29 JUNE 2026

Welcome!

Unlock your personalized experience.
Sign Up

ବେଙ୍ଗଲ ମିଡ୍-ଡେ ମିଲ୍ ବିବାଦରେ ଏଣ୍ଟ୍ରି ମାରିଲା 'ଓଡ଼ିଶା ମଡେଲ'; ପିଲାଙ୍କ ଥାଳିରୁ ହଟିବନି ଅଣ୍ଡା, ଶୁଭେନ୍ଦୁ ସରକାରଙ୍କ ନୂଆ ପ୍ଲାନ୍ !

Jun 29, 2026 - 15:25
ବେଙ୍ଗଲ ମିଡ୍-ଡେ ମିଲ୍ ବିବାଦରେ ଏଣ୍ଟ୍ରି ମାରିଲା 'ଓଡ଼ିଶା ମଡେଲ'; ପିଲାଙ୍କ ଥାଳିରୁ ହଟିବନି ଅଣ୍ଡା, ଶୁଭେନ୍ଦୁ ସରକାରଙ୍କ ନୂଆ ପ୍ଲାନ୍ !

କୋଲକାତା, ୨୯।୬: ପଶ୍ଚିମବଙ୍ଗର ସରକାରୀ ସ୍କୁଲଗୁଡ଼ିକରେ ମଧ୍ୟାହ୍ନ ଭୋଜନରୁ ଅଣ୍ଡା ହଟାଯିବା ଚର୍ଚ୍ଚାକୁ ନେଇ ଏବେ ରାଜନୀତି ସରଗରମ ହୋଇଛି । ଏହି ପ୍ରସଙ୍ଗରେ ଶାସକ ଓ ବିରୋଧୀଙ୍କ ମଧ୍ୟରେ କାଦୁଅ ଫିଙ୍ଗାଫିଙ୍ଗି ଜାରି ରହିଥିବା ବେଳେ, ଏବେ ସ୍ଥିତି ସମ୍ଭାଳିବାକୁ ପଶ୍ଚିମବଙ୍ଗର ଶୁଭେନ୍ଦୁ ସରକାର 'ଓଡ଼ିଶା ମଡେଲ'ର ସାହାରା ନେବାକୁ ଯାଉଛନ୍ତି । ରାଜ୍ୟ ଶିକ୍ଷା ବିଭାଗର ସୂଚନା ଅନୁସାରେ, ଏଣିକି ସ୍କୁଲଗୁଡ଼ିକୁ ଅଣ୍ଡା କିଣିବା ପାଇଁ ଅତିରିକ୍ତ ପାଣ୍ଠି ଯୋଗାଇ ଦିଆଯିବ, ଯାହାଫଳରେ ପିଲାମାନଙ୍କ ପୋଷଣରେ କୌଣସି ବାଧା ସୃଷ୍ଟି ହେବ ନାହିଁ ।

ଇସ୍କନକୁ ଦାୟିତ୍ୱ ଦେବା ପରେ ଆରମ୍ଭ ହେଲା ବିବାଦ:

ସୂଚନାଯୋଗ୍ୟ ଯେ, ନିକଟରେ ବେଙ୍ଗଲ ସରକାର ୧,୮୦୦ରୁ ଅଧିକ ସ୍କୁଲରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତି ଦାୟିତ୍ୱ 'ଇସ୍କନ' କୁ ହସ୍ତାନ୍ତର କରିଛନ୍ତି । ତେବେ ଇସ୍କନ ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ, ସେମାନଙ୍କ ଦ୍ୱାରା ପ୍ରସ୍ତୁତ ଖାଦ୍ୟରେ ଅଣ୍ଡା କିମ୍ବା କୌଣସି ଆମିଷ ସାମଗ୍ରୀ ରହିବ ନାହିଁ । ଏହାକୁ ନେଇ ଟିଏମସି ତୀବ୍ର ବିରୋଧ କରିବା ସହ ବିଜେପି ରାଜ୍ୟରେ 'ଶାକାହାରୀ ସଂସ୍କୃତି' ଲଦିଦେବାକୁ ଚେଷ୍ଟା କରୁଛି ବୋଲି ଅଭିଯୋଗ ଆଣିଥିଲା ।

ଏହା ବି ପଢ଼ନ୍ତୁ... Assam floods : ଆସାମରେ ବନ୍ୟା ବିଭୀଷିକା, ୨୨ ହଜାର ଲୋକେ ପ୍ରଭାବିତ, ଧୋଇଗଲା ରେଲୱେ ବ୍ରିଜ୍

କାହିଁକି ହେଉଛି 'ଓଡ଼ିଶା ମଡେଲ'ର ଚର୍ଚ୍ଚା ?

ବିବାଦ ବଢ଼ିବା ପରେ କିଛି ନେତା ଓ ବିଶେଷଜ୍ଞ ଓଡ଼ିଶାର ଉଦାହରଣ ଦେଇଥିଲେ । ଓଡ଼ିଶାରେ ବିଜେପି ସରକାର ଥିଲେ ମଧ୍ୟ ସେଠାରେ ସ୍କୁଲ ପିଲାଙ୍କୁ ମଧ୍ୟାହ୍ନ ଭୋଜନରେ ଅଣ୍ଡା ଦିଆଯାଉଛି । ଏହି ମଡେଲ ଅନୁସାରେ ଯଦି କୌଣସି ସ୍କୁଲ ଚାହିଁବ, ତେବେ ଅଣ୍ଡା କିଣିବା ପାଇଁ ସରକାରଙ୍କ ତରଫରୁ ସ୍ୱତନ୍ତ୍ର ଓ ଅତିରିକ୍ତ ବଜେଟ୍ ପ୍ରଦାନ କରାଯିବ । ଏହାଦ୍ୱାରା ଇସ୍କନର ସ୍ୱଚ୍ଛ ଶାକାହାରୀ ଭୋଜନ ମଧ୍ୟ ମିଳିବ ଏବଂ ପିଲାମାନେ ନିଜ ପୋଷଣ ପାଇଁ ଅଣ୍ଡା ମଧ୍ୟ ପାଇପାରିବେ । ଆସନ୍ତା ଜୁଲାଇ ୧ ତାରିଖରେ ସ୍କୁଲ ଶିକ୍ଷା ବିଭାଗର ବରିଷ୍ଠ ଅଧିକାରୀମାନେ ଏହି ନୂତନ ବ୍ୟବସ୍ଥାର ରୂପରେଖ ପ୍ରସ୍ତୁତ କରିବାକୁ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିବାକୁ ଯାଉଛନ୍ତି । ଅନ୍ୟପଟେ ରାଜ୍ୟର ଅନେକ ସ୍କୁଲର ପ୍ରଧାନଶିକ୍ଷକ ଏହି ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି। ସେମାନଙ୍କ କହିବା କଥା, ବର୍ତ୍ତମାନ ସପ୍ତାହକୁ ମାତ୍ର ଥରେ ଅଣ୍ଡା ଦିଆଯାଉଛି। ଯଦି ସରକାର ପିଲାଙ୍କୁ ଅଧିକ ଗୁଣବତ୍ତାପୂର୍ଣ୍ଣ ଓ ସ୍ୱାସ୍ଥ୍ୟକର ଖାଦ୍ୟ ଯୋଗାଇବେ, ତେବେ ଏହି ନୂଆ ବ୍ୟବସ୍ଥାରେ କୌଣସି ସମସ୍ୟା ହେବ ନାହିଁ । ସରକାରଙ୍କ ଏହି ସନ୍ତୁଳିତ ଆଭିମୁଖ୍ୟ ବିବାଦରେ ପୂର୍ଣ୍ଣଚ୍ଛେଦ ପକାଇବ ବୋଲି ଆଶା କରାଯାଉଛି ବୋଲି ସ୍କୁଲ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ରଖିଛନ୍ତି ।