05 JULY 2026

Welcome!

Unlock your personalized experience.
Sign Up

Teejan Bai: ପ୍ରସିଦ୍ଧ ଗାୟିକା ପଦ୍ମ ବିଭୂଷଣ ତୀଜନ ବାଈଙ୍କ ପରଲୋକ, ଲୋକ କଳା ଜଗତରେ ଶୋକ

Jul 05, 2026 - 10:13
Teejan Bai: ପ୍ରସିଦ୍ଧ ଗାୟିକା ପଦ୍ମ ବିଭୂଷଣ ତୀଜନ ବାଈଙ୍କ ପରଲୋକ, ଲୋକ କଳା ଜଗତରେ ଶୋକ

ନୂଆଦିଲ୍ଲୀ,୦୫/୦୭; ଭାରତୀୟ ଲୋକକଳା ଜଗତକୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି । ପ୍ରସିଦ୍ଧ ପାଣ୍ଡବାଣୀ ଗାୟିକା ଏବଂ ପଦ୍ମ ବିଭୂଷଣ ତୀଜନ ବାଈଙ୍କ ପରଲୋକ ଘଟିଛି । ସେ ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ । ରାୟପୁର ଏମ୍ସରେ ଆଜି ଭୋର୍ ୩ଟା ୧୫ ମିନିଟରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ତୀଜନଙ୍କ ବିୟୋଗରେ ଲୋକଗୀତ ଜଗତରେ ଶୋକର ଛାୟା ଖେଳିଯାଇଛି । ତାଙ୍କ ବୟୋଗରେ ଶୋକ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ରିପୋର୍ଟ ଅନୁଯାୟୀ, ତୀଜନ ବାଈ ଗତ କିଛି ସପ୍ତାହ ଧରି ରାୟପୁର ଏମ୍ସରେ ଭର୍ତ୍ତି ହୋଇଥିଲେ । ଗୁରୁତର ଅସୁସ୍ଥ ଥିଲେ। ଆଜି ଭୋର ପ୍ରାୟ ୩ଟା ବାଜି ୧୫ ମିନିଟ ସମୟରେ ହଠାତ୍ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡି ଯାଇଥିଲା । ଡାକ୍ତରଙ୍କ ଶତ ଚେଷ୍ଟା ପରେ ବି ତୀଜନଙ୍କ ସ୍ୱାସ୍ଥ୍ୟରେ ଉନ୍ନତୀ ଆସିନଥିଲା । ଆଜି ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ତାଙ୍କ ଦେହାନ୍ତ ଖବର ଛତିଶଗଡ଼ ଏବଂ ସମଗ୍ର ଦେଶର ସାଂସ୍କୃତିକ ଏବଂ କଳା ଜଗତରେ ଶୋକର ଛାୟା ଖେଳିଯାଇଛି । ତୀଜନ ବାଈଙ୍କ ବିୟୋଗରେ ଶୋକ ପ୍ରକାଶ କରି ପ୍ରଧାନମନ୍ତ୍ରୀ ମୋଦି ଏକ୍ସରେ ଲେଖିଛନ୍ତି, "ପ୍ରସିଦ୍ଧ ପାଣ୍ଡବାଣୀ ଗାୟିକା ତୀଜନ ବାଈ ଜୀଙ୍କ ବିୟୋଗରେ ମୁଁ ଗଭୀର ଦୁଃଖିତ । ସେ ତାଙ୍କର ମହାନ ପ୍ରଦର୍ଶନ ସହିତ ଛତିଶଗଡ଼ର ଏହି ଲୋକକଳାକୁ ବିଶ୍ୱବ୍ୟାପୀ ଏକ ଅନନ୍ୟ ପରିଚୟ ଦେଇଥିଲେ । ତାଙ୍କର ବିୟୋଗ କଳା ଏବଂ ସଂସ୍କୃତି ଜଗତ ପାଇଁ ଏକ ଅପୂରଣୀୟ କ୍ଷତି । ଏହି ଦୁଃଖର ମୁହୂର୍ତ୍ତରେ ତାଙ୍କ ପରିବାର ଏବଂ ପ୍ରଶଂସକମାନଙ୍କ ସହିତ ମୋର ସମବେଦନା । "

ଏହା ବି ପଢନ୍ତୁ...Ketan Death case: କେତନଙ୍କ ପରିବାର ଉପରେ ଦୁଃଖର ପାହାଡ଼, ନାତିର ମୃତ୍ୟୁକୁ ସହିପାରିଲେନି, ଚାଲିଗଲେ ଜେଜେବାପା  

ଛତିଶଗଡର ଦୁର୍ଗ ଜିଲ୍ଲାର ଗଣିଆରି ଗାଁରେ ୧୯୫୬ ମସିହାରେ ଜନ୍ମଗ୍ରହଣ କରିଥିବା ତୀଜନ ବାଈ, ସ୍ଥାଣୁତାକୁ ଭାଙ୍ଗି ବିଶ୍ୱ ସ୍ତରରେ ପହଞ୍ଚିଛନ୍ତି । ସେ ଏପରି ଏକ ଜୀବନଯାପନ କରିଛନ୍ତି ଯାହା ସଂଘର୍ଷ ଏବଂ ଦୃଢ଼ତାର ଏକ ଅନନ୍ୟ ଉଦାହରଣ । ସେ କେବଳ "ପାଣ୍ଡବାଣୀ" (ମହାଭାରତର ପାରମ୍ପରିକ ବର୍ଣ୍ଣନାତ୍ମକ ଗାୟନ ଶୈଳୀ)ର ଲୋକକଳା ସଂରକ୍ଷଣ କରିନଥିଲେ ବରଂ ଏହାକୁ ଏକ ନୂଆ ପରିଚୟ ଦେଇଥିଲେ । ପାରମ୍ପାରିକ ଭାବରେ ପୁରୁଷମାନଙ୍କ ଦ୍ୱାରା ପ୍ରାଧାନ୍ୟିତ ଯୁଗରେ ତୀଜନ ବାଈ ପାଣ୍ଡବାଣୀର ଶୈଳୀ ଗ୍ରହଣ କରିଥିଲେ । ସେ ବହୁ ସାମାଜିକ ବିରୋଧ ଏବଂ ପ୍ରତିବନ୍ଧକର ସମ୍ମୁଖୀନ ହୋଇଥିଲେ । ହେଲେ ତାଙ୍କର କଣ୍ଠସ୍ୱର, ବଳିଷ୍ଠ ଅଭିନୟ ଦକ୍ଷତା ଏବଂ ହାତରେ ତାନପୁରା ସହିତ ସେ ଦର୍ଶକଙ୍କୁ ମଞ୍ଚରେ ମନମୁଗ୍ଧ କରୁଥିଲେ । ପାଞ୍ଚ ଦଶନ୍ଧିରୁ ଅଧିକ ସମୟ ଧରି ତାଙ୍କର ଏକ ଚମତ୍କାର କ୍ୟାରିୟରରେ, ସେ ଛତିଶଗଡ଼ ମାଟିର ଏହି କଳାକୁ କେବଳ ଦେଶ ନୁହେଁ ବରଂ ଏସିଆ ଏବଂ ୟୁରୋପ ସମେତ ବିଶ୍ୱର ଅନେକ କୋଣରେ ପହଞ୍ଚାଇଥିଲେ ।