06 JULY 2026

Welcome!

Unlock your personalized experience.
Sign Up

Humanity story : ଟ୍ରକ୍ ଡ୍ରାଇଭରଙ୍କ ମହାନତା, ଆତ୍ମହତ୍ୟା ଉଦ୍ୟମ କରୁଥିବା ମହିଳାଙ୍କୁ ଉଦ୍ଧାର କରି ସୁରକ୍ଷିତ ଭାବେ ଘରେ ଛାଡ଼ିଲେ

Jul 06, 2026 - 09:30
Humanity story : ଟ୍ରକ୍ ଡ୍ରାଇଭରଙ୍କ ମହାନତା, ଆତ୍ମହତ୍ୟା ଉଦ୍ୟମ କରୁଥିବା ମହିଳାଙ୍କୁ ଉଦ୍ଧାର କରି ସୁରକ୍ଷିତ ଭାବେ ଘରେ ଛାଡ଼ିଲେ

ବାଲେଶ୍ୱର, ୬/୭ : ସାଧାଣତଃ ଟ୍ରକ୍ ଡ୍ରାଇଭରଙ୍କୁ ନେଇ ସମସ୍ତଙ୍କ ମନରେ ନକାରାତ୍ମକ ଭାବନା ଅଛି । ହେଲେ ଜଣେ ଟ୍ରକ୍ ଡ୍ରାଇଭର୍ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି। ବିଳମ୍ବିତ ରାତିରେ ଆତ୍ମହତ୍ୟା ଉଦ୍ୟମ କରୁଥିବା ଜଣେ ମହିଳାଙ୍କୁ ଉଦ୍ଧାର କରି ସୁରକ୍ଷିତ ଭାବେ ଘରେ ପହଞ୍ଚାଇଛନ୍ତି। ଏହି ଟ୍ରକ୍ ଡ୍ରାଇଭର୍ ହେଉଛନ୍ତି ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ବ୍ଲକ୍ ଗୋବରଘାଟା ଅଞ୍ଚଳର ମୃତ୍ୟୁଞ୍ଜୟ କୁମାର ଘୋଷ (୫୧) ।

ଶୁକ୍ରବାର ରାତି ପ୍ରାୟ ୧୨ଟା । ମୃତ୍ୟୁଞ୍ଜୟ ଚଣ୍ଡିଖୋଲରୁ ଟ୍ରକ୍ରେ ଚିପ୍ସ ଲୋଡ୍ କରି ଫେରୁଥିଲେ। ବାଲେଶ୍ୱର ସହର ଉପକଣ୍ଠ ଫୁଲାଡ଼ି ନିକଟସ୍ଥ ଜାତୀୟ ରାଜପଥରେ ଜଣେ ବିବାହିତା ମହିଳା ହଠାତ୍ ତାଙ୍କ ଟ୍ରକ୍ ଆଗକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ମୃତ୍ୟୁଞ୍ଜୟ ଉପସ୍ଥିତ ବୁଦ୍ଧି ଲଗାଇ ସଙ୍ଗେ ସଙ୍ଗେ ଗାଡ଼ି ଅଟକାଇ ମହିଳାଙ୍କ ଜୀବନ ରକ୍ଷା କରିଥିଲେ । ପରେ ରାସ୍ତାପାର୍ଶ୍ୱରେ ଗାଡ଼ି ରଖି ମହିଳାଙ୍କ ନିକଟକୁ ଆସିଥିଲେ। ଏଭଳି ନିଷ୍ପତ୍ତି ନେବା ପଛର ଘଟଣା ବିଷୟରେ ପଚାରି ବୁଝିଥିଲେ। ମହିଳା ଜଣଙ୍କ ଶାଶୂଘର ଲୋକଙ୍କ ଦ୍ୱାରା ବାରମ୍ବାର ନିର୍ଯାତିତ ହେଉଥିବା କହିଥିଲେ। ଏମିତିକି ସ୍ୱାମୀ ତାଙ୍କୁ ଦୀର୍ଘଦିନ ହେଲା ଘରେ ବନ୍ଦ କରି ରଖିଥିଲେ। କୌଶଳ କ୍ରମେ ସ୍ୱାମୀ, ଶାଶୂଘର ଲୋକଙ୍କ ଆଖିରୁ ଖସି ଆସିଥିଲେ। ଶାଶୂଘରକୁ ଆଉ ନ ଫେରିବା ସହ ଆତ୍ମହତ୍ୟା କରିବାକୁ ନିଷ୍ପତ୍ତି ନେଇଥିବା ମହିଳା ଜଣଙ୍କ କହିଥିଲେ ।ମୃତ୍ୟୁଞ୍ଜୟ ସବୁ ଶୁଣିବା ପରେ ମହିଳାଙ୍କୁ ଆଶ୍ୱାସନା ଦେବା ସହ ଜୀବନ ନ ହାରିବାକୁ ବୁଝାଇଥିଲେ। ପରେ ତାଙ୍କୁ ଟ୍ରକ୍ରେ ନିଜ ଘରକୁ ଆଣିଥିଲେ। ରାତି ପ୍ରାୟ ୩ଟାରେ ନିଜ ଘରେ ପହଞ୍ଚିଥିଲେ। ଶନିବାର ସକାଳେ ପ୍ରବଳ ବର୍ଷା ହେଉଥିବାରୁ ତାଙ୍କୁ ଘରେ ସୁରକ୍ଷିତ ଭାବେ ରଖିଥିଲେ। ରବିବାର ବର୍ଷା ଛାଡ଼ିବାରୁ ମୃତ୍ୟୁଞ୍ଜୟ ମହିଳାଙ୍କ ମଉସାଙ୍କ ସହ କଥା ହୋଇଥିଲେ। ପରେ ବୁଝାସୁଝା କରି ମହିଳାଙ୍କୁ ନେଇ ତାଙ୍କ ଘରେ ଛାଡ଼ିଥିଲେ। ଅନ୍ୟପଟେ ମହିଳା ଜଣଙ୍କୁ ବାପଘର ଲୋକେ ଖୋଜାଖୋଜି କରୁଥିବାବେଳେ ସେମାନଙ୍କୁ ମଧ୍ୟ ମୃତ୍ୟୁଞ୍ଜୟ ଖବର ଦେଇଥିଲେ। ଏହି ଖବର ପାଇବା ପରେ ପରିବାର ଲୋକେ ଖୁସି ହେବା ସହ ମୃତ୍ୟୁଞ୍ଜୟଙ୍କ ଏଭଳି ମହତ କାର୍ଯ୍ୟକୁ ପ୍ରଶଂସା କରିଥିଲେ।

ମୃତ୍ୟୁଞ୍ଜୟଙ୍କ କହିବା କଥା ମହିଳା ଜଣଙ୍କ ଯେଉଁ ସ୍ଥାନରେ ଆତ୍ମହତ୍ୟା ଉଦ୍ୟମ କରୁଥିଲେ ତାହା ଥିଲା ଅପରାଧପ୍ରବଣ ସ୍ଥାନ। ବିଳମ୍ବିତ ରାତିରେ ସେହି ଶୂନଶାନ ରାସ୍ତାରେ ଜଣେ ମହିଳାଙ୍କୁ ଅସୁରକ୍ଷିତ ଭାବେ ଛାଡ଼ି ଆସିବାକୁ ଉଚିତ୍ ମନେ କରି ନଥିଲେ । ତାଙ୍କୁ ଟ୍ରକ୍ରେ ଘରକୁ ନେଇ ଆସିଥିଲେ। ଏଥିସହ ଆତ୍ମହତ୍ୟା ପରି ଭୁଲ୍ ପଦକ୍ଷେପ ନନେବାକୁ ବୁଝାଇ ଘରେ ଛାଡ଼ିଥିଲେ । ଅପରପକ୍ଷରେ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ସଦସ୍ୟା ତଥା ସମାଜସେବୀ ସୁଜାତା ନାୟକ ଏହି ଖବର ଜାଣିବା ପରେ ତୁରନ୍ତ ସଦର ଥାନା ଅଧିକାରୀଙ୍କ ସହ ଆଲୋଚନା କରିଥିଲେ । ସଦର ଥାନା ଅଧିକାରୀ ମହିଳାଙ୍କ ସମେତ ନିର୍ଯାତନା ଦେଉଥିବା ଶାଶୂ, ଶ୍ୱଶୁର, ସ୍ୱାମୀଙ୍କୁ ଥାନାକୁ ଡାକି ଆଲୋଚନା କରିଛନ୍ତି। ଏହି ଅଭିଯୋଗ ପରେ ପୁଲିସ୍ ଘଟଣାର ତଦନ୍ତ ଆରମ୍ଭ କରିଛି। ତେବେ ଟ୍ରକ୍ ଡ୍ରାଇଭର ମୃତ୍ୟୁଞ୍ଜୟଙ୍କ ଏଭଳି କାମକୁ ସବୁ ମହଲରୁ ପ୍ରଶଂସା କରାଯାଇଛି।

ଆହୁରି ପଢନ୍ତୁ- ବୟସ ମାତ୍ର ୬ ମାସ ୨୧ ଦିନ.. ମହାପ୍ରଭୁଙ୍କ ସେବାରେ ଯୋଗ ଦେଲେ ସର୍ବକନିଷ୍ଠ ଦଇତାପତି, ଶ୍ରୀଅଂଶଙ୍କ କଅଁଳ ସ୍ପର୍ଶରେ ସୁସ୍ଥ ହେବେ ଦାରୁବ୍ରହ୍ମ