30 JUNE 2026

Welcome!

Unlock your personalized experience.
Sign Up

Untold Story: ମହାପ୍ରଭୁଙ୍କ ଅଲୌକିକ କାହାଣୀ; ବଡ଼ଦାଣ୍ଡରୁ କେମିତି ଅଦୃଶ୍ୟ ହେଲା ମାଳିନୀ ନଦୀ?

Jun 30, 2026 - 18:42
Untold Story: ମହାପ୍ରଭୁଙ୍କ ଅଲୌକିକ କାହାଣୀ; ବଡ଼ଦାଣ୍ଡରୁ କେମିତି ଅଦୃଶ୍ୟ ହେଲା ମାଳିନୀ ନଦୀ?
  • କେମିତି ହେଲା ୩ଟି ରଥ...
  • ଶ୍ରୀମନ୍ଦିର ଓ ଗୁଣ୍ଡିଚା ମନ୍ଦିର ମଝିରେ ଥିଲା ନଈ
  • ନଈର ନାଁ ଥିଲା ମାଳିନୀ
  • ରଥଯାତ୍ରା ବେଳେ ତିଆରି ହେଉଥିଲା ୬ଟି ରଥ
  • ‘ମାଳିନୀ’ ନଈର ଏପାଖେ ୩ ଓ ସେପାଖେ ରହୁଥିଲା ୩ଟି ରଥ
  • ଶ୍ରୀଗୁଣ୍ଡିଚା ପରେ କେବେ କେବେ ଆସୁଥିଲା ବନ୍ୟା
  • କେମିତି ବଡ଼ ଦେଉଳକୁ ଫେରୁଥିଲେ ଶ୍ରୀଜିଉ
  • ମାଉସୀ ଘରେ ମାସ ମାସ ରହୁଥିଲେ କି ମହାପ୍ରଭୁ?
  • କୁଆଡ଼େ ଗଲା ମାଳିନୀ ନଈ, କ’ଣ ହଜିଗଲା?

ଜୟ ଜଗନ୍ନାଥ....

ଶ୍ରୀଜଗନ୍ନାଥ ହେଉଛନ୍ତି ଦାରୁବ୍ରହ୍ମ । କାଳିଆ ସାଆନ୍ତ ଆମ ଜୀବନର ତ୍ରାଣକର୍ତ୍ତା ଓ ମୁକ୍ତିଦାତା । ସେ ହେଉଛନ୍ତି ସ୍ରଷ୍ଟା, ସୃଷ୍ଟି, ଦ୍ରଷ୍ଟା ଓ ଦୃଷ୍ଟି । ସେ ହିଁ ଜଗତର କର୍ତ୍ତା ଓ ନିୟନ୍ତା । ଯେଉଁଠି ଜଗନ୍ନାଥ ସେଇଠି ରହସ୍ୟ । କାହାଣୀ ଓ କିମ୍ବଦନ୍ତୀର ମହାନାୟକଙ୍କ ଅଲୌକିକ ଲୀଳାକୁ  ନେଇ କାହାଣୀ କହୁଥିଲେ ସରିବନି । ମହାପ୍ରଭୁଙ୍କୁ କେନ୍ଦ୍ର କରି ଏମିତି କିଛି ଲୋକକଥା, କିମ୍ବଦନ୍ତୀ, ଭାବ ଓ ଭକ୍ତିର କାହାଣୀକୁ ନେଇ ଆମେ ପ୍ରସ୍ତୁତ କରିଛୁ ସ୍ୱତନ୍ତ୍ର ସିରିଜ ‘କାଳିଆ ସାଆନ୍ତେ’ ।

ରଥଯାତ୍ରା ପୂର୍ବରୁ ଭକତ ଭାବରେ ବନ୍ଧା ଲୀଳାମୟଙ୍କୁ ସମର୍ପିତ ଏ ଅଧ୍ୟାୟରେ ଆସନ୍ତୁ ଜାଣିବା କାହିଁକି ଶ୍ରୀଜିଉଙ୍କ ରଥଯାତ୍ରା ପାଇଁ ପ୍ରସ୍ତୁତ ହେଉଥିଲା ୬ ରଥ । ୬ ରଥ ବଦଳରେ କେମିତି ୩ ରଥର ପରମ୍ପରା ଆରମ୍ଭ ହେଲା...କ’ଣ କହୁଛି ଇତିହାସ....

କାହିଁ କେଉଁ କାଳର କଥା । ଶ୍ରୀମନ୍ଦିର ଓ ଶ୍ରୀଗୁଣ୍ଡିଚା ମନ୍ଦିରର ମଝିରେ ବହି ଯାଉଥିଲା ନଦୀଟିଏ । ନାଁ ତା'ର ଥିଲା ମାଳିନୀ । ଏ ନଦୀ ଥିଲା ଶଙ୍ଖୁଆ ନଦୀର ଏକ ଶାଖା । ଏ ନଦୀ ବଡ଼ଶଙ୍ଖ ଦେଇ ବାଙ୍କି ମୁହାଣ ଠାରେ ସମୁଦ୍ରରେ ମିଶୁଥିଲା । ରାଜା ଇନ୍ଦ୍ରଦ୍ୟୁମ୍ନଙ୍କ ସମୟରେ ବିଧିବିଧାନରେ ଅନୁଷ୍ଠିତ ହେଉଥିଲା ଲୀଳାମୟଙ୍କ ରଥା ଯାତ୍ରା । ହେଲେ ଇତିହାସ କୁହେ, ଆଜି ଭଳି ଏମିତି ସୁନ୍ଦର ବଡ଼ଦାଣ୍ଡ  ନଥିଲା । କି ୩ଟି ରଥ ମଧ୍ୟ ନଥିଲା । "ରଥ' ନଦୀ ଅତିକ୍ରମ କରିବା ସମ୍ଭବ ନଥିଲା । ତେଣୁ ମହାପ୍ରଭୁଙ୍କ ପାଇଁ ମାଳିନୀ ନଦୀର ଏ ପାଖେ ସିଂହଦ୍ୱାର ପଟେ ରହୁଥିଲା ୩ଟି ରଥ । ସେପଟେ ମାଉସୀ ମା ମନ୍ଦିର ପଟେ ନିର୍ମାଣ ହେଉଥିଲା ୩ ରଥ । ରଥଯାତ୍ରା ପାଇଁ ଏଭଳି ୬ ରଥ ତିଆରି ହେଉଥିଲା ।

ଆଷାଢ଼ ଶୁକ୍ଳ ଦ୍ୱିତୀୟାରେ ବିଶ୍ୱନିୟନ୍ତାଙ୍କ ରଥଯାତ୍ରା । ମଙ୍ଗଳ ଆଳତି, ଅବକାଶ, ରଥ ପ୍ରତିଷ୍ଠା, ଛେରାପହଁରା ପରେ ଭାଇ ଭଉଣୀଙ୍କୁ ଧରି ଶ୍ରୀଜଗନ୍ନାଥ ମାଉସୀ ଘର ଅଭିମୁଖେ ବାହାରନ୍ତି । ସିଂହଦ୍ୱାରରୁ ବାହାରୁଥିବା ତିନି ରଥ ହରିବୋଲ, ହୁଳହୁଳି ମଧ୍ୟରେ ବଳଗଣ୍ଡି ପର୍ଯ୍ୟନ୍ତ ଆସୁଥିଲା । ଆଉ ତିନିଟି ରଥ ମାଳିନୀ ନଦୀର ଅପର ପାର୍ଶ୍ୱରେ ମହାପ୍ରଭୁଙ୍କ ଆଗମନକୁ ଅପେକ୍ଷା କରୁଥିଲା । ମହାପ୍ରଭୁ ନଦୀ ପାର ହୋଇ ଯିବା ପରେ ୪ ଚକିଆ ଶଗଡି ସଦୃଶ ନିର୍ମିତ ଏ ରଥରେ ଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ ଯାଉଥିଲେ । ଏ ମାଳିନୀ ନଦୀ ଭକ୍ତ ଓ ରାଜାଙ୍କ ପାଇଁ ବହୁ ଅସୁବିଧା ସୃଷ୍ଟି କରୁଥିଲା । ବେଳେ ବେଳେ ଆଷାଢ ମାସରେ ମାଳିନୀ ନଦୀରେ ବନ୍ୟା ଆସିଲେ ମହାପ୍ରଭୁ ଗୁଣ୍ଡିଚା ଘରେ ମାସ ମାସ ରହିଯାଆନ୍ତି । ସେ ସମୟରେ ବଡ଼ଠାକୁରଙ୍କର ନୀତିକାନ୍ତିରେ ବ୍ୟାଘାତ ଘଟେ ।

ଦିନକର କଥା, ସେତେବେଳେ ଗଜପତି ଥିଲେ ପ୍ରତାପ ଭାନୁ ଦେବ । ତାଙ୍କ ମା' ପାଟମହାଦେଇ ଶ୍ରଦ୍ଧାମଣୀ ଦେବୀ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କର ଜଣେ ଅନନ୍ୟ ଭକ୍ତ । ପ୍ରତିଦିନ ମହାପ୍ରଭୁଙ୍କୁ ଦର୍ଶନ ନକରିବା ପର୍ଯ୍ୟନ୍ତ ସେ ଅନ୍ନ ଜଳ ସ୍ପର୍ଶ କରନ୍ତି ନାହିଁ । ଆଷାଢ ମାସରେ ଯେତେବେଳେ ମାଳିନୀ ନଦୀରେ ବନ୍ୟା ଆସେ ଏହି ସମୟରେ ଶ୍ରଦ୍ଧାମଣୀ ଦେବୀ ମହାପ୍ରଭୁଙ୍କ ଦର୍ଶନ କରିପାରନ୍ତି ନାହିଁ । ଏମିତି ଦିନେ ପ୍ରବଳ ବର୍ଷା ହେଉଥିଲା ନଦୀରେ ପ୍ରବଳ ବନ୍ୟା ଆସିଲା । ମହାପ୍ରଭୁ ଶ୍ରୀଜଗନ୍ନାଥ ଗୁଣ୍ଡିଚା ଘରୁ ବଡ ଦେଉଳକୁ ଆସିପାରିଲେନି ।

ସେପଟେ ଶ୍ରଦ୍ଧାଦେବୀ ମହାପ୍ରଭୁଙ୍କୁ ଦର୍ଶନ କରିନଥିବାରୁ ଜଳ ଅନ୍ନ ସ୍ପର୍ଶ ନକରି ଜୀବନର ଶେଷ ସମୟରେ ପହଞ୍ଚିଲେଣି । ସମଗ୍ର ଅଞ୍ଚଳରେ ହୁରି ପଡିଗଲା...ଶ୍ରଦ୍ଧା ଦେବୀ ମହାପ୍ରଭୁଙ୍କୁ ଦର୍ଶନ କରି ନାହାଁନ୍ତି ବୋଲି ଅନ୍ନ କି ଜଳ ସ୍ପର୍ଶ କରୁନାହାଁନ୍ତି । ସେ ତ ଭକତ ଭାବରେ ବନ୍ଧା । ସହି ପାରିଲେନି ଭକ୍ତ ଭାବଗ୍ରାହୀ । ଗୁଣ୍ଡିଚା ଘର ଛାଡି ସ୍ୱପ୍ନରେ ପହଞ୍ଚିଗଲେ ଶ୍ରଦ୍ଧାଦେବୀଙ୍କ ପାଖରେ । ମହାପ୍ରଭୁଙ୍କୁ ସମ୍ମୁଖରେ ଦର୍ଶନ କରି କାନ୍ଦି ପକାଇଲେ ଶ୍ରଦ୍ଧା ଦେବୀ । ଭଗବାନଙ୍କୁ ପାଇ ଧନ୍ୟ ହେଇଗଲା ଭକତ ଜୀବନ । ସେଇଠି ମହାପ୍ରଭୁ କହିଲେ ରାତି ପାହିଲେ ଯେତେ ଭକ୍ତ ଆସିବେ ସମସ୍ତଙ୍କୁ କହିବ ସମୁଦ୍ରରୁ ଶ୍ରଦ୍ଧାରେ ମୁଠାଏ ମୁଠାଏ ବାଲି ଆଣି ଏ ମାଳିନୀ ନଦୀରେ ପକାଇବେ । ସମସ୍ୟାର ସମାଧାନ ହୋଇଯିବ । ଏହାପରେ ଶ୍ରୀକ୍ଷେତ୍ରକୁ ଆସୁଥିବା ଭକ୍ତମାନେ ମାଳିନୀ ନଦିରେ ବାଲି ପକାଇ ନଦୀକୁ ପୋତି ଥିଲେ । ମହାରାଣୀଙ୍କ ଏହି ଭକ୍ତିପୂତ କାର୍ଯ୍ୟ ଯୋଗୁଁ ସେହି ସ୍ଥାନକୁ ନାଁ ଦିଆଗଲା ଶରଧା ବାଲି । ଏହା ସହ ନଦୀରେ ଥିବା ଗଭୀର ଗଣ୍ଡକୁ ପୋତି ମହାରାଣୀ ଏକ ପୋଲ ନିର୍ମାଣ କରିଥିଲେ, ଯାହା ବର୍ତ୍ତମାନ 'ବଳଗଣ୍ଡୀ' ନାମରେ ପରିଚିତ । ନଦୀ ପୋତି ହୋଇଯିବା ପରେ ଶ୍ରୀମନ୍ଦିରରୁ ଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ ଏକ ସିଧା ରାସ୍ତା ସୃଷ୍ଟି ହୋଇଥିଲା । ଏହାର ନାଁ ହେଲା ବଡ଼ଦାଣ୍ଡ । ଏହାପରେ ୬ ନୁହେଁ ୩ଟି ରଥରେ ଆରମ୍ଭ ହେଲା ରଥଯାତ୍ରାର ପରମ୍ପରା ।

'କାଳିଆ ସାଆନ୍ତେ'ଙ୍କୁ ନେଇ ଏମିତି ବହୁ ଲୋକକଥା, କାହାଣୀ ଅଛି । ମହାଦେବତାଙ୍କ ଆଉ ଏକ ଭିନ୍ନ କାହାଣୀକୁ ନେଇ ପୁଣି ଆସିବୁ । ପ୍ରମେୟ ଡିଜିଟାଲ ସହ ଯୋଡ଼ି ହୋଇ ରୁହନ୍ତୁ । ଜୟ ଜଗନ୍ନାଥ.. ।