Caste discrimination: ଜାତି ବାସନ୍ଦ ପାଇଁ ମିଳିଲାନି କାନ୍ଧ: ସାଇକେଲ୍‌ରେ ବୁହା ହୋଇ ମଶାଣିକୁ ଗଲା ବୃଦ୍ଧାଙ୍କ ଶବ, ଶେଷକୃତ୍ୟ କଲେ ବିଧବା ପୁତ୍ରବଧୂ ଓ ଝିଅ

Jun 26, 2026 - 08:03
Caste discrimination: ଜାତି ବାସନ୍ଦ ପାଇଁ ମିଳିଲାନି କାନ୍ଧ: ସାଇକେଲ୍‌ରେ ବୁହା ହୋଇ ମଶାଣିକୁ ଗଲା ବୃଦ୍ଧାଙ୍କ ଶବ, ଶେଷକୃତ୍ୟ କଲେ ବିଧବା ପୁତ୍ରବଧୂ ଓ ଝିଅ

ବରଗଡ଼/ପାଇକମାଳ,୨୬/୦୬:ପୁଅ ବୋହୂ, ଝିଅ-ଜ୍ୱାଇଁ, ନାତି-ନାତୁଣୀଙ୍କୁ ନେଇ  ବଡ଼ ପରିବାର । ତା’ ସତ୍ତେ୍ୱ ବୃଦ୍ଧାଙ୍କୁ ମିଳିଲାନି  କାନ୍ଧ । ଅନ୍ତ୍ୟେଷ୍ଟି ପାଇଁ ଆତ୍ମୀୟ ସ୍ୱଜନ ଆସିଲେନି  କି ବନ୍ଧୁ ପରିଜନ । କାକୁତିମିନତି ହେବା ସତ୍ତେ୍ୱ  ମୁହଁ ଫେରାଇନେଲେ ଗାଁ ଲୋକେ । ଶେଷରେ ସାଇକେଲରେ ବୁହା ହୋଇ ମଶାଣିକୁ ଗଲା  ୮୦ ବର୍ଷୀୟା ବୃଦ୍ଧାଙ୍କ ଶବ । ନାତିନାତୁଣୀଙ୍କ ସହାୟତାରେ ମାଲୁଆ ସାଜି ଶେଷକୃତ୍ୟ କଲେ  ବିଧବା ପୁତ୍ରବଧୂ ଓ ଝିଅ । ମୃତ ବୃଦ୍ଧାଙ୍କ ସାନପୁଅ  ଭିନ୍ନ ଜାତିରେ ବିବାହ କରିଥିବାରୁ ବାସନ୍ଦ ଦଣ୍ଡସ୍ୱରୂପ ଶବ ଅଛୁଆଁ ହୋଇଛି । ଜାତିପ୍ରଥାର ଏଭଳି  କୁତ୍ସିତ ରୂପ ଦେଖିବାକୁ ମିଳିଛି ବରଗଡ଼ ଜିଲ୍ଲା  ପଦ୍ମପୁର ଉପଖଣ୍ଡର ପାଇକମାଳ ବ୍ଲକ ଅନ୍ତର୍ଗତ  କଣ୍ଟାପଡ଼ାରେ ।

କଣ୍ଟାପଡ଼ାର ଜୟନ୍ତୀ ବଚ୍ଛାଙ୍କ ଦୁଇ ପୁଅ ଏବଂ  ଗୋଟିଏ ଝିଅ । ସ୍ୱାମୀଙ୍କ ମୃତ୍ୟୁ ହୋଇଯାଇଥିଲା ।  ୮ ମାସ ତଳେ ବଡ଼ପୁଅ ତୁଳାରାମ  ଆରପାରିକୁ  ଚାଲିଗଲେ । ସାନପୁଅ ପଞ୍ଚା ଭିନ୍ନ ଜାତିରେ  ବାହା ହୋଇ ଗଞ୍ଜାମ ଜିଲ୍ଲା ଭଞ୍ଜନଗରରେ  ରହୁଛନ୍ତି । ଝିଅ ବାସନ୍ତୀ, ବିଧବା ବଡ଼ବୋହୂ  ଯାଜ୍ଞସେନୀ, ନାତି ଶୁଭମ ଓ ନାତୁଣୀ ଶିବାନୀଙ୍କ  ସହ ରହୁଥିଲେ ଜୟନ୍ତୀ । ଜୟନ୍ତୀଙ୍କ ଗୁରୁବାର  ସକାଳେ ଦେହାନ୍ତ ହୋଇଯାଇଥିଲା । ପରିବାର  ସଦସ୍ୟ ଶେଷକୃତ୍ୟ କରିବାକୁ ଗ୍ରାମବାସୀଙ୍କ  ସହଯୋଗ ଲୋଡ଼ିଥିଲେ । ହେଲେ ସମସ୍ତେ ମୁହଁ  ଫେରାଇ ନେଇଥିଲେ । ଶବବାହକ ଗାଡ଼ିରେ  ମୃତଦେହ ମଶାଣିକୁ ନେବେ ବୋଲି ଭାବିଥିଲେ  ଜୟନ୍ତୀ ଏବଂ ଯାଜ୍ଞସେନୀ । ଏଥିନିମନ୍ତେ ଉଦ୍ୟମ  କରି ଶେଷରେ ନିରାଶ ହୋଇଥିଲେ । ଏପଟେ  ଦୀର୍ଘ ସମୟ ଧରି ମୃତଦେହ ପଡ଼ି ରହିବାରୁ  ଗ୍ରାମବାସୀ ଅସନ୍ତୋଷ ଝାଡ଼ିଥିଲେ । ଉପାୟଶୂନ୍ୟ  ପରିବାର ସଦସ୍ୟ ଶେଷରେ ସାଇକେଲରେ  ଜୟନ୍ତୀଙ୍କ ଶବକୁ ମଶାଣିକୁ ନେଇ ଶେଷକୃତ୍ୟ  କରିଥିଲେ । ଶବ ବୋହିବାରେ ନିଲେଶ୍ୱର୍‌  ବନଛୋର, ଧବଳେଶ୍ୱର ବାଗ, ଆରତୀ  ବଗର୍ତ୍ତି, ନୃପତି ବନଛୋର ସହାୟତାର ହାତ  ବଢ଼ାଇଥିଲେ । କିନ୍ତୁ ଏବେ ସେମାନେ ଆକ୍ରୋଶର  ଶିକାର ହେବା ଆଶଙ୍କା ଦେଖାଦେଇଛି ।

ଅଧିକ ପଢ଼ନ୍ତୁ :- Low Pressure: ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସମ୍ଭାବନା, ଜୁଲାଇ ୨ ବେଳକୁ ଲଘୁଚାପ, ୧ରୁ ବଢ଼ିବ ବର୍ଷା ପରିମାଣ

ମୃତଦେହକୁ ବି ସମ୍ମାନ ମିଳିବ ।  ଏଥିଲାଗି ସରକାର ସହାୟତା ଯୋଗାଉଛନ୍ତି । କିନ୍ତୁ ଜୟନ୍ତୀଙ୍କ କ୍ଷେତ୍ରରେ ଏଥିରେ ବ୍ୟତିକ୍ରମ  ହୋଇଛି । ଶେଷକୃତ୍ୟ ନ ହୋଇ ମୃତଦେହ ଘଣ୍ଟା ଘଣ୍ଟା ଧରି ପଡ଼ିରହିବା ସତ୍ତେ୍ୱ ନେତା କିମ୍ବା ପ୍ରଶାସନିକ ଅଧିକାରୀ ନ ପହଞ୍ଚିବା ଚର୍ଚ୍ଚାର  ବିଷୟ ହୋଇଛି।

​​​​​​​