Heatwave: ଫ୍ରାନ୍ସରେ ୪୩ ଡିଗ୍ରୀ ଡେଇଁବ ପାରଦ ! ୨୦୦୩ର ସେହି ଭୟଙ୍କର 'ହିଟ୍ ୱେଭ୍', ମନେପଡ଼ିଲେ ଥରି ଉଠୁଛି ଛାତି
ନୂଆଦିଲ୍ଲୀ, ୨୪।୬: ସମଗ୍ର ୟୁରୋପ ମହାଦେଶରେ ଗ୍ରୀଷ୍ମ ଲହରୀ ଦେଖିବାକୁ ମିଳିଛି । ‘ହିଟ୍ ୱେଭ୍’ ଯୋଗୁଁ ଅଧାରୁ ଅଧିକ ୟୁରୋପୀୟ ଦେଶ ସନ୍ତୁଳି ହେଉଛନ୍ତି । ବିଶେଷ କରି ଫ୍ରାନ୍ସ, ବ୍ରିଟେନ, ସ୍ପେନ ଓ ଜର୍ମାନୀ ଭଳି ଦେଶଗୁଡ଼ିକରେ ସୂର୍ଯ୍ୟଙ୍କ ପ୍ରଖର କିରଣ ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି । ଅନେକ ସ୍ଥାନରେ ପାରଦ ୪୦ ଡିଗ୍ରୀ ସେଲସିୟସ୍ ପାର୍ କରିସାରିଥିବା ବେଳେ ସ୍ଥିତି ଦିନକୁ ଦିନ ଗମ୍ଭୀର ହେବାରେ ଲାଗିଛି । ଫ୍ରାନ୍ସରେ ଗ୍ରୀଷ୍ମର ପ୍ରକୋପ ଏଭଳି ସ୍ତରରେ ପହଞ୍ଚିଛି ଯେ ଦେଶର ଅଧାରୁ ଅଧିକ ଭାଗରେ ପାଣିପାଗ ବିଭାଗ ପକ୍ଷରୁ ରେଡ୍ ଆଲର୍ଟ ଜାରି କରାଯାଇଛି । ଆଗାମୀ ଦିନରେ ଫ୍ରାନ୍ସର କେତେକ ନିର୍ଦ୍ଦିଷ୍ଟ ଅଞ୍ଚଳରେ ତାପମାତ୍ରା ୪୩ ଡିଗ୍ରୀ ସେଲସିୟସ ଛୁଇଁବ ବୋଲି ଆକଳନ କରାଯାଉଛି । ସୋମବାର ପ୍ରବଳ ଗ୍ରୀଷ୍ମପ୍ରବାହ ଯୋଗୁଁ ୟୁରୋପରେ ଅନେକ ସହରରେ ପୁରୁଣା ରେକର୍ଡ ତାପମାତ୍ରା ଟପିଥିବା ବେଳେ ୧୮ ଜଣଙ୍କ ମୃତ୍ୟୁ ହୋଇଛି ।
ଏହି ପ୍ରଚଣ୍ଡ ଗରମର ପ୍ରଭାବ ଦେଶର ଶକ୍ତି ଉତ୍ପାଦନ ଉପରେ ମଧ୍ୟ ପଡ଼ିଛି । ଗଲ୍ଫେସ୍ ସ୍ଥିତ ପରମାଣୁ ଶକ୍ତି କେନ୍ଦ୍ରକୁ ଥଣ୍ଡା ରଖିବା ପାଇଁ ଗାରୋନ୍ ନଦୀର ଜଳ ବ୍ୟବହୃତ ହୋଇଥାଏ । ମାତ୍ର ବାୟୁମଣ୍ଡଳର ଉତ୍ତାପ ଯୋଗୁଁ ଏହି ନଦୀର ଜଳ ମଧ୍ୟ ପ୍ରାୟ ୨୮ ଡିଗ୍ରୀ ସେଲସିୟସକୁ ଗରମ ହୋଇଯାଇଛି । ଫଳରେ ସୁରକ୍ଷା ଦୃଷ୍ଟିରୁ ସୋମବାର ରାତିରେ ଏହି ପରମାଣୁ ଶକ୍ତି କେନ୍ଦ୍ରକୁ ଅସ୍ଥାୟୀ ଭାବେ ବନ୍ଦ କରିବାକୁ ପଡ଼ିଛି । ବର୍ତ୍ତମାନର ଏହି ସ୍ଥିତି ୨୦୦୩ ମସିହାର ଐତିହାସିକ ଗ୍ରୀଷ୍ମ ପ୍ରବାହକୁ ମନେପକାଇ ଦେଉଛି । ୨୦୦୩ରେ ଫ୍ରାନ୍ସରେ ପ୍ରାୟ ଗୋଟେ ଦିନ ଧରି ଲଗାତାର ହିଟ୍ ୱେଭ୍ ଚାଲିଥିଲା, ଯେଉଁଥିରେ ପ୍ରାୟ ୧୫ ହଜାର ଲୋକ ପ୍ରାଣ ହରାଇଥିଲେ । ଏହାକୁ ୟୁରୋପୀୟ ଇତିହାସର ସବୁଠାରୁ ଭୟଙ୍କର ପ୍ରାକୃତିକ ବିପର୍ଯ୍ୟୟ ମଧ୍ୟରୁ ଗୋଟିଏ ବୋଲି କୁହାଯାଏ ।
ଏହା ବି ପଢ଼ନ୍ତୁ... ହର୍ମୁଜରୁ ଉଦ୍ଧାର ହେବେ ୧୧ ହଜାର ନାବିକ, ଯୋଜନା ଆରମ୍ଭ କଲା ଆମେରିକୀୟ ଏଜେନ୍ସି…
ୟୁକେ ପାଣିପାଗ କାର୍ଯ୍ୟାଳୟର ସୂଚନା ଅନୁଯାୟୀ, ଆସନ୍ତା ବୁଧବାର ସୁଦ୍ଧା ସେଠାରେ ତାପମାତ୍ରା ୩୯ ଡିଗ୍ରୀ ସେଲସିୟସ୍ ଉପରକୁ ଯାଇପାରେ । ଯଦି ଏଭଳି ହୁଏ, ତେବେ ବ୍ରିଟେନରେ ଗରମର ୫୦ ବର୍ଷର ପୁରୁଣା ରେକର୍ଡ ଭାଙ୍ଗିଯିବ । ଅନ୍ୟପଟେ ସ୍ପେନର ଅବସ୍ଥା ମଧ୍ୟ ଶୋଚନୀୟ ହୋଇପଡ଼ିଛି । ଦେଶର ଅଧିକାଂଶ ସ୍ଥାନରେ ତାପମାତ୍ରା ୩୮ ରୁ ୪୦ ଡିଗ୍ରୀ ସେଲସିୟସ୍ ମଧ୍ୟରେ ରହିଛି । ସବୁଠାରୁ ଚିନ୍ତାଜନକ ବିଷୟ ହେଉଛି, କେତେକ ଅଞ୍ଚଳରେ ରାତିର ତାପମାତ୍ରା ମଧ୍ୟ ୩୦ ଡିଗ୍ରୀ ସେଲସିୟସ ତଳକୁ ଖସୁନାହିଁ, ଯାହା ଫଳରେ ଲୋକେ ରାତିରେ ମଧ୍ୟ ଅସ୍ତବ୍ୟସ୍ତ ହୋଇପଡୁଛନ୍ତି । ସେହିଭଳି ଜର୍ମାନୀ, ବେଲଜିୟମ୍ ଏବଂ ଇଟାଲୀରେ ମଧ୍ୟ ପ୍ରବଳ ଗରମ ଯୋigx ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି ।