ନିତି କାମ ମାଗୁଥିବା ମଣିଷଟି ବି ଗାଁ ଛାଡ଼ି ସହରକୁ ଧାଇଁ ଆସିଛି ।
ବିଶେଷଜ୍ଞଙ୍କ ମତ- ଦ୍ରୁତ ସହରୀକରଣରେ ଗାଁ ମରି ମରି ଚାଲିଛି । ସରକାର ବଦଳିଛି, କିନ୍ତୁ ଫୋକସରେ କେବଳ ସହରୀ ବିକାଶ । ଗାଁର ବିକାଶ କେବଳ ପକ୍କା ରାସ୍ତା ଓ ପାଇପ୍ ପାଣିରେ ସୀମିତ । ଗାଁରେ ରୋଜଗାର ଉତ୍ସ ଶୂନ । ଯୁବପିଢ଼ି ଚାଷରୁ ମୁହଁ ଫେରାଉଛନ୍ତି । ବାରମାସିଆ ଚାଷ ନାହିଁ । ଧାନ ଅମଳ ପରେ ପ୍ରାୟତଃ ବିଲ ପଡ଼ିଆ । ରାଜ୍ୟକୁ ନିବେଶ ଆସୁଛି, ଶିଳ୍ପ ପ୍ରତିଷ୍ଠା ହେଉଛି । କିନ୍ତୁ, ଗାଁ ଯୁବକ ଅନ୍ୟ ପରିବାର ଛାଡ଼ି ବାହାରେ ଦାଦନ ଖଟୁଛି । ଗାଁ ଜନଶୂନ୍ୟ ହେବା ପ୍ରସଙ୍ଗକୁ ଅତ୍ୟନ୍ତ ଗୁରୁତର ସମସ୍ୟା ବୋଲି କହିଛନ୍ତି ସିୱାଇଏସ୍ଡି ସମ୍ପାଦକ ତଥା ପୂର୍ବତନ ସୂଚନା କମିଶନର ଜଗଦାନନ୍ଦ । ତାଙ୍କ ମତରେ, ପ୍ରଜନନ ହାର କମିବା ଏବଂ ରୋଜଗାର ନ ମିଳିବାରୁ ଗାଁ ଜନସଂଖ୍ୟା ହ୍ରାସ ପାଉଛି । ସାମାଜିକ କର୍ମୀ ଉମି ଡାନିଏଲ କହିଛନ୍ତି, ଗାଁରେ ଅଧିକାଂଶ ଜମି ପଡ଼ିଆ ପଡ଼ିଛି । ଅନ୍ୟପଟେ ପ୍ଲଟିଂ ବେପାର ବଢ଼ିଛି । ଏକ ସର୍ଭେ ରିପୋର୍ଟ ଅନୁସାରେ, ଓଡ଼ିଶାରେ ଚାଷୀଙ୍କ ହାରାହାରି ବୟସ ୪୭ ବର୍ଷ । ଆଉ କିଛି ବର୍ଷ ପରେ କାଁ ଭାଁ ଚାଷୀ ମିଳିବେ । ସମୟ ଆସିଛି, ଧାନ ସହ ବିଭିନ୍ନ କିସମର ଫସଲ ଏବଂ ମାଛ, କୁକୁଡ଼ା ଚାଷକୁ ଗୁରୁତ୍ୱ ଦେବାକୁ ପଡ଼ିବ । ଫସଲ ପାଇଁ ବଜାର ସୁବିଧା ଏବଂ ବିଭିନ୍ନ ଖାଦ୍ୟ ପ୍ରକ୍ରିୟାକରଣ ପ୍ଲାଣ୍ଟ ଛିଡ଼ା କରିବା ଆବଶ୍ୟକ । ଆନ୍ଧ୍ର ଭଳି ଓଡ଼ିଶାରେ ପ୍ରତି ପରିବାରର ରୋଜଗାର ଉତ୍ସ, ପିଲାଙ୍କ ଦକ୍ଷତା ମ୍ୟାପିଂ କଲେ ପ୍ରକୃତ ସମସ୍ୟା ଜାଣିବା ସହ ସମାଧାନ କରାଯାଇପାରିବ ।
ଶ୍ରମ ନିର୍ଦ୍ଦେଶାଳୟ ତଥ୍ୟ ଅନୁସାରେ ବଲାଙ୍ଗୀର, ବରଗଡ଼, କଳାହାଣ୍ଡି, ନୂଆପଡ଼ା, ସୋନପୁର, ସୁନ୍ଦରଗଡ଼, ଖୋର୍ଦ୍ଧା, କେନ୍ଦ୍ରାପଡ଼ା, ପୁରୀ, ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ ଓ ନବରଙ୍ଗପୁର ଜିଲ୍ଲା ଦାଦନ ପ୍ରବଣ । ଏହି ୧୪ ଜିଲ୍ଲାରୁ ଯୁବକ/ଯୁବତୀମାନେ ସୁରଟ, ବେଙ୍ଗାଲୁରୁ, ପୁନେ, ତାମିଲନାଡ଼ୁ, ହାଇଦ୍ରାବାଦ, ପଞ୍ଜାବ ସହ ଦେଶ ବାହାରେ ଦୁବାଇ, ଓମାନ, ସାଉଦି ଆରବ, କତାରରେ ନିର୍ମାଣ ଶ୍ରମିକ ପାଲଟିଛନ୍ତି । ପଞ୍ଜିକରଣ ରେକର୍ଡ ଅନୁଯାୟୀ ବର୍ଷକୁ ପ୍ରାୟ ଦେଢ଼ ଲକ୍ଷ ଶ୍ରମିକ ଓଡ଼ିଶାରୁ ଅନ୍ୟତ୍ର ଯାଉଛନ୍ତି ରୋଜଗାର ପାଇଁ । କରୋନା ମହାମାରୀରେ ବିଭିନ୍ନ ରାଜ୍ୟରୁ ଯେତେବେଳେ ୧୦ ଲକ୍ଷ ଓଡ଼ିଆ ଶ୍ରମିକ ଓଡ଼ିଶା ମାଟିକୁ ଫେରି ଆସିଲେ, ଏହା ସଭିଙ୍କୁ ଚକିତ କରିଥିଲା । ଗାଁ ଛାଡ଼ି ଅନ୍ୟତ୍ର ପଳାଉଥିବା ଲୋକ କହନ୍ତି, ଚାଷରେ ଲାଭ ନାହିଁ । ଏ ବର୍ଷ ମରୁଡ଼ି, ଆରବର୍ଷକୁ ବନ୍ୟା, ବାତ୍ୟା । ଖର୍ଚ୍ଚ ଉଠୁନି । ଗାଁରେ ଚାକିରି ନାହିଁ, ବେପାର ଭଲ ସ୍କୁଲଟିଏ ନାହିଁ । ଭଲ ହସ୍ପିଟାଲ ନାହିଁ । ରୋଜଗାର ପାଇଁ ଗାଁ ଛାଡ଼ିଲୁ । ଏବେ ପିଲାଙ୍କ ଭବିଷ୍ୟତ ପାଇଁ ସହରରେ ରହିବାକୁ ବାଧ୍ୟ । ରାଜ୍ୟରେ ୧ ଲକ୍ଷ ୫୬ ହଜାର ୭୫୧ଟି ଗ୍ରାମୀଣ ବସତି ରହିଛି । ସେଥିରୁ ୫୧ ହଜାର ୩୪୯ଟି ରାଜସ୍ୱ ଗ୍ରାମ । ଏହାବାଦ୍ ଆହୁରି ହଜାର ହଜାର ପଡ଼ା ଗ୍ରାମ ଓ ଜନବସତି ରହିଛି । ୨୦୧୧ ଜନଗଣନା ତଥ୍ୟ ଅନୁସାରେ ୮୩% ଲୋକେ ଗାଁରେ ବାସ କରୁଥିବାବେଳେ ୧୭% ସହରରେ ରୁହନ୍ତି । ସରକାରଙ୍କ ଲକ୍ଷ୍ୟ-୨୦୩୬ ସୁଦ୍ଧା ସହରୀକରଣକୁ ୪୦%କୁ ବୃଦ୍ଧି କରିବେ । ଗାଁ ଯୁବବର୍ଗ ସହର ମୁହାଁ ହେଉଥିବାବେଳେ ଅନ୍ୟପଟେ ସହରୀ କଳେବର ଗାଁ ଜମିକୁ ଗ୍ରାସିବାରେ ଲାଗିଛି । ଏକ ସର୍ଭେ ଅନୁସାରେ ଦ୍ରୁତ ସହରୀକରଣ ପାଇଁ ଦେଶରେ ପ୍ରତି ଘଣ୍ଟାଏରେ ଗୋଟିଏ ଗାଁ ମରୁଛି । ଖାଲି ଗାଁ ମରୁନି, ଗାଁର ସଂସ୍କୃତି, ଭାଇଚାରା, ପରମ୍ପରାକୁ ହଜିବାକୁ ଲାଗିଲାଣି ।
ଆହୁରି ପଢନ୍ତୁ-Weather Forecast: ରାଜ୍ୟରେ କମିବ ବର୍ଷା,୧୨ରୁ ପୁଣି ବଢ଼ିବ , ଆଜି ସାଢେ ୮ଟା ପର୍ଯ୍ୟନ୍ତ ୮ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ
Noida Fake Friendship Club Scam: ଇନଷ୍ଟାଗ୍ରାମରେ ଅଜଣା ସୁନ୍ଦରୀଙ୍କ ସହ କଥା ହେଉଛନ୍ତି କି ?
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।