ନୂଆଦିଲ୍ଲୀ: ୨୦୨୭ ଆଇପିଏଲ କେଉଁ ଦଳରୁ ଖେଳିବେ ହାର୍ଦ୍ଦିକ ପାଣ୍ଡ୍ୟା ? ମୁମ୍ବାଇ ଛାଡ଼ିଦେବେ କି ? ଏମିତି ଏକ ଚର୍ଚ୍ଚା ଲାଗି ରହିଥିବାବେଳେ ତାଙ୍କୁ ଦଳ ନେବ ଏହାକୁ ନେଇ ବିତର୍କ ଆରମ୍ଭ ହୋଇଛି । ତାଙ୍କ ଅଧିନାୟକତ୍ବରେ ଲଗାତାର ମୁମ୍ବାଇ ଖରାପ ପ୍ରଦର୍ଶନ କରୁଥିବାବେଳେ ସେ ଦଳ ଛାଡ଼ିବା ଏକ ପ୍ରକାର ନିଶ୍ଚିତ ବୋଲି ଦାବି କରୁଛନ୍ତି କ୍ରୀଡ଼ା ବିଶେଷଜ୍ଞ । ବେଙ୍ଗାଲୁରୁ ଏବଂ ହାଇଦ୍ରାବାଦକୁ ବାଦ ଦେଇ ବାକି ଦଳମାନେ ଦଳରେ ସାମିଲ କରିବା ପାଇଁ ଆଗ୍ରହ ପ୍ରକାଶ କରିଥିବା ଦେଖିବାକୁ ମିଳିଛି । ତେବେ ସେ ଗୁଜୁରାଟକୁ ପୁଣିଥରେ ଫେରିପାରନ୍ତି ବୋଲି ଚର୍ଚ୍ଚା ହେଉଛି ।
ପାଣ୍ଡ୍ୟାଙ୍କ ଅଧିନାୟକତ୍ବରେ ଗୁଜୁରାଟ ୨୦୨୨ରେ ଚାମ୍ପିୟନ ହୋଇଥିଲା । ଏବଂ ୨୦୨୩ରେ ଉପବିଜେତା ହୋଇଥିଲା । ୨ଟି ସିଜନରେ ନୂଆ ଦଳ ଗୁଜୁରାଟକୁ ବଡ଼ ପରିଚୟ ଦେଇଥିବା ହାର୍ଦ୍ଦିକ ପୁଣିଥରେ ଫେରିପାରନ୍ତି ବୋଲି କୁହାଯାଉଛି । ଯାହାକୁ ନେଇ ଆକାଶ ଚୋପ୍ରା ନିଜର ୟୁଟ୍ୟୁବ ଚ୍ୟାନେଲରେ ଏନେଇ ନିଜର ମତ ପ୍ରକାଶ କରିଛନ୍ତି । ସେ ଏହି ଗୁଜବ ସମ୍ପର୍କରେ ଅନେକ ତଥ୍ୟ ସହ କହିଛନ୍ତି କି ଗୁଜୁରାଟକୁ କାହିଁକି ଯିବେ ପାଣ୍ଡ୍ୟା ।
ସେ କହିଛନ୍ତି କି, ଗୁଜୁରାଟ ଆଗ୍ରହୀ ହେବ ନିଶ୍ଚୟ । ମାତ୍ର ବାଣିଜ୍ୟିକ ଚୁକ୍ତିରେ ମୁମ୍ବାଇ ରସିଦ ଖାନଙ୍କୁ ନେବାକୁ ଆଗ୍ରହ ପ୍ରକାଶ କରିବ । ଯାହା ଗୁଜୁରାଟ ପାଇଁ ଚିନ୍ତାର କାରଣ ହେବ । ଗୁଜୁରାଟ ଏଥିରେ ରାଜି ହୋଇନପାରେ । ଏହାସହ ରାବାଡାଙ୍କୁ ନେବାକୁ ମଧ୍ୟ ଦାବି କରିପାରେ । ମାତ୍ର ପର୍ପଲ କ୍ୟାପ୍ ବିଜେତା ତଥା ବିଶ୍ବର ବଡ଼ ବୋଲରଙ୍କୁ ଦେବାକୁ ମନା କରିପାରେ ଗୁଜୁରାଟ । ଏହାସହ ପାଣ୍ଡ୍ୟାଙ୍କୁ ଅଧିନାୟକ କରିନପାରେ ଗୁଜୁରାଟ । କାରଣ ଦଳରେ ଟିମ୍ ଇଣ୍ଡିଆର ଅଧିନାୟକ ଶୁଭମନ ଗିଲ ରହିଛନ୍ତି । ଏଣୁ ଏଥିରୁ ମନେ ହେଉଛି କି, ଗୁଜୁରାଟ ମଧ୍ୟ ପାଣ୍ଡ୍ୟାଙ୍କୁ ଦଳରେ ସାମିଲ କରିନପାରେ ।
ଏହାସହ ପଢ଼ନ୍ତୁ : ବରଣୀ ପୂର୍ବରୁ ଶେଷଯାତ୍ରା, ଏହି କାରଣରୁ ବାହାଘର ଦିନ ଝୁଲି ପଡ଼ିଲେ ଲୋକପାଇଲଟ୍