Rath Yatra 2026: ଆଜି ରଥଯାତ୍ରା ଶେଷ ସ୍ୱତନ୍ତ୍ର ସମନ୍ୱୟ ବୈଠକ, ସବୁ ବିଭାଗର ପ୍ରସ୍ତୁତି ରିପୋର୍ଟ ଦେଖିବେ ମୁଖ୍ୟମନ୍ତ୍ରୀ
ପୁରୀ,୦୬/୦୭: ଆଜି ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା ୨୦୨୬ ପାଇଁ ଶେଷ ସମନ୍ୱୟ କମିଟି ବୈଠକ ଅନୁଷ୍ଠିତ ହେବ । ବୈଠକରେ ଯୋଗଦେବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସବୁ ବିଭାଗର ରଥଯାତ୍ରା ପ୍ରସ୍ତୁତି ରିପୋର୍ଟ ଦେଖିବେ ମୁଖ୍ୟମନ୍ତ୍ରୀ । ପୁରୀ ପୌର ସଦନଠାରେ ପୂର୍ବାହ୍ଣ ୧୦ଟା ୩୫ରୁ ଆରମ୍ଭ ହେବ ବୈଠକ । ରଥ ନିର୍ମାଣ, ନୀତିକାନ୍ତି ପାଇଁ ଦ୍ରବ୍ୟ ଯୋଗାଣ ସହ ରାସ୍ତା, ଆଲୋକ, ନଳା, ପାଣି, ସୁରକ୍ଷା ସବୁ ଦିଗରୁ ଚୂଡ଼ାନ୍ତ ପ୍ରସ୍ତୁତି ସମୀକ୍ଷା କରାଯିବ ।
ଅଧିକ ପଢ଼ନ୍ତୁ :- ବୟସ ମାତ୍ର ୬ ମାସ ୨୧ ଦିନ.. ମହାପ୍ରଭୁଙ୍କ ସେବାରେ ଯୋଗ ଦେଲେ ସର୍ବକନିଷ୍ଠ ଦଇତାପତି, ଶ୍ରୀଅଂଶଙ୍କ କଅଁଳ ସ୍ପର୍ଶରେ ସୁସ୍ଥ ହେବେ ଦାରୁବ୍ରହ୍ମ
ପୂର୍ବରୁ ଦିଆଯାଇଥିବା ଡେଡ୍ଲାଇନ୍ ଅନୁଯାୟୀ କେତେ କାମ ହୋଇଛି, ସେନେଇ ହେବ ମାନସ ମନ୍ଥନ । ରଥଯାତ୍ରା ସହ ଜଡ଼ିତ ସବୁ ଲାଇନ୍ ଡିପାର୍ଟମେଣ୍ଟର ଅଧିକାରୀ ଓ ମନ୍ତ୍ରୀ ସେମାନଙ୍କ ଚୂଡାନ୍ତ ଆକ୍ସନ ପ୍ଲାନ ମୁଖ୍ୟମନ୍ତ୍ରୀଙ୍କ ଆଗରେ ଉପସ୍ଥାପନ କରିବେ । ବୈଠକରେ ଶ୍ରୀମନ୍ଦିର ସେବାୟତ ଓ ସହରର ବୁଦ୍ଧିଜୀବୀମାନେ ମଧ୍ୟ ସାମିଲ ରହିବେ । ମୁଖ୍ୟମନ୍ତ୍ରୀ ଅଧ୍ୟକ୍ଷତା କରିବାକୁ ଥିବା ବେଳେ ଦୁଇ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ଓ ପ୍ରଭାତୀ ପରିଡ଼ା, ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ, ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର, ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା, ପଞ୍ଚାୟତିରାଜ ମନ୍ତ୍ରୀ ରବି ନାୟକ ପ୍ରମୁଖ ଉପସ୍ଥିତ ରହିବେ । ପୁରୀ ଜିଲ୍ଲାର ବ୍ରହ୍ମଗିରି ବିଧାୟିକା ଉପାସନା ମହାପାତ୍ର, ସତ୍ୟବାଦୀ ବିଧାୟକ ତଥା ଯୋଜନା ବୋର୍ଡ ଅଧ୍ୟକ୍ଷ ଓମ୍ପ୍ରକାଶ ମିଶ୍ର, ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକ, ପୁରୀ ବିଧାୟକ ସୁନୀଲ ମହାନ୍ତି, କାକଟପୁର ବିଧାୟକ ତୁଷାରକାନ୍ତି ବେହେରା ଓ ପୁରୀ ସାଂସଦ ଡା. ସମ୍ବିତ ପାତ୍ର ମଧ୍ୟ ଉପସ୍ଥିତ ରହିବେ ।