30 JUNE 2026

Welcome!

Unlock your personalized experience.
Sign Up

ଆମ ଶରୀରରୁ ନିର୍ଗତ ଝାଳରୁ କାହିଁକି ବାହାରେ ଦୁର୍ଗନ୍ଧ ? ଜାଣନ୍ତୁ କାରଣ …

Jun 30, 2026 - 14:14
ଆମ ଶରୀରରୁ ନିର୍ଗତ ଝାଳରୁ କାହିଁକି ବାହାରେ ଦୁର୍ଗନ୍ଧ ? ଜାଣନ୍ତୁ କାରଣ …

ଗରମ ଏବଂ ଗୁଳୁଗୁଳି ପାଗରେ ଶରୀରରୁ ଦୁର୍ଗନ୍ଧ ବାହାରିବା ଅନେକଙ୍କ ପାଇଁ ଏକ ସାଧାରଣ ସମସ୍ୟା। କିନ୍ତୁ ଆପଣ କ’ଣ ଜାଣନ୍ତି ଯେ ଏହି ଦୁର୍ଗନ୍ଧ କାହିଁକି ହୁଏ ? ପ୍ରତିଦିନ ସ୍ନାନ କରିବା ଏବଂ ସୁଗନ୍ଧଯୁକ୍ତ ଡିଓଡୋରାଣ୍ଟ ବ୍ୟବହାର କରିବା ସତ୍ତ୍ୱେ ମଧ୍ୟ କେତେକ ଲୋକଙ୍କ ଶରୀରରୁ, ବିଶେଷକରି କାଖ ଓ ପାଦରୁ, ତୀବ୍ର ଦୁର୍ଗନ୍ଧ ବାହାରିଥାଏ। ତେବେ ଏହାର ପ୍ରକୃତ କାରଣ କ'ଣ ? ଆସନ୍ତୁ ଜାଣିବା।

ଝାଳର ନିଜସ୍ୱ କୌଣସି ଗନ୍ଧ ନଥାଏ:

ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ଝାଳର ନିଜସ୍ୱ କୌଣସି ଗନ୍ଧ ନାହିଁ। ଶରୀରର ଚର୍ମରେ ପ୍ରାକୃତିକ ଭାବେ ଲକ୍ଷ ଲକ୍ଷ ଜୀବାଣୁ ବାସ କରନ୍ତି। ଝାଳ ସହ ଚର୍ମରେ ଥିବା ଚର୍ବି ଓ ପ୍ରୋଟିନକୁ ଏହି ଜୀବାଣୁ ଭାଙ୍ଗିବା ବେଳେ କିଛି ରାସାୟନିକ ପଦାର୍ଥ ସୃଷ୍ଟି ହୁଏ, ଯାହା ଶରୀରରୁ ଦୁର୍ଗନ୍ଧ ବାହାରିବାର ମୁଖ୍ୟ କାରଣ।

ଶରୀରର ଦୁର୍ଗନ୍ଧ କେଉଁ ୩ଟି କାରଣ ଉପରେ ନିର୍ଭର କରେ?

-ଶରୀରରେ କେଉଁ ପ୍ରକାରର ଝାଳ ଗ୍ରନ୍ଥି ସକ୍ରିୟ ଅଛି

-ଚର୍ମରେ କେଉଁ ପ୍ରକାରର ଜୀବାଣୁ ରହିଛନ୍ତି

-ଆପଣଙ୍କ ଜୀବନଶୈଳୀ, ଖାଦ୍ୟାଭ୍ୟାସ ଓ ପରିବେଶ

 

ଶରୀରରେ ରହିଛି ଦୁଇ ପ୍ରକାରର ଝାଳ ଗ୍ରନ୍ଥି:

୧. ଏକ୍କ୍ରିନ୍ (Eccrine) ଗ୍ରନ୍ଥି

ଏହି ଗ୍ରନ୍ଥି ମୁହଁ, କପାଳ, ପାପୁଲି ଓ ଶରୀରର ଖୋଲା ଅଂଶରେ ଥାଏ। ଏହାଦ୍ବାରା ବାହାରୁଥିବା ଝାଳ ପାଣିଯୁକ୍ତ ଏବଂ ଲୁଣିଆ ହୋଇଥାଏ। ଏହା ଶରୀରର ତାପମାତ୍ରାକୁ ସନ୍ତୁଳିତ ରଖିବାରେ ସହାୟକ ହୋଇଥାଏ। ଏହି ଝାଳ ସାଧାରଣତଃ ଦୁର୍ଗନ୍ଧ ସୃଷ୍ଟି କରେ ନାହିଁ।

୨. ଆପୋକ୍ରାଇନ୍ ( Apocrine) ଗ୍ରନ୍ଥି

ଏହି ଗ୍ରନ୍ଥି କାଖ ଓ ଜଙ୍ଘ ଭଳି ଅଞ୍ଚଳରେ ଥାଏ। କିଶୋରାବସ୍ଥା ପରେ ଏହା ସକ୍ରିୟ ହୋଇଥାଏ। ଏହି ଗ୍ରନ୍ଥିରୁ ବାହାରୁଥିବା ଝାଳରେ ପ୍ରୋଟିନ ଓ ଚର୍ବିର ପରିମାଣ ଅଧିକ ଥାଏ। ଏହା ଜୀବାଣୁଙ୍କ ବୃଦ୍ଧି ପାଇଁ ଉପଯୁକ୍ତ ପରିବେଶ ସୃଷ୍ଟି କରେ, ଫଳରେ ତୀବ୍ର ଦୁର୍ଗନ୍ଧ ହୋଇଥାଏ।

କେଉଁ ଜୀବାଣୁ ଦୁର୍ଗନ୍ଧ ସୃଷ୍ଟି କରନ୍ତି?

ବିଶେଷଜ୍ଞଙ୍କ ଅନୁସାରେ, ଷ୍ଟାଫିଲୋକୋକସ୍ ଓ କୋରିନେବ୍ୟାକ୍ଟେରିୟମ୍ ନାମକ ଜୀବାଣୁ ଝାଳକୁ ଭାଙ୍ଗି ପ୍ରୋପିଓନିକ୍ ଏସିଡ୍ ପରି ରାସାୟନିକ ପଦାର୍ଥ ସୃଷ୍ଟି କରନ୍ତି, ଯାହା ତୀବ୍ର ଶରୀର ଦୁର୍ଗନ୍ଧର କାରଣ।

ଚାପ ମଧ୍ୟ ବଢ଼ାଏ ଶରୀରର ଦୁର୍ଗନ୍ଧ

ଅତ୍ୟଧିକ ମାନସିକ ଚାପ ଓ ଚିନ୍ତା ଆପୋକ୍ରାଇନ୍ ଗ୍ରନ୍ଥିକୁ ଅଧିକ ସକ୍ରିୟ କରିଥାଏ। ଫଳରେ ଅଧିକ ଝାଳ ବାହାରିଥାଏ ଏବଂ ଶରୀରରୁ ଦୁର୍ଗନ୍ଧ ବଢ଼ିଯାଏ।

ଶରୀରର ଦୁର୍ଗନ୍ଧରୁ ବଞ୍ଚିବେ କିପରି?

-ପ୍ରତିଦିନ ସ୍ନାନ କରନ୍ତୁ

-କାଖ ଓ ପାଦକୁ ସଫା ଓ ଶୁଖିଲା ରଖନ୍ତୁ

-ସୂତାର ପୋଷାକ ପିନ୍ଧନ୍ତୁ

-ଅତ୍ୟଧିକ ପିଆଜ, ରସୁଣ ଓ ମସଲାଯୁକ୍ତ ଖାଦ୍ୟ କମ୍ ଖାଆନ୍ତୁ

-ପର୍ଯ୍ୟାପ୍ତ ପାଣି ପିଅନ୍ତୁ

-ଅଧିକ ଦୁର୍ଗନ୍ଧ ସମସ୍ୟା ରହିଲେ ଚର୍ମରୋଗ ବିଶେଷଜ୍ଞଙ୍କ ପରାମର୍ଶ ନିଅନ୍ତୁ