30 JUNE 2026

Welcome!

Unlock your personalized experience.
Sign Up

Deported 100 Venezuelans Missing: ଭୂକମ୍ପରେ ଥରିଲା ସହର; ଆମେରିକାରୁ ନିର୍ବାସିତ ୧୦୦ରୁ ଅଧିକ ଲୋକ ନିଖୋଜ

Jun 30, 2026 - 12:08
Deported 100 Venezuelans Missing: ଭୂକମ୍ପରେ ଥରିଲା ସହର; ଆମେରିକାରୁ ନିର୍ବାସିତ ୧୦୦ରୁ ଅଧିକ ଲୋକ ନିଖୋଜ

ନୂଆଦିଲ୍ଲୀ, ୩୦।୬: ପ୍ରକୃତିର କରାଳ ରୂପ ଓ ଭାଗ୍ୟର ନିଷ୍ଠୁର ପରିହାସ । ଭେନେଜୁଏଲାରେ ଗତ ୨୪ ଜୁନ୍ ୨୦୨୬ରେ ଆସିଥିବା ଦୁଇଟି ପ୍ରଳୟଙ୍କରୀ ଭୂକମ୍ପ ସାରା ଦେଶକୁ ଦୋହଲାଇ ଦେଇଛି । ୭.୨ ଏବଂ ୭.୫ ତୀବ୍ରତାର ଏହି ଶକ୍ତିଶାଳୀ ଝଟକାରେ ହଜାର ହଜାର ବିଲ୍ଡିଂ ମାଟିରେ ମିଶିଯାଇଛି । କୁହାଯାଉଛି ଯେ, ଏହା ଭେନେଜୁଏଲା ଇତିହାସରେ ଗତ ୧୨୫ ବର୍ଷର ସବୁଠାରୁ ଭୟଙ୍କର ଭୂକମ୍ପ । ମାତ୍ର ୩୯ ସେକେଣ୍ଡ ବ୍ୟବଧାନରେ ଆସିଥିବା ଦୁଇଟି ଝଟକା ସବୁ କିଛି ଛାରଖାର କରିଦେଇଛି । ଏହି ମହାବିପତ୍ତି ମଧ୍ୟରୁ ଏକ ଅତ୍ୟନ୍ତ ଦୁଃଖଦ ଓ ଚମକାଇ ଦେଲା ଭଳି ଖବର ସାମ୍ନାକୁ ଆସିଛି । ଆମେରିକାରୁ ନିର୍ବାସିତ ହୋଇ ଫେରିଥିବା ୧୦୦ରୁ ଅଧିକ ଭେନେଜୁଏଲା ନାଗରିକ ଭୂକମ୍ପ ଆସିବାର ମାତ୍ର କିଛି ଘଣ୍ଟା ପୂର୍ବରୁ 'ଲା ଗ୍ୱାୟରା' ଅଞ୍ଚଳର ଏକ ହୋଟେଲରେ ପହଞ୍ଚିଥିଲେ । କିନ୍ତୁ, ଭୂକମ୍ପ ଏହି ହୋଟେଲକୁ ସମ୍ପୂର୍ଣ୍ଣ ଭାବେ ଭାଙ୍ଗି ମାଟିରେ ମିଶାଇ ଦେଇଛି, ଯାହାଫଳରେ ସେମାନେ ଏବେ ଧ୍ୱଂସାବଶେଷ ତଳେ ନିଖୋଜ ଅଛନ୍ତି ।

ସୂଚନା ଅନୁଯାୟୀ, ଆମେରିକାରେ ଡୋନାଲ୍ଡ ଟ୍ରମ୍ପ ପ୍ରଶାସନର କଡ଼ା ନିର୍ବାସନ ଅଭିଯାନ ଯୋଗୁଁ ଶତାଧିକ ଭେନେଜୁଏଲା ନାଗରିକଙ୍କୁ ସ୍ୱଦେଶ ଫେରାଇ ଦିଆଯାଉଥିଲା । ଏମାନଙ୍କ ମଧ୍ୟରୁ ଅନେକ ବର୍ଷ ବର୍ଷ ଧରି ଆମେରିକାରେ ରହି ରୋଜଗାର କରୁଥିଲେ । ଏକ ବିଶେଷ ICE ଫ୍ଲାଇଟ୍ ଯୋଗେ ମିଆମିରୁ ୧୪୬ ଜଣ ନାଗରିକ ଯେଉଁଥିରେ ମହିଳା ଓ ଶିଶୁ ମଧ୍ୟ ସାମିଲ ଥିଲେ । ଏୟାରପୋର୍ଟରୁ ସେମାନଙ୍କୁ ସିଧାସଳଖ ଲା ଗ୍ୱାୟରାର 'ହୋଟେଲ ସାଣ୍ଟୁଆରିଓ ଲା ଲ୍ଲାନାଡା'କୁ ନିଆଯାଇଥିଲା । ସେଠାରେ ସେମାନଙ୍କର ମେଡିକାଲ ଚେକଅପ୍ ଏବଂ କାଗଜପତ୍ର କାମ ଚାଲିଥିବା ବେଳେ ସେହି ରାତିରେ ହିଁ ଭୂକମ୍ପ ମାଡ଼ି ଆସିଥିଲା । ଧ୍ୱଂସାବଶେଷ ଭିତରୁ ଜୀବନ୍ତ ଉଦ୍ଧାର ହୋଇଥିବା ଲିସବେଥ୍ ପୋର୍ଟିଲୋ ନାମକ ଜଣେ ମହିଳା କାନ୍ଦି କାନ୍ଦି କହିଛନ୍ତି, "ଆମେ ପ୍ରାୟ ୨୦ ଜଣ କୌଣସି ମତେ ବାହାରକୁ ଚାଲିଆସିଲୁ, କିନ୍ତୁ ବାକି ସମସ୍ତେ ସେହି ପୁରୁଣା ବିଲ୍ଡିଂର ଧ୍ୱଂସାବଶେଷ ତଳେ ଚାପି ହୋଇ ରହିଗଲେ ।

ଏହା ବି ପଢ଼ନ୍ତୁ... ​​​​​​​Pakistan Empty Threat to India: ଭାରତକୁ ପାକିସ୍ତାନର ଫମ୍ପା ଧମକ, ସିନ୍ଧୁ ଜଳ ଚୁକ୍ତିକୁ ନେଇ ପୁଣି ଗର୍ଜିଲା କାଙ୍ଗାଳ ଦେଶ !

ଏହି ଭୂକମ୍ପରେ ଭେନେଜୁଏଲାର ସ୍ଥିତି ଅତ୍ୟନ୍ତ ଗମ୍ଭୀର ହୋଇପଡ଼ିଛି । ରାସ୍ତାଘାଟ ଫାଟି ଆଁ କରିଛି, ବିଦ୍ୟୁତ୍ ଓ ପାଣି ଯୋଗାଣ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି । ବର୍ତ୍ତମାନ ସୁଦ୍ଧା ସାରା ଦେଶରେ ନିଖୋଜଙ୍କ ସଂଖ୍ୟା ୪୬ ହଜାରରୁ ଅଧିକ ବୋଲି କୁହାଯାଉଛି । ମେକ୍ସିକୋ, ସ୍ପେନ, କତାର, ଆମେରିକା ଏବଂ ବ୍ରିଟେନରୁ ବିଶେଷଜ୍ଞ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ଧ୍ୱଂସାବଶେଷ ହଟାଇବା ପାଇଁ ସ୍ନିଫର ଡଗ୍ସ, ମାଇକ୍ରୋ ଡ୍ରୋନ ଏବଂ ଭାରି ମେସିନର ସାହାଯ୍ୟ ନିଆଯାଉଛି । ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ଭେନେଜୁଏଲାର ହସ୍ପିଟାଲଗୁଡ଼ିକରେ ବେଡ୍ ନାହିଁ କି ଔଷଧ ନାହିଁ, ଯାହାଫଳରେ ଆହତଙ୍କ ଚିକିତ୍ସାରେ ବଡ଼ ସମସ୍ୟା ସୃଷ୍ଟି ହୋଇଛି । ଏହି ଦୁର୍ଘଟଣା କେବଳ ଏକ ପ୍ରାକୃତିକ ବିପର୍ଯ୍ୟୟ ନୁହେଁ, ବରଂ ଏହା ଆମେରିକାର କଠୋର ଇମିଗ୍ରେସନ ପଲିସି ଏବଂ ପ୍ରବାସୀଙ୍କ ସୁରକ୍ଷା ଉପରେ ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି । ସାଧାରଣ ଲୋକେ ପ୍ରଶ୍ନ କରୁଛନ୍ତି ଯେ, ସେମାନଙ୍କୁ ସେହି ପୁରୁଣା ହୋଟେଲରେ ରଖାଯିବା କେତେଦୂର ସଠିକ୍ ଥିଲା ? ନୂଆ ଜୀବନ ଆରମ୍ଭ କରିବା ଆଶାରେ ନିଜ ଦେଶକୁ ଫେରିଥିବା ଏହି ଅଭାଗା ଲୋକଙ୍କ ପାଇଁ ଏବେ ସାରା ବିଶ୍ୱରେ ଦୁଃଖ ପ୍ରକାଶ ପାଇଛି । ଉଦ୍ଧାରକାରୀ ଦଳ କିଛି ପିଲାଙ୍କୁ ଜୀବନ୍ତ ବାହାର କରିଛନ୍ତି ସତ, କିନ୍ତୁ ସେହି ହୋଟେଲ ଧ୍ୱଂସାବଶେଷ ତଳୁ ଆଉ କେହି ଜୀବିତ ବାହାରିବେ ବୋଲି ଆଶା ଧୀରେ ଧୀରେ ମଉଳିବାରେ ଲାଗିଛି ।