Venezuela Earthquake: ଭେନେଜୁଏଲାରେ ଭୂମିକମ୍ପ; ତୈଳ ସଙ୍କଟ ଭୟରେ ଭାରତ, ବଢ଼ିପାରେ ପେଟ୍ରୋଲ-ଡିଜେଲ ଦର !

Jun 26, 2026 - 14:25
Venezuela Earthquake: ଭେନେଜୁଏଲାରେ ଭୂମିକମ୍ପ; ତୈଳ ସଙ୍କଟ ଭୟରେ ଭାରତ, ବଢ଼ିପାରେ ପେଟ୍ରୋଲ-ଡିଜେଲ ଦର !

ନୂଆଦିଲ୍ଲୀ, ୨୬।୬: ଶକ୍ତିଶାଳୀ ଭୂମିକମ୍ପରେ ଛିନଭିନ୍ ଭେନେଜୁଏଲା । ଭେନେଜୁଏଲାରେ ପ୍ରାୟ ୧୨୫ ବର୍ଷର ସବୁଠାରୁ ଶକ୍ତିଶାଳୀ ଦୁଇଟି ଭୂମିକମ୍ପ ୭.୨ ଏବଂ ୭.୫ ତୀବ୍ରତାରେ ଅନୁଭୂତ ହୋଇଛି । ଏଥିରେ ଶତାଧିକ ଲୋକଙ୍କ ମୃତ୍ୟୁ ହେବା ସହ ବ୍ୟାପକ କ୍ଷୟକ୍ଷତି ଘଟିଛି । ସବୁଠାରୁ ଚିନ୍ତାଜନକ କଥା ହେଉଛି ଭାରତ ଉପରେ ଏହାର ବଡ଼ ପ୍ରଭାବ ପଡ଼ିପାରେ । ଏହା ପଛରେ କାରଣ କ’ଣ ଆସନ୍ତୁ ଜାଣିବା । ମଧ୍ୟ-ପ୍ରାଚ୍ୟରେ ଇରାନ ବିବାଦ କାରଣରୁ ଭାରତ ନିଜର ଅଶୋଧିତ ତୈଳ ଆମଦାନୀ ପାଇଁ ଭେନେଜୁଏଲା ଉପରେ ନିର୍ଭରଶୀଳତା ବଢ଼ାଇଥିଲା । ଗତ ଏପ୍ରିଲ ଓ ମେ ମାସରେ ଭାରତ ସେଠାରୁ ପ୍ରଚୁର ତେଲ କିଣିଥିଲା । ଭୂମିକମ୍ପ ଯୋଗୁଁ ତେଲ ପ୍ରକଳ୍ପ ସହ ବନ୍ଦର, ବିଦ୍ୟୁତ୍ ସେବା ଏବଂ ପରିବହନ ବ୍ୟବସ୍ଥା ବିଚ୍ଛିନ୍ନ ହୋଇଯାଇଛି । ଭେନେଜୁଏଲାର ମୁଖ୍ୟ ବନ୍ଦର 'ଲା ଗୁଆଇରା'କୁ ବିପର୍ଯ୍ୟୟ ଅଞ୍ଚଳ ଘୋଷିତ କରାଯାଇଛି ।

ଏହା ବି ପଢ଼ନ୍ତୁ... Venezuela Earthquake : ପ୍ରଚଣ୍ଡ ଭୂକମ୍ପରେ ଥରୁଛି ଘର, ସବୁଠି ଆର୍ତ୍ତ ଚିତ୍କାର, ଭଉଣୀକୁ ମେସେଜ କରି ସାମ୍ବାଦିକା କହିଲେ ଆମେ ଆଉ ବଞ୍ଚିବୁନି...

ଜାହାଜ ଚଳାଚଳରେ ବିଳମ୍ବ ଏବଂ ବୀମା ଖର୍ଚ୍ଚ ବୃଦ୍ଧି ଯୋଗୁଁ ଭାରତ ପାଇଁ ତେଲ ଆମଦାନୀ ମହଙ୍ଗା ହେବ । ଏହାର ସିଧାସଳଖ ପ୍ରଭାବ ଘରୋଇ ବଜାରରେ ପେଟ୍ରୋଲ ଓ ଡିଜେଲ ଦର ଉପରେ ପଡ଼ିପାରେ । ଭାରତର ନିବେଶ ମଧ୍ୟ ବିପଦରେଭାରତୀୟ ସରକାରୀ ସଂସ୍ଥା ONGC ବିଦେଶ ଭେନେଜୁଏଲାର ତୈଳ ପ୍ରକଳ୍ପରେ ବଡ଼ ଧରଣର ନିବେଶ କରିଛି । ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଭେନେଜୁଏଲାର କାର୍ଯ୍ୟକାରୀ ରାଷ୍ଟ୍ରପତି ଡେଲ୍ସି ରୋଡ୍ରିଗେଜ୍ଙ୍କ ମଧ୍ୟରେ ଦ୍ୱିପାକ୍ଷିକ ବାଣିଜ୍ୟ ନେଇ ଆଲୋଚନା ହୋଇଥିଲା । କିନ୍ତୁ, ଏହି ଭୂମିକମ୍ପ ଭାରତର ଆର୍ଥିକ ସ୍ୱାର୍ଥ ଓ ନିବେଶ ଯୋଜନାକୁ ଧକ୍କା ଦେଇଛି । ବିଶେଷଜ୍ଞଙ୍କ ମତରେ ମଧ୍ୟ-ପ୍ରାଚ୍ୟ ଉପରୁ ନିର୍ଭରଶୀଳତା କମାଇବାକୁ ଭାରତ ଯେଉଁ ନୂଆ ସପ୍ଲାଏ ଚେନ୍ ତିଆରି କରୁଥିଲା, ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ଏବେ ସେଥିରେ ଏକ ବଡ଼ ପ୍ରତିବନ୍ଧକ ସୃଷ୍ଟି ହୋଇଛି ।