11 JULY 2026

Welcome!

Unlock your personalized experience.
Sign Up

ରଥଯାତ୍ରା ପାଇଁ ମୁତୟନ ହେବେ ୧୩ ହଜାର ପୁଲିସ

Jul 11, 2026 - 18:41
ରଥଯାତ୍ରା ପାଇଁ ମୁତୟନ ହେବେ ୧୩ ହଜାର ପୁଲିସ

​​​​​​​ପୁରୀ, ୧୧।୭ : ଆସନ୍ତା ଗୁରୁବାର ଶ୍ରୀକ୍ଷେତ୍ର ରେ ଅନୁଷ୍ଠିତ ହେବ ମହାପ୍ରଭୁଙ୍କର ପବିତ୍ର ଶ୍ରୀଗୁଣ୍ଡିଚା ଯାତ୍ରା। ମହାପ୍ରଭୁଙ୍କ ରଥଯାତ୍ରା କୁ ଶୃଙ୍ଖଳିତ ଏବଂ ସୁରକ୍ଷିତ କରିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଉଛି। ରଥଯାତ୍ରାରେ ଭିଡ଼ ନିୟନ୍ତ୍ରଣ, ଭକ୍ତଙ୍କ ସୁରକ୍ଷା, ଟ୍ରାଫିକ ସୁପରିଚାଳନା ନେଇ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ରହିଛି ପୋଲିସ ବିଭାଗର। ପୋଲିସ ମହାନିର୍ଦ୍ଦେଶକ ଓ୍ବାଇ ବି ଖୁରାନିଆ ପୁରୀ ଗସ୍ତରେ ଆସି ରଥଯାତ୍ରାରେ ନିୟୋଜିତ ହେବାକୁ ଥିବା ସମସ୍ତ ପୋଲିସ ଅଧିକାରୀଙ୍କ ସହ ଏ ନେଇ ଆଲୋଚନା କରିଛନ୍ତି।

ଏକ ସ୍ବତନ୍ତ୍ର ବୈଠକରେ ପୋଲିସର ଭୂମିକା ଏବଂ ଦାୟିତ୍ଵ ସମ୍ପର୍କରେ ପୋଲିସ ଅଧିକାରୀଙ୍କୁ ସଚେତନ କରାଇଛନ୍ତି ପୋଲିସ ମହାନିର୍ଦ୍ଦେଶକ। ମହାପ୍ରଭୁଙ୍କ ରଥଯାତ୍ରାରେ ସାମିଲ୍ ହେବା ପାଇଁ ଲକ୍ଷ ଲକ୍ଷ ଭକ୍ତ ଶ୍ରୀକ୍ଷେତ୍ରକୁ ଆସିବେ। ଏଣୁ ଶୃଙ୍ଖଳିତ ରଥଯାତ୍ରା ସହିତ ଭକ୍ତଙ୍କୁ ସେବା ଏବଂ ବନ୍ଧୁତ୍ବପୂର୍ଣ୍ଣ ମନୋଭାବ ନେଇ କାର୍ଯ୍ୟ କରିବା ପାଇଁ ପୋଲିସ ଅଧିକାରୀ ଓ କର୍ମଚାରୀଙ୍କୁ ପରାମର୍ଶ ଦେଇଛନ୍ତି ପୋଲିସ ଡିଜି। ଜଗନ୍ନାଥଙ୍କ ସେବାରେ ନିଜକୁ ସମ୍ପୂର୍ଣ୍ଣ ନିୟୋଜିତ କରି ସମ୍ପୂର୍ଣ୍ଣ ମାନବୀୟ ବ୍ୟବହାର ପ୍ରଦର୍ଶନ କରିବାକୁ ଡିଜିପି ପୋଲିସ ଅଧିକାରୀଙ୍କୁ ସଚେତନ କରାଇଛନ୍ତି।

ତେବେ ପୋଲିସ ଡ଼ିଜିଙ୍କ ସୂଚନା ଅନୁସାରେ ଚଳିତ ରଥଯାତ୍ରାକୁ ଶୃଙ୍ଖଳିତ ଭାବରେ ପରିଚାଳନା କରିବା ପାଇଁ ୧୩ ହଜାର ପୋଲିସ କର୍ମଚାରୀ ମୁତୟନ ହେବାକୁ ଥିବା ବେଳେ ୧୯ ଜଣ ବରିଷ୍ଠ ଆଇପିଏସ ଅଧିକାରୀଙ୍କୁ ପୋଲିସ ପରିଚାଳନା ଭାର ଦାୟିତ୍ଵ ଦିଆଯାଇଛି। ସମୁଦ୍ର ପଥରେ ମେରାଇନ ପୋଲିସ ଏବଂ କୋଷ୍ଟ ଗାର୍ଡ ଓ ନ୍ୟାଭି ନଜର ରଖିବେ। ରଥଯାତ୍ରାରେ ସୁରକ୍ଷା ଦାୟିତ୍ବରେ ଓଡ଼ିଶା ପୋଲିସ ସହିତ ବିଏସଏଫ, ସିଆରପିଏଫ, ଏନ୍ ଏସ୍ ଜି, ରାପିଡ ଆକ୍ସନ ଫୋର୍ସ, ଓଡ଼ିଶା ପୋଲିସର ଏସଟିୟୁ କମାଣ୍ଡୋ, ଡଗ ସ୍କ୍ୱାର୍ଡ ଏବଂ ବୋମା ନିଷ୍କ୍ରିୟକାରୀ ଦଳ ଦାୟିତ୍ଵରେ ରହିବେ। ସେହିପରି ଆକାଶ ମାର୍ଗରୁ ଡ୍ରୋନ୍ ଦ୍ବାରା ସମ୍ପୂର୍ଣ୍ଣ ପୁରୀ ସହର ଉପରେ ନଜର ରଖିବ ପୋଲିସ। ରଥଯାତ୍ରାରେ ୪୭୦ ଟି ଏଆଇ ସିସିଟିଭି କ୍ୟାମେରା ଦ୍ବାରା ସମ୍ପୂର୍ଣ୍ଣ ପୁରୀ ସହର ଏବଂ ପୁରୀ-ଭୁବନେଶ୍ବର ଜାତୀୟ ରାଜପଥ ଉପରେ କଡ଼ା ନଜର ରଖାଯିବ।

ଚଳିତବର୍ଷ ରଥଯାତ୍ରାରେ ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ହେବାକୁ ଥିବାରୁ ହଜାର ହଜାର ସଂଖ୍ୟାରେ ଯାନବାହାନ ଯାତାୟାତ କରିବ। ଏଣୁ ପୁରୀରେ ୨୭ ଟି ସ୍ଥାନରେ ଦୁଇଚକିଆ, ଚାରିଚକିଆ ଯାନ ପାଇଁ ପାର୍କିଂ ବ୍ୟବସ୍ଥା କରାଯାଇଛି। ପୁରୀ ସହର ଭିତରକୁ ୪ ଟି ଜୋନ୍ ରେ ଏବଂ ୫ ଟି ଜୋନ୍ ରେ ପୁରୀ ସହର ବାହାରକୁ ବିଭକ୍ତ କରାଯାଇ ଟ୍ରାଫିକ ସୁପରିଚାଳନା କରାଯିବ। ଭୁବନେଶ୍ୱର, କୋଣାର୍କ ପଟୁ ଆସୁଥିବା ଯାତ୍ରୀବାହୀ ବସ୍ ଗୁଡ଼ିକ ତାଳବଣିଆ ବସଷ୍ଟାଣ୍ଡ ଏବଂ ବ୍ରହ୍ମଗିରି ପଟୁ ଆସୁଥିବା ଯାତ୍ରୀବାହୀ ବସ୍ ଗୁଡ଼ିକ ସମଙ୍ଗ ଠାରେ ପାର୍କିଂ କରିବା ପାଇଁ ବ୍ୟବସ୍ଥା କରାଯାଇଛି। ଯାତ୍ରୀମାନେ ବଡ଼ଦାଣ୍ଡ କୁ ଯାତାୟତ କରିବା ପାଇଁ ସଟଲ ବସ୍ ସେବା ଓ ମାଗଣା ଅଟୋ ସେବା ବ୍ୟବସ୍ଥା କରାଯାଇଛି। ତିନୋଟି ସିଫ୍ଟ ରେ ୨୪ ଘଣ୍ଟା ବରିଷ୍ଠ ଆଇପିଏସ ଅଧିକାରୀ ମାନେ ଟ୍ରାଫିକ ପରିଚାଳନା ଦାୟିତ୍ଵ ରେ ରହିବେ। ତେବେ ଚଳିତବର୍ଷ ରଥଯାତ୍ରାକୁ ଶୃଙ୍ଖଳିତ ଏବଂ ସୁରକ୍ଷିତ ଭାବେ ଆୟୋଜନ କରିବା ପାଇଁ ରଥଯାତ୍ରା ଡ୍ୟୁଟିରେ ଅଭିଜ୍ଞତା ଥିବା ଅଧିକାରୀ ଙ୍କୁ ଦାୟିତ୍ୱ ଦିଆଯାଇଥିବା ଏଡିଜି ସୌମେନ୍ଦ୍ର ପ୍ରିୟଦର୍ଶୀ ସୂଚନା ଦେଇଛନ୍ତି।

ଆହୁରି ପଢନ୍ତୁ : ଭୁବନେଶ୍ବର ବିଜେବି ନଗରରେ ଅଘଟଣ , ପାଇଖାନା ଟାଙ୍କିରେ ପଡି ୨ ଶ୍ରମିକ ମୃତ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।