ସାପ କାମୁଡ଼ାଙ୍କୁ ସଠିକ୍ ଚିକିତ୍ସା ମିଳିବାରେ ବିଳମ୍ବ, ଅକର୍ମଣ୍ୟ ଓ ବିକଳାଙ୍ଗ ହୋଇଯାଉଛନ୍ତି ରୋଗୀ, ମିଳୁନି ସହାୟତା
ନରଣପୁର,୨୯/୦୬(ସତ୍ୟଜିତ୍ ସାମନ୍ତରାୟ): ରାଜ୍ୟରେ ସର୍ବାଧିକ ସାପକାମୁଡା ଜନିତ ମୃତ୍ୟୁ କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାରେ ହୋଇଥିବା ସରକାରୀ ରିପୋର୍ଟ କହୁଛି । ବିଗତ ଦୁଇବର୍ଷରେ କେବଳ କେନ୍ଦୁଝରରେ ୧୩୨ ଜଣଙ୍କର ସାପକାମୁଡ଼ାରେ ମୃତ୍ୟୁ ହୋଇଥିବା ଜଣା ପଡ଼ିଛି । କେନ୍ଦୁଝର ପରେ ବାଲେଶ୍ୱର ଗଞ୍ଜାମ ଓ କଟକରେ ମଧ୍ୟ ଅଧିକ ସାପକାମୁଡା କେଶ ନଜରକୁ ଆସିଥାଏ । ସାଧାରଣତଃ ସେମାନଙ୍କ ମଧ୍ୟରୁ ୯୭ ପ୍ରତିଶତ ଗ୍ରାମଞ୍ଚଳର ହୋଇଥିବା ବେଳେ ଅଧିକାଂଶ ଚାଷକାର୍ଯ୍ୟରେ ନିୟୋଜିତ କୃଷକ ଓ ମାଟି ଘରେ ବସବାସ କରୁଥିବା ପରିବାର ଲୋକ । ସାପକାମୁଡା ବ୍ୟକ୍ତିଙ୍କ ପରିବାରକୁ ସିନା ଅନୁକମ୍ପାମୂଳକ ରାଶି ମିଳିଯାଏ ହେଲେ ଯାହାର ମୁଖ୍ୟ ଅଙ୍ଗ ଅକର୍ମଣ୍ୟ ହୋଇଯାଉଛି କିମ୍ବା ସାରା ଜୀବନ ପଙ୍ଗୁ ହୋଇ ରହୁଛନ୍ତି ସେମାନେ ସମାଜ ପାଇଁ ବୋଝ ହୋଇ ମାନସିକ ଭାରସାମ୍ୟ ହରାଇ ବସୁଛନ୍ତି । ସେ ଆଉ ଭବିଷ୍ୟତରେ ରୋଜଗାରକ୍ଷମ ହେବା ତ ଦୂରର କଥା ନିଜର ଆବଶ୍ୟକତା ପୂରଣ କରିବାରେ ସକ୍ଷମ ହେଉନାହାନ୍ତି । ଏହିପରି ବ୍ୟକ୍ତିଙ୍କ ପାଇଁ ସରକାରୀ ସ୍ତରରେ କୌଣସି ଅନୁକମ୍ପାମୂଳକ ସହାୟତା କିମ୍ବା ତାଲିମର ସୁବିଧା ଆଇନିର ନାହିଁ ।
ଓଡିଶାରେ ସାଧାରଣତଃ ନାଗ, ତମ୍ପ, ଅହିରାଜ, ବୋଡା, ଚନ୍ଦନ ବୋଡା, ଚିତି ପରି ସାପ ବିଷଧର ହୋଇଥିବାବେଳେ ଅନେକ ସାପ ବିଷ ହୀନ ହୋଇଥାନ୍ତି । ବିଷଧର ସାପ କାମୁଡାରେ ଭାରତରେ ବର୍ଷକୁ ପ୍ରାୟ ୬୦ ହଜାର ଏବଂ ଓଡ଼ିଶାରେ ବର୍ଷକୁ ପ୍ରାୟ ହଜାର ଲୋକ ଓ କେନ୍ଦୁଝରରେ ଶହେରୁ ଊଦ୍ଧ୍ୱର୍ ଲୋକ ପ୍ରତିବର୍ଷ ଚିକିତ୍ସା ଅଭାବ ଅଥବା ଡାକ୍ତରଖାନାରେ ପହଞ୍ଚିବାରେ ବିଳମ୍ବ ଯୋଗୁଁ ମୃତ୍ୟୁବରଣ କରିଥାନ୍ତି । ଅନେକ ଡାକ୍ତରଖାନା ନଆସି ନିକଟସ୍ଥ ଗୁଣିଆ ବା ଦଶାରୀ ପାଖକୁ ଯାଇ ସ୍ୱର୍ଣ୍ଣିମ ମୁହୂର୍ତ୍ତକୁ ପାର କରିଦିଅନ୍ତି । ଯାହାକି ମୃତ୍ୟୁର କାରଣ ପାଲଟିଥାଏ । ତେବେ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ଡାକ୍ତରଖାନାରେ ଚିକିତ୍ସା ପରେ ରୋଗୀ ଘରକୁ ପଳାଇଆସନ୍ତି । ଆଉ ତାପରେ ପୁନଶ୍ଚ ଡାକ୍ତରଙ୍କ ପରାମର୍ଶ ପାଇଁ ଯାଆନ୍ତି ନାହିଁ । ଡାକ୍ତରୀ ଫଲୋଅପ୍ ନକଲେ କେତେ ଯେ ଅସୁବିଧା ଭୋଗିଥାନ୍ତି ତାହା ଅଧିକାଂଶ ଲୋକେ ଆଜି ମଧ୍ୟ ଜାଣିନାହାନ୍ତି ।
ସାପ ବିଷରେ ଥିବା ନିୟୁରାଟକ୍ସିନ ପ୍ରଭାବରେ ଶ୍ୱାସଯନ୍ତ୍ର ବା ଫୁସଫୁସ୍ କାମ ନକରିବା କିମ୍ବା ହେମୋଟକ୍ସିନ ପ୍ରଭାବରେ କିଡ୍ନୀ ଖରାପ ହେବା ଲୋକମାନେ ଊଣା ଅଧିକେ ଜାଣିଛନ୍ତି । କିନ୍ତୁ, କିଛି ସାପଙ୍କ ବିଷରେ ଥିବା ସାଇଟୋଟକ୍ସିନ ପ୍ରଭାବରେ କାମୁଡା ଅଙ୍ଗରେ ଅଧିକ ମାତ୍ରାରେ ମାଂଶପେଶୀୟ ଟିସୁ ନଷ୍ଟ ହୋଇ ପୁରା ଅଙ୍ଗ ବିକୃତ ହୋଇଯିବା ଅତ୍ୟନ୍ତ ବିରଳ ଘଟଣା । ଏହିପରି ଜଣେ ପୀଡିତା ହେଲେ ନରଣପୁରଗୋଡା ସାହି ଅଞ୍ଚଳର ଜଣେ ପଦ୍ମାବତୀ ନାଏକ । ପଦ୍ମାବତୀଙ୍କ ବାମ ଗୋଡର ବର୍ତ୍ତମାନ ଅବସ୍ଥା ଆଖିରେ ନଦେଖିଲେ ବିଶ୍ୱାସ କରି ହେବ ନାହିଁ । ଠିକ୍ରେ ଚାଲିବା ତ ଦୂରର କଥା, ପଦ୍ମାବତୀ ଛିଡା ମଧ୍ୟ ହେଇ ପାରୁ ନାହାନ୍ତି । ବାମ ଗୋଡ ପାଦ ଉପରକୁ ଏମିତି ମାଡି ହୋଇ ଯାଇଛି ଯେ ତାଙ୍କର ପାଦ ବଙ୍କା ହେବ ସହିତ ଆଉ ତଳେ ଲାଗୁ ନାହିଁ ଁ । କହିବାକୁଗଲେ ଗୋଟିଏ ଗୋଡ ପାଇଁ ସମ୍ପୂର୍ଣ୍ଣ ଅକର୍ମଣ୍ୟ ପ୍ରାୟ ହୋଇ ଯାଇଛନ୍ତି ସେ । ଚାହିଁଲେ ବି ସେ କୌଣସି କାମ କରିବା କଷ୍ଟକର, କାରଣ ସେ ଆଉ କେବେ ଭଲରେ ଚାଲି ପାରିବେ ନାହିଁ ।
ଅଧିକ ପଢ଼ନ୍ତୁ :- Tamil Nadu Gas Tragedy : ଅଧାରୁ ପାଠପଢ଼ା ଛାଡ଼ି ରୋଜଗାର ଆଶାରେ ଯାଇଥିଲେ, ରାତି ଡ୍ୟୁଟି ସାରି ନିଦରେ ଶୋଇଥିଲେ, ଆଉ ଉଠିଲେନି...
୧୩ ବର୍ଷ ବୟସର ହୋଇଥିବାବେଳେ ତାଙ୍କୁ ସାପ କାମୁଡିଥିଲା । ସେତେବେଳେ ସଠିକ ଚିକିତ୍ସା ହୋଇ ନଥିଲା । ଚିକିତ୍ସାରେ ବିଳମ୍ବ ଦ୍ୱାରା ସେ ଜୀବନ ଯାକ ଅକର୍ମଣ୍ୟ ହୋଇଯାଇଛନ୍ତି । ପାଦ ଉପରେ ବିରାଟ ଘା' ହେଇଥିଲା, ତାହା ଦୀର୍ଘ ଦିନ ପରେ ଶୁଖିଲା ବେଳକୁ ତାଙ୍କର ପାଦ ଉପର ଭାଗ ସମ୍ପୂର୍ଣ୍ଣ ବଙ୍କା ହୋଇଗଲା । ପଦ୍ମାବତୀଙ୍କ ଭଳି ଆଉ କିଛି ସାପ କାମୁଡା ରୋଗୀ ମଧ୍ୟ ଏମିତି ଅସୁବିଧା ଭୋଗୁଛନ୍ତି । କାହାର ହାତ ଆଙ୍ଗୁଠି ନାହିଁ ତ କାହାର ପାଦ ଉପରେ ପୋଡା ଘା’ ଭଳି ବିରାଟ ଦାଗ ରହିଛି । କିନ୍ତୁ ସେମାନଙ୍କ ପାଇଁ କୌଣସି କ୍ଷତିପୂରଣ ମିଳେନାହିଁ । ଏପରିକି ଅଧିକାଂଶ ରୋଗୀ ଜାଣି ନଥାନ୍ତି ଯେ, ଏହା ସାପ କାମୁଡା ଦ୍ୱାରା ହୋଇଛି ।