Fitness Certificate Vehicle Rule: ଦୁର୍ଘଟଣା ପରେ କାର୍ଯ୍ୟାନୁଷ୍ଠାନ କଥା ମନେପଡେ...ବିନା ଫିଟନେସ୍ରେ ଗାଡ଼ି ଚଳାଇଲେ ଆକ୍ସନ୍, ପଞ୍ଜିକରଣ ରଦ୍ଦ କରିବାକୁ ମନ୍ତ୍ରୀଙ୍କ ନିର୍ଦ୍ଦେଶ
କଟକ,୦୫/୦୭: ଅଧିକାଂଶ ସମୟରେ ରାଜ୍ୟରେ ଦୁର୍ଘଟଣା ଘଟି ଧନଜୀବନ ଯିବା ପରେ ପରିବହନ ବିଭାଗର ନିଦ ଭାଙ୍ଗେ । ସାଙ୍ଗେସାଙ୍ଗେ କାର୍ଯ୍ୟାନୁଷ୍ଠାନ, ସଚେତନତା, ଚଢ଼ଉ କଥା ମନେପଡ଼େ । ଏବେ ବାରିପଦାରେ ମର୍ମନ୍ତୁଦ ଦୁର୍ଘଟଣା ପରେ ପରିବହନ ବିଭାଗ ପୁଣି ସେହି ସମାନ କଥାକୁ ଦୋହରାଇଛି ଫିଟ୍ନେସ୍ ନଥିଲେ ଗାଡ଼ି ପଞ୍ଜୀକରଣ ରଦ୍ଦ ହେବ, ବୀମା ଓ ପର୍ମିଟ୍ କଡ଼ାକଡ଼ି ଯାଞ୍ଚ୍ ହେବ ବୋଲି ବିଭାଗ କହିଛି ।
ପରିବହନ ବିଭାଗର ନିର୍ଦ୍ଦେଶକ୍ରମେ ଏସ୍ଟିଏ (ରାଜ୍ୟ ପରିବହନ ପ୍ରାଧିକରଣ) ପକ୍ଷରୁ ଜାରି ଏକ ପ୍ରେସ୍ ବିଜ୍ଞପ୍ତିରେ କୁହାଯାଇଛି ଯେ, ବାରିପଦାଠାରେ ଘଟିଥିବା ସଡ଼କ ଦୁର୍ଘଟଣାରେ ସମ୍ପୃକ୍ତ ଦୁଇଟି ଯାକ ଗାଡ଼ିର ବୈଧ ଫିଟ୍ନେସ୍ ପ୍ରମାଣପତ୍ର ନାହିଁ । ଏହାକୁ ଗୁରୁତ୍ୱ ଦେଇ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ଦୃଢ଼ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ଦେଇଛନ୍ତି । ସେହି ଅନୁସାରେ ଉକ୍ତ ଦୁଇଟିଯାକ ଗାଡ଼ିର ପଞ୍ଜୀକରଣ ରଦ୍ଦ ପାଇଁ ତୁରନ୍ତ ପଦକ୍ଷେପ ନିଆଯାଇଛି । ବିନା ଫିଟ୍ନେସ୍ରେ ଗାଡ଼ି ଚଳାଚଳ ଉପରେ ରୋକ୍ ଲଗାଇବା ଦିଗରେ କଠୋର ପଦକ୍ଷେପ ନେବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଥିବାରୁ ବିଭାଗ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପ୍ରକ୍ରିୟା ଆରମ୍ଭ ହେଉଛି ।
ବାରିପଦାଠାରେ ଘଟିଥିବା ମର୍ମନ୍ତୁଦ ସଡ଼କ ଦୁର୍ଘଟଣାର ପ୍ରାଥମିକ ତଦନ୍ତରୁ ସମ୍ପୃକ୍ତ ଉଭୟ ଗାଡ଼ିର ବୈଧ 'ଫିଟନେସ୍ ପ୍ରମାଣପତ୍ର' ନଥିବା ଜଣାପଡ଼ିଛି। ଏହାକୁ ଅତ୍ୟନ୍ତ ଗମ୍ଭୀରତାର ସହ ଗ୍ରହଣ କରି ଉକ୍ତ ଗାଡ଼ିଗୁଡ଼ିକର ପଞ୍ଜୀକରଣ ରଦ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
— Bibhuti Bhusan Jena (@BibhutiJena93) July 4, 2026
ଜନସାଧାରଣଙ୍କ ସୁରକ୍ଷା ଓ ଜୀବନ ରକ୍ଷା ଆମ ସରକାରଙ୍କ ସର୍ବୋଚ୍ଚ…
ରାଜ୍ୟର ସମସ୍ତ ଆରଟିଓ ଏବଂ ଅତିରିକ୍ତ ଆଞ୍ଚଳିକ ପରିବହନ ଅଧିକାରୀ (ଆରଏଟିଓ)ମାନଙ୍କୁ ଯାଞ୍ଚ୍ କଡ଼ାକଡ଼ି କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ରାସ୍ତାରେ ଚାଲୁଥିବା ଅନ୍ଫିଟ୍ ତଥା ବିପଦପୂର୍ଣ୍ଣ ଗାଡ଼ି ଗୁଡ଼ିକୁ ଚିହ୍ନଟ କରାଯାଇଛି । ଏହି ଗାଡ଼ି ଗୁଡ଼ିକର ପଞ୍ଜୀକରଣ ରଦ୍ଦ ନିମନ୍ତେ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି । ବିନା ଫିଟ୍ନେସ୍ ଓ ପଞ୍ଜୀକରଣରେ ଗଡ଼ୁଥିବା ଗାଡ଼ି ଗୁଡ଼ିକ ବିରୋଧରେ ରାଜ୍ୟବ୍ୟାପୀ କାର୍ଯ୍ୟାନୁଷ୍ଠାନ ଜୋରଦାର ହେବ ବୋଲି ବୋଲି ବିଜ୍ଞପ୍ତିରେ କୁହାଯାଇଛି । ଗାଡ଼ିର ବୀମା ଓ ପର୍ମିଟ୍ ଯାଞ୍ଚ ମଧ୍ୟ କଡ଼ାକଡ଼ି କରାଯିବ ବୋଲି ଏସ୍ଟିଏ ପକ୍ଷରୁ ସୂଚନା ଦିଆଯାଇଛି ।