୬ ଛକା, ୧୯ ଚୌକା: ବୈଭବଙ୍କ ଭଳି ବିସ୍ଫୋରକ ୧୬୮ ରନର ପାଳି ଖେଳିଲେ ସାନଭାଇ ଆଶୀର୍ବାଦ
ନୂଆଦିଲ୍ଲୀ: ବୈଭବଙ୍କ ବିସ୍ଫୋରଣ କେବଳ ଆଇପିଏଲ ନୁହେଁ ଇଣ୍ଡିଆ-ଏ ଟିମରେ ମଧ୍ୟ ଦେଖିବାକୁ ମିଳିଛି । ସାରା ବିଶ୍ବରେ ବୈଭବଙ୍କୁ ନେଇ ପ୍ରଶଂସା କରାଯାଉଛି । କମ୍ ବୟସରେ ବଡ଼ ଛକା ମାରିବା ଏବଂ ଅଭିଜ୍ଞ ବୋଲରଙ୍କୁ ସହଜରେ ମାରିବା ସବୁଠି ଚର୍ଚ୍ଚାର ବିଷୟ ପାଲଟିଛି । ତେବେ ଏହାରି ଭିତରେ ବୈଭବଙ୍କଠାରୁ ଅଧିକ ଘାତକ ବ୍ୟାଟିଂ କରୁଛନ୍ତି ତାଙ୍କ ଭାଇ ଆଶୀର୍ବାଦ । ଯାହାକୁ ନେଇ ତାଙ୍କ ପ୍ରଂଶସା କରାଯାଉଛି ।
ସମସ୍ତିପୁରରେ ଖେଳାଯାଉଥିବା ଏକ ଅଭ୍ୟାସ ମ୍ୟାଚରେ କମାଲ ବ୍ୟାଟିଂ କରିଥିଲେ ବୈଭବଙ୍କ ସାନଭାଇ ଆଶୀର୍ବାଦ । ସେ ୧୬୮ ରନର ଏକ ବିସ୍ଫୋରକ ପାଳି ଖେଳିଥିଲେ । ଯାହାକୁ ନିଜ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି ବଡ଼ଭାଇ ବୈଭବ ସୂର୍ଯ୍ୟବଂଶୀ । ସାନ ଭାଇର ମ୍ୟାଚର ସ୍କୋରକାର୍ଡକୁ ସେୟାର କରି ଶୁଭେଚ୍ଛା ଜଣାଇଛନ୍ତି ବୈଭବ । ତେବେ ଏହି ମ୍ୟାଚରେ ଆଶୀର୍ବାଦ ଏକ ଚମତ୍କାର ପାଳି ଖେଳିଥିଲେ । ସେ ୧୬୮ ରନ କରିଥିବାବେଳେ ଦାୟିତ୍ବପୂର୍ଣ୍ଣଭାବେ ଦଳୀୟ ସ୍କୋରକୁ ଆଗକୁ ବଢ଼ାଇଥିଲେ । କେବଳ ଏତିକି ନୁହେଁ ଏହି ପାଳରେ ଦାୟିତ୍ବାବାନ ବ୍ୟାଟିଂ ସାଙ୍ଗକୁ ବିସ୍ଫୋରଣ ମଧ୍ୟ ଦେଖିବାକୁ ମିଳିଥିଲା ।
ଦଳର ବାକି ବ୍ୟାଟ୍ସମ୍ୟାନ ଆଉଟ୍ ହେଉଥିବାବେଳେ ଆଶୀର୍ବାଦ ମଇଦାନରେ ତିଷ୍ଠି ରହିଥିଲେ । ସେ ଦଳୀୟ ସ୍କୋରକୁ ଆଗକୁ ବଢ଼ାଇଥିବାବେଳେ ବଡ଼ ବଡ଼ ସଟ୍ ମଧ୍ୟ ମାରିଥିଲେ । ଆଶୀର୍ବାଦଙ୍କ ଏହି ଶତକୀୟ ପାଳିରେ ରହିଥିଲା ୬ ଛକା ଏବଂ ୧୯ ଚୌକା । ବାଉଣ୍ଡୁରୀ ମାରି ପ୍ରତିପକ୍ଷ ବୋଲରଙ୍କୁ ନିରାଶ କରିଥିଲେ । ଏଭଳି ଚମତ୍କାର ପାଳି ପରେ ଆଶୀର୍ବାଦଙ୍କ ନିକଟକୁ ଛୁଟିଛି ଶୁଭେଚ୍ଛାର ସୁଅ ।
ସେପଟେ ଆମେ ଯଦି ବୈଭବଙ୍କ ସମ୍ପର୍କରେ କହିବା ତାହେଲେ ଏହି ଯୁବ ଖେଳାଳି ଚଳିତ ଆଇିଏଲରେ କମାଲ ବ୍ୟାଟିଂ କରି ଅରେଞ୍ଜ କ୍ୟାପ୍ ପାଇଥିବାବେଳେ ଇଣ୍ଡିଆ-ଏ ଦଳରେ ସାମିଲ ହୋଇଥିଲେ । ଶ୍ରୀଲଙ୍କାରେ ଖେଳାଯାଇଥିବା ତ୍ରିରାଷ୍ଟ୍ରୀୟ ସିରିଜର ଫାଇନାଲରେ ବିସ୍ଫୋରକ ପାଳି ଖେଳି ଦଳକୁ ବିଜୟୀ କରାଇଥିଲେ । ଏବେ ଆୟାରଲ୍ୟାଣ୍ଡ ଏବଂ ଇଂଲଣ୍ଡ ବିପକ୍ଷ ଟି-୨୦ ମ୍ୟାଚ ପାଇଁ ଦଳରେ ସାମିଲ ହୋଇଥିବାବେଳେ ଟିମ୍ ଇଣ୍ଡିଆରେ ଡେବ୍ୟୁ କରିବା ପାଇଁ ଯାଉଛନ୍ତି ।
ଏହାସହ ପଢ଼ନ୍ତୁ : ଟିମ୍ ଇଣ୍ଡିଆରେ ବୈଭବଙ୍କ ଡେବ୍ୟୁ ପୂର୍ବରୁ ବୟସକୁ ନେଇ ପ୍ରଶ୍ନ ଉଠାଇଲେ ପୂର୍ବତନ ପାକିସ୍ତାନୀ କ୍ରିକେଟର